ଶ୍ୱେତ ବୈଷମ୍ୟ

The Sakala Picture
Published On

ବିବିଧତା-ପ୍ରାଚୁର୍ଯ୍ୟପୂର୍ଣ୍ଣ ଭାରତବର୍ଷର ବୈଷମ୍ୟ ହିଁ ଏହାର ବିଡ଼ମ୍ବନା। ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରୁ ଆରମ୍ଭ କରି ବୃଷ୍ଟିପାତ, ତାପମାନ, କୃଷି, ଗୋସମ୍ପଦ, ଖଣିଜ, ପ୍ରାକୃତିକ ଉତ୍ସ ପର୍ଯ୍ୟନ୍ତ ଲମ୍ବିଛି ଏହି ବୈଷମ୍ୟର ପରିସୀମା, ଯାହା ଭାରତକୁ ବୈଚାରିକ ସ୍ତରରେ ଦୁଇଭାଗ କରିଛି। ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି ଏକଦା ଶ୍ୱେତ-ବିପ୍ଲବ(ଦୁଗ୍ଧ ଉତ୍ପାଦନ)ରେ ବିଶ୍ୱର ଅନ୍ୟ ଦେଶ ପାଇଁ ଉଦାହରଣ ସାଜିଥିବା ଭାରତ ଏବେ ଶ୍ୱେତ-ବୈଷମ୍ୟ ଆହ୍ୱାନର ସମ୍ମୁଖୀନ ହୋଇଛି। ଗୁଜରାଟ, ମହାରାଷ୍ଟ୍ର, ହରିଆଣା ପରି କେତେକ ପ୍ରଦେଶରେ ଦୁଗ୍ଧ […]

ବିବିଧତା-ପ୍ରାଚୁର୍ଯ୍ୟପୂର୍ଣ୍ଣ ଭାରତବର୍ଷର ବୈଷମ୍ୟ ହିଁ ଏହାର ବିଡ଼ମ୍ବନା। ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରୁ ଆରମ୍ଭ କରି ବୃଷ୍ଟିପାତ, ତାପମାନ, କୃଷି, ଗୋସମ୍ପଦ, ଖଣିଜ, ପ୍ରାକୃତିକ ଉତ୍ସ ପର୍ଯ୍ୟନ୍ତ ଲମ୍ବିଛି ଏହି ବୈଷମ୍ୟର ପରିସୀମା, ଯାହା ଭାରତକୁ ବୈଚାରିକ ସ୍ତରରେ ଦୁଇଭାଗ କରିଛି। ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି ଏକଦା ଶ୍ୱେତ-ବିପ୍ଲବ(ଦୁଗ୍ଧ ଉତ୍ପାଦନ)ରେ ବିଶ୍ୱର ଅନ୍ୟ ଦେଶ ପାଇଁ ଉଦାହରଣ ସାଜିଥିବା ଭାରତ ଏବେ ଶ୍ୱେତ-ବୈଷମ୍ୟ ଆହ୍ୱାନର ସମ୍ମୁଖୀନ ହୋଇଛି। ଗୁଜରାଟ, ମହାରାଷ୍ଟ୍ର, ହରିଆଣା ପରି କେତେକ ପ୍ରଦେଶରେ ଦୁଗ୍ଧ ଉତ୍ପାଦନ ଚାହିଦାଠାରୁ ଏତେ ବଳି ଗଲାଣି ଯେ ଖିରଗୁଣ୍ଡ(ସ୍ମିମ୍‌‌ଡି ମିଲ୍‌‌କ) ପ୍ରସ୍ତୁତକାରୀ କମ୍ପାନୀମାନେ ମଧ୍ୟ ଚାଷୀଙ୍କଠାରୁ ମୁହଁ ମୋଡ଼ିଲେଣି। ଅପରପକ୍ଷରେ ଓଡ଼ିଶା ପରି କେତେକ ରାଜ୍ୟବାସୀ ଏ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣର ଦୁଗ୍ଧ ନ ପାଇ କୁପୋଷଣ ଜନିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଦର୍ଶାଇ ଆସୁଛି। କେବଳ ଓଡ଼ିଶା କଥା ବିଚାର କରାଯାଉ। ଦୈନିକ ମୁଣ୍ଡପିଛା ଦୁଗ୍ଧ ଉତ୍ପାଦନରେ ଜାତୀୟ ହାର ୪୪୪ ଗ୍ରାମ୍‌‌ ଥିବା ବେଳେ ଆମ ରାଜ୍ୟରେ ମୁଣ୍ଡ ପିଛା ଦୈନିକ ଉତ୍ପାଦନ ମାତ୍ର ୧୪୪ ଗ୍ରାମ। ଶ୍ୱେତ ବୈଷମ୍ୟର ଏହାଠାରୁ ଆଉ ଅଧିକ ଉଦାହରଣ କ’ଣ ହୋଇପାରେ?

