ରାଜ୍ୟର ସମସ୍ତ ରୂପାନ୍ତରିତ ସ୍କୁଲକୁ ମିଳିବ ଇଣ୍ଟରନେଟ୍‍, ଲାଗିବ ସିସିଟିଭି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ସମସ୍ତ ରୂପାନ୍ତରିତ ବିଦ୍ୟାଳୟରେ ଇଣ୍ଟରନେଟ୍‍ ବ୍ୟବସ୍ଥା ଲାଗୁ କରାଯିବ। ୩ଶହଟି ହାଇସ୍କୁଲରେ ଖୁବଶୀଘ୍ର ଆକାଂକ୍ଷୀ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବାକୁ ‘ମୋ ସ୍କୁଲ୍‍ ଅଭିଯାନ’ ଓଡ଼ିଶା ବିଜ୍ଞାନ ଏକାଡେମୀ ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ସହ ମିଳିତ ଭାବରେ ମୋବାଇଲ୍‍ ସାଇନ୍ସ ଏକ୍‍ଜିବିସନ୍‍ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ପିଲାମାନଙ୍କ ମଧ୍ୟରେ ଗଣିତର ଜ୍ଞାନ ବୃଦ୍ଧି ପାଇଁ ଭୁବନେଶ୍ୱରସ୍ଥିତ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ […]

ଭୁବନେଶ୍ୱର: ରାଜ୍ୟର ସମସ୍ତ ରୂପାନ୍ତରିତ ବିଦ୍ୟାଳୟରେ ଇଣ୍ଟରନେଟ୍‍ ବ୍ୟବସ୍ଥା ଲାଗୁ କରାଯିବ। ୩ଶହଟି ହାଇସ୍କୁଲରେ ଖୁବଶୀଘ୍ର ଆକାଂକ୍ଷୀ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବାକୁ ‘ମୋ ସ୍କୁଲ୍‍ ଅଭିଯାନ’ ଓଡ଼ିଶା ବିଜ୍ଞାନ ଏକାଡେମୀ ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ସହ ମିଳିତ ଭାବରେ ମୋବାଇଲ୍‍ ସାଇନ୍ସ ଏକ୍‍ଜିବିସନ୍‍ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ପିଲାମାନଙ୍କ ମଧ୍ୟରେ ଗଣିତର ଜ୍ଞାନ ବୃଦ୍ଧି ପାଇଁ ଭୁବନେଶ୍ୱରସ୍ଥିତ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମ୍ୟାଥେମେଟିକ୍ସ ଆଣ୍ଡ୍‍ ଆପ୍ଲିକେସନ୍ସ ସହ ମୋ ସ୍କୁଲ ହାତ ମିଳାଇଛି। ଉଭୟ ଅନୁଷ୍ଠାନର ସହଯୋଗରେ ଉଚ୍ଚ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ମ୍ୟାଥ୍‍ମେଟିକ୍ସ ମେଳା’ କାର୍ଯ୍ୟକ୍ରମର ଆୟୋଜନ କରାଯିବା ନେଇ ‘ମୋ ସ୍କୁଲ୍‍ ଅଭିଯାନ’ର ୩୫ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସୋମବାର ଭର୍ଚୁଆଲ୍‍ ମୋଡ୍‍ରେ ଅନୁଷ୍ଠିତ ବୈଠକରେ ସମସ୍ତ ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଗତ ଏକ ମାସ ମଧ୍ୟରେ ‘ମୋ ସ୍କୁଲ୍‍’ ନିକଟରେ ରେକର୍ଡ ସଂଖ୍ୟକ ୟୁସି ଦାଖଲ ହୋଇଥିବାବେଳେ କାର୍ଯ୍ୟନିର୍ବାହୀ ପରିଷଦ ଏନେଇ ସନ୍ତୋଷବ୍ୟକ୍ତ କରିଥିଲେ। ତେବେ ପରିଷଦ ବୈଠକରେ ଓଡ଼ିଶାର ୨୬ଟି ଜିଲ୍ଲାର ମୋଟ ୧୩୧ କୋଟି ୭୩ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ୧ ମାସ ମଧ୍ୟରେ ୧୦,୬୭୨ ପୁରାତନ ଛାତ୍ରଛାତ୍ରୀ ଅଭିଯାନ ସହ ଯୋଡ଼ି ହୋଇଛନ୍ତି। ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୬ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବିଭିନ୍ନ ସିଏସ୍‍ଆର୍‍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ‘ମୋ ସ୍କୁଲ୍‍ ଅଭିଯାନ’କୁ ୩୮ କୋଟି ୮୫ ଲକ୍ଷ ଟଙ୍କାର ଅନୁଦାନ ଆସିଛି। ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍‍ଆର୍‍ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୩୧ କୋଟି ୭୩ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି। ଯାହାକି ୧୫୫୭ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ବିନିଯୋଗ ହେବ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପରେ ବଳକା ଥିବା ୪୩୧୦ଟି ଉଚ୍ଚ ବିଦ୍ୟାଳୟରୁ ୩ୟ ପର୍ଯ୍ୟାୟରେ ୨୧୫୯ଟି ହାଇସ୍କୁଲ୍‍ର ରୂପାନ୍ତରଣ କରିବାକୁ ପ୍ରସ୍ତାବ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ରୂପାନ୍ତରିତ ହୋଇଥିବା ଉଚ୍ଚ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀଙ୍କୁ କୋଡିଂ ଶିକ୍ଷାଦାନ ଉଦ୍ଦେଶ୍ୟରେ ୧୦୭୬ ହାଇସ୍କୁଲ୍‍ରେ କୋଡ୍‍ କ୍ଲବ୍‍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଇତିମଧ୍ୟରେ ୩୦ଟି ଜିଲ୍ଲାର ୪୧୩ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ କୋଡିଂ ଏବଂ ପ୍ରୋଗ୍ରାମିଂରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଋୂପାନ୍ତରିତ ବିଦ୍ୟାଳୟଗୁଡ଼ିକର ଉପକରଣ ଏବଂ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ସ୍କୁଲ୍‍ଗୁଡ଼ିକ ସ୍ୱତନ୍ତ୍ର ସୁରକ୍ଷା କର୍ମୀ ନିୟୋଜନ କରିବାକୁ କୁହାଯାଇଛି। ଏହା ସହ ପ୍ରତ୍ୟେକ ରୂପାନ୍ତରିତ ବିଦ୍ୟାଳୟରେ ସିସିଟିଭି କ୍ୟାମେରା, ବଜ୍ରପାତରୁ ସୁରକ୍ଷା ପାଇଁ ଲାଇଟେନିଂ ଆରେଷ୍ଟର୍‍ ଏବଂ ଅଗ୍ନିନିର୍ବାପକ ଯନ୍ତ୍ର ଲଗାଯିବ। ହାଇସ୍କୁଲ୍‍ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ରୂପାନ୍ତରିତ ହୋଇଥିବା ସମସ୍ତ ସ୍କୁଲ୍‍ରେ ଇଣ୍ଟରନେଟ୍‍ ସଂଯୋଗ କରାଯିବା ନେଇ ନିଷ୍ପତ୍ତି ହୋଇଛି। ‘ମୋ ସ୍କୁଲ୍‍’ ସହଯୋଗରେ ୩୦୦ ରୂପାନ୍ତରିତ ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦକ୍ଷତା ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶକୁ ପ୍ରାଥମିକତା ଦେଇ ବିଭିନ୍ନ ସହପାଠ୍ୟଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର