ମନୋରଞ୍ଜନ
ବାହାନଗା ରେଳ ଦୁର୍ଘଟଣା : କଣ୍ଟେନର୍ରେ ଥିବା ଅପରିଚିତ ୨୮ ଶବର ସତ୍କାର କଲା ବିଏମ୍ସି
ଭୁବନେଶ୍ବର : ଦୀର୍ଘ ୪ମାସ ପରେ ବାହାନଗା ଟ୍ରେନ୍ ଦୁର୍ଘଟଣାର ଅପରିଚିତ ଶବଗୁଡ଼ିକର ଅନ୍ତିମ ସତ୍କାର ସମ୍ପନ୍ନ ହୋଇଛି। ତଦନ୍ତକାରୀ ସଂସ୍ଥା ସିବିଆଇ ପକ୍ଷରୁ ବିଏମ୍ସି ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ମଙ୍ଗଳବାର ବିଏମ୍ସି ପକ୍ଷରୁ ଭରତପୁର ଶ୍ମଶାନରେ ଶବଦାହ କରାଯାଇଛି। ଏମ୍ସ ଶବଦାହ ଗୃହରେ ସଂରକ୍ଷିତ ଥିବା ୨୮ଟି ଅପରିଚିତ ଶବଗୁଡ଼ିକୁ ପର୍ଯ୍ୟାୟକ୍ରମେ ମଶାଣିକୁ ନିଆଯାଇଥିଲା। ମଙ୍ଗଳବାର ଅପରାହ୍ନ ୪ଟାରୁ ଶବଦାହ ଆରମ୍ଭ କରାଯାଇ ବୁଧବାର ଭୋର ୪ଟା […]
ଭୁବନେଶ୍ବର : ଦୀର୍ଘ ୪ମାସ ପରେ ବାହାନଗା ଟ୍ରେନ୍ ଦୁର୍ଘଟଣାର ଅପରିଚିତ ଶବଗୁଡ଼ିକର ଅନ୍ତିମ ସତ୍କାର ସମ୍ପନ୍ନ ହୋଇଛି। ତଦନ୍ତକାରୀ ସଂସ୍ଥା ସିବିଆଇ ପକ୍ଷରୁ ବିଏମ୍ସି ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ମଙ୍ଗଳବାର ବିଏମ୍ସି ପକ୍ଷରୁ ଭରତପୁର ଶ୍ମଶାନରେ ଶବଦାହ କରାଯାଇଛି। ଏମ୍ସ ଶବଦାହ ଗୃହରେ ସଂରକ୍ଷିତ ଥିବା ୨୮ଟି ଅପରିଚିତ ଶବଗୁଡ଼ିକୁ ପର୍ଯ୍ୟାୟକ୍ରମେ ମଶାଣିକୁ ନିଆଯାଇଥିଲା। ମଙ୍ଗଳବାର ଅପରାହ୍ନ ୪ଟାରୁ ଶବଦାହ ଆରମ୍ଭ କରାଯାଇ ବୁଧବାର ଭୋର ୪ଟା ଯାଏଁ ଶବଦାହ କାର୍ଯ୍ୟ କରାଯାଇଥିଲା। ଭରତପୁର ଶ୍ମଶାନ ତଦନ୍ତକାରୀ ସଂସ୍ଥା ସିବିଆଇ, ପୂର୍ବତଟ ରେଳପଥ ଓ ବିଏମ୍ସିର ଅଧିକାରୀଙ୍କ ଉପସ୍ଥିତିରେ ଏହି ଶବଗୁଡ଼ିକର ଦାହ କରାଯାଇଛି।
ଦୀର୍ଘ ୪ମାସ ଧରି ଏହି ଶବଗୁଡ଼ିକ ଫ୍ରିଜର୍ ଭିତରେ ଥିଲା। ତେଣୁ ଏହାକୁ ଦାହ କରିବା ପାଇଁ ସମୟ ଲାଗିଥିଲା ମୃତଦେହ ସଂଗ୍ରହ ଓ ଶ୍ମଶାନକୁ ସ୍ଥାନାନ୍ତର ପାଇଁ ୩ଟି ଗାଡ଼ିର ବ୍ୟବସ୍ଥା ହୋଇଥିଲା ବୋଲି ବିଏମ୍ସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି। ଭରତପୁର ମଶାଣିରେ ପ୍ରଦୀପ ପୃଷ୍ଟିଙ୍କ ନେତୃତ୍ବରେ ୫ ଜଣ ମହିଳାଙ୍କ ସହିତ ୧୨ ଜଣିଆ ଦଳ ଏହି ଶବଦାୟ କାର୍ଯ୍ୟ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ଜୁନ୍ ୨ ତାରିଖରେ ବାଲେଶ୍ୱର ଜିଲ୍ଲାର ବାହାନଗା ରେଳ ଷ୍ଟେସନ ନିକଟରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଥିଲା। ଏଥିରେ ଶତାଧିକ ଯାତ୍ରୀ ମୃତାହତ ହୋଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଯେଉଁ ଶବଗୁଡ଼ିକର ଦାବିଦାର ମିଳି ନ ଥିଲେ, ସେମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା। ଏମ୍ସକୁ ମୋଟ୍ ୧୬୨ଟି ମୃତଦେହ ଆସିଥିବା ବେଳେ ଯାଞ୍ଚ ପରେ ସେଥିରୁୁ ୮୧ଟି ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ହେଲେ କେତେଗୁଡ଼ିଏ ମୃତଦେହ ଦୁର୍ଘଟଣାରେ ବିକୃତ ହୋଇଯାଇଥିବାରୁ ଚିହ୍ନଟ ପାଇଁ ଡିଏନ୍ଏ ମ୍ୟାଚିଂ କରାଯାଇଥିଲା। ଏହି ପ୍ରକ୍ରିୟାରେ ଆଉ ୫୩ଟି ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମାତ୍ର ଏହାପରେ ମଧ୍ୟ ଆହୁରି ୨୮ଟି ମୃତଦେହ ଅଚିହ୍ନା ରହିଯାଇଥିଲା। ତେଣୁ ଅନ୍ତିମ ସଂସ୍କାର ପାଇଁ ଅଗଷ୍ଟ ୨୫ରେ ସିବିଆଇ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିଲା। ଗତ ୭ ଶନିବାର ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଲେଖିବା ପରେ ବିଏମ୍ସି ଏସ୍ଓପି ଜାରୀ କରି ମଙ୍ଗଳବାର ଶବଗୁଡ଼ିକର ସତ୍କାର କରିଛି।