ଆମ ରାଜ୍ୟରେ ବିଭିନ୍ନ ଦୁଗ୍ଧ ସଂଗ୍ରହକାରୀ ସଂସ୍ଥାଙ୍କର ଉପସ୍ଥିତି ବଢ଼଼ିବା ସହିତ ଦୁଗ୍ଧ ଉତ୍ପାଦନ ଓ ବିପଣନ ମଧ୍ୟ ବଢ଼଼ିଛି। ଉଦାହରଣ ସ୍ୱରୂପ ୨୦୦୦ ମସିହାରେ ଓଡ଼ିଶାର ସାମଗ୍ରିକ ଦୈନିକ ଦୁଗ୍ଧ ଉତ୍ପାଦନ ପରିମାଣ ୮.୭୫ ଲକ୍ଷ ଟନ୍‌‌ ଥିବା ବେଳେ ରାଜ୍ୟ ସରକାର ବିଧାନସଭାରେ ୨୦୨୨ରେ ଦେଇଥିବା ସୂଚନା ଅନୁଯାୟୀ ତାହା ୬୫ ଲକ୍ଷ ଟନ୍‌‌କୁ ବୃଦ୍ଧି ପାଇଛି। ଦୁଗ୍ଦ ଉତ୍ପାଦନରେ ପ୍ରାୟ ତିନିଗୁଣା ବୃଦ୍ଧି ଘଟିଥିଲେ ମଧ୍ୟ ତାହା ଚାହିଦା ଅନୁପାତିକ ହୋଇପାରୁନାହିଁ।

ଏହି ପୃଷ୍ଠଭୂମିରେ ଓଡ଼ିଶା ସରକାର ମଧ୍ୟାହ୍ନ ଭୋଜନରେ ଭିଟାମିନ୍‌‌ ଏ ଓ ଡି ଯୁକ୍ତ ଦୁଗ୍ଧ ଯୋଗାଣ ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ଯୋଜନାର ଚୂଡ଼ାନ୍ତ ରୂପରେଖ ସାମ୍ନାକୁ ଆସି ନଥିବା ବେଳେ ପାଇଲଟ୍‌‌ ପ୍ରକଳ୍ପ ଭାବେ ମୟୂରଭଞ୍ଜ ଜିଲ୍ଲାର ୨୯ଟି ସରକାରୀ ବିଦ୍ୟାଳୟର ୧୧୮୪ ଛାତ୍ରଛାତ୍ରୀଙ୍କୁ ମୁଣ୍ଡପିଛା ଦୈନିକ ୨୦୦ ମିଲିଲିଟର ଖିର ଯୋଗାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ରାଜ୍ୟର ଦୁଗ୍ଧ ଉତ୍ପାଦନ ସ୍ଥିତି, ସଂଗ୍ରହ ଓ ଚାହିଦା ଆଧାରରେ ବିଶ୍ଲେଷଣ କଲେ ସରକାରଙ୍କ ଏହି ମହତାକାଂକ୍ଷୀ ଯୋଜନା କେତେକ ଆହ୍ୱାନର ସମ୍ମୁଖୀନ ହୋଇପାରେ ବୋଲି କୃଷିବିଜ୍ଞାନୀମାନେ ମତ ଦେଉଛନ୍ତି। ଏ ସମ୍ପର୍କିତ ଔପଚାରିକ ଓ ଅନୌପଚାରିକ ପରିସଂଖ୍ୟାନକୁ ବିଶ୍ଲେଷଣ କଲେ କୃଷି ବିଜ୍ଞାନୀମାନଙ୍କ ଉପରୋକ୍ତ ସନ୍ଦେହ ନିରାଧାର ବୋଲି କହିହେବ ନାହିଁ। ଆମର କହିବା କଥା ହେଲା ମଧ୍ୟାହ୍ନ ଭୋଜନରେ ଦୁଗ୍ଧ ଯୋଗାଣ ବ୍ୟବସ୍ଥା ସହିତ ଅନେକ ଆନୁଷଙ୍ଗିକ କ୍ଷେତ୍ର ଜଡ଼ିତ ଥିବାରୁ ଯୋଜନାକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ ସେ ଦିଗରେ ଦୃଷ୍ଟି ଦେବା ଉଚିତ ହେବ।

