ମନୋରଞ୍ଜନ
କ୍ଷୋଭ ପ୍ରକାଶ କଲେ ନବୀନ; ଖୋଲାଖୋଲି ଆତଙ୍କରାଜ; ଲୋକଙ୍କୁ ସୁରକ୍ଷା ଦେବ କିଏ ?

ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୁଣି କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ରାଜଧାନୀ ଅଶାନ୍ତ ଥିବାବେଳେ ଆତଙ୍କରାଜ ଖୋଲାଖୋଲି ବୃଦ୍ଧି ପାଇଛି। ଏପରିସ୍ଥଳେ ସାଧାରଣ ଲୋକଙ୍କୁ କିଏ ସୁରକ୍ଷା ଦେବ ବୋଲି ନବୀନ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ କରିଛନ୍ତି।
ନବୀନ କହିଛନ୍ତି ଯେ ଗୋଟିଏ ଦିନରେ ରାଜଧାନୀ ଭୁବନେଶ୍ୱରରେ ଜଣେ ଏମ୍ସ କର୍ମଚାରୀଙ୍କୁ ଗୁଳି କରି ନିର୍ମମ ହତ୍ୟା, ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଚନ୍ଦ୍ରଶେଖରପୁରରେ ବୀଭତ୍ସ ହତ୍ୟାକାଣ୍ଡ ସହ ରେଳ ଷ୍ଟେସନରେ ଜନୈକ ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଶିକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ ଘଟଣା ସାଧାରଣ ଲୋକଙ୍କୁ ଆତଙ୍କିତ କରିଛି। କେବଳ ଘଟଣା ଘଟିବା ପରେ ବିଜେପି ସରକାରରେ ପୁଲିସ ପ୍ରଶାସନ କ୍ରିୟାଶୀଳ ହେବା ଅପରାଧୀଙ୍କୁ ଭୟଶୂନ୍ୟ କରିଦେଉଛି। କଥା କଥାକେ ଦିବାଲୋକରେ ଗୁଳି ଫୁଟୁଛି, ଅପରାଧୀ ଅବାଧ ଭାବେ ବୁଲୁଛନ୍ତି ବୋଲି ନବୀନ ଉଦବେଗ ପ୍ରକାଶ କରିଛନ୍ତି। ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ୁ ଥିବାବେଳେ ବିଜେପି ସରକାର ସଜାଗ ନ ହେବା ସବୁଠୁ ଆଶ୍ଚର୍ଯ୍ୟର ବିଷୟ। ଲୋକଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଇ ଏକ ଭୟମୁକ୍ତ ପରିବେଶ ସୁନିଶ୍ଚିତ କରିବା ପାଇଁ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ନବୀନ ଦାବି କରିଛନ୍ତି।