ମନୋରଞ୍ଜନ
ଓଡ଼ିଶା
ଇଣ୍ଡିଆନ୍ ଆଇଡଲ୍ ର ‘ଟପ୍-୩୦’ ରେ ବାଲେଶ୍ଵରର ପ୍ରଭୁପଦ, ଟପ୍-୧୪’ ରାଉଣ୍ଡକୁ ଯିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି
ବାଲେଶ୍ଵର:’ତୁ ହିଁ ରେ’…ଏବଂ ‘ଚୋରି କିୟା ରେ ଜିୟା’ ସଙ୍ଗୀତ ପରିବେଷଣ କରି ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ହିମେସ୍ ରଶମିୟା, ନେହା କକ୍କର ଏବଂ ବିଶାଳ ଦଦଲାନିଙ୍କ ମନ ଜିତିନେଇଛନ୍ତି ଓଡ଼ିଶା ତଥା ବାଲେଶ୍ଵରର ଜଣେ ଯୁବ କଣ୍ଠଶିଳ୍ପୀ। ନିଜର ଗୀତ ମାଧ୍ୟମରେ ବିଚାରକଙ୍କ ମନ ଜିଣିବା ସହ ନେସନାଲ୍ ପ୍ଲାଟଫର୍ମରେ ପର୍ଫମାନ୍ସ୍ ଦେଇ ଶୋତ୍ରାଙ୍କ ହୃଦୟରେ ରହିଯାଇଛନ୍ତି ସେ। କିଛି ଦିନ ହେବ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଭାଇରାଲ୍ ହେବାରେ ଲାଗିଛି ତାଙ୍କ ଗୀତ […]
ବାଲେଶ୍ଵର:’ତୁ ହିଁ ରେ’…ଏବଂ ‘ଚୋରି କିୟା ରେ ଜିୟା’ ସଙ୍ଗୀତ ପରିବେଷଣ କରି ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ହିମେସ୍ ରଶମିୟା, ନେହା କକ୍କର ଏବଂ ବିଶାଳ ଦଦଲାନିଙ୍କ ମନ ଜିତିନେଇଛନ୍ତି ଓଡ଼ିଶା ତଥା ବାଲେଶ୍ଵରର ଜଣେ ଯୁବ କଣ୍ଠଶିଳ୍ପୀ। ନିଜର ଗୀତ ମାଧ୍ୟମରେ ବିଚାରକଙ୍କ ମନ ଜିଣିବା ସହ ନେସନାଲ୍ ପ୍ଲାଟଫର୍ମରେ ପର୍ଫମାନ୍ସ୍ ଦେଇ ଶୋତ୍ରାଙ୍କ ହୃଦୟରେ ରହିଯାଇଛନ୍ତି ସେ। କିଛି ଦିନ ହେବ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଭାଇରାଲ୍ ହେବାରେ ଲାଗିଛି ତାଙ୍କ ଗୀତ ପରିବେଷଣର କିଛି ଭିଡିଓର ଝଲକ। ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୩ ରେ ଏଥର ନଜର ଆସୁଛନ୍ତି ବାଲେଶ୍ଵର ସହର ସହଦେବଖୁଣ୍ଟାର ଯୁବ କଣ୍ଠଶିଳ୍ପୀ ପ୍ରଭୁପଦ ମହାନ୍ତି।
ପ୍ରଭୁପଦ ଜୁଲାଇ ୧୭ ରେ କୋଲକାତା ଅଡିସନ୍ ରେ ପ୍ରାୟ ୩ ହଜାର ପ୍ରତିଯୋଗୀଙ୍କୁ ପାର୍ କରିବା ପରେ ସେହି ମାସ ୨୯ ତାରିଖରେ ମୁମ୍ବାଇରେ ପ୍ରାୟ ୧୫୦ ଜଣଙ୍କୁ ପଛରେ ପକାଇ ବର୍ତ୍ତମାନ ୩୦ ଜଣଙ୍କ ମଧ୍ୟରେ ରହିଛନ୍ତି। ଅର୍ଥାତ ଟପ୍-୩୦ ଜଣଙ୍କ ମଧ୍ୟରେ ମନୋନୀତ ହୋଇ ଥିଏଟର୍ ପାଇଁ ଜୋରଦାର ପ୍ରସ୍ତୁତ କରୁଛନ୍ତି। ଏଥିରେ ମନୋନୀତ ହେଲେ ଟପ୍-୧୪ କୁ ଯିବେ ପ୍ରଭୁପଦ।
ଇଣ୍ଡିଆନ୍ ଆଇଡଲ୍ ରେ ଟପ୍-୬୦ ରୁ ଟପ୍-୩୦ କଣ୍ଠଶିଳ୍ପୀଙ୍କୁ ବଛା ସରିଛି। ଏଥିରେ ପ୍ରଭୁପଦ ମଧ୍ୟ ରହିଛନ୍ତି। ଏହାପରେ ଟପ୍-୩୦ ଙ୍କୁ ନେଇ ଚଳିତ ସପ୍ତାହରେ ଥିଏଟର୍ ରାଉଣ୍ଡ ହେବ। ତେବେ ଏହି ୩୦ ଜଣଙ୍କ ଭିତରୁ ମନୋନୀତ ହୋଇ ଆଗାମୀ ଟପ୍-୧୪ ରେ ରହିବେ। ଯେଉଁଥିପାଇଁ ଏକପ୍ରକାର ଚ୍ୟାଲେଞ୍ଜ ରହିଛି। ଏଥିପାଇଁ ପ୍ରଭୁପଦ ପ୍ରସ୍ତୁତି ମଧ୍ୟ ଜୋରଦାର କରୁଥିବା କହିଛନ୍ତି। ବର୍ତ୍ତମାନ ଟପ୍-୩୦ ଙ୍କ ମଧ୍ୟରେ ଥିଏଟର୍ ହେବ। ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି ପ୍ରଭୁପଦ। ୩୦ ଜଣଙ୍କ ମଧ୍ୟରୁ ୧୪ ଜଣ କଣ୍ଠଶିଳ୍ପୀଙ୍କ ଚୟନ କରାଯାଇ ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୩ ଆଗକୁ ବଢିବ।
‘ବର୍ତ୍ତମାନ ମୁଁ ଯେଉଁ ୨୯ ଜଣ କଣ୍ଠଶିଳ୍ପୀଙ୍କୁ ସାମ୍ନା କରୁଛି ସେମାନେ ବହୁତ ପ୍ରତିଭାଶାଳୀ। ସେଥିପାଇଁ ପ୍ରତିଯୋଗିତା ତ ବହୁତ ଜୋରଦାର ହେବ। ୩୦ ରୁ ୧୪ ଜଣ ରହିବେ ଏବଂ ୧୬ ଜଣ ବାହାରିବେ। ତେଣୁ ଆଗକୁ କିଛି ବି ହୋଇପାରେ। କିନ୍ତୁ ମୁଁ ମୋର ବେଷ୍ଟ ଦେବା ପାଇଁ ଚେଷ୍ଟା କରିବି। କାରଣ ମୁଁ ଏତେ ପ୍ରତିଯୋଗିତା ସାମ୍ନା କରିଛି ହେଲେ ମୋ ପାଇଁ ଏଇଟା