ଏବେ ରାଜ୍ୟରେ ଦୁଗ୍ଧ ଚାହିଦା-ଯୋଗାଣ ଶୃଙ୍ଖଳ ଉପରେ ଦୃଷ୍ଟି ଦିଆଯାଉ। ରାଜ୍ୟ ଦୁଗ୍ଧ ଚାଷୀ ମହାସଂଘର ତଥ୍ୟ ଅନୁଯାୟୀ ଓମ୍‌‌ଫେଡ୍‌‌, ପ୍ରଗତି, ମିଲ୍କ ମୁ, ଓଡ଼ିଶା ଡାଏରି, ଆନ୍ଧ୍ରପ୍ରଦେଶର ହେରିଟେଜ୍‌‌ ଡାଏରି, ଝାଡ଼ଖଣ୍ଡର ସୁଧା ଡାଏରି ଆଦି ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ସଂସ୍ଥା ଓଡ଼ିଶାରୁ ଦୈନିକ ପ୍ରାୟ ୭-୮ଲକ୍ଷ ଲିଟର ଦୁଗ୍ଧ ଚାଷୀମାନଙ୍କଠାରୁ ସଂଗ୍ରହ କରୁଛନ୍ତି। ଏହାବାଦ୍‌‌ ଡାକ୍ତରଖାନା, ହୋଟେଲ୍‌‌, ପାରିବାରିକ ବିକ୍ରେତା, ଛେନା-ପନିର-ଖୁଆ-ମିଠା ପ୍ରସ୍ତୁତ ପାଇଁ ଦୁଗ୍ଦ ଚାହିଦା ହିସାବକୁ ନେଲେ ଦୈନିକ ଓଡ଼ିଶାରେ ପ୍ରାୟ ୩୦ ଲକ୍ଷ ଲିଟର ଦୁଗ୍ଧ ବିକ୍ରି ହେଉଛି। ବାକି ୩୫ ଲକ୍ଷ ଲିଟର କେଉଁଆଡ଼େ ଯାଉଛି ତାହାର କୌଣସି ବିଧିବଦ୍ଧ ତଥ୍ୟ ନାହିଁ। ଏହାଛଡ଼ା ଅନେକ ସମୟରେ ଗମନାଗମନ ଓ ଭିତ୍ତିଭୂମି ଜନିତ ତ୍ରୁଟି ଯୋଗୁଁଁ ଠିକ୍‌‌ ସମୟରେ ଦୁଗ୍ଧ ସଂଗ୍ରହ ହୋଇ ନ ପାରି ନଷ୍ଟ ହୋଇଯାଉଛି। ରାଜ୍ୟର ସବୁ ଅଞ୍ଚଳରେ ସବୁ ଲୋକଙ୍କ ପାଖରେ ଆବଶ୍ୟକ ଅନୁଯାୟୀ ଦୁଗ୍ଧ ପହଞ୍ଚିପାରୁ ନଥିବା ପଛରେ ବା ଚାହିଦା-ଯୋଗାଣ ବୈଷମ୍ୟ ପଛରେ ଯେଉଁ କେତେକ ଅଦୃଶ୍ୟ କାରଣ ରହିଛି ସେଗୁଡ଼ିକର ସମାଧାନ ପ୍ରତି ସରକାରଙ୍କୁ ପ୍ରଥମେ ଧ୍ୟାନ ଦେବାକୁ ପଡ଼ିବ। ଏହି ଶ୍ୱେତ ବୈଷମ୍ୟ ଦୂର କରିବା ପାଇଁ ଓଡ଼ିଶା ପାଖରେ ଅପାର ସମ୍ଭାବନା ଓ ସୁଯୋଗ ରହିଛି। ସେ ଦିଗରେ କେବଳ ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତିର ଆବଶ୍ୟକତା ଅନୁଭୂତ ହେଉଛି।

ଇତିମଧ୍ୟରେ ପ୍ରକ୍ରିୟାକୃତ ଗୋଖାଦ୍ୟ ଦର ଦେଢ଼ଗୁଣା ଓ ପାରମ୍ପରିକ ଗୋଖାଦ୍ୟ ଯଥା ଧାନବିଡ଼ା, ଘାସ ଆଦିର ଦର ତିନିଗୁଣା ବଢ଼଼ିଛି। ସେହି ଅନୁପାତରେ ସଂଗଠିତ କ୍ଷେତ୍ରରୁ ସଂଗୃହୀତ ଦୁଗ୍ଧ ମୂଲ୍ୟ ଚାଷୀକୁ ଅନୁକୂଳ ହୋଇପାରୁନାହିଁ। ଏହାର ଫାଇଦା ଉଠାଇ ବାହାର ରାଜ୍ୟର ଦୁଗ୍ଧଗୁଣ୍ଡ(ସ୍ମିମ୍‌‌ଡମିଲ୍‌‌କ୍‌‌ ଓ ସଲିଡ୍‌‌ ନଟ ଫ୍ୟାଟ୍‌‌) ପ୍ରସ୍ତୁତକାରୀ ସଂସ୍ଥାମାନେ ତୁଳନାତ୍ମକ ଭାବେ ଉଚ୍ଚାମୂଲ୍ୟ ଦେଇ ଓଡ଼ିଶାର ଗ୍ରାମାଞ୍ଚଳ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କରି ନେଉଛନ୍ତି। ଏହାଛଡ଼ା ରାଜ୍ୟର ଲୋକସଂଖ୍ୟା ତୁଳନାରେ ଗୋସମ୍ପଦ ଓ ଦୁଗ୍ଧ ଉତ୍ପାଦନ ପର୍ଯ୍ୟାପ୍ତ ନୁହେଁ। ଏଥିପାଇଁ ଉଦ୍‌‌ଯୋଗୀ ଓ ଉଦ୍ୟୋଗୀମାନେ ବୀତସ୍ପୃହ ହେବା ପଛର କାରଣ ମଧ୍ୟ ଅନେକ।

