ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ନିର୍ମାଣାଧୀନ ପାଣି ଟାଙ୍କି ଉପରୁ ଠେଲି ସାଙ୍ଗକୁ ହତ୍ୟା !
ରାଉରକେଲା: ତ୍ରିକୋଣୀୟ ପ୍ରେମ ପାଇଁ ସାଙ୍ଗକୁ ହତ୍ୟା । ରାଉରକେଲାର ଲାଠିକଟା ଥାନା ଅଧୀନସ୍ଥ ତ୍ରିନାଥ କଲୋନୀରୁ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଜଣେ ଯୁବକ ନିଜ ସାଙ୍ଗକୁ ଏକ ନିର୍ମାଣାଧୀନ ପାଣି ଟାଙ୍କି ଉପରୁ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତ ଯୁବକଙ୍କ ନାମ ଅଭିଷେକ ମଲ୍ଲିକ ହୋଇଥିବା ବେଳେ ଅଭିଯୁକ୍ତ ବନ୍ଧୁଙ୍କ ନାମ ହେଉଛି କୁନା ଦାସ। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ବୁଧବାର ରାତିରେ ଉଭୟ ସାଙ୍ଗ ମିଶି ନିର୍ମାଣାଧୀନ ପାଣି ଟାଙ୍କି ଉପରେ ମଦ୍ୟପାନ କରୁଥିଲେ। ଉଭୟେ ଗୋଟିଏ ଝିଅ ସହ ସମ୍ପର୍କରେ ଥିଲେ। ତେବେ ଝିଅଟି ଅଭିଷେକଙ୍କୁ ଅଧିକ ପସନ୍ଦ କରୁଥିବା ଜାଣିବା ପରେ ସେଠାରେ ଉଭୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।
ପାଣି ଟାଙ୍କି ଉପରେ ଯୁକ୍ତିତର୍କ ଚାଲିଥିବା ସମୟରେ ରାଗିଯାଇ କୁନା ହଠାତ୍ ଅଭିଷେକଙ୍କୁ ତଳକୁ ଠେଲି ଦେଇଥିଲେ। ଗୁରୁତର ଆଘାତ ଲାଗିବା କାରଣରୁ ଘଟଣାସ୍ଥଳରେ ହିଁ ଅଭିଷେକଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମେ କୁନା ଏହାକୁ ଏକ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ। ମାତ୍ର ପୋଲିସର ତଦନ୍ତ ପରେ ପ୍ରକୃତ ସତ୍ୟ ପଦାକୁ ଆସିଥିଲା।
ଖବର ପାଇ ଲାଠିକଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ କୁନା ଦାସଙ୍କୁ ଗିରଫ କରିଛି। ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ସାମାନ୍ୟ ବିବାଦ କିପରି ଭୟଙ୍କର ହିଂସାର ରୂପ ନେଇପାରେ, ଏହି ଘଟଣା ତାହା ପ୍ରମାଣିତ କରିବା ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।