ସବଠୁ ଟଫ୍ କମ୍ପିଟିସନ୍’ ବୋଲି ପ୍ରଭୁପଦ କହିଛନ୍ତି। ବ୍ୟବସାୟୀ ତଥା ତବଲା ବାଦକ ଶଶିଶେଖର ମହାନ୍ତି ଏବଂ ସୁଜାତାମୟୀ ମହାନ୍ତିଙ୍କ ସାନ ପୁଅ ପ୍ରଭୁପଦ ମହାନ୍ତି। ବଡ ଭାଇ ବିଭୁପଦ ମହାନ୍ତି ବେଙ୍ଗାଲୁରୁରେ ଆଇଟି ଇଞ୍ଜିନିୟର ଅଛନ୍ତି। ପ୍ରଭୁପଦ ଡିପ୍ଲୋମା ଶେଷ କରି ବିଟେକ୍ ପଢୁଛନ୍ତି। ମ୍ୟୁଜିକାଲ ପରିବାରରୁ ୨୦୦୨ ମସିହାରେ ଜନ୍ମଗ୍ରହଣ କରିଥିବା ପ୍ରଭୁପଦଙ୍କ ପିଲାଟି ଦିନରୁ ଗୀତ ପ୍ରତି ଆଗ୍ରହ ରହିଆସିଛି। ପ୍ରଭୁପଦଙ୍କ ବାପାଙ୍କ ଜେଜେବାବା ଚାହୁଁଥିଲେ ଯେ ତାଙ୍କ ଘରେ କେହି ଜଣେ ଗୀତ ଗାଆନ୍ତୁ। ପ୍ରଭୁପଦଙ୍କ ଖେଳନା ଅପେକ୍ଷା ବାଦ୍ୟଯନ୍ତ୍ର ପ୍ରତି ଅଧିକ ଦୁର୍ବଳତା ରହିଥାଏ। ଗୀତ ଗାଇବା ସହିତ ବାଦ୍ୟଯନ୍ତ୍ର ବଜାଇବାକୁ ମଧ୍ୟ ଅଧିକ ଭଲ ପାଆନ୍ତି।
୬ ବର୍ଷ ବୟସରେ ପ୍ରଭୁପଦ ଗୁରୁ ରବି ନାରାୟଣଙ୍କଠୁ ପ୍ରଥମେ ଓଡ଼ିଶୀ ଭୋକାଲ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ତାପରେ ପ୍ରଭୁପଦ ୭ ବର୍ଷ ବୟସରେ ଜାତୀୟ ସ୍ତରରେ ୨୦୦୯ ସାରେଗାମାପା ଲିଟଲ୍ ଚାମ୍ପ୍ ରେ ଅଂଶଗ୍ରହଣ କରିଥିଲେ। ସେହି ୭ ବର୍ଷ ବୟସରେ ପ୍ରଭପଦ ଅଦନାନ୍, ଜାବେଦ ଅଲ୍ଲୀ ଏବଂ କୈଳାଶ ଖେରଙ୍କୁ ସାମ୍ନା କରିଥିଲେ। ଏହି ସିଜନ୍ ଅଜମଦ୍ ହୁସେନ୍ ବିଜେତା ହୋଇଥିଲେ। ତେବେ ସେତେବେଳେ ଅଜମଦ୍ ହୁସେନ୍ ପ୍ରଭୁପଦଙ୍କୁ ହିନ୍ଦୁସ୍ଥାନୀ ଭୋକାଲ ଶିଖିବା ପାଇଁ ପରାମର୍ଶ ଦେଇଥିଲେ। ଯାହା ଦ୍ବାରା ସେ ଭାରତର କୋଣ ଅନୁକୋଣରେ ସଙ୍ଗୀତକୁ ଅକ୍ତିଆର କରିପାରିବ। ପରଠୁ ଅର୍ଥାତ ୨୦୧୧ ମସିହାରୁ ଗୁରୁ ବନ୍ଦିତା ସାହୁଙ୍କ ନିକଟରେ ପ୍ରଭୁପଦ ହିନ୍ଦୁସ୍ତାନୀ ଭୋକାଲ ଶିକ୍ଷା ଗ୍ରହଣ କରୁଛନ୍ତି। ତାଙ୍କ ନିକଟରୁ ବିଶାରଦ ଶେଷ କରିବା ସହ ବର୍ତ୍ତମାନ ବି ଶିକ୍ଷା ଗ୍ରହଣ କରୁଛନ୍ତି।
ଲାଇଟ୍ ମ୍ୟୁଜିକ୍ ପାଇଁ ଗୁରୁ ସୁଜିତ ଭୋଇଙ୍କ ନିକଟରେ ଶିକ୍ଷା ଗ୍ରହଣ କରୁଥିବା। ଗୁରୁ ଜୟନ୍ତ କୁମାର ବେହେରାଙ୍କ ନିକଟରୁ ବାଦ୍ୟଯନ୍ତ୍ର କି-ବୋର୍ଡ ଶିକ୍ଷା ଗ୍ରହଣ କରିଛନ୍ତି ପ୍ରଭୁପଦ। ତେବେ ସଙ୍ଗୀତରେ ୪ ଜଣ ଗୁରୁଙ୍କ ସମେତ ପରିବାରର ପ୍ରେରଣା ପ୍ରଭୁପଦଙ୍କୁ ଆଗକୁ ନେଇପାରିଛି। ‘ସଙ୍ଗୀତରେ ମୋର ଯେତିକି ପରିଶ୍ରମ ତା’ଠୁ ଅଧିକ ମୋ ପରିବାରର ୪ ଗୁଣା ପରିଶ୍ରମ ରହିଛି। ମୋ ମାମୁଁ ଅନ୍ତଯ୍ୟାମୀ ଦାସ ଜଣେ ଭଲ କଣ୍ଠଶିଳ୍ପୀ। ମୋ ମାଆ ବି ଭଲ ଗୀତ ଗାଆନ୍ତି। ବାପା ଓ ଭାଇ ଜଣେ ଭଲ ତବଲା ବାଦକ। ବଡ ଭଉଣୀ(ବଡବାପାଙ୍କ ଝିଅ)ସ୍ବୟଂ ସିଦ୍ଧା ମହାନ୍ତି କଣ୍ଠଶିଳ୍ପୀ। ତାଙ୍କ ଗୀତ ମୁଁ ଛୁଆଟି ବେଳୁ ଶୁଣେ। ମୁଁ ଛୋଟବେଳୁ ବିଭିନ୍ନ ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଆରମ୍ଭ କରିଥିଲି। ପ୍ରାୟ ୮ ବର୍ଷ ତଳେ ଓଡ଼ିଆ ଚ୍ୟାନେଲ୍ ର ରିଏଲିଟି ସୋ ସିଙ୍ଗିଙ୍ଗ୍ ସୁପରଷ୍ଟାର ଜୁନିୟରରେ ଅଂଶଗ୍ରହଣ କରିଥିଲି। କିନ୍ତୁ ବର୍ତ୍ତମାନ ଇଣ୍ଡିଆନ୍ ଆଇଡଲ୍ ମୋ ପାଇଁ ଏକ ବଡ ଚ୍ୟାଲେଞ୍ଜ। ପୂର୍ବରୁ ସାରେଗାମାପାରେ ଭାଗ ନେଇଥିଲି। ଏବେ ଏହା ନେସନାଲ୍ ରେ ନିଜକୁ ପାଦ ରଖେଇଛି। ଲୋକଙ୍କ ଭଲପାଇବା ପାଉଛି ସେଇଟା ମୋ ପାଇଁ ମୂଲ୍ୟବାନ। ଏହାଠୁ ବଡ ଜୟ ଆଉ କିଛି ନାହିଁ।ଗୀତ ଗାଇ ଜଣକ ମନ ଜିତିବା ଏହାଠୁ ବଡ ସଫଳତା ଆଉ କିଛି ନାହିଁ। ନିଜର ବେଷ୍ଟ ହିଁ ଦେବି। ଆଗକୁ ସଙ୍ଗୀତରେ ହିଁ କ୍ୟାରିୟର କରିବାକୁ ଚାହୁଁଛି। ନିଜକୁ ପ୍ଲେ ବ୍ୟାକ୍ ସିଙ୍ଗର୍ ଭାବେ ପ୍ରତିଷ୍ଠିତ କରିବାକୁ ଚାହୁଁଛି’ ବୋଲି ପ୍ରଭୁପଦ କହିଛନ୍ତି।






