ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସହ ତଞ୍ଚକତା, ୟୁନିଟ୍‌ ପିଛା ୩୬ ପଇସା ଅଧିକ ଆଦାୟ କରିଛି ଟାଟା ପାୱାର...

Deviprasad Mohanty Picture
Published On

ଭୁବନେଶ୍ୱର: ବିଦ୍ୟୁତ୍‌ ଶୁଳ୍କ ଆଦାୟ କ୍ଷେତ୍ରରେ ଉପଭୋକ୍ତାଙ୍କ ସହ ଚଞ୍ଚକତା କରିଛି ଟାଟା ପାୱାର । ଏହାର ୪ଟି ବିତରଣକାରୀ ସଂସ୍ଥା ଓଇଆର୍‌ସିଙ୍କ ଧାର୍ଯ୍ୟ ୟୁନିଟ୍‌ ପିଛା ୫ଟଙ୍କା ୬୭ ପଇସା ପରିବର୍ତ୍ତେ ଉପଭୋକ୍ତାଙ୍କଠାରୁ ଆଦାୟ କରିଛି ୬.୦୩ ପଇସା । ଅର୍ଥାତ୍‌ ପ୍ରତି ୟୁନିଟ୍‌ ପିଛା ଟାଟାପାୱାର ଉପଭୋକ୍ତାଙ୍କଠାରୁ ୩୬ ପଇସା ଅଧିକ ନେଇଛି। ସଦ୍ୟ ପ୍ରକାଶିତ ଟାଟା ପାୱାରର ୪ଟି କମ୍ପାନୀ ଓ ଗ୍ରୀଡ୍‌କୋର ୨୦୨୪-୨୫ ବର୍ଷର କାର୍ଯ୍ୟଦକ୍ଷତା ସମୀକ୍ଷା ରିପୋର୍ଟ ପ୍ରଦର୍ଶିତ ହୋଇଛି ଏହି ସାଂଘାତିକ ତଥ୍ୟ। ରିପୋର୍ଟ ଅନୁସାରେ ୨୦୨୪-୨୫ ପାଇଁ ଟାଟା ପାୱାରର ୪ ବିତରକ କମ୍ପାନୀକୁ ୟୁନିଟ ପିଛା ହାରାହାରି ଟାରିଫ ୫ ଟଙ୍କା ୬୭ ପଇସା ହିସାବରେ ୩୦୭୯୫ ନିୟୁତ ୟୁନିଟ ବିଦ୍ୟୁତ ବିକ୍ରି ପାଇଁ ଓଇଆର୍‌ସି ଅନୁମୋଦନ ଦେଇଥିଲେ। ଏହ ବିଦ୍ୟୁତ୍‌ ବିକ୍ରି ବାବଦରେ ଟାଟାପାୱାରର ୪ କମ୍ପାନୀ ୧୭୪୬୧ କୋଟିଟଙ୍କା ରାଜସ୍ୱକୁ ମଧ୍ୟ ମଞ୍ଜୁରୀ ମିିଳିଥିଲା।  ମାତ୍ର ଟାଟା ପାୱାର ଉପଭୋକ୍ତାଙ୍କୁ ୨୯୫୭୯ ନିୟୁତ ୟୁନିଟ ହାରାହାରି ୬ ଟଙ୍କା ୩ ପଇସା ହିସାବରେ ବିକ୍ରି କରି ୧୭୮୩୬ କୋଟି ଟଙ୍କା ଅଦାୟ କରିଛି।  ଆୟୋଗ ଅନୁମୋଦନ କରିଥିବା ୟୁନିଟ୍‌ ପିଛା ହାରାହାରି ଟାରିଫ ଠାରୁ ଏହା ୩୬ ପଇସା ଅଧିକ ବୋଲି କୁହାଯାଉଛି। ଟାଟାପାୱାର ପରି  ଗ୍ରୀଡକୋ ମଧ୍ୟ ଏହି ବର୍ଷ ଲାଭବାନ ହୋଇଛି ଏବଂ ଏହାର ପରିମାଣ ୩୪୭.୩୭ କୋଟି ଟଙ୍କା ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । 

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଅନ୍ୟପକ୍ଷରେ ଅନୁମୋଦିତ ବୈଷୟିକ ଓ ବାଣିଜ୍ୟ କ୍ଷତି ହ୍ରାସ ଲକ୍ଷ୍ୟ ୧୮.୭୯ ପ୍ରତିଶତଠାରୁ ଟାଟା ପାୱାର ଉତ୍ତମ ପ୍ରଦର୍ଶନ କରିଛି ଓ ଏହି କ୍ଷତି୧୬.୭୦ ପ୍ରତିଶତକୁ ହ୍ରାସ ପାଇଛି। ପୁନଶ୍ଚ ଉପଭୋକ୍ତାଙ୍କ ମିଟର ସ୍ଥାପନ କ୍ଷେତ୍ରରେ ଟାଟା ୯୯ ପ୍ରତିଶତ ସଫଳ ହୋଇଥିବା ବେଳେ ସ୍ମାର୍ଟ ମିଟର ସ୍ଥାପନ ମାତ୍ର ୧୩ ପ୍ରତିଶତ ସମ୍ଭବ ହୋଇଛି। ଅର୍ଥାତ ରାଜ୍ୟରେ ଏଯାବତ୍‌ ୧୨ ଲକ୍ଷ ୬୭ ହଜାର ଉପଭୋକ୍ତା ସ୍ମାର୍ଟ ମିଟର ବସାଇଛନ୍ତି। ସେହିପରି ଫିିଡର ଓ ଟ୍ରାନ୍ସଫର୍ମର ମିଟରିଙ୍ଗ କାର୍ଯ୍ୟରେ ଟାଟାର ପ୍ରଦର୍ଶନ ଦୁର୍ବଳ ରହିଛି। ଓଡ଼ିଶା ବିଦ୍ୟୁତ ସେବାରେ ନିୟୋଜିତ ସମୁଦାୟ ୨୬୫୯ଟି (୧୪୭/୩୩ ଏମଭିଏ) ପାୱାର ଟ୍ରାନ୍ସଫର୍ମର ମଧ୍ୟରୁ ମାତ୍ର ୧୬୩୦ଟିରେ (୬୧ ପ୍ରତିଶତ) ମିଟରିଙ୍ଗ ହୋଇଛି। ୯୭୮ଟି ୩୩କେଭି ଫିଡର ମଧ୍ୟରୁ ମାତ୍ର ୭୫ ପ୍ରତିଶତ ଅର୍ଥାତ ୭୩୮ଟି ମିଟରିଙ୍ଗ ହୋଇଛି। ବିଦ୍ୟୁତ ସେବାରେ ନିୟୋଜିତ ଥିବା ସମୁଦାୟ ୩ ଲକ୍ଷ ବିତରଣ ଟ୍ରାନ୍ସଫର୍ମର ମଧ୍ୟରୁ ପ୍ରାୟ ୨ ଲକ୍ଷ ଟ୍ରାନ୍ସଫର୍ମର କ୍ଷମତା ୬୩ କେଭିଏରୁ କମ ଥିବାରୁ ଆୟୋଗ ନାପସନ୍ଦ କରି ସେଗୁଡିକୁ ୧୦୦ କେଭିଏ କିମ୍ୱା ତଦୁଦ୍ଧ୍ୱର୍ କ୍ଷମତାକୁ ବୃଦ୍ଧି କରିବା ପାଇଁ ନିର୍ଦେଶ ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ଉପଭୋକ୍ତା ସୂଚୀକରଣ ଓ ଜିଆଇଏସ ମ୍ୟାପିଙ୍ଗ କାର୍ଯ୍ୟରେ ଟାଟା ପ୍ରାୟ ଶତ ପ୍ରତିଶତ ସଫଳ ହୋଇଥିବାବେଳେ ବିତରଣ ଟ୍ରାନ୍ସଫର୍ମର ମିଟରିଙ୍ଗ ମାତ୍ର ୧୯.୪୦ ପ୍ରତିଶତ ହୋଇଛି। ଅପରପକ୍ଷେ ଗ୍ରୀଡକୋର କାର୍ଯ୍ୟଦକ୍ଷତା ସମୀକ୍ଷା ରିପୋର୍ଟ ଅନୁସାରେ ୨୦୨୪-୨୫ରେ ଗ୍ରୀଡକୋ ୪୨୪୮୭ ନିୟୁତ ୟୁନିଟ ବ୍ୟବସାୟ କରି ୧୪୫୧୧ କୋଟିଟଙ୍କା ଆୟ କରିଥିବା ବେଳେ ସମୁଦାୟ ବ୍ୟୟ କରିଛି ୧୪୧୬୩ କୋଟି ଟଙ୍କା। ଅର୍ଥାତ ବିଦ୍ୟୁତ ବ୍ୟବସାୟରୁ ଗ୍ରୀଡକୋ ୩୪୭ କୋଟି ଟଙ୍କା ଲାଭ କରିଛି। 

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି ଯେ ଯେହେତୁ ପୂର୍ବ ବର୍ଷରେ (୨୦୨୪-୨୫)ଗ୍ରୀଡକୋର ବ୍ୟବସାୟିକ ଲାଭ ୩୪୭ କୋଟି ଟଙ୍କା ହୋଇଛି ଏବଂ ଟାଟା ବିତରଣ କମ୍ପାନୀ ଗୁଡିକ ଓଇଆରସି ଧାର୍ଯ୍ୟ କରିଥିବା ହାରାହାରି ଟାରିଫ ଠାରୁ ୟୁନିଟ ପିଛା ୩୬ ପଇସା ହିସାବରେ ଉପଭୋକ୍ତାଙ୍କ ଠାରୁ ଅଧିକ ୧୦୬୫ କୋଟିଟଙ୍କା ଅଦାୟ କରିଛନ୍ତି, ତେଣୁ ଆସନ୍ତା ବର୍ଷର ଟାରିଫ ନିର୍ଣ୍ଣୟ ପ୍ରକ୍ରିୟାରେ ଏହା ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିବ। ଟାଟା ଉପଭୋକ୍ତାଙ୍କ ଠାରୁ ଅଧିକ ଅଦାୟ କରିଥିବା ରାଜସ୍ୱକୁ ସୁଧସହ ଫେରସ୍ତ କରିବା ପାଇଁ ଶ୍ରୀ ମହାପାତ୍ର ଆସନ୍ତା ଟାରିଫ ନିର୍ଣ୍ଣୟ ପ୍ରକ୍ରିୟାରେ ଆୟୋଗ ସମ୍ମୁଖରେ ଯୁକ୍ତି ରଖିବେ ବୋଲି ସେ  ସୂଚନା ଦେଇଛନ୍ତି। ତେଣୁ ଆସନ୍ତା ବର୍ଷ ୨୦୨୬-୨୭ ପାଇଁ ଖୁଚୁରା ବିଦ୍ୟୁତମୂଲ୍ୟ (ଟାରିଫ) ବୃଦ୍ଧିହେବା ସମ୍ଭାବନା ଖୁବ କମ ରହିଛି ବୋଲି ସେ ମତପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର