ନିଶ୍ଚେତକ ଦେବା ପରେ ଅସ୍ତ୍ରୋପଚାର ମେସିନ ଅଚଳ, ଅଚେତ ଅବସ୍ଥାରେ ୭ଘଣ୍ଟା ଶୋଇ ରହିଲେ ୨୭ ମହିଳା
ବରଗଡ଼: ନିଶ୍ଚେତକ ଦେବା ପରେ ଅଚଳ ହୋଇଗଲା ଅସ୍ତ୍ରୋପଚାର ମେସିନ୍। ଜଣେ କି ଦୁଇଜଣ ନୁହେଁ, ସମୁଦାୟ ୨୭ଜଣ ମହିଳା ସେମିତି ୭ ଘଣ୍ଟା ଧରି ବେଡ୍ ଉପରେ ଅଚେତ ଅବସ୍ଥାରେ ପଡ଼ି ରହିଲେ। ଏପଟେ ଭୟ, ଆଶଙ୍କା ମଧ୍ୟରେ ସେମାନଙ୍କ ପରିବା ରଲୋକ ଘାଣ୍ଟି ଚକଟି ହେଲେ। ବିଭିନ୍ନ ସମୟରେ ବିବାଦରେ ରହିଆସୁଥିବା ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତକାଲି ପୁଣି ଏମିତି ଏକ ସାଂଘାତିକ ଅଭିଯୋଗ ଆସିଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର […]
ବରଗଡ଼: ନିଶ୍ଚେତକ ଦେବା ପରେ ଅଚଳ ହୋଇଗଲା ଅସ୍ତ୍ରୋପଚାର ମେସିନ୍। ଜଣେ କି ଦୁଇଜଣ ନୁହେଁ, ସମୁଦାୟ ୨୭ଜଣ ମହିଳା ସେମିତି ୭ ଘଣ୍ଟା ଧରି ବେଡ୍ ଉପରେ ଅଚେତ ଅବସ୍ଥାରେ ପଡ଼ି ରହିଲେ। ଏପଟେ ଭୟ, ଆଶଙ୍କା ମଧ୍ୟରେ ସେମାନଙ୍କ ପରିବା ରଲୋକ ଘାଣ୍ଟି ଚକଟି ହେଲେ। ବିଭିନ୍ନ ସମୟରେ ବିବାଦରେ ରହିଆସୁଥିବା ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତକାଲି ପୁଣି ଏମିତି ଏକ ସାଂଘାତିକ ଅଭିଯୋଗ ଆସିଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଜିଲ୍ଲାର ସ୍ବାସ୍ଥ୍ୟସେବା ଉପରେ ସେମାନେ ପ୍ରଶ୍ନ ଉଠାଇଛନ୍ତି।
ସୂଚନାନୁଯାୟୀ, ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଇଚ୍ଛୁକ ଥିବା ପ୍ରାୟ ୩୦ ମହିଳା ଆଶାଦିଦିମାନଙ୍କ ମାଧ୍ୟମରେ ଗୁରୁବାର ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ, ସବୁ କିଛି ଠିକଠାକ୍ ଚାଲିଥିଲା। ଡାକ୍ତର ମଧ୍ୟ ଠିକ୍ ସମୟରେ ପହଞ୍ଚି ଅସ୍ତ୍ରୋପଚାର ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ। ସମସ୍ତଙ୍କୁ ପ୍ରଥମେ ଆନେସ୍ଥିସିଆ ଦିଆଯିବା ପରେ ଜଣଜଣ କରି ଅସ୍ତ୍ରୋପଚାର ଆରମ୍ଭ କରାଯାଇଥିଲା। ମାତ୍ର, ୩ଜଣଙ୍କ ଅସ୍ତ୍ରୋପଚାର ସାରି ଚତୁର୍ଥ ବେଳକୁ ମେସିନ୍ ଅଚଳ ହୋଇଗଲା। ଏହା ଦେଖି ଅସ୍ତ୍ରୋପଚାର କରୁଥିବା ଡାକ୍ତରଜଣଙ୍କ ଘାବରେଇ ଯାଇଥିଲେ। ତରବରିଆ ଭାବେ ସେ ଅସ୍ତ୍ରୋପଚାର କକ୍ଷରୁ ବାହାରି ଚାଲିଯାଇଥିଲେ। ବାହାରେ ଅପେକ୍ଷା କରିଥିବା ମହିଳାଙ୍କ ସମ୍ପର୍କୀୟ କିଛି କହିବା ପୂର୍ବରୁ ଡାକ୍ତର ନିଜଆଡ଼ୁ କହିଥିଲେ ଯେ ମେସିନ ଅଚଳ ହୋଇଯାଇଛି ଏବଂ ଏବେ ଆଉ ଅସ୍ତ୍ରୋପଚାର ହୋଇପାରିବ ନାହିଁ। ଆପଣମାନେ ଆପଣଙ୍କ ସଂପର୍କୀୟଙ୍କୁ ଅନ୍ୟତ୍ର ନେଇଯାଆନ୍ତୁ, ନ ହେଲେ ଅନ୍ୟ ଦିନ ଆଣିବେ। ସେମାନେ ଭିତରକୁ ଯାଇ ଦେଖିବା ବେଳକୁ ୱାର୍ଡ ଭିତରେ ଗୋଟେଗୋଟେ ବେଡ୍ରେ ଦୁଇରୁ ତିନିଜଣ ମହିଳା ଅଚେତ ଅବସ୍ଥାରେ ଶୋଇ ରହିଥିଲେ। ମୋଟ ୨୭ଜଣ ମହିଳା ଅଚେତ ଅବସ୍ଥାରେ ପଡ଼ି ରହିଥିଲେ।
ଏହା ଦେଖି ଅଭିଭାବକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡାକ୍ତର କୁବେର ମହନ୍ତ ସେଠାରେ ପହଞ୍ଚିଥିଲେ। ତେବେ ସଂଧ୍ୟା ପ୍ରାୟ ୭ଟା ବେଳେ ଅନ୍ୟ ଏକ ମେସିନ୍ ଆସିବା ପରେ ମହିଳାମାନଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ସେ ପର୍ଯ୍ୟନ୍ତ ସେମାନେ ସେମିତି ଅଚେତ ହୋଇପଡ଼ିଥିଲେ। ଏଠାରେ ପ୍ରଶ୍ନ ଉଠୁଛି, ମହିଳାମାନଙ୍କର ଯଦି କିଛି ଅଘଟଣ ଘଟିଥା’ନ୍ତା, ସେଥିପାଇଁ କିଏ ଦାୟୀ ରହିଥା’ନ୍ତା। ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଅସ୍ତ୍ରୋପଚାର ପାଇଁ ଆସିଥିବା ମହିଳାଙ୍କ ମଧ୍ୟରେ ବରପାଲି ବ୍ଲକ୍ କାଏଁସିରରୁ ୫ଜଣ, ବାରଙ୍ଗ ପାଳିରୁ ୩ଜଣ, ରାବଣଗୁଡ଼ାରୁ ୩ଜଣ, ବାଗବାଡ଼ିରୁ ୩ଜଣ, ବରଗଡ଼ ବ୍ଲକ୍ ଧମନାଁମୁଣ୍ଡାରୁ ଜଣେ, ମହଦାରୁ ଜଣେ ଓ ଭଟଲି ବ୍ଲକ କୁଶନପୁରୀରୁ ଜଣେ ରହିଥିଲେ। ଉଲ୍ଲେଖଯୋଗ୍ୟ, ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିବାଦ ପିଛା ଛାଡ଼ୁନି। ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା ସାମ୍ନାକୁ ଆସୁଛି। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଅନେକଥର ଏଠାକୁ ଆସି ନିଜ ଆଖିରେ ଅବ୍ୟବସ୍ଥା ଦେଖି ଯାଇଛନ୍ତି। ଖୁବ୍ଶୀଘ୍ର ସବୁକିଛି ଠିକ୍ ହେବ ବୋଲି ବାରମ୍ବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି।





