ପଞ୍ଚଭୂତରେ ବିଲୀନ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର, ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହେଲା ଅନ୍ତିମ ସଂସ୍କାର

The Sakala Picture
Published On

ଭୁବନେଶ୍ବର/ ବ୍ରହ୍ମପୁର/ଦିଗପହଣ୍ଡି: ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର। ବରିଷ୍ଠ ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର କପାମଣ୍ଡି ନିକଟରେ ଶୋକାକୁଳ ପରିବେଶରେ ଚିରକାଳ ପାଇଁ ବିଦାୟ ନେଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର । ଗାର୍ଡ ଅଫ ଅନର ଦିଆଯିବା ପରେ ପୁଅ ବିପ୍ଳବ ପାତ୍ର ମୁଖାଗ୍ନି ଦେଇଥିଲେ । ସକାଳେ ଭୁବନେଶ୍ବରରେ ଶେଷ ଦର୍ଶନ ପରେ ସୂର୍ଯ୍ୟଙ୍କ […]

ଭୁବନେଶ୍ବର/ ବ୍ରହ୍ମପୁର/ଦିଗପହଣ୍ଡି: ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର। ବରିଷ୍ଠ ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର କପାମଣ୍ଡି ନିକଟରେ ଶୋକାକୁଳ ପରିବେଶରେ ଚିରକାଳ ପାଇଁ ବିଦାୟ ନେଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର । ଗାର୍ଡ ଅଫ ଅନର ଦିଆଯିବା ପରେ ପୁଅ ବିପ୍ଳବ ପାତ୍ର ମୁଖାଗ୍ନି ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଆଜିଠୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୫ ଜିଲ୍ଲାରେ ରହିଛି ବିଭିନ୍ନ କାର୍ଯ୍ୟକ୍ରମ

ସକାଳେ ଭୁବନେଶ୍ବରରେ ଶେଷ ଦର୍ଶନ ପରେ ସୂର୍ଯ୍ୟଙ୍କ ପାର୍ଥିବ ଶରୀରକୁ ବ୍ରହ୍ମପୁର ଅଭିମୁଖେ ନିଆଯାଇଥିଲା । ବ୍ରହ୍ମପୁରରେ ଶେଷ ଶୋଭାଯାତ୍ରାରେ ହଜାର ହଜାର ଲୋକ ସେମାନଙ୍କ ପ୍ରିୟ ନେତାଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ । ଲାଞ୍ଜିପଲ୍ଲୀ ବାଇପାସ୍‌, କମାପଲ୍ଲୀ, ଟାଟାବେଞ୍ଜ୍‌ ଛକ, ଖଲ୍ଲିକୋଟ କଲେଜ ରୋଡ୍, ପି.ଭି.ଏନ. ପେଟ୍ରୋଲ ଟ୍ୟାଙ୍କ୍‌, ସିଟି ହସ୍ପିଟାଲ, ଗେଟ ବଜାର, ଆସିକା ରୋଡ୍‌ ଦେଇ ଦିଗପହଣ୍ଡିରେ ପହଞ୍ଚିଥିଲା ଶବ ଶୋଭାଯାତ୍ରା । ଦିଗପହଣ୍ଡି ବିଜେଡି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ନେତା, କର୍ମୀ ଓ ସାଧାରଣ ଲୋକ । ପରେ କପାମଣ୍ଡି ପାର୍ଶ୍ବରେ ଥିବା ସୂର୍ଯ୍ୟନାରାୟଣଙ୍କ ପୈତୃକ ସ୍ଥାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅନ୍ତିମ ସଂସ୍କାର ସମୟରେ ହଜାର ହଜାର ଲୋକ ଉପସ୍ଥିତ ରହି ସୂର୍ଯ୍ୟଙ୍କୁ ଅନ୍ତିମ ବିଦାୟ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା ! ଧାନ କିଆରୀରୁ ମୃତଦେହ ଉଦ୍ଧାର

ଉଲ୍ଲେଖଯୋଗ୍ୟ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶନିବାର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ସ୍ୱର୍ଗତଃ ପାତ୍ର ଗତ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ। ତେବେ ଶନିବାର ହଠାତ୍‌‌ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡ଼ିଥିଲା। ତାଙ୍କୁ ସଙ୍ଗେସଙ୍ଗେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ସେ ସନ୍ଧ୍ୟା ୭ଟା ୩୧ ମିନିଟ ସମୟରେ ଶେଷ ନିଶ୍ୱସ ତ୍ୟାଗ କରିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭାରେ ସାଂସଦ ମାନସଙ୍କ ପ୍ରଶ୍ନର ଉତ୍ତର ରଖିଲେ ଅନ୍ନପୂର୍ଣ୍ଣା ଦେବୀ: ରାଜ୍ୟର ୧୨୧୪୦ଟି ଅଙ୍ଗନବାଡ଼ି ସକ୍ଷମ ହେବ

୧୯୪୮ ଡିସେମ୍ବର ୨୪ ତାରିଖରେ ମସିହାରେ ସୂର୍ଯ୍ୟନାରାୟଣ ପାତ୍ର ଜନ୍ମଗ୍ରହଣ କରିଥିଲେ। ସେ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ନିଜର ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ ଥିବା ସ୍ୱର୍ଗତଃ ପାତ୍ର ୧୯୭୭ ମସିହାରେ ସେ ବିଧିବଦ୍ଧ ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ବ୍ରହ୍ମପୁର ମୁନିସିପାଲଟିରେ କାଉନସିଲର ଭାବେ ନିର୍ବାଚିତ ହେବା ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ। ସ୍ୱର୍ଗତ ପାତ୍ର ପ୍ରଥମଥର ପାଇଁ ୧୯୯୦ ମସିହାରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମୋଟ ୭ ଥର ଭାବେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ଗଜପତି ଜିଲ୍ଲା ମୋହନାରୁ ୪ ଥର ଏବଂ ଗଞ୍ଜାମର ଦିଗପହଣ୍ଡିରୁ ୩ ଥର ନିର୍ବାଚିତ ହୋଇଥିଲେ।

ପ୍ରଥମେ ସେ ଜନତା ଦଳ ଟିକଟରେ ମୋହନା ବିଧାନସଭା ଆସନରୁ ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଦୁଇଥର ନିର୍ବାଚିତ ହୋଇଥିଲେ। ଏହାପରେ ବିଜୁ ଜନତା ଦଳ ଟିକଟରେ ସମାନ ମୋହନା ଆସନରୁ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଧାନସଭାକୁ ପ୍ରତିନିଧିତ୍ୱ କରିଥିଲେ। ପରେ ସେ ଦିଗପହଣ୍ଡି ଆସନରୁ ୨୦୦୯, ୨୦୧୪ ଏବଂ ୨୦୧୯ ମସିହାରେ ଲଗାତାର ଭାବେ ୩ ଥର ନିର୍ବାଚିତ ହୋଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୯୦ ମସିହା ପରଠାରୁ ସେ କେବେ ନିର୍ବାଚନରେ ପରାଜିତ ହୋଇ ନ ଥିଲେ। ୧୯୯୦ରେ ବିଧାୟକ ଭାବେ ଜିତିକି ଆସିବା ପରେ ବିଜୁ ପଟ୍ଟନାୟକ ସରକାରରେ ଜଙ୍ଗଲ, ମତ୍ସ୍ୟ ଓ ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରାୟ ୬ମାସ ପାଇଁ କାର୍ଯ୍ୟ କରିଥିଲେ। ତା’ପରେ ୨୦୦୦ ମସିହା ପରଠାରୁ ୨୦୧୯ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ବିଭିନ୍ନ ସମୟରେ ଶକ୍ତି, ବିଜ୍ଞାନ ଓ କାରିଗରି କୌଶଳ, ପରିବେଶ, ପର୍ଯ୍ୟଟନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ସଂସ୍କୃତି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଆଦି ବିଭାଗର ମନ୍ତ୍ରୀ ଭାବେ ଦକ୍ଷତା ଏବଂ ସଫଳତାରର ସହ କାର୍ଯ୍ୟ କରିଥିଲେ।

ନିଜର ଯୋଗ୍ୟତା, ବରିଷ୍ଠତା ତଥା ରୋକଠୋକ୍‌‌ କଥା ପାଇଁ ପରିଚିତ ସ୍ୱର୍ଗତ ପାତ୍ର ୨୦୧୯ରେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ବାଚସ୍ପତି ଭାବେ ଇ-ବିଧାନସଭା ଉପରେ ଗୁରୁତ୍ୱ ଦେଇଥିବା ବେଳେ ତାଙ୍କ ପ୍ରଚେଷ୍ଟା ଯୋଗୁ ବିଧାୟକମାନଙ୍କ ସରକାରୀ ବାସଭବନକୁ ଭାଙ୍ଗି ଅତ୍ୟାଧୁନିକ ସୁବିଧାଯୁକ୍ତ ବହୁତଳ ପ୍ରସାଦ କାର୍ଯ୍ୟ ଏବେ ଜାରି ରହିଛି। ତେବେ ୨୦୨୨ ଜୁନ୍‌‌ ମାସରେ ସେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। କେବଳ ଭୋଟ ରାଜନୀତି ନୁହେଁ, ସେ ମଧ୍ୟ ଅନେକ ସଂଗଠନ ସହ ବ୍ୟକ୍ତିଗତ ଭାବେ ଜଡ଼ିତ ରହିବା ସହ ସରକାରୀ ନିଗମ ଏବଂ ସଂସ୍ଥାରେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ। ବିଶେଷକରି ସେ ଫିସଫେଡ୍‌‌, ଓମଫେଡ୍‌‌ ଓ ଓପେଲଫେଡ୍‌‌ର ଅଧ୍ୟକ୍ଷ ସହ ଦୀର୍ଘବର୍ଷ ଧରି ଓଡ଼ିଶା ଘରୋଇ ମୋଟର ପରିବହନ କର୍ମଚାରୀ ସଂଘର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp