ସାଧାରଣ ନିର୍ବାଚନ ଓ ସାମାଜିକ ଗଣମାଧ୍ୟମ

The Sakala Picture
Published On

ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ ସମ୍ପ୍ରତି ନିର୍ବାଚନ ପ୍ରଚାର ଓ ନିର୍ବାଚନୀ ଖବର ପ୍ରସାରଣର ମୁଖ୍ୟ ଅଙ୍ଗ ପାଲଟିଯାଇଛି। ଦେଶରେ ସ୍ମାର୍ଟ ଫୋନ୍‌‌ର ବ୍ୟାବହାରିକ ଚାହିଦା ବୃଦ୍ଧି ସାମାଜିକ ଗଣମାଧ୍ୟମର ପ୍ରାଧାନ୍ୟକୁ ଆହୁରି ବୃଦ୍ଧି କରିଛି। ଯୁବବର୍ଗରୁ ଆରମ୍ଭ କରି ଶିଶୁ, କିଶୋର ଓ ବୟସ୍କ ବର୍ଗ ଏହାର ସୁଯୋଗ ନେଉଛନ୍ତି ଓ ଉପକୃତ ମଧ୍ୟ ହେଉଛନ୍ତି। ଏବେ ମୋବାଇଲ୍‌‌ ଫୋନ୍‌‌ ଜୀବନର ଏକ ଅଙ୍ଗ ପାଲଟି ଯାଇଛି ଏବଂ ସାମାଜିକ ଗଣମାଧ୍ୟମର ବ୍ୟାବହାରିକ ମୂଲ୍ୟବୋଧ […]

ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ ସମ୍ପ୍ରତି ନିର୍ବାଚନ ପ୍ରଚାର ଓ ନିର୍ବାଚନୀ ଖବର ପ୍ରସାରଣର ମୁଖ୍ୟ ଅଙ୍ଗ ପାଲଟିଯାଇଛି। ଦେଶରେ ସ୍ମାର୍ଟ ଫୋନ୍‌‌ର ବ୍ୟାବହାରିକ ଚାହିଦା ବୃଦ୍ଧି ସାମାଜିକ ଗଣମାଧ୍ୟମର ପ୍ରାଧାନ୍ୟକୁ ଆହୁରି ବୃଦ୍ଧି କରିଛି। ଯୁବବର୍ଗରୁ ଆରମ୍ଭ କରି ଶିଶୁ, କିଶୋର ଓ ବୟସ୍କ ବର୍ଗ ଏହାର ସୁଯୋଗ ନେଉଛନ୍ତି ଓ ଉପକୃତ ମଧ୍ୟ ହେଉଛନ୍ତି। ଏବେ ମୋବାଇଲ୍‌‌ ଫୋନ୍‌‌ ଜୀବନର ଏକ ଅଙ୍ଗ ପାଲଟି ଯାଇଛି ଏବଂ ସାମାଜିକ ଗଣମାଧ୍ୟମର ବ୍ୟାବହାରିକ ମୂଲ୍ୟବୋଧ ଦିନକୁ ଦିନ ବଢ଼଼ିବାରେ ଲାଗିଛି। ଏହିକ୍ରମରେ ବ୍ୟୟବହୁଳ ନିର୍ବାଚନ ପ୍ରଚାରକୁ ସହଜରେ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଏହି ବ୍ୟବସ୍ଥା ଏକପ୍ରକାର ଶ୍ରେଷ୍ଠବିକଳ୍ପ ପ୍ରମାଣିତ ହୋଇସାରିଲାଣି। ଯେଉଁଠି ମୁଖ୍ୟସ୍ରୋତର ଗଣମାଧ୍ୟମ ଲୋକଙ୍କ ଆସ୍ଥାଭାଜନ ହୋଇପାରୁନାହିଁ, ସେଠାରେ ସାମାଜିକ ଗଣମାଧ୍ୟମ ଲୋକାଦୃତ ହେବା ସ୍ୱାଭାବିକ। ଅବଶ୍ୟ ସାମାଜିକ ଗଣମାଧ୍ୟମ ବିଭ୍ରାନ୍ତିକର ସମ୍ବାଦ ପ୍ରଚାର ପ୍ରସାର କରୁଥିବା ଅଭିଯୋଗ ମଧ୍ୟ ଆସୁଛି। ଅପରପକ୍ଷରେ ରଭିଶ କୁମାର ଓ ପୁଣ୍ୟପ୍ରସୁନ ବାଜପେୟୀଙ୍କ ଭଳି ପେସାଦାର ଓ ପ୍ରବୀଣ ସାମ୍ବାଦିକଙ୍କ ଏ କ୍ଷେତ୍ରରେ ନିଜସ୍ୱ ପାରଦର୍ଶିତା ଓ ପରାକାଷ୍ଠା ବଳରେ ସାମାଜିକ ଗଣମାଧ୍ୟମ ଆସ୍ଥାବାନ ହୋଇପାରୁଛି। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ସୋସିଆଲ ମିଡିଆ ଯେ କେବଳ ନିର୍ବାଚନୀ ପ୍ରଚାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ତାହା ନୁହେଁ, ନିର୍ବାଚନୀ ବ୍ୟୟକୁ ମଧ୍ୟ ବହୁମାତ୍ରାରେ ହ୍ରାସ କରିପାରିଥିଲା। ଆମେରିକା ଭଳି ପାଶ୍ଚାତ୍ୟ ରାଷ୍ଟ୍ରରେ ମଧ୍ୟ ନିର୍ବାଚନରେ ସାମାଜିକ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।

୧୯୯୭ରେ ସିକ୍ସଡିଗ୍ରୀଜ୍‌‌ ଡଟ୍‌‌ କମ୍‌‌ ନାମରେ ବିଶ୍ୱରେ ସାମାଜିକ ଗଣମାଧ୍ୟମର ଜନ୍ମ ହୁଏ। ଭାରତରେ ଅରକଟ୍‌‌ ନାମରେ ପ୍ରଥମ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଆରମ୍ଭ ହୋଇଥିଲା ୨୦୦୪ ରେ। ବନ୍ଧୁତ୍ୱ ସୃଷ୍ଟି ଓ ନିଜସ୍ୱ ସମ୍ପର୍କିତ ସୂଚନା ପ୍ରଦାନ ଥିଲା ଏହାର ମୂଳ ଲକ୍ଷ୍ୟ। ମାତ୍ର ସ୍ୱଳ୍ପ ଅବଧି ମଧ୍ୟରେ ଅନ୍ୟତମ ବୃହତ ବିଦେଶୀ ଗଣମାଧ୍ୟମ ଫେସବୁକ୍‌‌ ଅରକଟ୍‌‌ର ଲୋକପ୍ରିୟତାକୁ ଅତିକ୍ରମ କରିଯିବାରେ ସଫଳ ହୋଇଥିଲା। ଆଜିର ଦିନରେ ବିଶ୍ୱର ପ୍ରଥମ ପାଞ୍ଚଟି ସାମାଜିକ ଗଣମାଧ୍ୟମ ମଧ୍ୟରେ ଫେସବୁକ୍‌‌, ୟୁଟ୍ୟୁବ୍‌‌, ହ୍ୱାଟସଆପ୍‌‌, ଇନଷ୍ଟାଗ୍ରାମ ଓ ଉଇଗଟ୍‌‌ ସ୍ଥାନିତ।

ଡିଜିଟାଲ ଜ୍ଞାନକୌଶଳ ମାଧ୍ୟମରେ ଅଗଣିତ ଲୋକଙ୍କ ମଧ୍ୟରେ ସୂଚନା ଓ ମତାମତ ଆଦାନ ପ୍ରଦାନ ଓ ସର୍ବୋପରି ବନ୍ଧୁତ୍ୱ ଏବଂ ସମଭାବାପନ୍ନ ବର୍ଗ ବା ଗୋଷ୍ଠୀ ସୃଷ୍ଟି ଲକ୍ଷ୍ୟରେ ଆରମ୍ଭ ହୋଇଥିବା ସାମାଜିକ ଗଣମାଧ୍ୟମକୁ ବହୁବିଧ ବ୍ୟବହାର ସମାଜରେ ବେଶ୍‌‌ ଜନାଦୃତ କରିପାରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଆଜିର ଦିନରେ ଉପଲବ୍ଧ ନିର୍ବାଚନ ପ୍ରଚାର ଓ ପ୍ରସାର କ୍ଷେତ୍ରରେ।

ଗଣତାନ୍ତ୍ରିକ ପ୍ରକ୍ରିାୟାରେ ଭୋଟଦାନର ଅଧିକାର ଓ ତତ୍‌‌ସମ୍ପର୍କିତ ସଚେତନତା ସୃଷ୍ଟି ଅତ୍ୟାଧୁନିକ ଉପାୟରେ ସମ୍ଭବ ସାମାଜିକ ଗଣମାଧ୍ୟମ ଜରିଆରେ। ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନେ ଭୋଟରଙ୍କ ସମ୍ମୁଖରେ ନିଜର କାର୍ଯ୍ୟଶୈଳୀ ଓ ଦକ୍ଷତାକୁ ସଫଳତାର ସହ ଇସ୍ତାହାର ମାଧ୍ୟମରେ ଉପସ୍ଥାପନ କରିପାରୁଛନ୍ତି। ମାତ୍ର ଏ କ୍ଷେତ୍ରରେ ତ୍ରୁଟିପୂର୍ଣ୍ଣ ସୂଚନା ପ୍ରସାରକୁ ପ୍ରତିହତ କରିବା ପାଇଁ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ମାଧ୍ୟମର ସର୍ବଦା ଆବଶ୍ୟତା ରହି ଆସିଛି। ପ୍ରାର୍ଥୀ ଓ ଭୋଟରଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗର ମାଧ୍ୟମ ପାଲଟି ଯାଇଛି ଏବଂ ଜନସାଧାରଣଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରତିକ୍ରିୟା ଜାଣିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଛି। କେଉଁ ବର୍ଗର ଭୋଟରଙ୍କ ପାଇଁ କି ପ୍ରକାର ପ୍ରଚାର ଆବଶ୍ୟକ ତାହା ନିର୍ଣ୍ଣାୟକ ହୋଇପାରୁଛି ସାମାଜିକ ଗଣମାଧ୍ୟମ ମାଧ୍ୟମରେ। ଏହାଦ୍ୱାରା ନିର୍ବାଚନ ପ୍ରଚାର କ୍ଷେତ୍ରରେ ଆବଶ୍ୟକ ସମୟ ଓ ଅର୍ଥର ଅପବ୍ୟୟକୁ ନିୟନ୍ତ୍ରଣ କରାଯାଇପାରୁଛି। ଏହାବ୍ୟତୀତ ରାଜନୈତିକ ପ୍ରତିଦ୍ୱନ୍ଦୀମାନେ ନିଜ ପ୍ରଚାରର ଲକ୍ଷ୍ୟ ଓ କେଉଁ ବର୍ଗକୁ କେଉଁ ସମୟରେ ଭେଟିପାରିବେ ସେ କ୍ଷେତ୍ରରେ ସମୟାନୁମୋଦିତ ପଦକ୍ଷେପ ନେବାରେ ସାମାଜିକ ଗଣମାଧ୍ୟମ ବିଶେଷ ସହାୟକ ହୋଇପାରୁଛି। ଭୋଟଦାତାଙ୍କ ପ୍ରତି ନିଜର ଉତ୍ତରଦାୟିତ୍ୱ କ୍ରମଶଃ ସୁଦୃଢ଼ ହୋଇପାରୁଛି।