ଏଭଳି ସ୍ଥିତିରେ ସବୁବିଦ୍ୟାଳୟରେ ମଧ୍ୟାହ୍ନଭୋଜନରେ ଦୁଗ୍ଧ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଚାହିଦା-ଯୋଗାଣ ଭାରସମ୍ୟ ବିଗିଡ଼ି ଯାଇ ମୁଦ୍ରାସ୍ଫୀତି ବଢ଼଼ିବା ସହିତ ଶ୍ୱେତବୈଷମ୍ୟ ଆହୁରି ଉତ୍କଟ ହେବାର ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ବିଶେଷଜ୍ଞଙ୍କ ଅନୁମାନ ମୁତାବକ, ଉତ୍ତର ଓ ପଶ୍ଚିମ ଭାରତରେ ଯେଉଁ ଶ୍ୱେତ ପ୍ଲାବନ୍‌‌ ସୃଷ୍ଟି ହୋଇଛି ବା ଚାହିଦା ତୁଳନାରେ ଯୋଗାଣ ଅଧିକ ହେଉଛି ତାହାର(ସ୍କିମ୍‌‌ଡି ମିଲ୍‌‌କ ବା ଖିରଗୁଣ୍ଡ ପ୍ରସ୍ତୁତି ଜରିଆରେ) ଉପଯୋଗ ଓଡ଼ିଶା ଭଳି ଶ୍ୱେତ ମରୁଡ଼ି ରାଜ୍ୟରେ କରାଯାଇପାରେ। ଏହି ଅନୁମାନ ମଧ୍ୟ ଅନସ୍ୱୀକାର୍ଯ୍ୟ ନୁହେଁ। ବନ୍ୟା ଓ ମରୁଡ଼ି ସମସ୍ୟାର କୃତ୍ରିମ ସମାଧାନ ପାଇଁ ଯଦି ନଦୀ ସଂଯୋଗୀକରଣ ଭଳି ବ୍ୟୟବହୁଳ ଯୋଜନା ହୋଇପାରୁଛି ତେବେ ଶ୍ୱେତ ବୈଷମ୍ୟ ଦୂର ପାଇଁ ଅନ୍ୟ ରାଜ୍ୟର ଉଦ୍‌‌ବୃତ୍ତ ଦୁଗ୍ଧ ନିଅଣ୍ଟିଆ ରାଜ୍ୟକୁ ବ୍ୟବସ୍ଥିତ ଯୋଗାଣ ହେଲେ କ୍ଷତି କ’ଣ?

ଆମ ମତରେ ଏହି ଯୋଜନା କେବଳ ବିଦ୍ୟାଳୟ ସ୍ତରରେ ସୀମିତ ନ ରଖି ଆଇସିଡିଏସ୍‌‌ ଭଳି ଯୋଜନାକୁ ପରିବ୍ୟାପ୍ତ କରାଗଲେ ମାତୃ-ଶିଶୁ ପୁଷ୍ଟିହୀନତା ଦୂର ହୋଇପାରିବ। ରାଜ୍ୟରେ ଦୁଗ୍ଧ ଚାହିଦା ବଢ଼଼ିଲେ ଗୋପାଳନକୁ ଲାଭପ୍ରଦ ବୃତ୍ତି ରୂପେ ବେକାର ଯୁବକଯୁବତୀ ଆପଣେଇବେ ଏବଂ ଏହାଦ୍ୱାରା ଗ୍ରାମୀଣ ଅର୍ଥନୀତି ଓ ଜୀବନଧାରଣ ମାନରେ ଉନ୍ନତି ଘଟିବ। ଏଥିପାଇଁ କିନ୍ତୁ ସରକାରଙ୍କୁ କୃଷି ଋଣ ଅନୁରୂପ ଶୂନ ପ୍ରତିଶତ ସୁଧ ହାରରେ ଗୋପାଳନ ପାଇଁ ବ୍ୟାଙ୍କ ଋଣ ଯୋଗାଇ ଦେବାକୁ ପଡ଼ିବ। ଗୋ ଖାଦ୍ୟ ଓ ଦୁଗ୍ଧ ମୂଲ୍ୟ ମଧ୍ୟରେ ସମତୁଲତା ରକ୍ଷା ପାଇଁ ମହାରାଷ୍ଟ୍ର ସରକାର ଅନୁରୂପ ଦୁଗ୍ଧ ଚାଷୀଙ୍କୁ ଅନ୍ତତଃ କିଛିବର୍ଷ ପାଇଁ ରିହାତି ବ୍ୟବସ୍ଥା ସହିତ ଗୋସମ୍ପଦ ପାଇଁ ମଧ୍ୟ ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥା ପ୍ରଚଳନ କରିବାକୁ ହେବ।

About The Author

ରାଶିଫଳ

ସମ୍ବନ୍ଧିତ ଖବର