ଓଡ଼ିଶାରେ ମୋହନ ସରକାରକୁ ପୂରିଲା ୨ ବର୍ଷ: ଲୋକପ୍ରିୟତା ତଉଲିବ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ

Madhusudan Das Picture
Published On

ଭୁବନେଶ୍ୱର: ଆଜି ରାଜ୍ୟରେ ବିଜେପି ସରକାରଙ୍କୁ ୨ ବର୍ଷ ପୂରଣ ହୋଇଛି । ବିଗତ ୨ ବର୍ଷ ମଧ୍ୟରେ ରାଜ୍ୟରେ ବ୍ୟାପକ ବିକାଶ ନେଇ ସରକାରୀ ଦଳ ଦୃଢେ଼ାକ୍ତି ପ୍ରକାଶ କରୁଥିବାବେଳେ ବିରୋଧୀ ସରକାରଙ୍କୁ ପ୍ରତିଶ୍ରୁତି ଅପୂରଣୀୟତାର କାଠଗଡ଼ାକୁ ଟାଣୁଛନ୍ତି।  ଆଇନଶୃଙ୍ଖଳା ସ୍ଥିତି ଏବଂ ବିକାଶମୂଳକ କାର୍ଯ୍ୟକୁ ସରକାରଙ୍କୁ କଡ଼ା ସମାଲୋଚନା କରୁଛନ୍ତି ବିରୋଧୀ। ତେବେ ଗତ ୨ ବର୍ଷ ତୁଳନାରେ ତୃତୀୟ ବର୍ଷ ସରକାରଙ୍କ ପାଇଁ ସବୁଠାରୁ ଆହ୍ୱାନ ତଥା ପରୀକ୍ଷାର ବର୍ଷ ହେବ ବୋଲି ରାଜନୀତିକ ମହଲରେ ମତ ପ୍ରକାଶ ପାଇଛି। ୨ ବର୍ଷ ପୂରଣ ହେବାକୁ ଯାଉଥିବାବେଳେ ଏଯାବତ୍‌ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏବଂ ନିଗମ ଓ ବୋର୍ଡରେ ନିଯୁକ୍ତି ହୋଇପାରି ନାହିଁ। ଯାହାକୁ ନେଇ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏହି ସମୟରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ପରି ମନ୍ତ୍ରୀ ପରିଷଦ ଗଠନ ଓ ନିଗମ ନିଯୁକ୍ତି ସରକାରଙ୍କ ପାଇଁ ଆହ୍ୱାନ ହୋଇପାରେ। ଅନ୍ୟପକ୍ଷରେ ଚଳିତ ବର୍ଷ ଶେଷାର୍ଦ୍ଧରେ ଛାତ୍ରସଂସଦ ନିର୍ବାଚନ, ଆସନ୍ତା ବର୍ଷ ପ୍ରଥମ ପ୍ରଥମାର୍ଦ୍ଧରେ ପଞ୍ଚାୟତ ଓ ପୌର ନିର୍ବାଚନ ସରକାରଙ୍କ ଲୋକପ୍ରିୟତା ତଉଲିବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ରାଜନୀତି ସମୀକ୍ଷକଙ୍କ ମତ ଅନୁସାରେ ବିଗତ ୨ ବର୍ଷରେ ବିଭିନ୍ନ କ୍ଷେତ୍ରରେ ସରକାରଙ୍କୁ ଅପବାଦ ମୁଣ୍ଡାଇବାକୁ ପଡ଼ିଛି।  ଧାନ କ୍ରୟରେ ଅବ୍ୟବସ୍ଥା, ୩୦୦୦ ଟଙ୍କାର ଭତ୍ତା ପ୍ରଦାନ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି, ମହିଳା ସୁରକ୍ଷାକୁ ନେଇ ସରକାରଙ୍କୁ ବାରମ୍ବାର ସମାଲୋଚିତ ହେବାକୁ ପଡ଼ିଛି। ସେହିପରି ବିକାଶମୂଳକ କାର୍ଯ୍ୟ ଠପ୍‌ ହୋଇପଡ଼ିବା, ରଙ୍ଗବଦଳ ନିଷ୍ପତ୍ତିକୁ ନେଇ ମଧ୍ୟ ସାଧାରଣ ଲୋକେ ସରକାରଙ୍କୁ କାଠଗଡ଼ାରେ ଠିଆ କରିଛନ୍ତି। ଅପରପକ୍ଷେ ସମାନ ସମୟରେ ସରକାର ମଧ୍ୟ ବିଭିନ୍ନ କ୍ଷେତ୍ରରେ ସଫଳତାକୁ ନେଇ ଦମ୍ଭୋକ୍ତି ଭରୁଛନ୍ତି। ତେବେ ଏହି ଦୁଇବର୍ଷ ମଧ୍ୟରେ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ଗଠନ କରି ନ ପାରିବା ଏବଂ ବୋର୍ଡ, ନିଗମରେ ନିଯୁକ୍ତି ପ୍ରଦାନ କରିବାରେ ବିଫଳ ହେବା  ଉଭୟ ସରକାର ଏବଂ ସଂଗଠନର ନିଷ୍ପତ୍ତି ନେବାରେ ଦକ୍ଷତା ତଥା ସମନ୍ୱୟ ଉପରେ ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।   

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା। ତେଣୁ ତୃତୀୟ ବର୍ଷ ପ୍ରାରମ୍ଭରେ ଏହା ସରକାରଙ୍କ ପାଇଁ ବଡ଼ ଆହ୍ୱାନ ସାଜିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ସେହିପରି ଆସନ୍ତା ମାର୍ଚ୍ଚରେ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଏବେ ସୁଦ୍ଧା ମୁଖ୍ୟ ବିରୋଧୀ ଦଳ ବିଜେଡି ନିଜର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ ରଖିପାରିଛି। ସମାନ ସମୟରେ ବିଜେପି ଏଯାବତ୍‌ ସବୁ ଜିଲ୍ଲାରେ ସବୁ ନିର୍ବାଚନମଣ୍ଡଳୀରେ ନିଜର ପ୍ରଭାବ ବିସ୍ତାର କରିପାରେ ସକ୍ଷମ ହୋଇପାରି ନାହିଁ। ତେବେ ରାଜ୍ୟରେ ସରକାର ଥିବାବେଳେ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନ ସରକାରଙ୍କ ପାଇଁ ସମ୍ମାନର ପ୍ରଶ୍ନ ଭାବେ ଉଭା ହେବ। ଏହି ନିର୍ବାଚନ ହିଁ ରାଜ୍ୟ ସରକାରଙ୍କ ଲୋକପ୍ରିୟତା ନିର୍ଣ୍ଣୟ କରିବ ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି। ଏତଦ୍‌ବ୍ୟତୀତ ନିଜର ନିର୍ବାଚନୀ ପ୍ରତିଶ୍ରୁତି ଯଥା ଓଡ଼ିଶାରେ ଓଡ଼ିଆରେ ମେଡିକାଲ, ଇଞ୍ଜିନିୟରିଂ ଶିକ୍ଷା, ୧୫ ଲକ୍ଷଙ୍କୁ ପିଏମ୍‌ ଆବାସ, ୭୫ ହଜାର କିଲୋମିଟରକ ରାସ୍ତା, ସମସ୍ତଙ୍କୁ ୩୫୦୦ ଟଙ୍କା ଭତ୍ତା ପ୍ରଦାନ ପୂରଣ ସରକାରଙ୍କ ପାଇଁ ପ୍ରମୁଖ ଆହ୍ୱାନ ପାଲଟିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର