ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟଭେଦୀ କାର୍ଯ୍ୟକ୍ରମ ବିଜେପି ପାଇଁ ପାଲଟିଛି ଶିରପୀଡ଼ାର କାରଣ
ଭୁବନେଶ୍ୱର: ରାଜ୍ୟରେ ପତିଆରା ହରାଉଛି ବିଜେପି। ନେତାମାନେ ଦଳ ଛାଡ଼ିବା ଆରମ୍ଭ କରିଛନ୍ତି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ କର୍ମୀମାନଙ୍କୁ ଏକାଠି କରି ରଖିବା ଆହ୍ୱାନ ହୋଇଛି। ଯେଉଁଥିପାଇଁ ବିଜେପି ଆରମ୍ଭ କରିଛି ବିରୋଧ ରାଜନୀତି। ବିଭିନ୍ନ ଜିଲ୍ଲାରେ ବନ୍ଦ ଡାକରା ସହ ଥାନା ଘେରାଉ ଆଦି କାର୍ଯ୍ୟକ୍ରମ ହାତକୁ ନେଉଛି। ବିଶେଷଭାବରେ ପଶ୍ଚିମ ଓଡ଼ିଶାର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟଭେଦୀ କାର୍ଯ୍ୟକ୍ରମ ବିଜେପି ପାଇଁ ଶିରପୀଡ଼ାର କାରଣ ହୋଇଛି। ବିଜେପିର […]
ଭୁବନେଶ୍ୱର: ରାଜ୍ୟରେ ପତିଆରା ହରାଉଛି ବିଜେପି। ନେତାମାନେ ଦଳ ଛାଡ଼ିବା ଆରମ୍ଭ କରିଛନ୍ତି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ କର୍ମୀମାନଙ୍କୁ ଏକାଠି କରି ରଖିବା ଆହ୍ୱାନ ହୋଇଛି। ଯେଉଁଥିପାଇଁ ବିଜେପି ଆରମ୍ଭ କରିଛି ବିରୋଧ ରାଜନୀତି। ବିଭିନ୍ନ ଜିଲ୍ଲାରେ ବନ୍ଦ ଡାକରା ସହ ଥାନା ଘେରାଉ ଆଦି କାର୍ଯ୍ୟକ୍ରମ ହାତକୁ ନେଉଛି। ବିଶେଷଭାବରେ ପଶ୍ଚିମ ଓଡ଼ିଶାର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟଭେଦୀ କାର୍ଯ୍ୟକ୍ରମ ବିଜେପି ପାଇଁ ଶିରପୀଡ଼ାର କାରଣ ହୋଇଛି। ବିଜେପିର ପ୍ରଭାବ ଥିବା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ନିମନ୍ତେ ରାଜ୍ୟ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଦଳକୁ ଅଡ଼ୁଆରେ ପକାଇଛି। ଗମନାଗମନଠାରୁ ଜଳସେଚନ, ସ୍ୱାସ୍ଥ୍ୟ ସେବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟ ଯୋଗୁଁ ସାଧାରଣ ଲୋକମାନେ ବିଜେପିଠାରୁ ମୁହଁ ଫେରାଇନେବା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ନିଜର ସ୍ଥିତି ବଜାୟ ରଖିବା ନିମନ୍ତେ ବିଜେପି ପାଖରେ ଆଉ କିଛି ବିକଳ୍ପ ନାହିଁ। ତେଣୁ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଦଳ ନିଜର ପତିଆରା ବଜାୟ ରଖିବାକୁ ଚାହୁଁଛି।
ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପର୍ଯ୍ୟନ୍ତ ଏହି ଉଷ୍ମତା ଜାରି ରଖିବା ପାଇଁ ଯୋଜନା କରିଛି। ରାଜନୈତିକ ଦଳ ଭାବରେ ଗଣତନ୍ତ୍ରରେ ବିରୋଧ ଲାଗି ସମସ୍ତଙ୍କର ଅଧିକାର ରହିଛି; ମାତ୍ର ନିଜେ ଓକିଲ, ନିଜେ ଅଦାଲତ ଓ ନିଜେ ବିଚାରପତି ସାଜି ବିଜେପି ନେତାମାନେ କାର୍ଯ୍ୟ କରୁଛନ୍ତି। ମମିତା ମୃତ୍ୟୁ ପ୍ରସଙ୍ଗର ରାଜନୀତିକରଣ ଏହି ଘଟଣାକ୍ରମର ଏକ ଏକ କଡ଼ି। ପୂର୍ବରୁ ପରୀ, ସ୍ମିତାରାଣୀ, ସୌମ୍ୟରଞ୍ଜନ ଘଟଣାରେ ବିଜେପି ଯେଉଁ କାହାଣୀ ଲେଖିଥିଲା, ଏବେ ମମିତା ଘଟଣାରେ ସେହି କାହାଣୀକୁ ଦୋହରାଇଛି। ମମିତାଙ୍କ ବାପାମାଆ, ତାଙ୍କର ଭାଇ, ତାଙ୍କର ବଡ଼ବାପା ପୁଲିସ ତଦନ୍ତର ସ୍ୱଚ୍ଛତାକୁ ନେଇ ସନ୍ତୋଷପ୍ରକଟ କରିଛନ୍ତି। ଅପରାଧୀକୁ କଠୋରରୁ କଠୋରତମ ଦଣ୍ଡ ଦେବା ପାଇଁ ପୁଲିସକୁ ଅନୁରୋଧ କରିଛନ୍ତି। ଡିଆଇଜି ପାହ୍ୟାର ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି ମାମଲାର ତଦନ୍ତ ଚାଲିଛି। ଫାଷ୍ଟ ଟ୍ରାକ୍ କୋର୍ଟରେ ଏହାର ବିଚାର ପାଇଁ ପୁଲିସ ପଦକ୍ଷେପ ନେଇଛି। ମାତ୍ର ବିଡ଼ମ୍ବନା ହେଉଛି, ବିଜେପି ନେତାମାନେ ମମିତାଙ୍କ ପରିବାର ପ୍ରତି ସମବେଦନା ପରିବର୍ତ୍ତେ ନିଜ ରାଜନୈତିକ ଫାଇଦା ପାଇଁ ମାମଲାକୁ ଭିନ୍ନ ରଙ୍ଗ ଦେଉଛନ୍ତି। ବଲାଙ୍ଗୀର, କଳାହାଣ୍ଡି ପରେ ସୋନପୁର ଓ ସମ୍ବଲପୁର ବନ୍ଦ ଡାକରା ଦେଇ ନିଜ ରାଜନୈତିକ ପତିଆରା ଦେଖାଇବାକୁ ପ୍ରୟାସ ଜାରୀ ରଖିଛି। କରୋନା କାୟାରୁ ମୁକୁଳିବା ପରେ ଛୋଟବଡ଼ ବ୍ୟବସାୟୀମାନେ ଟିକିଏ ଅଣ୍ଟା ସଳଖିଛନ୍ତି। ପିଲାମାନେ ସ୍କୁଲକଲେଜ ମୁହାଁ ହୋଇଛନ୍ତି। ମାତ୍ର ବିଜେପିର ଘେରଉ ଓ ବନ୍ଦ ଡାକରା ଯୋଗୁଁ ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେଉଛି। ସାଧାରଣ ଜୀବନଯାତ୍ରା ବ୍ୟାଘାତ ହେଉଥିବାରୁ ବିଭିନ୍ନ ମହଲରେ ଏହାକୁ ନାପସନ୍ଦ କରାଯାଇଛି।
ନିକଟରେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତକୁ ବିରୋଧ କରି ବିଜେପି ନେତା ଓ କର୍ମୀମାନେ କଳାପତାକା ପ୍ରଦର୍ଶନ କରିବା ସହ ସଭାସ୍ଥଳକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଯାହାକୁ ନେଇ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। କିଛି ବିଜେପି କର୍ମୀ ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ ଦୁଇ ଜଣ ବିଜେଡି କର୍ମୀଙ୍କୁ ଗିରଫ କରିବା ସହ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏପରିସ୍ଥଳେ ଘଟଣାକୁ ରାଜନୈତିକ ମୋଡ଼ ଦେବାକୁ ଯାଇ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦର୍ଶାଇ ବିଜେପି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା। ଅନୁରୂପ ଭାବରେ, ଏକ ମାର୍ପିଟ୍ ଘଟଣାରେ ଅଭିଯୁକ୍ତଙ୍କ ଗିରଫଦାରିକୁ ବିରୋଧ କରି ଓ ସେମାନଙ୍କୁ ଥାନାରୁ ଛଡ଼େଇ ଆଣିବା ଉଦ୍ଦେଶ୍ୟରେ ବିଜେପି ନେତା ଓ କର୍ମୀମାନେ ବଡ଼ମ୍ବା ଅଞ୍ଚଳରେ ଆତଙ୍କରାଜ ସୃଷ୍ଟି କଲେ। ଥାନା ଭିତରକୁ ଧସେଇ ପଶିବା ସହ ପୁଲିସକୁ ଆକ୍ରମଣ କରିବା, ଥାନାରେ ତାଲା ପକାଇଦେବା ଭଳି କାର୍ଯ୍ୟ କରି ଆଇନଶୃଙ୍ଖଳାକୁ ହାତକୁ ନେଲେ। ବିଜେପି କର୍ମୀଙ୍କ ଆକ୍ରୋଶ ଓ ଢେଲାପଥର ମାଡ଼ରେ ଦୁଇଜଣ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ହିଂସାକାଣ୍ଡରେ ଲିପ୍ତ ରହିବା ସତ୍ତ୍ବେ ବିଜେପି ପକ୍ଷରୁ ରାସ୍ତାରୋକ କରାଯିବା ସହ ବଡ଼ମ୍ବା ବନ୍ଦର ଡାକରା ଦିଆଗଲା।
ସେହିପରି କିଛିଦିନ ପୂର୍ବରୁ ତିହିଡ଼ି ନିକଟରେ ବିଜେପିର ଜଣେ ବିଧାୟକଙ୍କ ପୁଅ ଥାନା ଭିତରେ ପଶି ଆତଙ୍କରାଜ ଚଳାଇଲେ। ପିପିଲି ଉପନିର୍ବାଚନ ପୂର୍ବରୁ କଣ୍ଟି ଛକରେ ବିଜେପି କର୍ମୀଙ୍କ ମାଡ଼ରେ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଟଙ୍କା ଦେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରଲୋଭିତ ଉଦ୍ୟମ କରି ବିଫଳ ହେବା ପରେ ବିଜେପି କର୍ମୀମାନେ ତାଙ୍କୁ ନିସ୍ତୁକ ପିଟିଥିଲେ, ଯାହା ତାଙ୍କ ମୃତ୍ୟୁର କାରଣ ପାଲଟିଥିଲା। ସେହିପରି ସତ୍ୟବାଦୀ ନିକଟରେ କିଛି ବିଜେପି କର୍ମୀ ରକ୍ତାକ୍ତ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଥିଲା। ବିଜେପୁର ଉପନିର୍ବାଚନ କାଳରେ ଗୁଳିକାଣ୍ଡରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଡ୍ରାଇଭର ଦିଲେଶ୍ୱର ପ୍ରାଣ ହରାଇଥିଲେ।
ଏହିଭଳି ଭାବରେ କ୍ଷମତା ଦଖଲ ନିମନ୍ତେ ଆଶା ଯେତେବେଳେ ହତାଶାରେ ପରିଣତ ହୋଇଛି, ସେତେବେଳେ ବିଜେପି ଗଣ୍ଡଗୋଳକୁ ଓହ୍ଲାଇ ଆସିଛି। ନୟାଗଡ଼଼଼଼ ପରୀ ମାମଲା ଠାରୁ ଆରମ୍ଭ କରି ପିପିଲି, ତିହିଡ଼ି, ବଡ଼ମ୍ବା ଓ ବାରିପଦା ସବୁଠି ସେହି ଗୋଟିଏ ସୂତ୍ର ଦଳ ଆପେଣେଇଛି। ମମିତା ପ୍ରସଙ୍ଗରେ ଦଳ ଯେଉଁ ଭୂମିକା ଆପଣେଇଛି, ତାହା ସେହି ସୂତ୍ରର ଅଂଶବିଶେଷ। ବିଭିନ୍ନ ସ୍ଥାନରେ ଥାନା ଘେରଉ କରିବା, ପୁଲିସକୁ ଆକ୍ରମଣ କରିବା, ଘଟଣାକୁ ବିଭ୍ରାନ୍ତ କରିବା ପାଇଁ ଯୋଜନା କରିବା, ଜାତୀୟସ୍ତରର ବିଭିନ୍ନ ସଂଗଠନ ଜରିଆରେ ଚାପ ପକାଇବା ପାଇଁ ଉଦ୍ୟମ କରିବା ସବୁ ଗୋଟିଏ ସୂତ୍ରରେ ବନ୍ଧା। ଏହା ପଛରେ ରହିଛି କେବଳ ନିଜ ପତିଆରା ଚିନ୍ତା, ଲୋକଙ୍କ ମନରେ ଏକ ଭୁଲ୍ ଧାରଣା ସୃଷ୍ଟି କରି ରାଜନୈତିକ ଫାଇଦା ହାସଲ କରିବାର ଲକ୍ଷ୍ୟ। କ୍ଷମତା ଦଖଲ ସ୍ୱପ୍ନ ଧୂଳିସାତ ହେବା ପରେ ରାଜ୍ୟ ବିଜେପି ପ୍ରତିହିଂସା ପରାୟଣ ହୋଇଛି। ରାଜରାସ୍ତାଠାରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ଏହା ପ୍ରତିଫଳିତ ହୋଇଛି। ବିଧାନସଭାରେ ବିଜେପି ବିଧାୟକମାନେ ବାଚସ୍ପତିଙ୍କ ଉପରକୁ କାଗଜ, କଲମ ଓ ଚପଲ ଫିଙ୍ଗି ନିଜର ନୀଚ ମାନସିକତାର ପରିଚୟ ଦେଇଛନ୍ତି। ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଏଠି ଲୋକମାନେ ନିଜ ପେଟପାଟଣା ଲାଗି ବ୍ୟସ୍ତ; ମାତ୍ର ବିଜେପି ରାଜ୍ୟରେ ନିୟମିତ ବ୍ୟବଧାନରେ ଅଶାନ୍ତି ସୃଷ୍ଟି କରି ଚାଲିଛି। ଲୋକମାନଙ୍କୁ ବିଭ୍ରାନ୍ତ କରିବା ପରି ଯେଉଁ ପଦକ୍ଷେପ ଗ୍ରହଣ କରୁଛି, ତାହା ଦଳକୁ ସାଧାରଣରେ ନିନ୍ଦିତ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।






