ମନୋରଞ୍ଜନ
ପୁଲିସ ଡିଜିଙ୍କୁ ଚିଠି ଲେଖିଲେ କଏଦୀ
ଭୁବନେଶ୍ୱର : ରାଜ୍ୟରେ ଥିବା ଅନେକ ଜେଲରେ ସବୁ କିଛି ଠିକ୍ଠାକ୍ ଚାଲିନାହିଁ। କେଉଁଠି କଏଦୀମାନେ ଗଞ୍ଜେଇ ଟାଣି ଗୀତ ତାଳେ ତାଳେ ନାଚୁଛନ୍ତି ତ, ଆଉ କେଉଁଠି ଜେଲ ଭିତରେ ମଦ,ମାଂସର ଆସର ଜମୁଛି। ରାଜ୍ୟର ବିଭିନ୍ନ ଜେଲକୁ ଅବାଧରେ ନିଶାଦ୍ରବ୍ୟ ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି। ଏବେ ପୁଲିସ ଡ଼ିଜିଙ୍କ ନିକଟକୁ କୁଜଙ୍ଗ ସବଜେଲ୍ରୁ ଆସିଥିବା ଏକ ଚିଠି ଜେଲ ବିଭାଗର ନିଦ ହଜାଇ ଦେଇଛି। ଏହି ଚିଠି ପରେ ଜେଲ ବିଭାଗ ଉପରେ […]
ଭୁବନେଶ୍ୱର : ରାଜ୍ୟରେ ଥିବା ଅନେକ ଜେଲରେ ସବୁ କିଛି ଠିକ୍ଠାକ୍ ଚାଲିନାହିଁ। କେଉଁଠି କଏଦୀମାନେ ଗଞ୍ଜେଇ ଟାଣି ଗୀତ ତାଳେ ତାଳେ ନାଚୁଛନ୍ତି ତ, ଆଉ କେଉଁଠି ଜେଲ ଭିତରେ ମଦ,ମାଂସର ଆସର ଜମୁଛି। ରାଜ୍ୟର ବିଭିନ୍ନ ଜେଲକୁ ଅବାଧରେ ନିଶାଦ୍ରବ୍ୟ ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି। ଏବେ ପୁଲିସ ଡ଼ିଜିଙ୍କ ନିକଟକୁ କୁଜଙ୍ଗ ସବଜେଲ୍ରୁ ଆସିଥିବା ଏକ ଚିଠି ଜେଲ ବିଭାଗର ନିଦ ହଜାଇ ଦେଇଛି। ଏହି ଚିଠି ପରେ ଜେଲ ବିଭାଗ ଉପରେ ପୁଣି ଅଙ୍ଗୁଳି ଉଠିଛି। କାରଣ ଜେଲ ଭିତରେ ରହୁଥିବା କେତେକ କଏଦୀ ଏବଂ ଜେଲର ୱାର୍ଡର ଏହି ଚିଠି ଲେଖିଛନ୍ତି। ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ନିଜ ନାମ ଚିଠିରେ ଉଲ୍ଲେଖ କରିନାହାନ୍ତି। ପାରଦ୍ୱୀପର କିଛି ମୁଷ୍ଟିମେୟ ଲୋକଙ୍କ ସମ୍ପର୍କୀୟ ତଥା ପୋଷାଗୁଣ୍ଡା କୁଜଙ୍ଗ ଜେଲରେ ଅଛନ୍ତି।
ସେମାନଙ୍କୁ ଜେଲ ଭିତରେ ପ୍ରତିଦିନ ସବୁ ସୁବିଧା ସୁଯୋଗ ଦିଆଯାଉଛି। ପ୍ରତିଦିନ ଏହି ମୁଷ୍ଟିମୟ କଏଦୀଙ୍କ ସମ୍ପର୍କୀୟ ଅବାଧରେ ଜେଲ ଭିତରକୁ ପଶି ସେମାନଙ୍କୁ ଭେଟ କରୁଛନ୍ତି। ଏହାସହ ସେମାନଙ୍କ ପାଇଁ ସାଥିରେ ମଦ, ମାଂସ, ବ୍ରାଉନ୍ ସୁଗର ଏବଂ ଗଞ୍ଜେଇ ଜେଲ ଭିତରକୁ ନେଉଛନ୍ତି। ଏସବୁ ବିଷୟରେ ଜେଲର ଜାଣିଥିଲେ ମଧ୍ୟ ଚୁପ୍ ରହୁଥିବା ଚିଠିରେ ଉଲ୍ଲେଖ ରହିଛି। ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନଙ୍କୁ ମାଡ ମରାଯାଉଛି। ଏପରିକି ପ୍ରତିବାଦ କରୁଥିବା କଏଦୀମାନଙ୍କୁ କର୍ତ୍ତୃପକ୍ଷ ଖାଇବାକୁ ନ ଦେବା ପାଇଁ ଧମକ ଦେଉଛନ୍ତି। ଯେଉଁଥି ପାଇଁ କୁଜଙ୍ଗ ଜେଲରେ ଏହି କଏଦୀଙ୍କ ଦବଦବା ବଢ଼ିବାରେ ଲାଗିଛି। ଏପରିକି ଜେଲରେ ଥିବା ୱାର୍ଡରମାନଙ୍କୁ ମଧ୍ୟ ଏହି ମୁଷ୍ଟିମୟ କଏଦୀମାନେ ବିଭିନ୍ନ ଧମକଚମକ ଦେଉଛନ୍ତି।
ତେଣୁ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୁଲିସକୁ ନ ଜଣାଇ ଅତର୍କିତଭାବେ ଜେଲରେ ଚଢଉ କରିବା ପାଇଁ ଚିଠିରେ ପୁଲିସ ଡିଜିଙ୍କୁ ନିବେଦନ କରାଯାଇଛି। ଏହି ଚିଠି ପୁଲିସ ଡିଜି ପାଇବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି ଡିଜି। ସେ ତୁରନ୍ତ ଏହି ଘଟଣାର ତଦନ୍ତ କରି ଜେଲରେ ଚଢଉ କରିବା ପାଇଁ ଜେଲ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି। ଯେଉଁମାନେ ଚିଠି ଲେଖିଛନ୍ତିି ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବୟାନ ନେବାକୁ ମଧ୍ୟ ଡିଜି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
ଜେଲ କର୍ମଚାରୀଙ୍କୁ ଜେଲ ଭିତରକୁ ଡ୍ୟୁଟି ପାଇଁ ଯିବା ପୂର୍ବରୁ ମୋବାଇଲ୍ ଫାଟକ ନିକଟରେ ରଖି ଯିବାକୁ କୁହାଯାଇଛି। ଆହୁରି ମଧ୍ୟ ଜେଲ ଭିତରକୁ ଯାଉଥିବା ବିଭିନ୍ନ ସାମଗ୍ରୀକୁ ତନ୍ନ ତନ୍ନ କରି ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ରହିଛି।
କିନ୍ତୁ ଏସବୁକୁ ଜେଲ କର୍ତ୍ତୃପକ୍ଷ ପାଳନ କରୁନାହାନ୍ତି। ସେମାନେ ମନ ଇଚ୍ଛା ଜେଲ ଭିତରେ ଲାଗିଥିବା ସିସିଟିଭି ଫୁଟେଜ ଏବଂ ଜାମରକୁ ବ୍ୟବହାର କରୁଛନ୍ତି। ଜେଲରେ ମୋବାଇଲ୍ ଏବଂ ନିଶାଦ୍ରବ୍ୟ କାରବାରକୁ ରୋକିବା ପାଇଁ ଅପରେସନ୍ କ୍ଲିନ୍ଅପ୍ ଗଠନ କରାଯାଇଛି। ଏହି ଟିମ୍ ରାଜ୍ୟର ୧୩ଜେଲରେ ଚଢ଼ଉ କରି ୫୫ଟି ମୋବାଇଲ୍ ଫୋନ୍ ଜବତ କରିବା ସହ ଏକାଧିକ ନିଶାଦ୍ରବ୍ୟ ଜବତ କରିଥିଲା। ଏହାପରେ ଝାରପଡ଼ା ଜେଲ ଅଧୀକ୍ଷକ, ଜାମ୍ମୁଝରୀ ଜେଲ ଅଧିକ୍ଷକ ଏବଂ ଅନ୍ୟ ଜେଲର କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ସମ୍ବଲପୁର ଜେଲରେ ମଧ୍ୟ କଏଦୀଙ୍କୁ ମାଡ ମାରିବା ଅଭିଯୋଗରେ ଜଣଙ୍କୁ ଚାକିରିରୁ ବିଦା କରାଯିବା ସହ ଅନ୍ୟ ଜଣଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା। ଦୁଇଦିନ ତଳେ ବରଗଡ଼ ସବ୍ ଜେଲରେ ମଧ୍ୟ ପୁଣି ୨ଜଣ କଏଦୀଙ୍କୁ ମାଡ଼ ମାରିବା ଘଟଣା ପଦାକୁ ଆସିଛି। ଜେଲରେ ଡାଲିରେ ପାଣି ମିଶାଇ ଖାଇବାକୁ ଦିଆଯାଉଥିବାରୁ ଏହାକୁ ବିରୋଧ କରିଥିବା କଏଦୀଙ୍କୁ ଜେଲ କର୍ମଚାରୀ ମାଡ଼ ମାରିଥିବା ଘଟଣା ପଦାକୁ ଆସିଛି।