ସାମାଜିକ ଗଣମାଧ୍ୟମର ସଫଳତା ନିର୍ଭର କରେ ଏକ ନିର୍ଦ୍ଦିଷ୍ଟ ନୀତି, ନିୟମ ଓ ଶୃଙ୍ଖଳିତ ପରିବେଶ ଉପରେ। ଶୃଙ୍ଖଳା ପରିଧି ଅତିକ୍ରମ କଲେ ଏହାର କୁପ୍ରଭାବ ବହୁଗୁଣିତ ହେବାର ଦୃଷ୍ଟାନ୍ତ ରହିଛି। ଏ କ୍ଷେତ୍ରରେ ଥିବା ସରକାରୀ ନୀତି ନିୟମ ଓ କଟକଣା ଉଲ୍ଲଙ୍ଘନ ଯୋଗୁଁ କେତେକ ଗଣମାଧ୍ୟମ ଚ୍ୟାନେଲକୁ ନିଜସ୍ୱ ଅଧିକାର ହରାଇବାକୁ ପଡ଼ିଛି ତ ଆଉ କେତେକ କ୍ଷେତ୍ରରେ ଅଧିକାର ସଂକୁଚିତ ହୋଇଯାଇଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ବାକ୍‌‌ ସ୍ୱାଧୀନତା ଓ ତତ୍‌‌ସମ୍ପର୍କିତ ଅଧିକାର ସମସ୍ତଙ୍କ ପାଇଁ ସମାନ। ମାତ୍ର ଅଧିକାରର ଅସତ୍‌‌ ବ୍ୟବହାର ଓ ଅଦରକାରୀ ପ୍ରସାର ଗଣତାନ୍ତ୍ରିକ ମୂଲ୍ୟବୋଧକୁ କ୍ଷୁଣ୍ଣ କରିଥାଏ। ଉଦାହରଣ ସ୍ୱରୁପ ଗଣତନ୍ତ୍ର ଉତ୍ସବର ଅଂଶ ରୂପେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଏବେ ଦେଶରେ ଜାରି ରହିଛି। ଏହି ପ୍ରକ୍ରିୟାରେ କେଉଁ ଦଳ କେତେ ସଫଳ ହେବେ ତାହା ସ୍ୱଷ୍ଟ ହୋଇଯିବ ଆଗାମୀ ଜୁନ ୪ ତାରିଖରେ। ମାତ୍ର ଭ୍ରମାତ୍ମକ ପୂବାନୁମାନ ପ୍ରସାରଣ ମାଧ୍ୟମରେ ଭୋଟରଙ୍କୁ ପ୍ରଭାବିତ କରିବା ପ୍ରୟାସରୁ ସାମାଜିକ ଗଣମାଧ୍ୟମ ସମ୍ପୂର୍ଣ୍ଣ ଦୂରରେ ରହିବା ଅତି ଆବଶ୍ୟକ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭୂମିକାର ଦ୍ୱାହି ଦେଇ ଏହି ମାଧ୍ୟମ ନକାରାତ୍ମକ ଉପାୟରେ ଆହେତୁକ ସମର୍ଥନ ହାସଲ କରିବା ଏକ ସୁସ୍ଥ ପରମ୍ପରା ହୋଇ ନ ପାରେ। କାରଣ ନକାରାତ୍ମକ ସୂଚନା ଆପେ ଆପେ ବହୁଗୁଣିତ ଓ ପ୍ରସାରିତ ହୋଇଯାଏ। ଅସତ୍ୟ ତଥ୍ୟ ଓ ଅମୂଳକ କାହାଣୀ ଅଧିକ ପ୍ରଚାର ପ୍ରସାର ହେବାରେ କୌଣସି ପ୍ରାଥମିକ ପ୍ରତିବନ୍ଧକ ନ ଥାଏ। କିନ୍ତୁ ତାହା ସତ୍ୟତାକୁ ଗୌଣ କରି ବସିଲେ ପରିସ୍ଥିତି ବିଗିଡ଼ିଯିବା କିଛି ନୂଆ କଥା ନୁହେଁ। ଅସତ୍ୟଠାରୁ ଦୂରରେ ରହିବା ସୁସ୍ଥ ସାମାଜିକ ଗଣମାଧ୍ୟମର ପ୍ରାଥମିକ ଧର୍ମ। ସେହିପରି ଅତିରଞ୍ଜିତ ତଥ୍ୟ ପ୍ରସାରଣ ଯେତିକି ମାତ୍ରାରେ ଗତିଶୀଳ ତାହା ବହୁ ଗୁଣରେ ଦେଶ ଓ ଦଶ ପାଇଁ କ୍ଷତିକାରକ ମଧ୍ୟ।

ସାମାଜିକ ଗଣମାଧ୍ୟମର ସଫଳତା ନିର୍ଭର କରେ ବ୍ୟାପକ ସୂଚନା ପରିଧି ବା ନେଟୱାର୍କ ଉପରେ। ସଂଗୃହୀତ ଦେଶବାସୀଙ୍କ ବ୍ୟକ୍ତିଗତ ସୂଚନାର ଅପବ୍ୟବହାର ପରିଶେଷରେ ବିପଦପୂର୍ଣ୍ଣ ହୋଇପାରେ। ଏଥିପାଇଁ ନିର୍ଦ୍ଧାରିତ ବିଧି ବ୍ୟବସ୍ଥାର ଅନୁସରଣ ଏକାନ୍ତ ଜରୁରୀ। ବିଶେଷକରି ନିର୍ବାଚନୀ ପ୍ରଚାରଠାରୁ ଆରମ୍ଭ କରି ବିଜୟ ପରବର୍ତ୍ତୀ ସୁଶାସନ ପରିଚାଳନା ପର୍ଯ୍ୟନ୍ତ ଏହା ଆହୁରି ଗୁରୁତ୍ୱପୂର୍ଣ୍ଣ। ସାମାଜିକ ଗଣମାଧ୍ୟମର ସବୁଠାରୁ ବିପଦପୂର୍ଣ୍ଣ ଦିଗ ହେଲା ପ୍ରସାରିତ ତଥ୍ୟର ହ୍ୟାକିଂ ବା ଚୋରି। ଏହାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ବ୍ୟବହାରକାରୀଙ୍କଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଗୁରୁଦାୟିତ୍ୱ ରହିଛି। ନିୟମିତ ନୀତି ନିୟମ ନିର୍ଦ୍ଧାରଣ ଓ ତାହାକୁ ପାଲନ କରିବାରେ ପ୍ରତିଶ୍ରୁତିବଦ୍ଧତା ଆବଶ୍ୟକ। ଭୌଗୋଳିକ ପ୍ରତିବନ୍ଧକଠାରୁ ଊର୍ଦ୍ଧ୍ବରେ ରହି ସଫଳତାର ସହ ଦାୟିତ୍ୱ ତୁଲାଇବା ପାଇଁ କଠୋର ବିଧି ବ୍ୟବସ୍ଥା ପ୍ରଚଳନ ପ୍ରତି ସରକାର ଯେତିକି ମାତ୍ରରେ ଦାୟିତ୍ୱସମ୍ପନ୍ନ, ଗଣମାଧ୍ୟମ ସଂସ୍ଥା ଓ ବ୍ୟବହାରକାରୀ ମଧ୍ୟ ସମପରିମାଣରେ ପାରଦର୍ଶିତା ରହିବା ଅତ୍ୟନ୍ତ ଜରୁରୀ। କାରଣ ସାମ୍ପ୍ରତିକ ପରିବେଶରେ ନିର୍ବାଚନ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ସାମାଜିକ ଗଣମାଧ୍ୟମର ଗ୍ରହଣୀୟତା ମୁଦ୍ରାର ଦୁଇ ପାର୍ଶ୍ବ ପାଲଟିଯାଇଛି।

ଅରବିନ୍ଦ ରାଉତରାୟ
କଟକ, ମୋ: ୯୪୩୭୧୩୪୪୦୦

About The Author

ରାଶିଫଳ

ସମ୍ବନ୍ଧିତ ଖବର