ବଜାର ଓ ବିଜ୍ଞାପନର କିମିଆରେ ତ୍ରସ୍ତ ଉପଭୋକ୍ତା

The Sakala Picture
Published On

ଆଗକୁ ଅକ୍ଷୟ ତୃତୀୟା, ସ୍ନାନ ପୂର୍ଣ୍ଣିମା ଓ ଗୁଣ୍ଡିଚା ଯାତ୍ରା ଆଦି ପର୍ବ ପାଖେଇ ଆସୁଛି। ପାର୍ବଣ ଓ ପରମ୍ପରାର ଏକ ବଡ଼ ଅଂଶ ହେଲା ନୂଆ ନୂଆ ଜିନିଷ କିଣିବା, ବଜାର ଓ ମଲ୍‌‌ମାନଙ୍କରେ ଭିଡ଼ ଜମାଇବା ଏବଂ ବିଭିନ୍ନ ପ୍ରକାର ଆକର୍ଷଣୀୟ ଜିନିଷ ତଥା ସେବା କିଣିବା। ସେପଟେ ଏହିଭଳି ସୁଯୋଗକୁ ଉଣ୍ଡି ବସିଥା’ନ୍ତି ଅସଂଖ୍ୟ ନିର୍ମାତା, ଉତ୍ପାଦନକାରୀ ତଥା ବ୍ୟବସାୟୀ ସମ୍ପ୍ରଦାୟ। ଗାଁ ଗହଳିର ହାଟପାଳିଠାରୁ ଆରମ୍ଭ କରି ମହାନଗରୀର ବିଶାଳ ମଲ୍‌‌ […]

ଆଗକୁ ଅକ୍ଷୟ ତୃତୀୟା, ସ୍ନାନ ପୂର୍ଣ୍ଣିମା ଓ ଗୁଣ୍ଡିଚା ଯାତ୍ରା ଆଦି ପର୍ବ ପାଖେଇ ଆସୁଛି। ପାର୍ବଣ ଓ ପରମ୍ପରାର ଏକ ବଡ଼ ଅଂଶ ହେଲା ନୂଆ ନୂଆ ଜିନିଷ କିଣିବା, ବଜାର ଓ ମଲ୍‌‌ମାନଙ୍କରେ ଭିଡ଼ ଜମାଇବା ଏବଂ ବିଭିନ୍ନ ପ୍ରକାର ଆକର୍ଷଣୀୟ ଜିନିଷ ତଥା ସେବା କିଣିବା। ସେପଟେ ଏହିଭଳି ସୁଯୋଗକୁ ଉଣ୍ଡି ବସିଥା’ନ୍ତି ଅସଂଖ୍ୟ ନିର୍ମାତା, ଉତ୍ପାଦନକାରୀ ତଥା ବ୍ୟବସାୟୀ ସମ୍ପ୍ରଦାୟ। ଗାଁ ଗହଳିର ହାଟପାଳିଠାରୁ ଆରମ୍ଭ କରି ମହାନଗରୀର ବିଶାଳ ମଲ୍‌‌ ଅଟ୍ଟାଳିକା ତଥା ରାସ୍ତାକଡ଼ର ଚଟ୍‌‌ପଟା ଜଳଖିଆ ଦୋକାନଠାରୁ ସପ୍ତତାରକା ହୋଟେଲ୍‌‌ ପର୍ଯ୍ୟନ୍ତ, ଏପରିକି ଦେଶ ଭିତର ଓ ଆନ୍ତର୍ଜାତିକ ପରିଭ୍ରମଣ ବଜାର ମଧ୍ୟ ଏହି ପାର୍ବଣ ଋତୁରେ ଚଳଚଞ୍ଚଳ ହୋଇଉଠେ। ଟିଭି, ରେଡିଓ, ଇଣ୍ଟରନେଟ୍‌‌, ଡିଜିଟାଲ୍‌‌ ମିଡିଆ, ଖବରକାଗଜ ଓ ପତ୍ରପତ୍ରିକାରେ ତଥା ରାସ୍ତାଘାଟରେ ବଡ଼ ବଡ଼ ଆକର୍ଷକ ରଙ୍ଗୀନ ବିଜ୍ଞାପନ ବୋର୍ଡ ଓ ରଙ୍ଗୀନ ନିଅନ୍‌‌ ଆଲୋକରେ ସଜ୍ଜିତ ଇଲେକ୍ଟ୍ରୋନିକ୍‌‌ ବିଜ୍ଞାପନ ପାନେଲ୍‌‌ ଆଦି ଚାରିଆଡ଼େ ପ୍ରଲୋଭନର ମାୟାମୃଗ ଦଉଡ଼ାଇବା ଆରମ୍ଭ କରାନ୍ତି। କେଉଁଠି ବିଶେଷ ପାର୍ବଣ ବିକ୍ରି ନାଁରେ ଅଧିକା ରିହାତି ମିଳିଲାଣି ତ ଆଉ କେଉଁଠି ‘ଲକି ଡ୍ର’ ମାଧ୍ୟମରେ ବିଦେଶ ଯାତ୍ରା, ସୁନା ଗହଣା, ଗାଡ଼ି ମୋଟର ଉପହାରର ତାମସୀ ଆକର୍ଷଣ। ହାତରେ ଦି’ପଇସା ରଖି ଗ୍ରାହକଟିର ମନ ବିକଳ ହୋଇଉଠେ। ଚଉତରଫା ବିଜ୍ଞାପନ ମାଧ୍ୟମରେ ଅଲୋଡ଼ା ବିଳାସ ସାମଗ୍ରୀମାନଙ୍କର କୃତ୍ରିମ ଆବଶ୍ୟକତା ବିଭିନ୍ନ ବର୍ଗର ଗ୍ରାହକଙ୍କୁ ସମ୍ମୋହିତ କରିଦିଏ। ତା’ ଛଡ଼ା କ୍ରେଡିଟ୍‌‌ କାର୍ଡର ଆକର୍ଷଣ ଆହୁରି ଗଭୀର। ସହଜିଆ ମାସିକ କିସ୍ତିରେ କିଣଦିଅ ଓ ପରେ ନାକରେ କାନ୍ଦି ଟଙ୍କା ପରିଶୋଧ କର। ଚକ୍‌‌ମକ୍‌‌ ବିଜ୍ଞାପନରେ ମୋହିତ ଅଧିକାଂଶ ଗ୍ରାହକଙ୍କର ନିଘା ନଥାଏ କିଣୁଥିବା ଦ୍ରବ୍ୟଟିର ଗୁଣ ଓ ମାନର ସୂଚନା ଉପରେ। ସତେଯେମିତି ନିରୀହ ପତଙ୍ଗଟିଏ ଟାଣି ହୋଇ ଚାଲି ଯାଉଛି ବିଜ୍ଞାପନର ମରିଚୀକାରେ ଝାସ ଦେବାକୁ। ସାମ୍ପ୍ରତିକ ବିଶ୍ୱାୟନ, ବାଣିଜ୍ୟ ଓ ଅର୍ଥନୀତିର ଅସାଧୁ ଆକର୍ଷଣ ଭାରତ ଭଳି କେତେ ଯେ ବିକାଶଶୀଳ ରାଷ୍ଟ୍ରର ଉପଭୋକ୍ତାଙ୍କୁ ଆକ୍ରାନ୍ତ କରୁଛି ତାହା ଅକଳନୀୟ।

ଭାରତ ଏକ ଉପମହାଦେଶ ତଥା ଏକ ବିଶାଳ ଖାଉଟି ବଜାର। ପ୍ରାୟ ଏକଶହ ଚାଳିଶ କୋଟିରୁ ଅଧିକ ଲୋକ ବସବାସ କରୁଥିବା ଭାରତ ଭଳି ଦେଶରେ ଲୋକଙ୍କର କ୍ରୟଶକ୍ତି ମଧ୍ୟ ଭଲ। ତେଣୁ ଏଠାରେ ଯେକୌଣସି ସାମଗ୍ରୀର ବିପଣନ ପାଇଁ ବିସ୍ତୃତ ବଜାର ଉପଲବ୍ଧ। ବ୍ୟାପକ ପ୍ରଚାର ଏବଂ ଗଣମାଧ୍ୟମରେ ଅହର୍ନିଶ ବିଜ୍ଞାପନ ବିଭିନ୍ନ ସାମଗ୍ରୀ ଓ ସେବାକୁ କ୍ରେତା ବା ଖାଉଟିଙ୍କ ସହିତ କେବଳ ପରିଚୟ କରାଇ ନଥାଏ; ଏହା ମଧ୍ୟ ସେମାନଙ୍କ କଳ୍ପନା ଓ ଇଚ୍ଛାଶକ୍ତିକୁ ପ୍ରଭାବିତ କରିଥାଏ। ଭାରତୀୟ ଖାଉଟିଙ୍କ ଏହି ବିଶାଳ-ସମ୍ମୋହନର ସୁଯୋଗ ନେଇ ଅନେକ ଅସାଧୁ ବେପାରୀ / କମ୍ପାନୀ, ଉତ୍ପାଦନକାରୀ ବିଭିନ୍ନ ପ୍ରକାର ଖାଉଟି ସାମଗ୍ରୀକୁ ବିଜ୍ଞାପନ ମାଧ୍ୟମରେ ବିକ୍ରି କରି ମାଲେମାଲ ହୋଇଥା’ନ୍ତି। ଖାଉଟିଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଓ ନୀତି ନିୟମ ରହିଛି। ଏହାସତ୍ତ୍ବେ ଲାଭଖୋର କମ୍ପାନୀ ଓ ବିକ୍ରେତା ଦ୍ରୁତ ସହରାୟନ, ଇ-କମର୍ସ ଓ ବିଜ୍ଞାପନକୁ ମାଧ୍ୟମ କରି ଭେଜାଲ ଓ ନିମ୍ନମାନର ସାମଗ୍ରୀ ବିକ୍ରି କରୁଛନ୍ତି। ଖାଦ୍ୟ ପଦାର୍ଥ ଓ ଔଷଧପତ୍ର ମଧ୍ୟ ଏଥିରୁ ବାଦ୍‌‌ ପଡୁନାହିଁ। ବିଭ୍ରାନ୍ତିକର ବିଜ୍ଞାପନ ଦେଇ ଜଣେ ପ୍ରତିଷ୍ଠିତ ଆୟୁର୍ବେଦ ଔଷଧ କମ୍ପାନୀ ସୁପ୍ରିମକୋର୍ଟ ଦ୍ୱାରା ନିକଟରେ ଭର୍ତ୍ସିତ ହେବା ପରେ ସ୍ୱୟଂ ସେହି ଯୋଗଗୁରୁ ଓ ତାଙ୍କ ଚେଲାମାନେ ସର୍ବୋଚ୍ଚ ଅଦାଲତରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଥିଲେ। ଏବେ ସେହିପରି କେତେକ ତଥାକଥିତ ସ୍ୱାସ୍ଥ୍ୟବର୍ଦ୍ଧକ ପାନୀୟ ଦ୍ରବ୍ୟ ଉପରେ ସରକାରୀ କଟକଣା ଲାଗୁ କରାଯାଇଛି। ପାନୀୟ ଓ ଖାଦ୍ୟପଦାର୍ଥର ମାନ ନିର୍ଦ୍ଧାରଣ ଏବଂ ବର୍ଗୀକରଣ ପାଇଁ ଭାରତରେ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫ୍‌‌ଏସ୍‌‌ଏସ୍‌‌ଏଆଇ) ରହିଛି। ଯେଉଁସବୁ ଦ୍ରବ୍ୟକୁ ହେଲ୍‌‌ଥ ଡ୍ରିଙ୍କ୍‌‌ସ କହି କମ୍ପାନୀମାନେ ବିକ୍ରି କରୁଛନ୍ତି, ବାସ୍ତବରେ ୨୦୦୬ରେ ପ୍ରଣୀତ ଏଫ୍‌‌ଏସ୍‌‌ଏସ୍‌‌ ଆଦେଶ ସାରଣୀରେ ସେପରି କିଛି ବର୍ଗ ବା ସାମଗ୍ରୀ ଉଲ୍ଲେଖ ନାହିଁ। ଚଳିତ ମାସ ପ୍ରାରମ୍ଭରେ ଏଫ୍‌‌ଏସ୍‌‌ଏସ୍‌‌ଏଆଇ ଜନସ୍ୱାର୍ଥ ଦୃଷ୍ଟିରୁ ଭାରତରେ କୌଣସି ଶସ୍ୟ ଓ ଦୁଗ୍ଧରୁ ତିଆରି ପାନୀୟକୁ ସମ୍ପୃକ୍ତ ପ୍ରସ୍ତୁତକର୍ତ୍ତା ‘ହେଲ୍‌‌ଥ ଡ୍ରିଙ୍କ୍‌‌ସ’ ଭାବେ ଦର୍ଶାଇ ପାରିବେ ନାହିଁ ବୋଲି ଇ-କମର୍ସ ସାଇଟଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲା। ଏବେ ଏସବୁ ତଥାକଥିତ ‘ହେଲ୍‌‌ଥ ଡ୍ରିଙ୍କ୍‌‌ସ’ର ଲେବଲିଂ(ବ୍ୟବହୃତ ଦ୍ରବ୍ୟ ସୂଚନା)କୁ ହଟାଇବାକୁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ଇ-କମର୍ସ୍‌‌ ପ୍ଲାଟଫର୍ମଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଏପରିକି କୌଣସି କମ୍ପାନୀ ଓ ପୋର୍ଟାଲରେ ଏହାକୁ ‘ହେଲ୍‌‌ଥ ଡ୍ରିଙ୍କ୍‌‌ସ’ ଭାବେ ପ୍ରଚାର ବା ଉପସ୍ଥାପିତ କରିହେବ ନାହିଁ। ଏ ସବୁ ସାମଗ୍ରୀ ଯାହା ବଜାରରେ ରହିଛି ତାହାକୁ ମଧ୍ୟ ତତ୍କାଳ ପ୍ରତ୍ୟାହାର କରି ନେବାକୁ ସରକାର ସମ୍ପୃକ୍ତ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜନସ୍ୱାର୍ଥ ଦୃଷ୍ଟିରୁ ଏହା ନିଶ୍ଚିତ ସ୍ୱାଗତଯୋଗ୍ୟ ଏବଂ ଅସାଧୁ ବ୍ୟବସାୟକୁ ରୋକିବାରେ ଏହା ଅବଶ୍ୟ ସହାୟକ ହେବ।

ଏହିଭଳି ଏକ ଅଗ୍ରଣୀ ତଥାକଥିତ ସ୍ୱାସ୍ଥ୍ୟବର୍ଦ୍ଧକ ପାନୀୟ ନିର୍ମାତାର ଭାରତରେ କାରବାର ପରିମାଣ ବାର୍ଷିକ ୨.୫ ଲକ୍ଷ କୋଟି ଟଙ୍କା। ତେବେ ସ୍ୱାସ୍ଥ୍ୟପ୍ରଦ ପାନୀୟ କୁହାଯାଉଥିବା ଏହି ଉତ୍ପାଦରେ ଗହମର ଉପାଦାନ ଓ ମାତ୍ରାଧିକ ଚିନି ରହିଥିବା ପରୀକ୍ଷାରୁ ଜଣାପଡ଼ିଛି ଏବଂ ଏହା ଆଦୌ ସ୍ୱାସ୍ଥ୍ୟପ୍ରଦ ନୁହେଁ। ଏଭଳି ତଥାକଥିତ ‘ହେଲ୍‌‌ଥ ଡ୍ରିଙ୍କ୍‌‌ସ’ ମିଥ୍ୟା ତଥ୍ୟ ଆଧାରରେ ବେପାର ଜମାଇଛନ୍ତି। ପ୍ରକୃତରେ ଏହା ଶିଶୁ, ରୋଗୀ ଓ ବୁଢ଼ାବୁଢ଼ୀଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ। ସୁତରାଂ ସମ୍ପୃକ୍ତ କମ୍ପାନୀମାନେ ଏହାର ‘ହେଲ୍‌‌ଥ ଡ୍ରିଙ୍କ୍‌‌ସ’ ବିଜ୍ଞାପନ ଲେବୁଲ ବଦଳାଇବାକୁ ବାଧ୍ୟ। କାରଣ ଭାରତୀୟ ଖାଦ୍ୟ ମାନକ ଆଇନରେ ଏମିତି ବର୍ଗ ବା ଶ୍ରେଣୀ ରଖା ଯାଇନାହିଁ। ଏହି ପର୍ଯ୍ୟାୟର ତଥାକଥିତ ‘ହେଲ୍‌‌ଥ ଡ୍ରିଙ୍କ୍‌‌ସ’ ଭାରତୀୟ ବଜାର କେବଳ ନୁହେଁ, ସଂସ୍କୃତିରେ ମଧ୍ୟ ବହୁଦିନ ଧରି ଆସ୍ଥାନ ଜମାଇ ସାରିଛନ୍ତି। କମ୍ପାନୀମାନେ ଜନସ୍ୱାସ୍ଥ୍ୟର ସମ୍ବର୍ଦ୍ଧକ ଭାବେ ମିଥ୍ୟା ପରିଚୟ ଦେଇ ପ୍ରଚୁର ମୁନାଫା ଉଠାଉଛନ୍ତି। ବାସ୍ତବରେ ସେମାନେ କେବଳ ଖାଉଟିଙ୍କୁ ବିଭ୍ରାନ୍ତ କରି ଲାଭ ଉଠାଉଛନ୍ତି। ଏହା ଅନୈତିକ ଏବଂ ଦଣ୍ଡନୀୟ।

ଭାରତର ଏଫ୍‌‌ଏମ୍‌‌ସିଜି(ବ୍ୟାପକ ବ୍ୟବହୃତ ଖାଉଟି ଦ୍ରବ୍ୟ)ବଜାରରେ ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ପ୍ରଭାବ ଅଖଣ୍ଡ। ସେଥିରୁ ଖାଦ୍ୟ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରଟି ସମ୍ପୂର୍ଣ୍ଣ ଭାବେ ସେମାନଙ୍କ ନିୟନ୍ତ୍ରଣରେ ରହିଛି କହିଲେ ଚଳେ। କୋଲ୍‌‌ଡ୍ରିଙ୍କ୍‌‌ସ, ଚକୋଲେଟ୍‌‌, ଫ୍ରୁଟି, ବଟର, ବିଜ୍‌‌ ବିସ୍କୁଟ, ଜେଲି, ତଥାକଥିତ ହେଲ୍‌‌ଥ ଡ୍ରିଙ୍କ୍‌‌ସ ପରେ ଏବେ ‘ଏନର୍ଜି ଡ୍ରିଙ୍କ୍‌‌ସ’ମାନେ ଆମ ବଜାରରେ ରାଜତ୍ୱ କରୁଛନ୍ତି। ତେବେ ଏ ସବୁର ପ୍ରକୃତ ଦ୍ରବ୍ୟ ଗୁଣ ବିଷୟରେ ପ୍ରକୃତ ତଥ୍ୟକୁ ଗୋପନ ରଖାଯାଉଛି। ବିଜ୍ଞାପନ ଓ ଇ-କମର୍ସ ମଞ୍ଚ ଏ ସବୁକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଉଛି। ପରିତାପର ବିଷୟ ହେଉଛି ଭାରତୀୟ ବଜାର ପ୍ରକାଣ୍ଡ ଆକାର ଧାରଣ କରିଥିଲେ ମଧ୍ୟ ଏହା ଏଯାଏଁ ପୋଖତ ଏବଂ ନୈତିକତା ମୂଳକ ହୋଇପାରିନାହିଁ। ଲୋକଙ୍କ ପାଖରେ ପଇସା ହେବା ପରେ ସେମାନେ ବିଜ୍ଞାପନ ମାୟାରେ ପଡ଼ି ଏ ସବୁ ଅସ୍ୱାସ୍ଥ୍ୟକର ଜିନିଷ କିଣି ଖାଇ ଠକି ହେଉଛନ୍ତି ଓ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ଗୋଟେ ସମୟ ଥିଲା ଶିଶୁ ଖାଦ୍ୟ (ବେବି ଫୁଡ୍‌‌) ନାମରେ ଅନେକ ପ୍ରକାର କମ୍ପାନୀ ପ୍ରସ୍ତୁତ କୃତ୍ରିମ ଖାଦ୍ୟ ଭାରତରେ ବହୁଳ ଭାବେ ବିକ୍ରି ହେଉଥିଲା। ଏଥିରେ ଠକାମି ଧରା ପଡ଼ିବା ପରେ ସରକାର ତାହାକୁ ନିଷିଦ୍ଧ କରିଥିଲେ। ଆମର ନିର୍ବୋଧତା ହେଲା ଆମେ ଆମ ଘର ତିଆରି ବା ଘରୋଇ ପ୍ରସ୍ତୁତ ଖାଦ୍ୟକୁ ନାକ ଟେକି ନୁଡୁଲ୍ସ, ନମକିନ୍‌‌, ବ୍ରେଡ୍‌‌, ସସ୍‌‌, ବିସ୍କୁଟ, ଚକୋଲେଟ୍‌‌, ୟୁଗର୍ଟ ଏବଂ ଅନ୍ୟାନ୍ୟ ଫ୍ୟାକ୍ଟ୍ରି ନିର୍ମିତ ପ୍ୟାକେଟ୍‌‌କରା ଚଟପଟି ଖାଦ୍ୟକୁ ଅଗ୍ରାଧିକାର ଦେଉଛୁ। ଏଥିରେ ବାସ୍ତବରେ କ’ଣ ଅଛି ତାହା ସମସ୍ତଙ୍କୁ ଜଣାନାହିଁ। ଏଥିରେ ଯେଉଁ ଉପାଦାନର ତାଲିକା ଲେଖାଯାଇଥାଏ, ତାହା ଅନେକାଂଶରେ ମିଛ ବୋଲି ଅତୀତରେ ପ୍ରମାଣିତ ହୋଇଛି।

ଭାରତ ଭଳି ଦ୍ରୁତ ବିକାଶଶୀଳ ବଜାରରେ ଖାଦ୍ୟଦ୍ରବ୍ୟର ସୁରକ୍ଷା ପ୍ରଥମ ଆବଶ୍ୟକତା। ବଜାରର ପରିପକ୍ୱହୀନତା ଓ ବ୍ୟବସ୍ଥାଗତ ଉଦାସୀନତାର ସୁଯୋଗ ନେଇ ଏଠାରେ ଅସାଧୁ କମ୍ପାନୀମାନେ ଲୋକଙ୍କୁ ଠକି ବେପାର କରିବା ଏକ ଜଘନ୍ୟ ଅପରାଧ। ଏଭଳି ଅନୀତିକୁ ରୋକିବାକୁ କାର୍ଯ୍ୟାନୁଷ୍ଠାନ ଆହୁରି ବ୍ୟାପକ ହେବା ଆବଶ୍ୟକ।

About The Author

ରାଶିଫଳ

ସମ୍ବନ୍ଧିତ ଖବର