ଓଡ଼ିଶାରୁ ତାଳ ଗଛ କାଟି ନେଉଛି ତାମିଲ୍ନାଡ଼ୁ, କଟକଣା ନ ଥିବାରୁ ସୁହାଉଛି ପରିବହନ ବ୍ୟବସ୍ଥା
ଭୁବନେଶ୍ୱର : ରାଜ୍ୟରେ ତାଳଗଛ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ଗତ କିଛି ବର୍ଷ ହେଲା, ଉଭୟ ଜଙ୍ଗଲ ଓ ଅଣଜଙ୍ଗଲ ଅଞ୍ଚଳରୁ ଆଖିବୁଜା ତାଳଗଛ କଟାଯାଉଥିବାରୁ ଏଭଳି ସ୍ଥିତି ଦେଖାଦେଇଛି। ଏଥିରେ ରୋକ୍ ନ ଲାଗିଲେ, ଆଗାମୀ ଦିନରେ ଓଡ଼ିଶା ତାଳଗଛଶୂନ୍ୟ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବଜ୍ରପାତଜନିତ ଧନଜୀବନ କ୍ଷୟକ୍ଷତି ଟାଳିବାରେ ତାଳଗଛର ଏକ ପ୍ରମୁଖ ଭୂମିକା ରହିଛି। ହାତୀଙ୍କ ପ୍ରମୁଖ ଖାଦ୍ୟ ମଧ୍ୟରେ ତାଳ ଗଣାଯାଇଥାଏ। ବର୍ଷା ଦିନେ ଜଙ୍ଗଲରେ […]
ଭୁବନେଶ୍ୱର : ରାଜ୍ୟରେ ତାଳଗଛ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ଗତ କିଛି ବର୍ଷ ହେଲା, ଉଭୟ ଜଙ୍ଗଲ ଓ ଅଣଜଙ୍ଗଲ ଅଞ୍ଚଳରୁ ଆଖିବୁଜା ତାଳଗଛ କଟାଯାଉଥିବାରୁ ଏଭଳି ସ୍ଥିତି ଦେଖାଦେଇଛି। ଏଥିରେ ରୋକ୍ ନ ଲାଗିଲେ, ଆଗାମୀ ଦିନରେ ଓଡ଼ିଶା ତାଳଗଛଶୂନ୍ୟ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବଜ୍ରପାତଜନିତ ଧନଜୀବନ କ୍ଷୟକ୍ଷତି ଟାଳିବାରେ ତାଳଗଛର ଏକ ପ୍ରମୁଖ ଭୂମିକା ରହିଛି। ହାତୀଙ୍କ ପ୍ରମୁଖ ଖାଦ୍ୟ ମଧ୍ୟରେ ତାଳ ଗଣାଯାଇଥାଏ। ବର୍ଷା ଦିନେ ଜଙ୍ଗଲରେ କୌଣସି ଫଳ ହୋଇନଥାଏ। ଏହି ସମୟରେ ଏକମାତ୍ର ଫଳ ଭାବେ ହାତୀଙ୍କ ପାଇଁ ତାଳ ଉପଲବ୍ଧ ହୋଇଥାଏ। କିନ୍ତୁ ତାଳଗଛ ସଂରକ୍ଷଣ ପାଇଁ କୌଣସି ପଦକ୍ଷେପ ନ ନିଆଯିବା ଫଳରେ ଉଭୟ ମଣିଷ ଓ ବନ୍ୟଜନ୍ତୁଙ୍କ ପାଇଁ ଆଗାମୀ ଦିନରେ ଏକ ବଡ଼ ବିପଦ ସୃଷ୍ଟି ହୋଇପାରେ ବୋଲି ପରିବେଶବିତ୍ମାନେ ମତ ଦେଇଛନ୍ତି।
ଓଡ଼ିଶାରୁ ବ୍ୟାପକ ସଂଖ୍ୟାରେ ତାଳଗଛ କଟାଯିବାରେ ତାମିଲନାଡ଼ୁର କିଛି ରାକେଟ୍ କାମ କରୁଥିବା ଅଭିଯୋଗ ହେଉଛି। ମୁଖ୍ୟତଃ ଅନୁଗୁଳ, ଢେଙ୍କାନାଳ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରୁ ତାଳଗଛ କଟାଯାଇ ତାମିଲନାଡ଼ୁକୁ ଚାଳାଣ ହେଉଛି। ତାମିଲନାଡ଼ୁରେ ବର୍ତ୍ତମାନ ତାଳଗଛ କଟାରେ କଟକଣା ଥିବାରୁ ସେମାନଙ୍କ ଆଖି ଓଡ଼ିଶା ଉପରେ ପଡ଼ିଛି। ସେଠାକାର ଆବଶ୍ୟକତା ପୂରଣ ପାଇଁ ତାମିଲନାଡ଼ୁକୁ ଓଡ଼ିଶାରୁ ପ୍ରଚୁର ମାତ୍ରାରେ ତାଳଗଛ କଟାଯାଇ ପଠାଯାଉଛି। ଗୋଟିଏ ପଟେ ରାଜ୍ୟରେ ତାଳଗଛ ଲଗାଇବା ପାଇଁ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ପ୍ରାୟସ ଜାରି ରଖିଥିବା ବେଳେ ପ୍ରଶାସନିକ ସ୍ତରରେ ମଧ୍ୟ ବନ ବିଭାଗ ଓ କୃଷି ବିଭାଗକୁ ତାଳ ଗଛ ଲଗାଇବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଯେଉଁ ଗଛଗୁଡ଼ିକ ବର୍ତ୍ତମାନ ବଜ୍ରପାତରୁ ସୁରକ୍ଷା ଦେଉଛନ୍ତି ଓ ହାତୀଙ୍କୁ ଖାଦ୍ୟ ଯୋଗାଉଛନ୍ତି, ସେହି ବଡ଼ ଗଛଗୁଡ଼ିକର ସଂରକ୍ଷଣ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ।
ବିଶେଷଜ୍ଞଙ୍କ କହିବାନୁଯାୟୀ, ବିଜୁଳି ମାରିବା ବେଳେ ଅଧିକ ଉଚ୍ଚତାରେ ଥିବା ଜିନିଷ ଅଧିକ ପ୍ରଭାବିତ ହୋଇଥାଏ। ତାଳଗଛର ଉଚ୍ଚତା ଅଧିକ ହୋଇଥିବାରୁ ବିଜୁଳିକୁ ନିଜ ଆଡ଼କୁ ଟାଣିନେଇ ଲୋକଙ୍କୁ ସୁରକ୍ଷା ଦେଇଥାଏ। ଗତ ୫ବର୍ଷରେ ବଜ୍ରପାତ ଯୋଗୁଁ ରାଜ୍ୟରେ ୨ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଗତ ସେପ୍ଟେମ୍ବରରେ ଏସ୍ଆରସି ସତ୍ୟବ୍ରତ ସାହୁ ବନ ବିଭାଗ ଓ କୃଷି ବିଭାଗକୁ ବ୍ୟାପକ ତାଳଗଛ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏସ୍ଆରସିଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ବନ ବିଭାଗ ପକ୍ଷରୁ ସମସ୍ତ ଜଙ୍ଗଲ ଜମି ପାଖ, ରାସ୍ତାଘାଟ ଓ ଖୋଲା ପଡ଼ିଆରେ ତାଳଚାରା ରୋପଣ କରାଯାଉଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ନୂଆ ଗଛ ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ପୁରୁଣା ବଡ଼ ତାଳଗଛର ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ।
ପରିବେଶବିତ୍ ବିଶ୍ୱଜିତ ମହାନ୍ତି କହିଛନ୍ତି ଯେ ସାଧାରଣତଃ ଗୋଟିଏ ତାଳଗଛ ବଡ଼ ହୋଇ ପରିପକ୍ୱ ହେବା ପାଇଁ ପ୍ରାୟ ୨୦-୩୦ ବର୍ଷର ସମୟ ଲାଗିଥାଏ। ତେଣୁ ଯେଉଁ ପରିପକ୍ୱ ଗଛ ରହିଛି, ତାହାର ସଂରକ୍ଷଣ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ବନବିଭାଗ ଏକ କଡ଼ା ନିୟମ ପ୍ରଣୟନ କରିବା ଉଚିତ। ପୂର୍ବରୁ କଟା ତାଳଗଛକୁ ଅନ୍ତଃରାଜ୍ୟ ଚାଲାଣ କରିବାକୁ ହେଲେ ଆବଶ୍ୟକ ଅନୁମତି ନୋବକୁ ପଡ଼ୁଥିଲା। ମାତ୍ର ୨୦୧୯ରେ ଏହି ନିୟମକୁ କୋହଳ କରାଯାଇ ବିନା ଅନୁମତିରେ ତାଳଗଛ ନେବା ଆଣିବାକୁ ଅନୁମତି ଦିଆଗଲା। ଏହାଦ୍ବାରା ବର୍ତ୍ତମାନ ଓଡ଼ିଶାରୁ ପଡ଼ୋଶୀ ରାଜ୍ୟମାନେ ତାଳଗଛ କାଟି ନେଇଯିବାରେ କୌଣସି ସମସ୍ୟା ସୃଷ୍ଟି ହେଉନାହିଁ ବୋଲି ସେ କହିଛନ୍ତି।





