ମନୋରଞ୍ଜନ
ପାକିସ୍ତାନ ହରାଇବ ପରମାଣୁ ଅସ୍ତ୍ର ନିୟନ୍ତ୍ରଣ କ୍ଷମତା

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷରେ ଭାରତର ଅପରେସନ ସିନ୍ଦୂର ଦ୍ବାରା ଭାରତକୁ ଏକ ବଡ଼ ଫାଇଦା ମିଳିବା ସହିତ ପାକିସ୍ତାନ ପାଇଁ ଚିନ୍ତା ବଢିବାର ଆଶଙ୍କା ସୃଷ୍ଟି ହୋଇଛି। ପାକିସ୍ତାନର ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଏବେ ଆମେରିକା ହାତକୁ ଚାଲିଯିବା ସହିତ ପାକିସ୍ତାନ ଏନପିଟି ( ଅଣୁ ଅସ୍ତ୍ର ନିରୋଧୀ ଚୁକ୍ତି)ରେ ସାମିଲ ହେବାକୁ ବାଧ୍ୟ ହୋଇପାରେ ବୋଲି କୁହାଯାଉଛି। ପାକିସ୍ତାନ ବିପକ୍ଷରେ ଭାରତର ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ପ୍ରମୁଖ ୮ଟି ସାମରିକ […]
ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷରେ ଭାରତର ଅପରେସନ ସିନ୍ଦୂର ଦ୍ବାରା ଭାରତକୁ ଏକ ବଡ଼ ଫାଇଦା ମିଳିବା ସହିତ ପାକିସ୍ତାନ ପାଇଁ ଚିନ୍ତା ବଢିବାର ଆଶଙ୍କା ସୃଷ୍ଟି ହୋଇଛି। ପାକିସ୍ତାନର ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଏବେ ଆମେରିକା ହାତକୁ ଚାଲିଯିବା ସହିତ ପାକିସ୍ତାନ ଏନପିଟି ( ଅଣୁ ଅସ୍ତ୍ର ନିରୋଧୀ ଚୁକ୍ତି)ରେ ସାମିଲ ହେବାକୁ ବାଧ୍ୟ ହୋଇପାରେ ବୋଲି କୁହାଯାଉଛି। ପାକିସ୍ତାନ ବିପକ୍ଷରେ ଭାରତର ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ପ୍ରମୁଖ ୮ଟି ସାମରିକ ଘାଟି ଉପରେ ଆକ୍ରମଣ କରାଯାଇ ଧ୍ବସ୍ତ ବିଧ୍ବସ୍ତ କରିଦିଆଯାଇଥିଲା। ତେବେ ଏହାମଧ୍ୟରୁ ସବୁଠୁ ଗୁରୁତ୍ବପୂର୍ଣ୍ଣ ଦୁଇ ସାମରିକ ଘାଟି ପାକିସ୍ତାନର ପଞ୍ଜାବ ପ୍ରଦେଶସ୍ଥିତ ନୁର୍ ଖାନ ଏବଂ ସରଗୋଧା ଏୟାରବେସ୍ ଉପରେ ଭାରତର ଆକ୍ରମଣ ପାକ୍ ସେନାର ମନୋବଳକୁ ଦୋହଲାଇ ଦେଇଥିଲା। ପଞ୍ଜାବ ପ୍ରଦେଶର ସରଗୋଧା ଏୟାରବେସ୍ ହେଉଛି ପାକିସ୍ତାନ ବାୟୁ ସେନାର ସବୁଠୁ ଗୁରୁତ୍ବପୂର୍ଣ୍ଣ ସାମରିକ ଘାଟି। ଏଠାରେ ସର୍ବାଧିକ ଏଫ-୧୬ ଏବଂ ଜେଏଫ୍-୧୭ ବିମାନ ମହଜୁଦ ରହିଛି। କିନ୍ତୁ ଅପରେସନ ସିନ୍ଦୂରରେ ଭାରତୀୟ ସେନା ଏହି ଏୟାରବେସ୍ ଉପରେ ଆକ୍ରମଣ କରି ପ୍ରଭୂତ କ୍ଷତି ଘଟାଇଥିଲା ବେଳେ ଏଠାରୁ ମାତ୍ର ୨୦ କିମି ଦୁରରେ କିରାନା ହିଲ୍ସ ଅଞ୍ଚଳରେ ମହଜୁଦ ରହିଥିବା ପାକିସ୍ତାନର ପରମାଣୁ ଅସ୍ତ୍ର ଭଣ୍ଡାର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଚର୍ଚ୍ଚା ଚାଲିଛି। ଏହାବ୍ୟତୀତ ନୁର ଖାନ ଏୟାରବେସ୍ରେ ରହିଥିବା ଏହି ଅସ୍ତ୍ରଭଣ୍ଡାରର କମାଣ୍ଡ ସେଣ୍ଟର ମଧ୍ୟ ଭାରୀମାତ୍ରାରେ ପ୍ରଭାବିତ ହୋଇଛି। କିରାନା ହିଲ୍ସ ପରମାଣୁ ଅସ୍ତ୍ର ଭଣ୍ଡାର ଉପରେ ଭାରତୀୟ ସେନା ଆକ୍ରମଣ କରି ନାହିଁ ବୋଲି ନିକଟରେ ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଥିଲା।
ସେପଟେ କିରାନା ହିଲ୍ସରେ କୌଣସି କ୍ଷୟକ୍ଷତି ହୋଇ ନାହିଁ ବୋଲି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ସ୍ପଷ୍ଟ କରିଥିଲା। କିନ୍ତୁ କିରାନା ହିଲ୍ସକୁ ନେଇ ଏବେ ଆନ୍ତର୍ଜାତିକ ମହଲରେ ଯେଭଳି ଚର୍ଚ୍ଚା ଚାଲିଛି ତଦ୍ବାରା ଏହି ପରମାଣୁ ଅସ୍ତ୍ର ଭଣ୍ଡାର ଯେ ପ୍ରଭାବିତ ହୋଇଛି ତାହା ସ୍ବଷ୍ଟ ହେବାରେ ଲାଗିଛି। ଏହାବ୍ୟତୀତ ଭାରତର ଆକ୍ରମଣ ପରେ କିଛି ଅପ୍ରତ୍ୟାଶିତ ଘଟଣା ମଧ୍ୟ ଏହି ବିଷୟକୁ ଆହୁରି ପ୍ରମାଣିତ କରିଛି। ପାକିସ୍ତାନରେ ଅଚାନକ ଭାବେ ଇଜିପ୍ଟର ଏକ ସାମରିକ ପରିବହନ ବିମାନ ପହଞ୍ଚିବା ଏବଂ ପରେ ପରେ ଆମେରିକାର ଶକ୍ତି ବିଭାଗର ପରମାଣୁ ଶକ୍ତି ତଦାରଖକାରୀ ବିମାନ ‘ ବିଚ୍କ୍ରାଫ୍ଟ ବି ୩୫୦’ ପାକିସ୍ତାନରେ ପହଞ୍ଚିବା ଘଟଣା ମଧ୍ୟ କିରାନା ହିଲ୍ସର କ୍ଷତିକୁ ସୂଚାଉ ଥିବା କୁହାଯାଉଛି। ଭାରତର କ୍ଷେପଣାସ୍ତ୍ର ମାଡ଼ ପରେ କିରାନା ହିଲ୍ସ ପରମାଣୁ ଅସ୍ତ୍ର ଭଣ୍ଡାର ପ୍ରଭାବିତ ହେବା ଦ୍ବାରା ଏଠାରୁ ବିପଜ୍ଜନକ ବିକିରଣ ମାନବସମାଜ ପାଇଁ କାଳ ହୋଇଥିବାରୁ ଏହାକୁ ସମୀକ୍ଷା କରିବା ଲାଗି ଏହି ଆମେରିକୀୟ ବିମାନ ପାକିସ୍ତାନରେ ପହଞ୍ଚିଥିଲା ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେହିପରି କ୍ଷତିଗ୍ରସ୍ତ ଅସ୍ତ୍ର ଭଣ୍ଡାରର ମରାମତି ଲାଗି ଇଜିପ୍ଟ ବିମାନ ମଧ୍ୟ ‘ବୋରନ୍-୧୦’ ନାମକ ଦୁର୍ଲଭ ପଦାର୍ଥ ପାକିସ୍ତାନ ନେଇ ଆସିଥିବା କୁହାଯାଉଛି। ଏସବୁ ବ୍ୟତୀତ ପାକିସ୍ତାନ ସେନା କିରାନା ହିଲ୍ସ ନିକଟରେ ରହିଥିବା ପ୍ରାୟ ୨୦ରୁ ଅଧିକ ଗାଁର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଘଟଣା କିରାନା ହିଲ୍ସ କ୍ଷତିକୁ ସ୍ପଷ୍ଟ କରିଛି।
ତେବେ ଏହି କ୍ଷତି ଆକଳନ ଏବଂ ଏହାର ନିରାକରଣ ପାଇଁ ଆମେରିକୀୟ ପ୍ରତିନିଧିଙ୍କ ସମେତ ଆନ୍ତର୍ଜାତିକ ପରମାଣୁ ଶକ୍ତି ଏଜେନ୍ସି (ଆଇଏଇଏ) ପ୍ରତିନିଧି ପାକିସ୍ତାନରେ ପହଞ୍ଚିବା ପାକିସ୍ତାନ ପାଇଁ କାଳ ହୋଇଛି। ଆମେରିକା ପ୍ରତିନିଧିମାନେ କେବଳ କିରାନା ହିଲ୍ସସ୍ଥିତ ପରମାଣୁ ଅସ୍ତ୍ର ଭଣ୍ଡାର ନୁହେଁ, ସୁରକ୍ଷା ଆଳରେ ସେମାନେ ପାକିସ୍ତାନର ଅନ୍ୟ ପରମାଣୁ ଅସ୍ତ୍ରଭଣ୍ଡାର ଗୁଡିକୁ ମଧ୍ୟ ସମୀକ୍ଷା ପରିସରଭୁକ୍ତ କରିବେ ବୋଲି କୁହାଯାଉଛି। ଏହାଦ୍ବାରା ପାକିସ୍ତାନର ଗୁପ୍ତ ପରମାଣୁ ଅସ୍ତ୍ର ସମ୍ପର୍କରେ ଆମେରିକା ସମ୍ପୂର୍ଣ୍ଣ ତଥ୍ୟ ପାଇଯିବ ଏବଂ ପରେ ପରେ ସେଗୁଡିକୁ ନିଜ ନିୟନ୍ତ୍ରଣକୁ ନେଇଯିବ ବୋଲି ଆକଳନ କରାଯାଉଛି। ଅନ୍ୟପକ୍ଷରେ ପାକିସ୍ତାନ ପରମାଣୁ ଶକ୍ତିର ଅଧିକାରୀ ହୋଇ ମଧ୍ୟ ଏନପିଟିରେ ସାମିଲ ହୋଇ ନଥିବାରୁ ମାନବ ସୁରକ୍ଷା ଦୃଷ୍ଟିରୁ ଆଇଏଇଏ ପାକିସ୍ତାନକୁ ଏନପିଟି ଚୁକ୍ତିଭୁକ୍ତ କରିବାକୁ ବାଧ୍ୟ କରିପାରେ ବୋଲି କୁହାଯାଉଛି। ଯାହାକି ଭାରତ ପାଇଁ ବିଭିନ୍ନ ଦିଗରୁ ଅନୁକୂଳ ହେବା ନେଇ ଆକଳନ କରାଯାଉଛି।