ହିତାଧିକାରୀଙ୍କୁ ରାସନ ଛନକା, କାର୍ଡ କାଟିବାକୁ ଘରଘର ବୁଲୁଛନ୍ତି ସରକାରୀ ଅଧିକାରୀ

ସାରା ରାଜ୍ୟରୁ ବାଦ ପଡ଼ିବେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ

Deviprasad Mohanty Picture
Published On

ଭୁବନେଶ୍ୱର: ସାରା ରାଜ୍ୟରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଘାରିଛି ରାସନ କାର୍ଡ ଛନକା। କେୱାଇସି ଯାଞ୍ଚ କରିବା ଓ ସରକାରୀ ନଥିପତ୍ରରେ ଅଯୋଗ୍ୟ ମନେ ହେଉଥିବା ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ କାଟିବା ପାଇଁ ସରକାରୀ ଅଧିକାରୀମାନେ ଘରଘର ବୁଲିବା ଆରମ୍ଭ କରିଛନ୍ତି ବୋଲି କୁହାଯାଉଛି। କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୯୨.୮୯ ଲକ୍ଷ ହିତାଧିକାରୀ ସାମିଲ ଥିବା ବେଳେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ୯.୭୬ ଲକ୍ଷ ହିତାଧିକାରୀଙ୍କୁ ମାଗଣା ଚାଉଳ ଯୋଗାଇ ଦିଆଯାଉଛି। ତେବେ ମାସିକ ୧୦ ହଜାର ଟଙ୍କାରୁ ଅଧିକ ରୋଜଗାର, ୨ରୁ ବଖରାରୁ ଅଧିକ ପକ୍କା ଘର, ୩ ଚକିଆ ଗାଡ଼ି, ମୋଟର ଚାଳିତ ଡଙ୍ଗା ଓ କୃଷି ଯନ୍ତ୍ରପାତି ଆଦି ରହିଥିଲେ ରାସନ କାର୍ଡ କଟିବ ବୋଲି ଏବେ ପ୍ରଚାର ହେଉଛି। ସେହିପରି  ଅଢେଇ ଏକର ଜମି ଥିବା ହିତାଧିକାରୀମାନେ ମଧ୍ୟ ରାସନ କାର୍ଡରୁ ବାଦ ପଡ଼ିବେ ବୋଲି ସରକାରୀ ଅଧିକାରୀମାନେ କହୁଛନ୍ତି। ଯାହାକୁ ନେଇ ହିତାଧିକାରୀଙ୍କ ମନରେ ଛନକା ସୃଷ୍ଟି କରିଛି । 

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ସାରା ଦେଶ ପାଇଁ ଏକ ସନ୍ଦିଗ୍ଧ ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ତାଲିକାରେ ଦେଶର ୧ କୋଟି ୧୭ ଲକ୍ଷ ହିତାଧିକାରୀଙ୍କ ନାମ ରହିଛି। ଏହି ସନ୍ଦିଗ୍ଧ ତାଲିକାରେ ଥିବା ହିତାଧିକାରୀମାନେ ରାସନ ପାଇବା ପାଇଁ ଯୋଗ୍ୟ ନ ଥିବା କେନ୍ଦ୍ର ସରକାର ଅନୁଭବ କରୁଛନ୍ତି। ଅର୍ଥାତ ଏହି ତାଲିକାରେ ଥିବା ହିତାଧିକାରୀମାନେ ଅଯୋଗ୍ୟ ହୋଇ ମଧ୍ୟ ରାସନ ସାମଗ୍ରୀ ନେଉଥିବା କେନ୍ଦ୍ର କହିଛି। ଏଥିପାଇଁ ରାଜ୍ୟଗୁଡ଼ିକୁ ଏହି ତାଲିକା ପ୍ରଦାନ କରିବା ସହ ତାଲିକାରେ ଥିବା ହିତାଧିକାରୀଙ୍କ ସ୍ଥିତି ଯାଞ୍ଚ କରି ସେମାନଙ୍କୁ ତାଲିକାରୁ ହଟାଇବାକୁ ନିର୍ଦ୍ଦେଶ ଥିବା ଜଣାପଡ଼ିଛି। ଆୟକର ବିଭାଗ, ପରିବହନ ବିଭାଗ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ଆଦି ବିଭାଗଗୁଡ଼ିକର ତଥ୍ୟକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶନାମା ପରେ ଓଡ଼ିଶାରେ ସରକାରୀ ସ୍ତରରେ ଧରପଗଡ଼ ଆରମ୍ଭ ହୋଇଛି। ସାରା ରାଜ୍ୟରେ ଅନ୍ୟୂନ ୧୦ ଲକ୍ଷ ହିତାଧିକାରୀଙ୍କ ନାମ ଏହି ସୂଚୀରୁ ବାଦ ଦେବାକୁ ଲକ୍ଷ୍ୟ ଯାଇଥିବା ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ  ଭୁବନେଶ୍ୱର ବିଏମ୍‌ସି ଅଞ୍ଚଳ ପାଇଁ ୩୬ ହଜାର ହିତାଧକାରୀଙ୍କ ନାମରେ ଥିବା ରାସନ କାର୍ଡ କଟାଯିବା ଲକ୍ଷ୍ୟ ରଖାଯାଇଛି। ସେହିପରି ଆଠଗଡ଼ ବ୍ଲକ୍‌ ପାଇଁ ପ୍ରାୟ ୫ ହଜାରରୁ ଅଧିକ, ଭଦ୍ରକ ବ୍ଲକରେ ୨୭ ହଜାର ୯୭୦ ଟି କାର୍ଡ କଟାଯିବ । ସେହିପରି ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ପ୍ରାୟ ୪୨ ହଜାର, ନୟାଗଡ଼ ଜିଲ୍ଲାରୁ ୩୫ ହଜାର, ସମ୍ବଲପୁର ଜିଲ୍ଲାରୁ ୫୧ ହଜାର ହିତାଧିକାରୀଙ୍କ ନାମ ସନ୍ଦିଗ୍ଧ ସୂଚୀରେ ରହିଛି ଏବଂ ଏମାନଙ୍କ ରାସନ କାର୍ଡ ରଦ୍ଦ ହୋଇପାରେ ବୋଲି କୁହାଯାଉଛି। ଯଦିଓ  ରାଜ୍ୟସ୍ତରରେ ଯୋଗାଣ ବିଭାଗଏ ସମ୍ପର୍କରେ ମୁହଁ ବନ୍ଦ ରଖିଛି, ତଥାପି ସାରା ରାଜ୍ୟରେ ରାସନ୍‌ କାର୍ଡ କଟିବାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ଅନ୍ୟପକ୍ଷରେ ଯେଉଁମାନେ ଅନେକ ଦିନ ପର୍ଯ୍ୟନ୍ତ କାର୍ଡରେ ଚାଉଳ ନେଇ ନାହାନ୍ତି ସେମାନଙ୍କ ନାମ ମଧ୍ୟ ରାସନକାଡର୍ଡ ସୂଚୀରୁ ବାଦ ପଡ଼ିବ ।  ରାଜ୍ୟରେ ଜାରି ରହିଥିବା ଇ-କେୱାଇସି ପ୍ରକ୍ରିୟାରେ ପ୍ରାୟ ୧୫ ଲକ୍ଷ ହିତାଧିକାରୀ ଏଯାଏଁ କେୱାଇସି କରି ନାହାନ୍ତି। ଏମାନଙ୍କ ମଧ୍ୟରେ ଅନେକ ଯୋଗ୍ୟ ହିତାଧିକାରୀ ଇ-କେୱାଇସି କରି ପାରି ନ ଥିବା ଅଭିଯୋଗ ହୋଇ ଆସୁଛି। ଏମିତି କି ଇ କେୱାଇସି ଯୋଗୁଁ ଯାଜପୁରରେ ଜଣେ ମାଙ୍କିଡିଆ ସମ୍ପ୍ରଦାୟର ଲୋକଙ୍କୁ ଚାଉଳ ନ ମିଳିବ ହେତୁ ଅନାହାରରେ ତାଙ୍କର ମୃତ୍ୟୁ ହୋଇଥିଭା ଭଳି ଘଟଣା ମଧ୍ୟ ଘଟିଛି। ଏହି ସ୍ଥିତିରେ ପୁଣି ରାସ୍‌ନ କାର୍ଡ କାଟିବାକୁ ନେଇ ଯୋଜନା ହେବା ପରେ ରାଜ୍ୟରେ ଥିବା ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ଚିନ୍ତା ବଢ଼ିଛି। ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ଯୋଗାଣ ବିଭାଗ ଅଧିକାରୀମାନେ ଏବେ ହାତରେ ସନ୍ଦିଗ୍ଧ (ସସ୍‌ପେକ୍ଟ) ତାଲିକା ଧରି କ୍ଷେତ୍ରସ୍ତରରେ ଯାଞ୍ଚ ଆରମ୍ଭ କରିଛନ୍ତି। ଇ-କେୱାସି ପରେ ପରେ ଏଭଳି ଯାଞ୍ଚ ଆରମ୍ଭ ହୋଇଥିବାରୁ ଅନେକ ହିତାଧିକାରୀଙ୍କୁ କାର୍ଡ କଟିଯିବାର ଭୟ ଘାରିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର