ମାଲ୍‌‌ଖାନା ପାଲଟିଛି ମୂଷାଙ୍କ ଘର : ଗଞ୍ଜେଇ ଖାଇ ବଢାଉଛନ୍ତି ନିଜ ପରିବାର, ଦଣ୍ଡ ପାଉଛନ୍ତି ଦାୟିତ୍ୱରେ ଥିବା ଅଧିକାରୀ

The Sakala Picture
Published On

ଭୁବନେଶ୍ୱର : ପୁଲିସ ଜବତ କରୁଥିବା ସାମଗ୍ରୀ କୋର୍ଟ ଅନୁମତି କ୍ରମେ ଏହାକୁ ମାଲ୍‌‌ଖାନାରେ ରଖାଯାଇଥାଏ। କିନ୍ତୁ ଥାନା ମାଲ୍‌‌ଖାନାରେ ଏବେ ମୂଷାଙ୍କ ଉତ୍ପାତ ଦେଖିବାକୁ ମିଳୁଛି। ସେମାନେ ମାଲ୍‌‌ଖାନାକୁ ନିଜ ଅକ୍ତିଆରକୁ ନେଇଯାଇଛନ୍ତି। ପୁଲିସ ଜବତ କରୁଥିବା ସବୁ ସାମଗ୍ରୀ ଏବଂ ଦସ୍ତାବିଜ୍‌‌କୁ କାଟି ଗୁଣ୍ଡ କରି ଦେଉଛନ୍ତି। ଯେଉଁଥିପାଇଁ କୋର୍ଟରେ ମାଲ୍‌‌ଖାନା ଦାୟିତ୍ୱରେ ଥିବା ଅଧିକାରୀ ଦଣ୍ଡିତ ହେଉଛନ୍ତି। ତାଙ୍କ ନାମରେ ମାମଲା ରୁଜୁ ହେବା ସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ରାଜଧାନୀରେ ଥିବା ଏକାଧିକ […]

ଭୁବନେଶ୍ୱର : ପୁଲିସ ଜବତ କରୁଥିବା ସାମଗ୍ରୀ କୋର୍ଟ ଅନୁମତି କ୍ରମେ ଏହାକୁ ମାଲ୍‌‌ଖାନାରେ ରଖାଯାଇଥାଏ। କିନ୍ତୁ ଥାନା ମାଲ୍‌‌ଖାନାରେ ଏବେ ମୂଷାଙ୍କ ଉତ୍ପାତ ଦେଖିବାକୁ ମିଳୁଛି। ସେମାନେ ମାଲ୍‌‌ଖାନାକୁ ନିଜ ଅକ୍ତିଆରକୁ ନେଇଯାଇଛନ୍ତି। ପୁଲିସ ଜବତ କରୁଥିବା ସବୁ ସାମଗ୍ରୀ ଏବଂ ଦସ୍ତାବିଜ୍‌‌କୁ କାଟି ଗୁଣ୍ଡ କରି ଦେଉଛନ୍ତି। ଯେଉଁଥିପାଇଁ କୋର୍ଟରେ ମାଲ୍‌‌ଖାନା ଦାୟିତ୍ୱରେ ଥିବା ଅଧିକାରୀ ଦଣ୍ଡିତ ହେଉଛନ୍ତି। ତାଙ୍କ ନାମରେ ମାମଲା ରୁଜୁ ହେବା ସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ରାଜଧାନୀରେ ଥିବା ଏକାଧିକ ଥାନାର ମାଲ୍‌‌ଖାନା ଅସୁରକ୍ଷିତ ହୋଇପଡ଼ିଛି। ମୂଷା ମାଲ୍‌‌ଖାନାକୁ ନିଜ ଘର କରିବା ସହ ସେଠାରେ ଥିବା ଗଞ୍ଜେଇ ଖାଇ ନିଜ ପରିବାର ବଢ଼଼ାଉଛନ୍ତି। ଆଉ ପରେ ଜବତ ସାମଗ୍ରୀ କୋର୍ଟକୁ ଶୁଣାଣିକୁ ଯିବା ପୂର୍ବରୁ ମୂଷା କାଟି ନଷ୍ଟ କରି ଦେଉଛନ୍ତି। ଯେଉଁଥିପାଇଁ ପୁଲିସ କୋର୍ଟରେ ଅଭିଯୁକ୍ତକୁ ଦୋଷୀ ପ୍ରମାଣ କରିପାରୁନି। ଯାହାଫଳରେ ଅଭିଯୁକ୍ତ ବିନା ପ୍ରମାଣରେ ନିର୍ଦ୍ଦୋଷରେ ଖଲାସ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଗାଁରେ ବୁଲିଲା ଖଣ୍ଡା, ଗୋଷ୍ଠି ସଂଘର୍ଷରେ ୩ ଜଣ ଗୁରୁତର

କ’ଣ ରହିଛି ମାଲ୍‌‌ ଖାନାର ଗାଇଡ୍‌‌ଲାଇନ୍‌‌

ଆହୁରି ପଢ଼ନ୍ତୁ: ମଝି ସମୁଦ୍ରରୁ ଓଡ଼ିଆ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ ସାର୍ଥକ ମହାପାତ୍ରଙ୍କ ନିଖୋଜ ଘଟଣାକୁ ନେଇ ନବୀନଙ୍କ ଉଦବେଗ

ପୁଲିସ ପ୍ରତିଦିନ ଜବତ କରୁଥିବା ସାମଗ୍ରୀକୁ ଏହି ମାଲ୍‌‌ଖାନାରେ ରଖିଥାଏ। ଦାୟିତ୍ୱରେ ଥାନାର ଜଣେ ଏସ୍‌‌ଆଇ ରହିବା ସହ ତାଙ୍କୁ ଫୋରେନ୍‌‌ସିକ୍‌‌ ଆସିଷ୍ଟାଣ୍ଡ ସହଯୋଗ କରୁଛନ୍ତି। ପ୍ରତିଦିନ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପରେ କ’ଣ ସବୁ ଜବତ ହେଲା ତାହା କୋର୍ଟଙ୍କୁ ଅବଗତ କରାଯିବା ପରେ ଏକ ଖାତାରେ ଲେଖାହୋଇ ରଖାଯାଉଛି। ସେଥିରୁ କେଉଁ ସାମଗ୍ରୀ ଫୋରେନ୍‌‌ସିକ୍‌‌ ଗଲା ତାହା ଆଉଟ୍‌‌ ସାମଗ୍ରୀ ଏବଂ କେଉଁ ସାମଗ୍ରୀ ମାଲ୍‌‌ଖାନାରେ ରହିଲା ତାହା ଇନ୍‌‌ ବୋଲି ଲେଖାଯାଉଛି। ପ୍ରତି ମାସରେ ଥାନା ଅଧିକାରୀ ଏହାକୁ ନିରୀକ୍ଷଣ କରିବେ। ପ୍ରତି ମାସରେ କେତେ ଗଲା ଆଉ ମାଲ୍‌‌ଖାନାରେ କେତେ ରହିଲା ତଦାରଖ କରିବେ। କିନ୍ତୁ ବର୍ତ୍ତମାନ ମାଲ୍‌‌ଖାନାକୁ ଥାନା ଅଧିକାରୀ ନିରୀକ୍ଷଣ କରୁନାହାନ୍ତି। ଯେଉଁଥିପାଇଁ ଅନେକ ସାମଗ୍ରୀ ଗାଏବ ହୋଇଯାଉଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ, ବିଦ୍ୟୁତ ସଂଯୋଗ ପାଇଁ ନେଉଥିଲେ ୨୦ ହଜାର ଲାଞ୍ଚ

ଜାଗା ସମସ୍ୟା ବଢ଼ାଉଛି ପୁଲିସର ଚିନ୍ତା

ରାଜଧାନୀରେ ଥିବା ଏକାଧିକ ଥାନାର ମାଲ୍‌‌ଖାନାରେ ଜାଗା ସମସ୍ୟା ଦେଖାଗଲାଣି। ସମସ୍ତ ମାଲ୍‌‌ଖାନା ଜବତ ସାମଗ୍ରୀରେ ଭର୍ତ୍ତି ହୋଇଗଲାଣି। ଯେଉଁଥିପାଇଁ ମାଲଖାନାରେ ଜବତ ସାମଗ୍ରୀ ରଖା ନ ଯାଇ ବାହାରେ ରଖାଯାଉଛି। ଯାହାଫରେ ଏହା ଚୋରି ହେଲେ ଦାୟିତ୍ୱରେ ଥିବା ଅଧିକାରୀ ଦଣ୍ଡ ଭୋଗୁଛନ୍ତି। ତାଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଉଛି। ବର୍ତ୍ତମାନ ଥାନାରେ ଜାଗା ନ ଥିବାରୁ ଜବତ ଗାଡ଼ି ଏବଂ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଥାନା ବାହାରେ ରଖାଯାଉଛି। ଯେଉଁଥିପାଇଁ ଗାଡ଼ିର ଅନେକ ପାର୍ଟସ୍‌‌ ଚୋରି ହେଉଛି। ଏଥିପାଇଁ ଥାନାର ମାଲ୍‌‌ଖାନା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଦଣ୍ଡିତ କରାଯାଉଛି।

୩ ନୂଆ ଥାନା ଇ-ମାଲ୍‌‌ଖାନାରେ ଯୋଡ଼ିହୋଇନି

ଅନେକ ମାମଲା କୋର୍ଟରେ ଚାଲୁଥିବାବେଳେ ମାଲ୍‌‌ଖାନାରେ ଥିବା ଜବତ ସାମଗ୍ରୀ ଗାଏବ ହୋଇଯାଉଛି। ଅନେକ କ୍ଷେତ୍ରରେ ମଧ୍ୟ ଦାୟିତ୍ୱରେ ଥିବା ଅଧିକାରୀ ସାମଗ୍ରୀ ଗାଏବ କରି ଦେଉଛନ୍ତି। ତେଣୁ ମାଲ୍‌‌ଖାନାରେ ଥିବା କୋର୍ଟ ସାମଗ୍ରୀ ଯେପରି ସୁରକ୍ଷିତ ରହିବ, ସେଥିଲାଗି ଇ-ମାଲ୍‌‌ଖାନା କରାଯାଇଛି। ପ୍ରତିଦିନ ମାଲ୍‌‌ଖାନାକୁ କେତେ ଆସିଲା ଏବଂ କେତେ ଫୋରେନ୍‌‌ସିକ୍‌‌ ଲ୍ୟାବ୍‌‌କୁ ଗଲା ତାହା ସିସିଟିଏନ୍‌‌ଏସ୍‌‌ ପୋର୍ଟାଲରେ ଅପ୍‌‌ଲୋଡ୍‌‌ କରାଯାଉଛି। ଏପରିକି ଜବତ ହୋଇଥିବା ସାମଗ୍ରୀର ମେଡେଲ ନମ୍ବର, ସିରିଏଲ୍‌‌ ନମ୍ବର ଦିଆଯାଇ ଅପ୍‌‌ଲୋଡ୍‌‌ କରାଯାଉଛି। ଯାହାକୁ ହେର୍‌‌ଫେର୍‌‌ କରିହେବ ନାହିଁ। କିନ୍ତୁ ବର୍ତ୍ତମାନ ରାଜଧାନୀର ମୈତ୍ରୀବିହାର ଥାନା, ଇନ୍‌‌ଫୋଭ୍ୟାଲି ଏବଂ ପାହାଳ ଥାନା ଇ-ମାଲ୍‌‌ଖାନାରେ ଯୋଡ଼ି ହୋଇନି।

ମାଲ୍‌‌ଖାନାକୁ ମୁଣ୍ଡିଆ

ବିଗତ ଦିନରେ ମାଲ୍‌‌ଖାନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ମାମଲା ହୋଇଛି। କାରଣ ମାଲ୍‌‌ଖାନାରେ କୌଣସି ସାମଗ୍ରୀ ଗାଏବ ହେଲେ ଏଥିପାଇଁ ଅଧିକାରୀ ଦାୟୀ ରହୁଛନ୍ତି। ଗତ ଦୁଇ ବର୍ଷରେ ୧୫ଜଣ ପୁଲିସ ଅଧିକାରୀଙ୍କ ନାମରେ ମାମଲା ହୋଇଛି। ଯେଉଁଥିପାଇଁ ମାଲ୍‌‌ଖାନା ଦାୟିତ୍ୱ ନେବାକୁ ଅନେକ ପୁଲିସ ଅଧିକାରୀ ଅନିଚ୍ଛା ପ୍ରକାଶ କରୁଛନ୍ତି। ମାଲ୍‌‌ଖାନା କଥା କହିଲେ ସେ ମୁଣ୍ଡିଆ ମାରୁଛନ୍ତି। କାରଣ ନିକଟରେ ଚନ୍ଦ୍ରଶେଖରପୁର ମାଲ୍‌‌ଖାନାରୁ ଏକ ପାଣି ମୋଟର ଗାଏବ ହୋଇଗଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଦେଖାଇପାରି ନ ଥିଲେ ଦାୟିତ୍ୱରେ ଥିବା ଅଧିକାରୀ। ତେଣୁ ତାଙ୍କ ନାମରେ ମାମଲା ରୁଜୁ କରାଗଲା। ସେହିପରି ବଦଳି ସମୟରେ ଦସ୍ତାବିଜ୍‌‌କୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ମାଲ୍‌‌ଖାନାରୁ କୌଣସି ସାମଗ୍ରୀ ଗାଏବ ଥିଲେ ବଦଳି ବାତିଲ କରାଯାଉଛି।

ଶୁଣାଣିରେ ବିଳମ୍ବ; ଜବତ ସାମଗ୍ରୀ ନଷ୍ଟ

ଅନେକ ମାମଲାରେ ଶୁଣାଣି ୨୦ରୁ ଅଧିକ ବର୍ଷ ଧରି ଗଡ଼ୁଛି। ଯାହାର ବିଚାର ଆଜି ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏହି ମାମଲାର ଜବତ ସାମଗ୍ରୀ ମାଲ୍‌‌ଖାନାରେ ପଡ଼ି ରହିଛି। ସେପଟେ ମାଲ୍‌‌ଖାନାରେ ଜାଗା ନ ଥିବାରୁ ତାହାକୁ ଥାନା ପରିସରରେ ରଖାଯାଉଛି। ବାହାରେ ରହିବା ଦ୍ୱାରା ଏହା ଚୋରି ହେବା ସହ ମୂଷା ନଷ୍ଟ କରିଦେଉଛି। ଯେପରି ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପୀଡ଼ିତାଙ୍କ ଏକାଧିକ କପଡ଼ା ମାଲ୍‌‌ଖାନାରେ ରହୁଛି। ତାହାକୁ ମୂଷା ଖାଇ ନଷ୍ଟ କରି ଦେଉଥିବାରୁ କୋର୍ଟରେ ପ୍ରମାଣ ଦାଖଲ ହୋଇପାରୁନି। ଯାହାକୁ ନେଇ ପୁଲିସ ପାଇଁ ଚିନ୍ତା ବଢ଼଼ାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp