ଦୁଇଶହ ବର୍ଷର ପ୍ରାଚୀନ ପରମ୍ପରା: ‘ବିଶିପଡ଼ା’ର ବିଖ୍ୟାତ ରାମଲୀଳା

The Sakala Picture
Published On

ସର୍ବଭାରତୀୟ ସ୍ତରରେ ରାମକଥାର ପ୍ରସାର ହେବା ପରେ ଆଞ୍ଚଳିକ ଭାଷାର କବିମାନେ ମଧ୍ୟ ନିଜ ନିଜ ଭାଷାରେ ରାମାୟଣ ରଚନା ଆରମ୍ଭ କଲେ। ମୂଳ ବାଲ୍ମିକୀ ରାମାୟଣ ଅବଲମ୍ବନରେ ପ୍ରାନ୍ତୀୟ ଭାଷାରେ ରାମାୟଣ ରଚନା ହେବାର ପରମ୍ପରାରେ ଓଡ଼ିଆ ସାହିତ୍ୟର ପଞ୍ଚସଖା ଯୁଗରେ କବି ବଳରାମ ଦାସ ଓଡ଼ିଆ ଭାଷାରେ ରଚନା କଲେ ‘ଜଗମୋହନ ରାମାୟଣ’। ପୂର୍ବରୁ ରଚିତ ସାରଳା ଦାସଙ୍କ ମହାଭାରତରେ ଅନୁସୃତ ଦାଣ୍ଡି ବୃତ୍ତ ଶୈଳୀରେ ଏହା ରଚନା ହୋଇଥିବାରୁ ଏହାକୁ ‘ଦାଣ୍ଡୀ ରାମାୟଣ’ […]

ସର୍ବଭାରତୀୟ ସ୍ତରରେ ରାମକଥାର ପ୍ରସାର ହେବା ପରେ ଆଞ୍ଚଳିକ ଭାଷାର କବିମାନେ ମଧ୍ୟ ନିଜ ନିଜ ଭାଷାରେ ରାମାୟଣ ରଚନା ଆରମ୍ଭ କଲେ। ମୂଳ ବାଲ୍ମିକୀ ରାମାୟଣ ଅବଲମ୍ବନରେ ପ୍ରାନ୍ତୀୟ ଭାଷାରେ ରାମାୟଣ ରଚନା ହେବାର ପରମ୍ପରାରେ ଓଡ଼ିଆ ସାହିତ୍ୟର ପଞ୍ଚସଖା ଯୁଗରେ କବି ବଳରାମ ଦାସ ଓଡ଼ିଆ ଭାଷାରେ ରଚନା କଲେ ‘ଜଗମୋହନ ରାମାୟଣ’। ପୂର୍ବରୁ ରଚିତ ସାରଳା ଦାସଙ୍କ ମହାଭାରତରେ ଅନୁସୃତ ଦାଣ୍ଡି ବୃତ୍ତ ଶୈଳୀରେ ଏହା ରଚନା ହୋଇଥିବାରୁ ଏହାକୁ ‘ଦାଣ୍ଡୀ ରାମାୟଣ’ ବୋଲି କୁହାଗଲା। ଦାଣ୍ଡି ବୃତ୍ତରେ ଦୁଇ ପାଦର ଅକ୍ଷର ସଂଖ୍ୟା ସମାନ ନଥିବାରୁ ତାକୁ ଗାନ କରିବା ସହଜ ନୁହେଁ। ସୁଗେୟ ନଥିବା କାରଣରୁ ଏଗୁଡ଼ିକୁ ଲୋକଙ୍କ ମଧ୍ୟରେ ପ୍ରଚାର କରିବା ମଧ୍ୟ ସହଜ ହେଲାନାହିଁ। ଏହା ପରେ ପରେ କାବ୍ୟ କବିତା ଗାୟନ ଧର୍ମୀ ହେଲେ। ଏହି ସମୟରେ ରାମାୟଣର ବିଷୟବସ୍ତୁକୁ ଛନ୍ଦ, ବୃତ୍ତ, ବାଣୀ ପ୍ରୟୋଗ କରି ଲୀଳା ରଚନା ଆରମ୍ଭ ହେଲା ଏବଂ ୧୮ଶ ଶତାବ୍ଦୀ ଆରମ୍ଭରେ ଶ୍ରୀକ୍ଷେତ୍ର ନିବାସୀ ବିଶ୍ୱନାଥ ଖୁଣ୍ଟିଆ ରଚନା କଲେ ବିଚିତ୍ର ରାମାୟଣ ଯାହା ବିଶି ରାମାୟଣ ଭାବରେ ପରିଚିତ। ଏହା ଅତ୍ୟନ୍ତ ଲୋକପ୍ରିୟ ହେଲା ମୁଖ୍ୟତଃ ଦୁଇଟି କାରଣରୁ। ପ୍ରଥମଟି ହେଲା ଏହାର ଅତି ସରଳ ଭାଷା। ଦ୍ୱିତୀୟଟି ହେଲା ଏହାର ଗାୟନ ଧର୍ମିତା। ଏହାର ଗୀତ ‘ଆହା ଧନୁର୍ଦ୍ଧର ବୀରବର’, ‘ମନ୍ତ୍ରୀମୁଖୁ ଶୁଣି କୋପେ ବିଂଶ ପାଣି’, ଶିଂଶପା ବୃକ୍ଷର ଡାଳେହେ’, ‘କହ ହନୁ ମୋର କାନ୍ତର କୁଶଳ’- ଏଗୁଡ଼ିକ ଏବେ ମଧ୍ୟ ଲୋକ ମୁଖରୁ ଶୁଣିବାକୁ ମିଳେ। ଏହି ଧାରାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଲୋକ କବିମାନେ ରାମଲୀଳା ମାନ ରଚନା କରିବାକୁ ଆରମ୍ଭ କଲେ। ଏଗୁଡ଼ିକୁ ଅଭିନୟ ମାଧ୍ୟମରେ ପ୍ରଦର୍ଶନ କରାଗଲା। ସେତେବେଳେ ମିଳୁଥିବା ବାଦ୍ୟଯନ୍ତ୍ର ଖୋଳ, ଗିନି ବ୍ୟବହାର କରି ଗାୟକମାନେ ଏହାକୁ ରସପୂର୍ଣ୍ଣ କରି ପରିବେଷଣ କଲେ ଏବଂ ଏହା ଖୁବ୍‌‌ ଆଦୃତି ଲାଭ କଲା। ଏହି ରାମଲୀଳା ରଚନାକାରଙ୍କ ମଧ୍ୟରେ ବିଶ୍ୱନାଥ ଖୁଣ୍ଟିଆ, ବିକ୍ରମ ନରେନ୍ଦ୍ର, ଅନଙ୍ଗ ନରେନ୍ଦ୍ର, ବୈଶ୍ୟ ସଦାଶିବ, କଳ୍ପତରୁ ଦାସ, ବିପ୍ର ଜନାର୍ଦ୍ଦନ ଇତ୍ୟାଦିଙ୍କ ନାମ ଉଲ୍ଲେଖଯୋଗ୍ୟ।

କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିଲେ ମଧ୍ୟ ଅଣଆଦିବାସୀମାନେ ଭଲ ସଂଖ୍ୟାରେ ଏଠାରେ ବସବାସ କରନ୍ତି। କନ୍ଧମାଳର ଅନେକ ଅଞ୍ଚଳ ଅତୀତରେ ଘୁମୁସର ରାଜ୍ୟ ଅନ୍ତର୍ଗତ ଥିବାରୁ ଘୁମୁସର (ଅଧୁନା ଭଞ୍ଜନଗର) ଅଞ୍ଚଳରୁ ବହୁ ସାଧାରଣ ବର୍ଗର ବ୍ୟକ୍ତି ଏଠାକୁ ଆସି ବହୁକାଳରୁ ବସବାସ କରି ଆସୁଛନ୍ତି। ଫୁଲବାଣୀ ସହରଠାରୁ ମାତ୍ର ଆଠ କିଲୋମିଟର ଦୂରରେ ଫୁଲବାଣୀ- ବାଲିଗୁଡ଼ା ରାସ୍ତାରେ ଗୋଟିଏ ବଡ଼ ଗାଁ ବିଶିପଡ଼ା। ଗୋଟିଏ ଗାଁ ଗୋଟିଏ ପଞ୍ଚାୟତ। ଏହି ଗ୍ରାମରେ ବିଷୋୟୀ ସଂଜ୍ଞାଧାରୀ ବହୁସଂଖ୍ୟାରେ ବାସ କରନ୍ତି, ଯେଉଁମାନେ ଗଞ୍ଜାମ ମୂଳ। ବ୍ରିଟିଶ ରାଜତ୍ୱ ସମୟରେ ଏହି ଗ୍ରାମଟି ବ୍ରିଟିଶ ଶାସନର ଏକ କେନ୍ଦ୍ରସ୍ଥଳ ଥିଲା। ବିଷୋୟୀ ଏବଂ କନ୍ଧମାଳର ମୂଳ ଆଦିବାସୀ କନ୍ଧମାନେ ଖୁବ୍‌‌ ଦୁର୍ଦ୍ଧର୍ଷ। ବ୍ରିଟିଶ ଅତ୍ୟାଚାର ବିରୁଦ୍ଧରେ ଘୁମୁସର ବିଦ୍ରୋହ ଆରମ୍ଭ ହୋଇସାରିଥାଏ ଏବଂ ଏହି ଅଞ୍ଚଳରୁ ସେହି ବିଦ୍ରୋହକୁ ସମର୍ଥନ ମଧ୍ୟ ମିଳୁଥାଏ। ଏ ବିଦ୍ରୋହରୁ ସେମାନଙ୍କୁ ଦୂରେଇ ରଖିବା ପାଇଁ ଏଠାରେ ଥିବା ବ୍ରିଟିଶ ଅଧୀନସ୍ଥ ଓଡ଼ିଆ ଅଧିକାରୀମାନେ ସାଂସ୍କୃତିକ ଉପାୟ ଅବଲମ୍ବନ କରି ଏଠାରେ ରାମଲୀଳା ଅଭିନୟ ଆରମ୍ଭ କରାଇଲେ। ସେଥିପାଇଁ ସବୁ ବ୍ୟବସ୍ଥା ମଧ୍ୟ କରିଦେଲେ। ରାମଲୀଳା ଅଭିନୟ ପାଇଁ ପୃଷ୍ଠ ପୋଷକତା ଯୋଗାଇବା ସହ ବଣରୁ ଯାବତୀୟ କାଠ ଏବଂ ଅନ୍ୟାନ୍ୟ ଆବଶ୍ୟକ ବସ୍ତୁ ସଂଗ୍ରହ ପାଇଁ ଏକ ସ୍ଥାୟୀ ଅନୁମତି ମଧ୍ୟ ଦେଇଦେଲେ।

ଘୁମୁସର ଅଞ୍ଚଳର କବି ଜନାର୍ଦ୍ଦନ ସାମନ୍ତରା ଯେ ବିପ୍ର ଜନାର୍ଦ୍ଦନ ନାମରେ ପରିଚିତ, ତାଙ୍କ ରଚିତ ରାମଲୀଳା ସଂଗ୍ରହ କରି ୧୮୩୫ ମସିହାରେ ବିଶିପଡ଼ାରେ ରାମଲୀଳା ଅଭିନୟ ଆରମ୍ଭ ହେଲା। ଏହି ସମୟଟି ହେଉଛି ଘୁମୁସର ବିଦ୍ରୋହର ପ୍ରଚଣ୍ଡ କାଳ। ଘୁମୁସରର ଦୁର୍ଦ୍ଧର୍ଷ ବୀର ଦୋରା ବିଶୋୟୀ ଓ ତାଙ୍କ ପରେ ଇତିହାସ ପ୍ରସିଦ୍ଧ ବିଦ୍ରୋହୀ ବୀର ଚକରା ବିଶୋୟୀ ବ୍ରିଟିଶ ବିରୁଦ୍ଧରେ ପ୍ରବଳ ସଂଗ୍ରାମ ଚଳାଇ ରଖିଥିଲେ। ଠିକ୍‌‌ ଏହି ସମୟରେ ବିଶିପଡ଼ାରେ ରାମଲୀଳାର ଅଭିନୟ ଆରମ୍ଭ କରାଇ ବ୍ରିଟିଶ ଅଧିକାରୀମାନେ ଏହି ଅଞ୍ଚଳକୁ ବିଦ୍ରୋହରୁ ଦୂରେଇ ରଖିବାର କୌଶଳ କରିଥିଲେ। ତେବେ ଏହି କୌଶଳ ସହିତ ଏକ ଲୀଳାଭିନୟର ବିକାଶ ମଧ୍ୟ ସଂଘଟିତ ହେଲା, ଯାହା କଳାତ୍ମକ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ। ସବୁଠାରୁ ବିସ୍ମୟକର କଥା ହେଲା ପାଖାପାଖି ଦୁଇଶହ ବର୍ଷ ହେବାକୁ ବସିଲାଣି। ଏ ଅଭିନୟ ଏବେ ମଧ୍ୟ ଅବ୍ୟାହତ ରହିଛି। ଚଳିତବର୍ଷ ଏହା ଦେଖିବା ପାଇଁ ଏ ଲୋକ ଯାଇଥିଲା ବିଶିପଡ଼ା।

ବିଶିପଡ଼ା ରାମଲୀଳାର କେତେକ ବିଶେଷତ୍ୱ ଅଛି। ବିଶିପଡ଼ା ହେଉଛି ବଣ ପାହାଡ଼ ଘେରା ଏକ ଅଞ୍ଚଳ। ରାମାୟଣର ଅଧିକାଂଶ ଅଂଶର ଘଟଣାସ୍ଥଳ ଅରଣ୍ୟ ହୋଇଥିବାରୁ ଅଭିନୟ ପାଇଁ ଏହି ଅଞ୍ଚଳରେ ଏକ ସ୍ୱାଭାବିକ ପ୍ରାକୃତିକ ପରିବେଶ ମିଳିଥାଏ। ବିଶିପଡ଼ା ଗାଁ ଦାଣ୍ଡଟି ହୁଏ ମୁଖ୍ୟ ଅଭିନୟ ସ୍ଥଳ। ଗାଁ ବାହାରେ ଥିବା ଗୋଟିଏ ପଡ଼ିଆର ଗୋଟିଏ ପାର୍ଶ୍ବ ହୁଏ ଲଙ୍କା। ଗାଁ ପାଖ ଦେଇ ବହି ଯାଉଥିବା ସାଲୁଙ୍କୀ ନଦୀ ହେଉଛି ଗଙ୍ଗା। ଏ ସବୁ ସ୍ଥାନକୁ ଅଭିନୟ କ୍ଷେତ୍ର ଭାବରେ ବ୍ୟବହାର କରାଯାଏ ଠିକ୍‌‌ ବରଗଡ଼ ଧନୁଯାତ୍ରା ପରି। ରାମନବମୀରୁ ଅଭିନୟ ଆରମ୍ଭ ହୋଇ ଚଉଦ ଦିନରେ ଲଙ୍କା ପୋଡ଼ି ସହ ଏହା ଶେଷ ହୁଏ। ଅଭିନୟ ଅବଧିରେ ପ୍ରତି ଘର ଦୁଆର ଲିପା ପୋଛା ହୋଇ କୁମ୍ଭ ବସେ। ଲୋକମାନେ ଶୁଦ୍ଧ, ସାତ୍ତ୍ୱିକ ଭାବରେ ବ୍ରତ, ଉପବାସ ରଖନ୍ତି। ଶ୍ରୀରାମଙ୍କ ପାଖରେ ଲଙ୍କେଶ୍ୱରୀ ଦେବୀଙ୍କ ପାଖରେ ଭୋଗ ଲଗାନ୍ତି। ଦୀପ ଜାଳନ୍ତି। ପ୍ରତି ଘରମାନଙ୍କୁ ବନ୍ଧୁ, ବାନ୍ଧବ ଆସନ୍ତି। ଏହିଭଳି ଭାବରେ ରାମଲୀଳା ଅଭିନୟ ସହ ଏକ ବିପୁଳ ଜନ ସମୁଦାୟ ଅଙ୍ଗୀଭୂତ ହୋଇଯାଆନ୍ତି। ଏହାରି ଭିତରେ ସେମାନଙ୍କର ଆସ୍ଥା, ଭକ୍ତି, ବିଶ୍ୱାସ ସବୁ ସମନ୍ୱିତ ହୋଇଥାଏ। ଗ୍ରାମରେ ପୂଜା ପାଉଥିବା ଲଙ୍କେଶ୍ୱରୀ ବା ଲଙ୍କାଦେବୀ ବର୍ଷ ସାରା ଆବୃତ ହୋଇଥା’ନ୍ତି। ଲଙ୍କାପୋଡ଼ି ପୂର୍ବଦିନ ରାତ୍ରିରେ ତାଙ୍କୁ ଏକ ରଥରେ ଅଭିନୟ ସ୍ଥଳକୁ ଅଣାଯାଏ। ଅଳ୍ପ ସମୟ ପାଇଁ ତାଙ୍କ ଉପରେ ଆବରଣ ଖୋଲାଯାଏ। ଲୋକମାନେ ତାଙ୍କୁ ପୂଜା ଅର୍ଚ୍ଚନା କରିବା ପରେ ତାଙ୍କୁ ପୁନର୍ବାର ଆବୃତ କରାଯାଇ ମନ୍ଦିରକୁ ଫେରାଇ ନିଆଯାଏ। ଏ ପଦ୍ଧତି ତାନ୍ତ୍ରିକ ପରମ୍ପରାରୁ ଆସିଥିବା ସମ୍ଭବ। ମୂର୍ତ୍ତି ଭୟଙ୍କର ହୋଇଥିବାରୁ ତାଙ୍କୁ ଅଧିକ ସମୟ ଦର୍ଶନ କରିବା ପାଇଁ ମଧ୍ୟ ବାରଣ ରହିଛି।

ଏହି ରାମଲୀଳାର ଏକ ପ୍ରମୁଖ ବିଶେଷତ୍ୱ ହେଉଛି ଏହାର ଚରିତ୍ରମାନଙ୍କ ଦ୍ୱାରା ମୁଖାର ବ୍ୟବହାର। ଅଭିନୟର ବିଷୟବସ୍ତୁରେ ମାନବ ଏବଂ ମାନବେତର ଚରିତ୍ରସବୁ ଥବାରୁ ମାନବେତର ଚରିତ୍ର ଯଥା- ରାକ୍ଷସ, ବାନର, ଭଲ୍ଲୁକ, ପକ୍ଷୀ, ବାଘ ଇତ୍ୟାଦି କାଠ ତିଆରି ମୁଖା ବ୍ୟବହାର କରନ୍ତି। ରାବଣ ପକ୍ଷର ସମସ୍ତ ରାକ୍ଷସ ଯଥା ଇନ୍ଦ୍ରଜିତ, କୁମ୍ଭକର୍ଣ୍ଣ ଇତ୍ୟାଦି ମୁଖା ବ୍ୟବହାର କରନ୍ତି। ସବୁଠାରୁ ଉଲ୍ଲେଖଯୋଗ୍ୟ କଥା ହେଲା ରାବଣ ଦଶମୁଣ୍ଡ ଥିବା ଏକ ବିରାଟ ମୁଖା ବ୍ୟବହାର