ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

Madhusudan Das Picture
Published On

ବାରିପଦା: ମୟୂରଭଞ୍ଜ ସୀମାନ୍ତ ବାଲେଶ୍ୱର ଜିଲ୍ଲା ଆମ୍ବୁଲକୁଡା ଗ୍ରାମରେ ବନ୍ୟା ପରିସ୍ଥିତି ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବନ୍ୟା ଜଳର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ମଙ୍ଗଳବାର ରାତିରୁ ନିଖୋଜ ଥିବା ବୃଦ୍ଧଙ୍କ ମୃତଦେହ ଆଜି ବନ୍ୟା ଜଳ ଛାଡ଼ିବା ପରେ ଚଟାଣ ନିକଟରୁ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ସଦର ଥାନା ଅଧୀନ ଆମ୍ବୁଲକୁଡା ଗ୍ରାମର ଉମେଶ ପଣ୍ଡା ।

ଆହୁରି ପଢ଼ନ୍ତୁ: SCB ମେଡିକାଲରେ ୧.୪୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା: ଡାଟା ଏଣ୍ଟ୍ରି ଅପରେଟର ଗିରଫ

ସୂଚନା ମୁତାବକ, ଉମେଶ ଗତ ମଙ୍ଗଳବାର ଦିନ ନିଜର ଜଣେ ସମ୍ପର୍କୀୟଙ୍କ ଶବ ସତ୍କାର କରିବା ପାଇଁ ପୁରୀ ସ୍ୱର୍ଗଦ୍ୱାର ଯାଇଥିଲେ । ସେଠାରୁ କାର୍ଯ୍ୟ ସାରି ସେ ରାତିରେ ବସ ଯୋଗେ ଫେରିଥିଲେ । କଳମା ନିକଟରେ ବସରୁ ଓହ୍ଲାଇବା ପରେ ସେ ନିଜ ସାଇକେଲ ଧରି ଆମ୍ବୁଲକୁଡା ଅଭିମୁଖେ ବାହାରିଥିଲେ । ମାତ୍ର ସେହି ସମୟରେ କଳମା-ଆମ୍ବୁଲକୁଡା ରାସ୍ତାର ବାଙ୍କତିରା ନିକଟସ୍ଥ ଚଟାଣ ଉପରେ ବୁଢ଼ାବଳଙ୍ଗ ନଦୀର ବନ୍ୟାଜଳ ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିଲା । ଘରକୁ ଫେରିବା ବାଟରେ ସେ ଏହି ବନ୍ୟା ପାଣିର ସ୍ରୋତରେ ଭାସିଯାଇଥିବା ଅନୁମାନ କରାଯାଉଛି । ଉମେଶ ରାତିରେ ଘରେ ନ ପହଞ୍ଚିବାରୁ ପରିବାର ଲୋକେ ବହୁତ ଚିନ୍ତିତ ହୋଇ ପଡ଼ିଥିଲେ ଏବଂ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି କରିଥିଲେ । ଦୀର୍ଘ ସମୟ ଧରି ତାଙ୍କର କୌଣସି ପତ୍ତା ନ ମିଳିବାରୁ ସେ ବନ୍ୟା ଜଳରେ ଭାସିଯାଇଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଥିଲା । ଶେଷରେ ଆଜି ଚଟାଣ ଉପରୁ ବନ୍ୟା ଜଳ କମିବା ପରେ ସ୍ଥାନୀୟ ଲୋକେ ଚଟାଣ ପାର୍ଶ୍ୱରେ ତାଙ୍କର ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ସେଠାରୁ ମୃତଦେହ ଉଦ୍ଧାର କରିଥିଲେ । 

ଆହୁରି ପଢ଼ନ୍ତୁ: ରେଭେନ୍ସା ବିଶ୍ୱବିଦ୍ୟାଳୟ ବିବାଦ ତୀବ୍ର: ସମୂହ ଛୁଟିରେ ଅଧ୍ୟାପକ ଓ ଅଧ୍ୟାପିକା, କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉମେଶଙ୍କ ମୃତ୍ୟୁ ବନ୍ୟା ଜଳରେ ବୁଡ଼ି ହୋଇଛି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ତାହା ପୁଲିସର ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ। ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର