ନିର୍ବାଚନ ପ୍ରଚାର ରଣନୀତି

The Sakala Picture
Published On

ଅଧିକରୁ ଅଧିକ ଭୋଟରଙ୍କ ପାଖରେ ପହଞ୍ଚିବା ଏବଂ ଭୋଟରମାନଙ୍କୁ ନେତୃତ୍ୱ ଉପରେ ବିଶ୍ୱାସ ଜନ୍ମାଇବା ହେଉଛି ନିର୍ବାଚନରେ ସଫଳତା ପାଇବାର ମନ୍ତ୍ର। ଏଥିପାଇଁ ଏକ ସଠିକ୍‌‌ ଓ ଯୋଜନାବଦ୍ଧ ନିର୍ବାଚନ ପ୍ରଚାର ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ନିର୍ବାଚନ ପ୍ରଚାରକୁ ନେଇ ପ୍ରକାଶିତ ଏକ ଲୋକପ୍ରିୟ ଗାଇଡବୁକ୍‌‌ ଅନୁଯାୟୀ ସଫଳ ନିର୍ବାଚନ ପ୍ରଚାର ହେଉଛି ଗାଣିତିକ ସୂତ୍ର, ଅଧିକ ଖର୍ଚ୍ଚ ଓ ବିପୁଳ ସମ୍ୱଳ ଯୋଜନା ସହ ବଜାର ବିଶ୍ଳେଷଣର ଅଭିନବ ପ୍ରକ୍ରିୟା। ପ୍ରତ୍ୟେକ ପ୍ରାର୍ଥୀଙ୍କ […]

ଅଧିକରୁ ଅଧିକ ଭୋଟରଙ୍କ ପାଖରେ ପହଞ୍ଚିବା ଏବଂ ଭୋଟରମାନଙ୍କୁ ନେତୃତ୍ୱ ଉପରେ ବିଶ୍ୱାସ ଜନ୍ମାଇବା ହେଉଛି ନିର୍ବାଚନରେ ସଫଳତା ପାଇବାର ମନ୍ତ୍ର। ଏଥିପାଇଁ ଏକ ସଠିକ୍‌‌ ଓ ଯୋଜନାବଦ୍ଧ ନିର୍ବାଚନ ପ୍ରଚାର ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ନିର୍ବାଚନ ପ୍ରଚାରକୁ ନେଇ ପ୍ରକାଶିତ ଏକ ଲୋକପ୍ରିୟ ଗାଇଡବୁକ୍‌‌ ଅନୁଯାୟୀ ସଫଳ ନିର୍ବାଚନ ପ୍ରଚାର ହେଉଛି ଗାଣିତିକ ସୂତ୍ର, ଅଧିକ ଖର୍ଚ୍ଚ ଓ ବିପୁଳ ସମ୍ୱଳ ଯୋଜନା ସହ ବଜାର ବିଶ୍ଳେଷଣର ଅଭିନବ ପ୍ରକ୍ରିୟା। ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଯୋଜନା ସ୍ୱତନ୍ତ୍ର ହେବା ଜରୁରୀ। ଏକ ଦ୍ୱନ୍ଦ୍ୱପୂର୍ଣ୍ଣ ପ୍ରଚାର ରଣନୀତି ପ୍ରାର୍ଥୀଙ୍କ ପାଇଁ ସଫଳତା ଅପେକ୍ଷା ବିଫଳତା ଅଧିକ ଆଣିପାରେ।

ଭୌଗୋଳିକ ଅଞ୍ଚଳ, ରାଜନୈତିକ ବାତାବରଣ ଓ ନିର୍ବାଚନ ପ୍ରଚାର ଅଭିଯାନର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଆଧାରରେ ପ୍ରଚାର ରଣନୀତି ଭିନ୍ନ ଭିନ୍ନ। ଆଧୁନିକ ନିର୍ବାଚନ ପ୍ରଚାରରେ ଯୋଜନା ଉଭୟ ପାରମ୍ପରିକ ଓ ଡିଜିଟାଲ କୌଶଳର ସମ୍ମିମିଶ୍ରଣ ଦେଖିବାକୁ ମିଳେ। ଜନସମାଗମ, ଗଣମାଧ୍ୟମରେ ପ୍ରଚାର/ପ୍ରସାର, ଘରକୁ ଘର ବୁଊି ପ୍ରଚାର ଓ ରୋଡ ସୋ’ ଇତ୍ୟାଦି ନିର୍ବାଚନ ପ୍ରଚାର ଅଭିଯାନର ପାରମ୍ପରିକ କୌଶଳ। ସେହିପରି ଇସ୍ତାହାର, ପ୍ରତୀକବାଦ, ମେଣ୍ଟ ଓ ତାରକାଙ୍କ ଜରିଆରେ ପ୍ରଚାର ହେଉଛି ପ୍ରଚାର ଅଭିଯାନର ଅନ୍ୟ ଏକ ଲୋକପ୍ରିୟ ରୂପ। ଏତଦ୍‌‌ବ୍ୟତୀତ ସାମ୍ପ୍ରତିକ ଯୁଗରେ ସାମାଜିକ ଗଣମାଧ୍ୟମ ବ୍ୟତୀତ ରାଜନେତାମାନେ କିଛି ନୂତନ ପ୍ରଚାର କୌଶଳ ଆଦରି ନେଇଛନ୍ତି। ସେଗୁଡ଼ିକ ମଧ୍ୟରୁ ପ୍ରଥମଟି ହେଉଛି ‘ଗେଟ୍‌‌-ଆଟ୍‌‌-ଦି-ଭୋଟ୍‌‌’ ବା ‘ଭୋଟ୍‌‌ ପ୍ରାପ୍ତ କରନ୍ତୁ’। ଏହା ସାଧାରଣତଃ ମତଦାନ କିମ୍ୱା ଭୋଟର ହାର ବୃଦ୍ଧି ଉଦ୍ଦେଶ୍ୟରେ ଏକ ପ୍ରୟାସ। ଏହି ପ୍ରୟାସଗୁଡ଼ିକ ମଧ୍ୟରେ ଭୋଟର ପଞ୍ଜିକରଣ ଅଭିଯାନ, ମତଦାନର ଗୁରୁତ୍ୱ ବିଷୟରେ ସଚେତନତା ଅଭିଯାନ ଓ ସମସ୍ତ ଯୋଗ୍ୟ ଭୋଟରଙ୍କ ପାଇଁ ମତଦାନ ସୁଯୋଗର ଅଧିକ ଅଧିକ ଉପଲବ୍ଧତା ଆଦି ଅନ୍ତର୍ଭୁକ୍ତ। ଏବେ ପ୍ରାୟ ସମସ୍ତ ରାଜନୈତିକ ଦଳ ଏସବୁ କୌଶଳ ଆପଣେଇଥିବା ଦେଖାଯାଉଛି। ଦ୍ୱିତୀୟ କୌଶଳ ହେଉଛି ‘ମାଇକ୍ରୋ-ଟାର୍ଗେଟିଂ’। ଏହା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନିକଟରେ ପ୍ରଚାର ବାର୍ତ୍ତା ପହଞ୍ଚାଇବାର ପ୍ରୟାସ। ଏହାସହ ତଥ୍ୟ ବିଶ୍ଳେଷଣ ଏବଂ ଜନସଂଖ୍ୟା ସୂଚନାର ବ୍ୟବହାର ଏବେ ଏକ ନୂତନ ନିର୍ବାଚନୀରେ ସଫଳତା କୌଶଳ ଭାବରେ ବ୍ୟବହାର କରାଯାଉଛି। ବ୍ୟାପକ ଭୋଟରଙ୍କ ନିକଟରେ ଏକ ସାଧାରଣ ବାର୍ତ୍ତା ପ୍ରସାରଣ କରିବା ପରିବର୍ତ୍ତେ ମାଇକ୍ରୋ-ଟାର୍ଗେଟିଂରେ ଜନସଂଖ୍ୟାର କ୍ଷୁଦ୍ର ଓ ନିର୍ଦ୍ଦିଷ୍ଟ ଅଂଶଗୁଡ଼ିକୁ ଚିହ୍ନଟ କରାଯାଏ। ମନୋନୀତ ଗୋଷ୍ଠୀର ଆଗ୍ରହ, ବିଶ୍ୱାସ କିମ୍ୱା ଜନସଂଖ୍ୟା ଆଧାରରେ ସେମାନଙ୍କ ସହିତ ଅନୁଭୂତ ବାର୍ତ୍ତା ପ୍ରସ୍ତୁତ କରିବା ‘ମାଇକ୍ରୋ-ଟାର୍ଗେଟିଂ’ ପ୍ରଚାର ଯୋଜନାର ମୂଳ ଲକ୍ଷ୍ୟ।

ଏତଦ୍‌‌ବ୍ୟତୀତ ଏକ ପ୍ରଭାବଶାଳୀ ନିର୍ବାଚନ ପ୍ରଚାର ଯୋଜନାର ତିନିଟି ବଳିଷ୍ଠ ସୋପାନ ଅଛି। ପ୍ରଥମ ସୋପାନ ହେଉଛି ପ୍ରାର୍ଥୀଙ୍କ କାର୍ଯ୍ୟସୂଚୀ ଓ ପ୍ରାର୍ଥୀଙ୍କ ଭାଷା। ଯଦି ପ୍ରାର୍ଥୀଙ୍କ କାର୍ଯ୍ୟସୂଚୀକୁ ସଠିକ୍‌‌ ଭାବରେ ଯୋଜନା କରାନଯାଏ ତେବେ ପ୍ରଚାର ଏକ ବିଫଳ ଆଶାରେ ପରିଣତ ହୁଏ। ଏକ ଅନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ କେବଳ ସମୟର ଅପଚୟ। ପ୍ରସିଦ୍ଧ ରାଜନୈତିକ ପରାମର୍ଶଦାତା ସାଶା ଇସେନବର୍ଗ ତାଙ୍କ ପୁସ୍ତକ ‘ଭିକ୍ଟ୍ରି ଲାବ’ରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଚାର ସମୟରେ ପ୍ରାର୍ଥୀଙ୍କ ବ୍ୟବହୃତ ଭାଷା ହିଁ ଭୋଟରଙ୍କ ମତଦାନ ହାର ନିର୍ଦ୍ଧାରଣ କରିଥାଏ। ତେଣୁ ଭୋଟରଙ୍କ ଭାବନାକୁ ପ୍ରୋତ୍ସାହିତ କରିପାରୁଥିବା ଭାଷା ପ୍ରସ୍ତୁତ କରିବା ଜରୁରୀ। ଏଣୁ ବର୍ତ୍ତମାନ ସମୟରେ ନିର୍ବାଚନ ସମୟରେ ଭାଷଣରେ ପ୍ରତିଶ୍ରୁତି, ତୁଷ୍ଟୀକରଣ, ବିକାଶ ବ୍ୟତୀତ ଘୃଣ୍ୟ ଭାଷଣ, ଧ୍ରୁବୀକରଣ ବକ୍ତବ୍ୟକୁ ମଧ୍ୟ ଅନେକ ସମୟରେ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି। ନିର୍ବାଚନ ପ୍ରଚାର କାର୍ଯ୍ୟକୁ ପ୍ରଭାବଶାଳୀ ଓ ଗତିଶୀଳ କରିବା ପାଇଁ ବଜେଟ୍‌‌ ଓ ଅର୍ଥନୈତିକ ଯୋଜନା ହେଉଛି ନିର୍ବାଚନ ଜିତିବାର ଦ୍ୱିତୀୟ ସୋପାନ। ପ୍ରାର୍ଥୀଙ୍କ ନିର୍ବାଚନୀ ବଜେଟର ଦୁଇ-ତୃତୀୟାଂଶ କେବଳ ଭୋଟରଙ୍କ ଯୋଗାଯୋଗ ଦିଗରେ ଖର୍ଚ୍ଚ ହୁଏ। ସେଥିମଧ୍ୟରେ ନିର୍ବାଚନୀ ରାଲି, ସଭା, ସମିତି ଓ ଭୋଜିଭାତ ଆଦି ଅନ୍ତର୍ଭୁକ୍ତ। ‘ସେଣ୍ଟର ଅଫ ମିଡିଆ ଷ୍ଟଡିଜ’ର ଏକ ରିପୋର୍ଟ ଅନୁଯାୟୀ, ଭାରତରେ ୨୦୧୯ ସାଧାରଣ ନିର୍ବାଚନରେ ପ୍ରାୟ ୫୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୧୯୯୮ ନିର୍ବାଚନ ତୁଳନାରେ ଏହି ଖର୍ଚ୍ଚ ପ୍ରାୟ ଛ’ ଗୁଣା ଅଧିକା। ୨୦୧୯ ଲୋକସଭା ନିର୍ବାଚନରେ ଭାରତର ନବେ କୋଟି ଭୋଟର ଥିଲେ। ପ୍ରତି ଭୋଟରଙ୍କ ପିଛା ସାତଶହ ଟଙ୍କା ଖର୍ଚ୍ଚ ହୋଇଥାଇପାରେ ବୋଲି ଏ ରିପୋର୍ଟରେ ଅନୁମାନ କରାଯାଇଛି। ୨୦୧୯ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ବିଜେପି) ୨୭, ୫୦୦କୋଟି ଟଙ୍କା ଖର୍ଚ୍ଚ କରିଥିବା କୁହାଯାଉଥିବା ବେଳେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜାତୀୟ କଂଗ୍ରେସ ୯୬୨୫ କୋଟି ଟଙ୍କା ଖର୍ଚ୍ଚ କରିଥିବା କେତେକ ସଂସ୍ଥା ତଥ୍ୟ ଉପସ୍ଥାପନ କରିଛନ୍ତି। ଏହିସବୁ ସଂସ୍ଥାର ଆକଳନ ଅନୁଯାୟୀ ଅବଶିଷ୍ଟ ଦଳମାନେ ୨୦୧୯ ନିର୍ବାଚନରେ୧୭୮୭୫ କୋଟି ଖର୍ଚ୍ଚ କରିଥିଲେ। ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ମୋଟ ଖର୍ଚ୍ଚର ୨୫ % ଅର୍ଥାତ୍‌‌ ୧୪ ହଜାର କୋଟି ଟଙ୍କା ସିଧାସଳଖ ଭୋଟରଙ୍କୁ ବଣ୍ଟନ କରାଯାଇଥିଲ। କିନ୍ତୁ ଆଧୁନିକ ପ୍ରଚାର ଯୋଜନା ଅନୁଯାୟୀ ଆକଳନ ତୁଳନାରେ ନିର୍ବାଚନ ଖର୍ଚ୍ଚ ଅଧିକ ହୋଇପାରେ।

ନିର୍ବାଚନରେ ସଫଳତାର ତୃତୀୟ ସୋପାନ ହେଉଛି ଯୋଜନା ଦସ୍ତାବିଜ। ଦସ୍ତାବିଜ ହେଉଛି ଏକ ସମୟ ସୀମା ମଧ୍ୟରେ ସ୍ଥାନୀୟ ସମସ୍ୟାଗୁଡ଼ିକୁ ବ୍ୟବସ୍ଥିତ କରିବାର ଏକ ଉପକ୍ରମ। ଉଦାହରଣ ସ୍ୱରୂପ, ଏକ ରାଜନୈତିକ ଦଳ ‘ସାପ୍ତାହିକ-ଆଧାର’ରେ ନିର୍ବାଚନ ପ୍ରସଙ୍ଗ ଯୋଜନା କରିପାରେ। ତେଣୁ ପ୍ରଥମ ସପ୍ତାହରେ ନିଜ ଅଞ୍ଚଳରେ ପ୍ରସଙ୍ଗକୁ ଚୟନ କରିବା ସହ ଏକ ସୁପରିକଳ୍ପିତ ରିପୋର୍ଟ ପ୍ରସ୍ତୁତ କରିବାକୁ ହୁଏ। ଭୋଟରଙ୍କ ନିକଟତର ହେବାକୁ ହେଲେ ଏହାକୁ ଖବରକାଗଜ କିମ୍ୱା ଯୋଗାଯୋଗର ଅନ୍ୟ କୌଣସି ମାଧ୍ୟମରେ ପ୍ରକାଶ କରିବା ଜରୁରୀ। ପ୍ରସଙ୍ଗଭିତ୍ତିକ ରାଜନୀତିରେ ପ୍ରାର୍ଥୀମାନେ ଯୋଜନା ଦସ୍ତାବିଜକୁ ବିତର୍କ, ସମାବେଶ, ଭୋଟର ସଭାରେ ସଠିକ ଉପସ୍ଥାପନ କରିପାରିବେ। ନିର୍ବାଚନୀ ପ୍ରଚାର ଯୋଜନା କିଛି ଉପାଦାନ ଉପରେ କେନ୍ଦ୍ରୀଭୂତ। ପ୍ରଥମଟି ହେଉଛି ଜ୍ଞାନଶୀଳ। ଏହା ପ୍ରାର୍ଥୀଙ୍କ ସଚେତନତା ଉପରେ ଆଧାରିତ। ଦ୍ୱିତୀୟଟି ହେଉଛି ପ୍ରାର୍ଥୀଙ୍କ ବିଷୟରେ ଜନ ମତାମତ। ତୃତୀୟଟି ହେଉଛି ପ୍ରାର୍ଥୀଙ୍କ ନିଷ୍ପତ୍ତିର ମୂଲ୍ୟାଙ୍କନ। ନିର୍ବାଚନ ପ୍ରଚାରରେ ନାମ ଓ ପରିଚୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପ୍ରଚାର ଯୋଜନା ମୂଳତଃ ପ୍ରାର୍ଥୀଙ୍କୁ ସେମାନଙ୍କ ନାମ ଦ୍ୱାରା ଚିହ୍ନିବାର ଉପାୟ ସହ ଲୋକଙ୍କୁ ପ୍ରାର୍ଥୀଙ୍କ ଉପରେ ବିଶ୍ୱାସ କରାଇବା ପାଇଁ ପ୍ରୋତ୍ସାହିତ କରିଥାଏ। ବରିଷ୍ଠ ନିର୍ବାଚନ ରଣନୀତିକାର ମେରି ମାଟାଲିନଙ୍କର ରାଜନୀତି ପାଇଁ ୧୦୧ ନିୟମ ମଧ୍ୟରୁ ଗୋଟିଏ ଦୃଢ଼ ନିୟମ ହେଉଛି ‘ଅନ୍ୟ ପକ୍ଷକୁ କେବେ ବି ତୁମକୁ ସଂଜ୍ଞା, ଅର୍ଥ ବା ଅର୍ଥାନ୍ତର କରିବାକୁ ଦିଅନ୍ତୁ ନାହିଁ।’ ଯଦି କୌଣସି ପ୍ରାର୍ଥୀ ପ୍ରତିପକ୍ଷ ବା ପ୍ରତିଦ୍ୱନ୍ଦ୍ୱୀଙ୍କୁ ସଂଜ୍ଞା ବା ପରିଭାଷିତ କରିବାରେ ସଫଳତା ହାସଲ କରନ୍ତି ତେବେ ତାହା ବୁମେରାଂ ସାଜିବ ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରତି ଜନମତ ଅଧିକ ଦୃଢ଼ ହେବ। ଯଦି ପ୍ରାର୍ଥୀ ଓ ବିରୋଧୀଙ୍କ ଅତୀତ, ବର୍ତମାନ ଓ ଭବିଷ୍ୟତ ଘଟଣାର ସଠିକ ପଠନ ଉପରେ ପ୍ରଚାର ଯୋଜନା ଆଧାରିତ ନ ହୁଏ, ତେବେ ଉତ୍ତମ ପ୍ରସ୍ତୁତି ମଧ୍ୟ ବିଫଳ ହୋଇପାରେ।

ଭାରତୀୟ ନିର୍ବାଚନର ବିକଶିତ ଭୂମିକାକୁ ଆଧାର କରି ନିର୍ବାଚନ ପ୍ରଚାରର ଯୋଜନାକୁ ଏକ ଅନୁଷ୍ଠାନର ରୂପ ଦିଆଯାଇଛି। ୨୦୧୪ ମସିହାରୁ ଏହି ଧାରା ବ୍ୟାପକ ଭାବରେ ବ୍ୟବହୃତ ହୋଇଛି। ନୂତନ ଭାବରେ ଉଭା ହୋଇଥିବା ରାଜନୈତିକ ପରାମର୍ଶଦାତାମାନେ ରାଜନୈତିକ ଦଳ କିମ୍ୱା ପ୍ରାର୍ଥୀଙ୍କୁ ନିର୍ବାଚନ ଫଳାଫଳ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥା’ନ୍ତି। ଏହି ପରାମର୍ଶଦାତାମାନେ ରାଜନେତାଙ୍କ ପ୍ରଚାର ଅଭିଯାନ ପରିଚାଳନା ଏବଂ ନିର୍ବାଚନ ରଣନୀତି ପ୍ରସ୍ତୁତ କରନ୍ତି। ଏହା ସହ ନିର୍ବାଚନ ରଣନୀତିର କ୍ରମବିକାଶ, ଗଣମାଧ୍ୟମ ଯୋଜନା, ନିର୍ବାଚନୀ ବାର୍ତ୍ତା ପ୍ରସ୍ତୁତି, ତଥ୍ୟ ବିଶ୍ଳେଷଣ, ପାଣ୍ଠି ସଂଗ୍ରହ, ମତଦାନ ଓ ଗବେଷଣା ଏବଂ ସଙ୍କଟ ପରିଚାଳନା ଭଳି ସେବା ପ୍ରଦାନ କରନ୍ତି। ନିର୍ବାଚନ ପରାମର୍ଶଦାତାଙ୍କୁ ନେଇ ଭାରତରେ ୩୦୦୦ କୋଟି ଟଙ୍କାର ଏକ ଶିଳ୍ପ ଗଢ଼ିଉଠିଛି। ଆଇଆଇଟି ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ମ୍ୟାନେଜମେଣ୍ଟ ଅନୁଷ୍ଠାନର ବିଶେଷଜ୍ଞ, ଛାତ୍ରଛାତ୍ରୀ ଓ କାର୍ଯ୍ୟନିର୍ବାହୀମାନେ ଏହି ସେବାରେ ନିୟୋଜିତ। ଆକଳନ କରାଯାଏ ଯେ ସମଗ୍ର ଦେଶରେ ୧୫୦ରୁ ଊର୍ଦ୍ର୍ଧ୍ବ ରାଜନୈତିକ ପରାମର୍ଶଦାତା ସେବା ପ୍ରଦାନ କରୁଛନ୍ତି ଏବଂ ସେହି ସଂସ୍ଥାମାନଙ୍କରେ ୩୦ ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟରତ। ରାଜନୈତିକ ଦଳ ବା ନିର୍ବାଚନରେ ଲଢୁଥିବା ପ୍ରାର୍ଥୀ ନିମନ୍ତେ କନସଲଟାଣ୍ଟ ସର୍ଭିସ ଚାର୍ଜ ବା ସେବା ଦେୟ ୧ ଲକ୍ଷ ଟଙ୍କାରୁ ଆରମ୍ଭ କରି ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ହେଉଥିବା ଜଣାପଡ଼ିଛି।

ରାଜନୀତିର ମୌଳିକ ତାତ୍ତ୍ୱିକ ସଂଜ୍ଞା ଏହା କୁହେ ଯେ ଯୋଗ୍ୟ ହେବା ପାଇଁ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ନିଷ୍ଠାର ସହ କର୍ମୀଙ୍କ ସହ ଯୋଡ଼ି ହେବାକୁ ପଡ଼ିବ ଏବଂ ଅଧିକରୁ ଅଧିକ ଅନୁଗାମୀଙ୍କ ସହ ଏକ ଆଭା ସୃଷ୍ଟି କରିବାକୁ ପଡ଼ିବ। କିନ୍ତୁ ଅଧିକାଂଶ ସମୟରେ ରାଜନେତାମାନେ ଭୋଟରଙ୍କୁ ଆକର୍ଷଣ ପାଇଁ କୌଶଳପୂର୍ଣ୍ଣ ପ୍ରଚାର ଯୋଜନାର ଆଶ୍ରୟ ନେଇଥା’ନ୍ତି। ପ୍ରଚାର ପରାମର୍ଶଦାତାଙ୍କ ପ୍ରଦତ୍ତ ଯେକୌଣସି ପ୍ରଚାର ଯୋଜନା ଏକ ଧାରଣା ଭଳି ଏବଂ ଏ ଧାରଣା ଭୁଲ ମଧ୍ୟ ହୋଇପାରେ। କାରଣ ଆଜିର ଭୋଟର, ସାଧାରଣ ଜନତା ସବୁ ଜାଣେ।

ଡ. ଅବଶ ପରିଡ଼ା
ଭୁବନେଶ୍ୱର, ମୋ: ୮୪୫୬୮୭୯୫୨୨

About The Author

ରାଶିଫଳ

ସମ୍ବନ୍ଧିତ ଖବର