କାହିଁକି ହୁଏ ଆପେଣ୍ଡିସାଇଟିସ୍? ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ…
ପେଟ ଟାଣିହେବା ଓ ପେଟ ଦରଜକୁ ସମସ୍ତେ ଏକ ସାଧାରଣ ସମସ୍ୟା ବୋଲି ଭାବିଥା’ନ୍ତି। କିନ୍ତୁ ଏହାକୁ ଅବହେଳା ନ କରି ଡାକ୍ତରଙ୍କ ସହ ପରାମର୍ଶ କରି ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବା ଉଚିତ। କାରଣ ପେଟ ଟାଣିହେବା ବା ପେଟରେ ଅସହ୍ୟ ଯନ୍ତ୍ରଣା ହେବାର କାରଣ ଆପେଣ୍ଡିସାଇଟିସ୍ ମଧ୍ୟ ହୋଇପାରେ। ୧୦ରୁ ୩୦ ବର୍ଷର ବୟସବର୍ଗଙ୍କ କ୍ଷେତ୍ରରେ ଏ ରୋଗ ଅଧିକ ଦେଖିବାକୁ ମିଳିଥାଏ। ଏହା ଅତ୍ୟନ୍ତ ଜଟିଳ ଓ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ହୋଇଥିବାରୁ […]
ପେଟ ଟାଣିହେବା ଓ ପେଟ ଦରଜକୁ ସମସ୍ତେ ଏକ ସାଧାରଣ ସମସ୍ୟା ବୋଲି ଭାବିଥା’ନ୍ତି। କିନ୍ତୁ ଏହାକୁ ଅବହେଳା ନ କରି ଡାକ୍ତରଙ୍କ ସହ ପରାମର୍ଶ କରି ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବା ଉଚିତ। କାରଣ ପେଟ ଟାଣିହେବା ବା ପେଟରେ ଅସହ୍ୟ ଯନ୍ତ୍ରଣା ହେବାର କାରଣ ଆପେଣ୍ଡିସାଇଟିସ୍ ମଧ୍ୟ ହୋଇପାରେ। ୧୦ରୁ ୩୦ ବର୍ଷର ବୟସବର୍ଗଙ୍କ କ୍ଷେତ୍ରରେ ଏ ରୋଗ ଅଧିକ ଦେଖିବାକୁ ମିଳିଥାଏ। ଏହା ଅତ୍ୟନ୍ତ ଜଟିଳ ଓ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ହୋଇଥିବାରୁ ଏହାର ନିରାକାରଣ ଜରୁରି।
ଅନ୍ତନଳୀରେ ଥିବା ଆପେଣ୍ଡିକ୍ସ ନାମକ ଏକ ଅଂଶରେ ସଂକ୍ରମଣ ହେଲେ ଆପେଣ୍ଡିସାଇଟିସ୍ ହୋଇଥାଏ। ଆପେଣ୍ଡିକ୍ସ ଅନେକଗୁଡ଼ିଏ ତନ୍ତୁ ଦ୍ବାରା ଗଠିତ। ବୃହତ୍ଅନ୍ତ ଓ କ୍ଷୁଦ୍ରାନ୍ତର ମିଳନ ସ୍ଥଳରେ ଆପେଣ୍ଡିକ୍ସ ଏକ ଟ୍ୟୁବ୍ ଭାବେ ଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାେର, ଯେତେବେଳେ ଅନ୍ତନଳୀର ବ୍ୟାକ୍ଟେରିଆ ଆପେଣ୍ଡିକ୍ସ ଭିତରକୁ ପ୍ରବେଶ କରନ୍ତି, ସେତେବେଳେ ଏହା ସଂକ୍ରମିତ ହୋଇଥାଏ। ଏହାକୁ ଆପେଣ୍ଡିସାଇଟିସ୍ ବୋଲି କୁହାଯାଏ। ସଂକ୍ରମଣ ବଢ଼ିଗଲେ, ଆପେଣ୍ଡିକ୍ସ ଫାଟିଯିବାର ଆଶଙ୍କା ଥାଏ। ଏହାକୁ ‘ଆପେଣ୍ଡିକ୍ସ ବର୍ସ୍ଟ’ କୁହାଯାଏ। ଏହା ଗମ୍ଭୀର ଓ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରେ। ଆପେଣ୍ଡିସାଇଟିସ୍ ଦୁଇ ପ୍ରକାର ଯଥା – ଏକ୍ୟୁଟ୍ ଆପେଣ୍ଡିସାଇଟିସ୍ ଏବଂ କ୍ରୋନିକ୍ ଆପେଣ୍ଡିସାଇଟିସ୍। କ୍ରୋନିକ୍ ଆପେଣ୍ଡିସାଇଟିସ୍କିଛି ନିର୍ଦ୍ଦିଷ୍ଟ ସ୍ବାସ୍ଥ୍ୟ ପରୀକ୍ଷା ପରେ ଜାଣିବା ସମ୍ଭବ ହୁଏ। ଅସ୍ତ୍ରୋପଚାର ଦ୍ବାରା ହିଁ ଆପେଣ୍ଡିସାଇଟିସ୍ର ଚିକିତ୍ସା କରାଯାଏ।
ଲକ୍ଷଣ
ଆପେଣ୍ଡିସାଇଟିସ୍ ହେଲେ ପେଟରେ ଭୀଷଣ ଯନ୍ତ୍ରଣା ହୋଇଥାଏ। ଡାହାଣ ପଟ ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ ହେବା, ନାଭି, ଉପର ପେଟ କିମ୍ବା ତଳିପେଟ ସବୁବେଳେ ଦରଜ ଲାଗିବା, ଭୋକ ନ ଲାଗିବା, ପେଟରେ ଯନ୍ତ୍ରଣା ଆରମ୍ଭ ହେବା ସଙ୍ଗେ ସଙ୍ଗେ ବ୍ୟତିବ୍ୟସ୍ତ ଲାଗିବା, ପେଟ ଫୁଲିଯିବା, ଶରୀରର ତାପମାତ୍ରା ୧୦୦ରୁ ୧୦୧ ଡିଗ୍ରୀ ରହିବା, ପେଟରେ ଗ୍ୟାସ୍ ହେବା, କୋଷ୍ଠକାଠିନ୍ୟ ସମସ୍ୟା ସହିତ ଅନେକ ସମୟରେ ପତଳା ଝାଡ଼ା ଲାଗି ରହିବା ଇତ୍ୟାଦି। ଅନେକ ସମୟରେ ଏହିସବୁ ଲକ୍ଷଣ ସହିତ ପିଠି ଓ ମଳାଶୟରେ ଦରଜ ଅନୁଭୂତ ହେବା, ମୂତ୍ର ନିଷ୍କାସନ ସମୟରେ ଯନ୍ତ୍ରଣା ହେବା ଏବଂ କିଛି ଖାଦ୍ୟ ଖାଇବା ପରେ ବାନ୍ତି ହେବାର ଦେଖାଯାଏ।
କାରଣ
ଆପେଣ୍ଡିସାଇଟିସ୍ର ଅନ୍ୟାନ୍ୟ କାରଣ ମଧ୍ୟରୁ ମୁଖ୍ୟ ହେଉଛି ଆଜିକାଲିର ଅନିୟମିତ ଓ ଅନିୟନ୍ତ୍ରିତ ଖାଦ୍ୟପେୟ। ତେବେ ଏହାର ଅନ୍ୟ କାରଣଗୁଡ଼ିକ ହେଉଛି ଅଧିକ ଦିନ ପର୍ଯ୍ୟନ୍ତ କୋଷ୍ଠକାଠିନ୍ୟ ଲାଗିରହିବା, ଖାଦ୍ୟର କିଛି କଣିକା ଅନ୍ତନାଳୀ ଭିତରକୁ ଚାଲିଯିବା, ନିତିଦିନିଆ ଖାଦ୍ୟରେ ତନ୍ତୁଜାତୀୟ (ଫାଇବର୍) ଖାଦ୍ୟର ଅଭାବ କିମ୍ବା ଆପେଣ୍ଡିକ୍ସରେ କୌଣସି କଠିନ ଅଂଶ ସୃଷ୍ଟି ହେବା ଏବଂ କ୍ୟାନସର୍ ହେବା।
ଚିକିତ୍ସା
ସିଟି ସ୍କାନ୍, ଅଲ୍ଟ୍ରାସାଉଣ୍ଡ୍, କମ୍ପ୍ଲିଟ୍ ବ୍ଲଡ୍ କାଉଣ୍ଟ୍ (ସିବିସି) ଏବଂ ଏମ୍ଆର୍ଆଇ ଦ୍ବାରା ଆପେଣ୍ଡିସାଇଟିସ୍ ହୋଇଛି କି ନାହିଁ, ତାହା ପରୀକ୍ଷା କରିହେବ। ଯଦି ଆପେଣ୍ଡିସାଇଟିସ୍ ପ୍ରଥମ ପର୍ଯ୍ୟାୟରେ ଅଛି, ତେବେ କିଛି ଔଷଧ ବା ଇଞ୍ଜେକ୍ସନ୍ ଦ୍ବାରା ତାହାର ଚିକିତ୍ସା କରିହେବ। କିନ୍ତୁ ଏହାର ସ୍ଥାୟୀ ଚିକିତ୍ସା ହେଉଛି ଅସ୍ତ୍ରୋପଚାର। ଆପେଣ୍ଡିସାଇଟିସ୍ ବା ଆପେଣ୍ଡିକ୍ସର ଟ୍ୟୁମର୍ ହଟାଇବା ପାଇଁ ଜଟିଳ ଅସ୍ତ୍ରୋପଚାର କରିବାକୁ ହୁଏ। ତେବେ ଆପେଣ୍ଡିସାଇଟିସ୍ ରୋଗୀଙ୍କୁ ଅଧିକ ଭାବେ ସିଝା ଖାଦ୍ୟ ଦେବା ଉଚିତ। ବିଶେଷ ଭାବେ ସେମାନଙ୍କୁ ଖଟା ଜିନିଷଠାରୁ ଦୂରେଇ ରହିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥା’ନ୍ତି। ଚିକିତ୍ସା ପରେ ମଧ୍ୟ ଏଭଳି ରୋଗୀ ସେମାନଙ୍କର ଖାଦ୍ୟପେୟ ପ୍ରତି ଯତ୍ନଶୀଳ ରହିବା ଉଚିତ।





