ପ୍ରାକ୍‌‌ ଯୌବନ ଆକ୍ରମଣରେ ଶୈଶବ

The Sakala Picture
Published On

ପିଲାଦିନ ଏମିତି ଏକ ସ୍ମୃତି, ଯାହା କ୍ଲାନ୍ତ ମନକୁ ଆରାମ ଦିଏ, ଶୁଖିଲା ଓଠରେ ହସ ଭରିଦିଏ, ବୟସର ଚାଦର ତଳେ ମଳିନ ପଡ଼ି ଯାଉଥିବା ଜୀବନକୁ ରଙ୍ଗୀନ କରିଦିଏ ଏବଂ ଭୁଲି ଭୁଲି ଯାଉଥିବା ନିଜକୁ ଆଉ ଥରେ ଖୋଜି ଆଣେ। ପିଲାଦିନ ମଣିଷର ଅତୀତ ନୁହେଁ, ବରଂ ସ୍ମୃତିର ଏକ ଜହ୍ନ ରାତି। ହେଲେ ଅବଶୋଷ ଏହା ଯେ, ଆଜିକା ପିଲାଙ୍କ ପାଖରେ ନା ତ ପିଲାଦିନ ଅଛି ନା ଭବିଷ୍ୟତକୁ ଉପହାର ଦେବାକୁ […]

ପିଲାଦିନ ଏମିତି ଏକ ସ୍ମୃତି, ଯାହା କ୍ଲାନ୍ତ ମନକୁ ଆରାମ ଦିଏ, ଶୁଖିଲା ଓଠରେ ହସ ଭରିଦିଏ, ବୟସର ଚାଦର ତଳେ ମଳିନ ପଡ଼ି ଯାଉଥିବା ଜୀବନକୁ ରଙ୍ଗୀନ କରିଦିଏ ଏବଂ ଭୁଲି ଭୁଲି ଯାଉଥିବା ନିଜକୁ ଆଉ ଥରେ ଖୋଜି ଆଣେ। ପିଲାଦିନ ମଣିଷର ଅତୀତ ନୁହେଁ, ବରଂ ସ୍ମୃତିର ଏକ ଜହ୍ନ ରାତି। ହେଲେ ଅବଶୋଷ ଏହା ଯେ, ଆଜିକା ପିଲାଙ୍କ ପାଖରେ ନା ତ ପିଲାଦିନ ଅଛି ନା ଭବିଷ୍ୟତକୁ ଉପହାର ଦେବାକୁ ପିଲାଦିନର ସ୍ମୃତି ଅଛି।

ପିଲାମାନଙ୍କର ପିଲାଦିନ ସେତେବେଳେ ରହିବ ଯେତେବେଳେ ଆମେ ତାଙ୍କୁ ପିଲା ବୋଲି ଭାବିବା। ଆଜିକାଲି ତ ପିଲାମାନଙ୍କୁ ଆମେ ଯନ୍ତ୍ର ବା ମେସିନ୍‌‌ କରିବାରେ ବ୍ୟସ୍ତ। ମେସିନ୍‌‌କୁ ଯେମିତି ଭୁଲ୍‌‌ କରିବା ମନା, ଆରାମ କରିବା ମନା, ସମୟ ନଷ୍ଟ କରିବା ମନା, ଠିକ୍‌‌ ସେହିପରି ଆମେ ଆମ ପିଲାଙ୍କୁ ଗଢୁଛନ୍ତି। ପିଲାଙ୍କ ପିଲାଦିନକୁ ଆମେ କେତେବେଳେ ପ୍ରତିଯୋଗିତାମୂଳକ ଦୌଡ଼ରେ ଥକେଇ ଦେଉଛନ୍ତି ତ ଆଉ କେତେବେଳେ ସଫଳ ହେବା ଚାପରେ ଚାପି ଦେଉଛନ୍ତି। କାଲି ଯେତେବେଳେ ସେଇ ପିଲା ବଡ଼ ହୋଇଯିବ, ତା’ ସ୍ମୃତିରେ ଏକ ଜହ୍ନ ରାତି ବଦଳରେ ଘୋର କାଳିମା ଥିବ। ସେଇ କାଳିମା ଭିତରେ ପିଲାଟା ନା ତ ସୁନ୍ଦର ଅତୀତକୁ ଖୋଜିପାରୁଥିବ ନା ତା ରଙ୍ଗୀନ ଭବିଷ୍ୟର ଆକଳନ କରିପାରୁଥିବ। ଏତେ ସବୁ ପରେ ମଧ୍ୟ ପିଲାଙ୍କ ପିଲାଦିନ ଉପରେ ଅତ୍ୟାଚାର ସରୁ ନାହିଁ ଯେ ପିଲାଦିନ ଉପରେ ଦାଉ ସାଜୁଛି ଯୌବନ।

