ମନୋରଞ୍ଜନ
ଜେନ୍-ଜିଙ୍କ ମନୋବଳ ବଢ଼ାଇଲେ ନବୀନ; ‘ଏକ୍ସ’ରେ ଛଅ ଧାଡ଼ିଆ ପୋଷ୍ଟକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା
ଭୁବନେଶ୍ୱର: ଯନ୍ତରମନ୍ତରରେ ପ୍ରତିବାଦ ଓ କକ୍ରୋଚ ଜନତା ପାର୍ଟି (ସିଜେପି)ର ଦୁଇ ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ନ୍ୟାୟିକ ହେପାଜତକୁ ନେଇ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆପତ୍ତି ଉଠାଇବା ପରେ ଏହାକୁ ନେଇ ଜାତୀୟସ୍ତରରେ ଆରମ୍ଭ ହୋଇଛି ଚର୍ଚ୍ଚା। ଏହି ଦୁଇ ଯୁବକଙ୍କ ହାଜତକୁ ତୁରନ୍ତ ସମୀକ୍ଷା କରି ସେମାନଙ୍କୁ ମୁକ୍ତ କରିବାକୁ ଦାବି କରି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୋସିଆଲ ମିଡିଆ "ଏକ୍ସ'ରେ କରିଥିବା ଛଅ ଧାଡ଼ିର ପୋଷ୍ଟ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ନବୀନଙ୍କ ପୋଷ୍ଟ ପରେ ଏହି ଦୁଇ ନେତାଙ୍କୁ ଛାଡ଼ କରାଯାଇଥିଲା। ମାତ୍ର ନିଜ ଟ୍ୱିଟର ପୋଷ୍ଟରେ ନବୀନ ଯେଉଁ ଦିଗଟିକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ, ତାକୁ ନେଇ ଜାତୀୟସ୍ତରରେ ଆଲୋଡ଼ନ ସୃଷ୍ଟି ହୋଇଛି। ଜେନ୍-ଜିଙ୍କ ପ୍ରତି ନବୀନଙ୍କ ସମର୍ଥନକୁ କକ୍ରୋଚ୍ ନେତାମାନଙ୍କ ସହ ଜାତୀୟସ୍ତରର ରାଜନୈତିକ ନେତା ଓ ଗଣମାଧ୍ୟମ ସହ ଜଡ଼ିତ ବ୍ୟକ୍ତିବିଶେଷ ପ୍ରଶଂସାମୁଖର ହୋଇଛନ୍ତି ।
https://twitter.com/Naveen_Odisha/status/2112549591111569682
ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କ ନ୍ୟାୟିକ ହାଜତ ଅବଧିର ତୁରନ୍ତ ସମୀକ୍ଷା କରାଯିବା ଆବଶ୍ୟକ ଏବଂ ସେମାନଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ। ନିଷିଦ୍ଧ ଅଞ୍ଚଳରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରିବା ଘଟଣା ପାଇଁ ଦୀର୍ଘ ସମୟ ଧରି ଅଟକ ରଖିବା ଉଚିତ ନୁହେଁ। ଦେଶର ଯୁବପିଢ଼ି ଯେପରି ଆଇନର ଶାସନ ଏବଂ ସାମ୍ୱିଧାନିକ ଅଧିକାର ଉପରୁ ଆସ୍ଥା ହରାଇ ନ ବସନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ଏହି ସମୟରେ ନିଜର ଦାୟିତ୍ୱ ନିର୍ବାହ କରିବା ଉଚିତ ବୋଲି ନବୀନ ନିଜର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ଛୋଟ ଟ୍ୱିଟ୍ କରିଥିଲେ। ନବୀନଙ୍କ ଏହି ପୋଷ୍ଟ ପରେ ଜାତୀୟ ସ୍ତରର ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ନବୀନଙ୍କ ପୋଷ୍ଟକୁ ରିପୋଷ୍ଟ କରିବା ସହ ପ୍ରଶଂସା କରିଛନ୍ତି। ନବୀନଙ୍କୁ ଦେଶର ଜଣେ ବିଜ୍ଞ ରାଜନେତା ଭାବରେ ଅଭିହିତ କରି ସେ କହିଛନ୍ତି ଯେ କିପରି ଦୃଢ଼ ମନୋବଳ ଓ ସାହସର ସହ ନିଜର ମତ ରଖିବାକୁ ହୁଏ ତାହା ନବୀନ ପଟ୍ଟନାୟକ ଦେଖାଇ ଦେଇଛନ୍ତି। ମୁଁ ଏହି ମାମଲାକୁ ନେଇ ବରିଷ୍ଠ ଆଇନଜୀବୀମାନଙ୍କ ସହ ଆଲୋଚନା କରିଛି। ସେମାନେ ସମସ୍ତେ ଏକମତ ଯେ, ଏହି ମାମଲାରେ ଜାମିନ ସମ୍ପର୍କିତ ପ୍ରଚଳିତ ଆଇନଗତ ବ୍ୟବସ୍ଥାର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ସେହିପରି କକ୍ରୋଚ ଜନତା ପାର୍ଟି ପ୍ରତିଷ୍ଠାତା ଅଭିଜିତ ଦିପ୍କେ ନବୀନଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ଅନ୍ୟ ଜାତୀୟ ସ୍ତରର ନେତୃବର୍ଗ ମଧ୍ୟ ନବୀନଙ୍କ ପୋଷ୍ଟକୁ ସମର୍ଥନ କରିବା ସହ ତାଙ୍କର ଉଦ୍ବେଗ ପ୍ରତି ସମ୍ମାନ ଜଣାଇଛନ୍ତି।
ଅନ୍ୟପଟେ ନବୀନଙ୍କ ପୋଷ୍ଟ ଓ ଜାତୀୟସ୍ତରରେ ବହୁ ନେତାଙ୍କ ପ୍ରଶଂସାକୁ ରାଜ୍ୟ ବିଜେପି ହଜମ କରିପାରିନାହିଁ। ଏହାକୁ ନେଇ ଆପତ୍ତି ଉଠାଇବା ସହ ନବୀନଙ୍କ ବୟସକୁ ନେଇ ସମାଲୋଚନା କରିଛି। ଅନ୍ୟପକ୍ଷରେ ବିଜେଡି ଏହି ପ୍ରସଙ୍ଗରେ ବିଜେପିକୁ ପାଲଟା ଜବାବ ଦେଇଛି। ଗଣତନ୍ତ୍ରରେ ପ୍ରତିବାଦ କରିବା ଅପରାଧ ନୁହେଁ ଓ କ୍ଷମତାରେ ଥିବା ଲୋକଙ୍କୁ ପ୍ରଶ୍ନ କରିବା ଅରାଜକତା ନୁହେଁ ବୋଲି ପାଲଟା ଉତ୍ତର ରଖିଛି। ନବୀନଙ୍କ ପୋଷ୍ଟର ମୂଳ ଉଦ୍ଦେଶ୍ୟ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ବ୍ୟକ୍ତିଗତ ସ୍ୱାଧୀନତାର ସୁରକ୍ଷା । ଶାସକ ଦଳ ଏହି ପ୍ରସଙ୍ଗରେ ନୀତିଗତ ଆଲୋଚନା କରିବା ପରିବର୍ତ୍ତେ ବ୍ୟକ୍ତିଗତ ଆକ୍ରମଣ କରୁଛି ବୋଲି ବିଜେଡି ଅଭିଯୋଗ କରିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୧୩ରେ ଦିଲ୍ଲୀର ଯନ୍ତରମନ୍ତରରେ ସିଜେପି ନେତା ଓ ସମର୍ଥକମାନେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାରେ କଥିତ ଅନିୟମିତତାକୁ ବିରୋଧ କରି ପ୍ରତିବାଦ କରିଥିଲେ। ଏହି ସମୟରେ ଅନୁମତି ନଥିବା ଅଞ୍ଚଳରେ ପ୍ରବେଶ ଓ ଜାତୀୟ ପତାକା ଉତ୍ତୋଳନକୁ ନେଇ ପୁଲିସ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ୭ ଦିନର ଅଟକ ପରେ ଅକ୍ଟୋବର ୨୧ରେ ଏକ ସ୍ୱତନ୍ତ୍ର କାର୍ଯନିର୍ବାହୀ ମାଜିଷ୍ଟ୍ରେଟ୍ଙ୍କ ନିର୍ଦ୍ଦେଶ ପରେ ଉଭୟ ମୁକ୍ତ ହୋଇଥିଲେ।