ଆଜିକାଲି ଛଅ ରୁ ଆଠ ବର୍ଷ ବୟସରୁ ହିଁ ପିଲାମାନଙ୍କୁ ଯୌବନ ଛୁଇଁବା ଆରମ୍ଭ କରିଦେଉଛି, ଯାହାକୁ ‘ପ୍ରାକ୍‌‌ ଯୌବନ’ କୁହାଯାଏ। ପିଲାଦିନ ଉପରେ ଏହାର ଗଭୀର ଶାରୀରିକ, ମାନସିକ ଏବଂ ସାମାଜିକ ପ୍ରଭାବ ପଡ଼ୁଛି। ଯେହେତୁ ପିଲାମାନେ ଆଶାଠାରୁ ଶୀଘ୍ର କିଶୋରାବସ୍ଥାକୁ ଠେଲି ହୋଇଯାଆନ୍ତି, ସେମାନେ ସେମାନଙ୍କ ଜୀବନର ଏକ ମୌଳିକ ସମୟ ହରାଇଥା’ନ୍ତି। ପିଲାଙ୍କର ପିଲାଦିନ କିଛି ବଡ଼ମାନେ ଖାଇ ଯାଉଛନ୍ତି ଓ ବଳିଥିବା କିଛି ପିଲାଦିନକୁ ମାଡ଼ି ଆସୁଥିବା ଯୌବନ ଖାଇ ଯାଉଛି। ‘ପ୍ରାକ୍‌‌ ଯୌବନ’ ଏକ ସମୟରେ ବିରଳ ଥିଲା। କିନ୍ତୁ ଏବେ ତାହା ପିଲାମାନଙ୍କ ମଧ୍ୟରେ ଅଧିକରୁ ଅଧିକ ପରିଲକ୍ଷିତ ହେଉଛି। ପାରମ୍ପରିକ ଭାବରେ ଭାରତରେ ଝିଅ ପିଲାମାନଙ୍କ ମଧ୍ୟରେ ୧୧ ରୁ ୧୩ ବର୍ଷ ମଧ୍ୟରେ ଏବଂ ପୁଅମାନଙ୍କ ମଧ୍ୟରେ ଅଳ୍ପ ବିଳମ୍ୱରେ ଯୌବନ ଆରମ୍ଭ ହେଉଥିଲା। ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡ଼ିଛି ଯେ ବର୍ତ୍ତମାନ ଅନେକ ପିଲାଙ୍କୁ ୬ କିମ୍ୱା ୮ ବର୍ଷ ବୟସରୁ ହିଁ ଯୌବନ ଛୁଇଁଯାଉଛି।

ଶାରୀରିକ ପରିପକ୍ୱତାର ଏହି ଅସ୍ୱାଭାବିକ ଆରମ୍ଭ ସହରୀକରଣ ଏବଂ ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟ, ପରିବେଶ, ମନସ୍ତାତ୍ତ୍ୱିକ ପରିବେଶ ଏବଂ ସାମାଜିକ-ସାଂସ୍କୃତିକ କାରଣ ହେତୁ ତ୍ୱରାନ୍ୱିତ ହେଉଛି। ଇଣ୍ଡିଆନ୍‌‌ କାଉନସିଲ୍‌‌ ଅଫ୍‌‌ ମେଡିକାଲ୍‌‌ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ସହରାଞ୍ଚଳରେ ରହୁଥିବା ଝିଅମାନେ ସେମାନଙ୍କ ଗ୍ରାମୀଣ ପ୍ରତିପକ୍ଷଙ୍କ ତୁଳନାରେ ପ୍ରାୟ ବର୍ଷେ ଆଗୁଆ ଯୁବାବସ୍ଥାରେ ପଦାର୍ପଣ କରନ୍ତି। ଆଜିକାଲି ପିଲାଙ୍କ ମଧ୍ୟରେ ମୋଟାପଣ ବୃଦ୍ଧି ପାଇବାରେ ଲାଗିଛି, ଯାହାର କାରଣ ହେଲା ଅଧିକରୁ ଅଧିକ ପ୍ରକ୍ରିୟାକୃତ ଖାଦ୍ୟ, ଯେଉଁଥିରେ ଚିନି ଏବଂ ଚର୍ବି ଅଧିକ ରହୁଛି। ଅତ୍ୟଧିକ ଶରୀରର ଚର୍ବି, ବିଶେଷକରି ଝିଅମାନଙ୍କ କ୍ଷେତ୍ରରେ, ପ୍ରାରମ୍ଭିକ ଯୌବନ ସହିତ ଦୃଢ଼ ଭାବରେ ଜଡ଼ିତ। ୨୦୧୯ମସିହାରେ ଇଣ୍ଡିଆନ୍‌‌ ପେଡିଆଟ୍ରିକ୍ସ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ସହରାଞ୍ଚଳରେ ୬-୧୪ ବର୍ଷ ବୟସର ୨୦% ରୁ ଅଧିକ ପିଲା ଅତ୍ୟଧିକ ଓଜନ କିମ୍ୱା ମେଦବହୁଳତା ଦ୍ୱାରା ଆକ୍ରାନ୍ତ। ଏହା ଶରୀର ଚର୍ବିକୋଷ ଲେପ୍ଟିନ୍‌‌ ନାମକ ଏକ ହର୍ମୋନ ମୁକ୍ତ କରେ, ଯାହା ଯୌବନ ଆରମ୍ଭକୁ ତ୍ୱରାନ୍ୱିତ କରି ପ୍ରାୟ ଦୁଇବର୍ଷ ଆଗୁଆ ଯୌବନର ଲକ୍ଷଣ ପ୍ରଦର୍ଶନ କରିଥାଏ। ଖାଦ୍ୟ ପଦାର୍ଥରେ ବ୍ୟବହୃତ କୀଟନାଶକ, ପ୍ଲାଷ୍ଟିକ୍‌‌ ଏବଂ ଅନ୍ୟାନ୍ୟ ପ୍ରଦୂଷକରେ ଥିବା ଏଣ୍ଡୋକ୍ରାଇନ୍‌‌-ବ୍ୟାଘାତକାରୀ ରାସାୟନିକ ପଦାର୍ଥ ହରମୋନ୍‌‌ ପ୍ରକ୍ରିୟାକୁ ପ୍ରଭାବିତ କରିଥା’ନ୍ତି। ବିସ୍ଫେନଲ୍‌‌ ଏବଂ ଥ୍ୟଲେଟ୍‌‌ ପରି ରାସାୟନିକ ପଦାର୍ଥ ସାଧାରଣ ଅନ୍ତଃସ୍ରାବୀ କାର୍ଯ୍ୟକୁ ବ୍ୟାଘାତ କରି ଯୌନ ପରିପକ୍ୱତାକୁ ତ୍ୱରାନ୍ୱିତ କରେ। ଏହାଛଡ଼ା ମାନସିକ ଚାପ ମଧ୍ୟ ଏ ବିସଙ୍ଗତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଗବେଷଣା ଅନୁଯାୟୀ, ଯେଉଁ ପିଲାମାନେ ଉଚ୍ଚସ୍ତରର ଚାପ ଅନୁଭବ କରନ୍ତି, ଯେପରିକି ପାରିବାରିକ କଳହ ବା ଅତ୍ୟଧିକ ପାଠପଢ଼଼ା ଆଦି, ସେମାନେ ଯୌବନ ଶୀଘ୍ର ଆରମ୍ଭ କରିବାର ଆଶଙ୍କା ଅଧିକ।

‘ପ୍ରାକ୍‌‌ ଯୌବନ’ ହେତୁ ଶାରୀରିକ ପରିପକ୍ୱତା ସହିତ ଆସୁଥିବା ଆବେଗିକ ଏବଂ ସାମାଜିକ ପରିବର୍ତ୍ତନ ପାଇଁ ପିଲାମାନେ ପ୍ରସ୍ତୁତ ହୋଇନଥା’ନ୍ତି। ଆବେଗିକ ପରିପକ୍ୱତା ପାଇବା ପୂର୍ବରୁ ସେମାନେ ଶାରୀରିକ ପରିବର୍ତ୍ତନ ସହିତ ସଂଘର୍ଷ କରନ୍ତି। ଭାରତରେ ଝିଅମାନଙ୍କ ମଧ୍ୟରେ ଶୀଘ୍ର ଯୁବାବସ୍ଥା ସାମାଜିକ କଟକଣାର କାରଣ। ଯୁବାବସ୍ଥା ସହିତ ଜଡ଼ିତ ଋତୁସ୍ରାବ ଏକ ସମ୍ୱେଦନଶୀଳ ବିଷୟ, ଯାହା ଅନେକ ବିଶ୍ୱାସ, ଅନ୍ଧବିଶ୍ୱାସ ଓ ପ୍ରତିବନ୍ଧକ ସହିତ ସଂଶ୍ଲିଷ୍ଟ। ଯେଉଁ ଝିଅମାନେ ଶୀଘ୍ର ଯୌବନ ପ୍ରାପ୍ତ କରନ୍ତି ସେମାନଙ୍କ ସ୍ୱାଧୀନତା, ପାଠପଢ଼଼ା ଓ ସାମାଜିକ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲାଗିଯାଏ। ଏହା କେବଳ ସେମାନଙ୍କ ପିଲାଦିନର ଅଭିଜ୍ଞତାକୁ ବ୍ୟାହତ କରେ ନାହିଁ, ବରଂ ଏକ ବିଚ୍ଛିନ୍ନତାର ଭାବନା ସୃଷ୍ଟି କରେ। କାରଣ ପିଲା ଥିବା ବେଳେ ସେମାନଙ୍କୁ ପ୍ରାୟତଃ ବୟସ୍କ ଭାବରେ ବିବେଚନା କରାଯାଏ। ଝିଅମାନଙ୍କ ଭଳି ପୁଅମାନେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ପୁଅମାନଙ୍କ ମଧ୍ୟରେ ‘ପ୍ରାକ୍‌‌ ଯୌବନ’ ଆକ୍ରମଣାତ୍ମକତା, ଦ୍ୱନ୍ଦ୍ୱ ଏବଂ ବୟସ୍କଙ୍କ ଭଳି ଆଶା ପୂରଣ କରିବା ପାଇଁ ଚାପ ସୃଷ୍ଟି କରିଥାଏ। ଯେଉଁ ପୁଅମାନେ ଶୀଘ୍ର ଯୌବନରେ ପ୍ରବେଶ କରନ୍ତି ସେମାନଙ୍କର ଆଚରଣଗତ ସମସ୍ୟା ଦେଖାଦିଏ।

‘ପ୍ରାକ୍‌‌ ଯୌବନ’ର ପରିଣାମ କେବଳ ଶାରୀରିକ, ସାମାଜିକ ଏବଂ ମାନସିକ ସମସ୍ୟା ମଧ୍ୟରେ ସୀମିତ ନୁହେଁ। ଏହାର ଦୀର୍ଘକାଳୀନ ସ୍ୱାସ୍ଥ୍ୟଜନିତ ବିପଦ ମଧ୍ୟ ରହିଛି। ଶୀଘ୍ର ଯୌବନ ଛୁଇଁ ଯାଉଥିବା ପିଲାମାନେ ପରବର୍ତ୍ତୀ ଜୀବନରେ ମଧୁମେହ, ମେଦବହୁଳତା, ହୃଦରୋଗ, ଝିଅମାନଙ୍କ ସ୍ତନକର୍କଟ, ପୁଅମାନଙ୍କ ଅଣ୍ଡକୋଷ କର୍କଟ ସମେତ କେତେକ ରୋଗର ବିପଦ ଦେଖା ଦେବାର ଆଶଙ୍କା ଖୁବ୍‌‌ ଅଧିକ। ଏହାଛଡ଼ା ଶାରୀରିକ ଉଚ୍ଚତା ବାଧାପ୍ରାପ୍ତ ହୋଇପାରେ, ଯାହା ପରବର୍ତ୍ତୀ ସମୟରେ ଆତ୍ମସମ୍ମାନ ଏବଂ ଶରୀର ପ୍ରତିଛବିକୁ ପ୍ରଭାବିତ କରିପାରେ। ଗବେଷଣାରୁ ଜଣାପଡ଼ିଛି ଯେ ପ୍ରାକ-ଯୌବନ ପ୍ରାପ୍ତିର କୁପରିଣାମ ସ୍ୱରୂପ କିଶୋରମାନଙ୍କ ମଧ୍ୟରେ ଅପରାଧପ୍ରବଣତା ମଧ୍ୟ ବୃଦ୍ଧି ପାଏ।

ପିଲାଦିନ ନ ଯାଉ ଯାଉ ବାଲ୍ୟାବସ୍ଥା ଉପରେ ଯୁବାବସ୍ଥାର ଆକ୍ରମଣ ସହିତ ଲଢ଼ିବାକୁ ବା ସମାଧାନର ବାଟ କାଢ଼ିବାକୁ ଲୋଡ଼ା ପିତାମାତା, ଶିକ୍ଷାବିତ୍‌‌, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଏବଂ ନୀତି ନିର୍ଦ୍ଧାରକମାନଙ୍କ ଆନ୍ତରିକତା ଏବଂ ଏକ ବହୁମୁଖୀ ଆଭିମୁଖ୍ୟ। ବିଦ୍ୟାଳୟ ଏବଂ ପରିବାର ପାଇଁ ଏପରି ଏକ ପରିବେଶ ସୃଷ୍ଟି କରିବା ଆବଶ୍ୟକ, ଯେଉଁଠାରେ ପିଲାମାନେ ଶାରୀରିକ ପରିବର୍ତ୍ତନ ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା କରିପାରିବେ ଏବଂ ସମର୍ଥନ ପାଇପାରିବେ। ଯୌବନ, ଶାରୀରିକ ସ୍ୱାସ୍ଥ୍ୟ ଏବଂ ଭାବନାତ୍ମକ ସୁସ୍ଥତା ବିଷୟରେ ବୟସ-ଉପଯୁକ୍ତ ସୂଚନା ପ୍ରଦାନ କରିବା, ପିଲାମାନଙ୍କୁ ଯୁବାବସ୍ଥାରେ ହେଉଥିବା ଶାରୀରିକ ଓ ମାନସିକ ବ୍ୟତିକ୍ରମ ବିଷୟରେ ଅବଗତ କରାଇବା, ତାହାର ସାମ୍ନା କିପରି କରାଯିବ ସେଥିପ୍ରତି ଜ୍ଞାନ ଓ ପରାମର୍ଶ ଦେବା ଅତି ଆବଶ୍ୟକ, ବିଶେଷକରି ଝିଅମାନଙ୍କୁ। ନୀତିଗତ ଦୃଷ୍ଟିକୋଣରୁ ଏପରି ଏକ ନିୟମାବଳୀ ସୃଷ୍ଟି କରିବାର ଆବଶ୍ୟକତା ରହିଛି, ଯାହା ପିଲାମାନଙ୍କ ସଂସ୍ପର୍ଶରେ ଆସୁଥିବା ଏଣ୍ଡୋକ୍ରାଇନ୍‌‌-ବ୍ୟଘାତକାରୀ ରାସାୟନିକ ପଦାର୍ଥକୁ ସୀମିତ କରିବ, ସୁସ୍ଥ ଖାଦ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବ ଏବଂ ସହରାଞ୍ଚଳରେ ଶାରୀରିକ କାର୍ଯ୍ୟକଳାପ ପାଇଁ ନିରାପଦ ସବୁଜ ସ୍ଥାନକୁ ବ୍ୟାପକ କରାଇବ। ପ୍ରଦୂଷଣ ସ୍ତର ହ୍ରାସ କରିବା, ସୁଲଭ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଏବଂ ଶିଶୁ ସ୍ୱାସ୍ଥ୍ୟ ସୁସ୍ଥତା ବିଷୟରେ ସଚେତନତା ସୃଷ୍ଟି କରିବା ଉପରେ ଧ୍ୟାନ ଦେଉଥିବା କାର୍ଯ୍ୟକ୍ରମ, ପ୍ରାକ୍‌‌ ଯୌବନ ପ୍ରବୃତ୍ତିକୁ ପ୍ରତିହତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ।

ଆମ ଅଖାପାଖରେ ଘଟୁଥିବା ସାମାଜିକ, ଆର୍ଥିକ, ପ୍ରାକୃତିକ, ରାଜନୈତିକ ବ୍ୟତିକ୍ରମ ସହିତ ଯଦି ନିଜ ଭିତରେ ଘଟୁଥିବା ଶାରୀରିକ, ମାନସିକ ବା ଆନୁସଙ୍ଗିକ ପରିବର୍ତ୍ତନକୁ ଲକ୍ଷ୍ୟ କରିବା, ତେବେ ନିଶ୍ଚୟ ଅନୁଭବ ହେବ ଯେ ଆମେ କିପରି ଏକ ଅଜଣା ସଙ୍କଟ ଆଡ଼କୁ ଠେଲି ହୋଇ ଚାଲିଛନ୍ତି। ସେଇ ସଙ୍କଟରୁ ବର୍ତ୍ତିବାକୁ ଓ ଆମ ପିଲାଙ୍କୁ ସେଇ ସଙ୍କଟରୁ ସୁରକ୍ଷିତ ରଖିବାକୁ ଆମର ପ୍ରୟାସ କିନ୍ତୁ ଶୂନ୍ୟ ସମାନ। ଖାଦ୍ୟପେୟ ଅଭ୍ୟାସ, ପରିବେଶଗତ ପ୍ରଭାବ ଏବଂ ମାନସିକ ସ୍ୱାସ୍ଥ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପ ଗ୍ରହଣ କରି ଆମେ ଭବିଷ୍ୟତ ପିଢ଼ି ପାଇଁ ଏକ ସୁରକ୍ଷିତ, ବିକାଶମୂଳକ ଓ ପ୍ରଗତିଶୀଳ ବାଲ୍ୟାବସ୍ଥା ପ୍ରଦାନ କରିପାରିବା। ଯଦି ଜୀବନକାଳ ଭିତରୁ ପିଲାଦିନ ଉଭାନ ହୋଇଯିବ, ତେବେ ବୃଦ୍ଧାବସ୍ଥାକୁ ରହିଯିବ କେବଳ ବେସ୍ୱାଦୀ ଓ ବେରଙ୍ଗ ସ୍ମୃତି।

ଡ. ଅନ୍ତର୍ଜିତା ନାୟକ
ଭୁବନେଶ୍ବର, ମୋ: ୬୩୭୦୯୦୫୯୪୭

About The Author

ରାଶିଫଳ

ସମ୍ବନ୍ଧିତ ଖବର