କରେ। ଏ ମୁଖାଟିର ଓଜନ ପ୍ରାୟ ପଚାଶ କେଜି। ମୁଖାଟି ପେଟ ପାଖରୁ ମସ୍ତକ ପର୍ଯ୍ୟନ୍ତ ତିଆରି ହୋଇଥାଏ। ରାବଣ କଳାକାର ତା’ ଭିତରେ ପଶି ତାକୁ ନିଜର ପେଟ ପର୍ଯ୍ୟନ୍ତ ଗଳାଇ ଧାରଣ କରି ଅଭିନୟ କରନ୍ତି, ଯାହା ଅତ୍ୟନ୍ତ ଆୟାସ ଏବଂ ଅଭ୍ୟାସସାଧ୍ୟ। ଅନ୍ୟ ରାମଲୀଳା ମାନଙ୍କରେ ମୁଖା ଧାରଣ ଦେଖାଯାଉ ନଥିବାବେଳେ କାଠ ତିଆରି ମୁଖା ଧାରଣ କରିବା ଏହି ବିଶିପଡ଼ା ରାମଲୀଳାର ଅନନ୍ୟତା। ଗଞ୍ଜାମର ବେଲଗୁଣ୍ଠା ନିକଟବର୍ତ୍ତୀ ଚଡ଼ିଆପଲ୍ଲୀ ଗ୍ରାମର କାଷ୍ଠ ଶିଳ୍ପୀ ତଥା ଚିତ୍ରଶିଳ୍ପୀମାନେ ଏହି ମୁଖା ନିର୍ମାଣ କରିଛନ୍ତି ଏବଂ ସେହି ମୁଖାଗୁଡ଼ିକୁ ଅତି ଜାଗ୍ରତରେ ରଖି ତାକୁ ମଝିରେ ମଝିରେ ରଙ୍ଗ ଦେଇ ଗ୍ରାମବାସୀମାନେ ସୁରକ୍ଷିତ କରି ରଖିଛନ୍ତି ଏବଂ ଅଭିନୟରେ ବ୍ୟବହାର କରୁଛନ୍ତି।

ବିଷୟବସ୍ତୁ ଦୃଷ୍ଟିରୁ ବିଚାର କଲେ ଏହି ରାମଲୀଳା ରାମାୟଣର ଆଦ୍ୟକାଣ୍ଡରୁ ଆରମ୍ଭ ହୋଇ ସୁନ୍ଦରାକାଣ୍ଡର ହନୁମାନ ଦ୍ୱାରା ଲଙ୍କା ଦହନରେ ଶେଷ ହୁଏ। ତେଣୁ ଏହି ଯାତ୍ରାର ଅନ୍ୟ ନାମ ଲଙ୍କାପୋଡ଼ି ଯାତ୍ରା। ଗ୍ରାମ ଉପକଣ୍ଠରେ ଥିବା ଗୋଟିଏ ପଡ଼ିଆର ଗୋଟିଏ ପାଖରେ ଲଙ୍କାଗଡ଼ ଭଳି ଗୋଟିଏ ତୋରଣ ନିର୍ମାଣ କରାଯାଇଥାଏ। ତା’ର ପଛପଟରେ ଶୁଖିଲା ଡାଳ ପତ୍ରରେ ଉଦ୍ୟାନ ନିର୍ମାଣ ହୋଇଥାଏ। ଯାତ୍ରାର ଶେଷ ଦିନ ସେହି ପଡ଼ିଆରେ ଏକ ସ୍ଥାୟୀ ମଞ୍ଚରେ ଏହି ଅଂଶଟି ଅଭିନୀତ ହୁଏ। ଲଙ୍କାର ତୋଟା ନଷ୍ଟ କରିଥିବା ହନୁମାନ ବନ୍ଧାହୋଇ ଆସି ରାବଣ ଦରବାରରେ ଉପସ୍ଥିତ ହୁଅନ୍ତି। ରାବଣ ଆଦେଶରେ ହନୁମାନଙ୍କ ଲାଞ୍ଜରେ ଅଗ୍ନି ସଂଯୋଗ କରାଯାଏ। ଜଣେ ବିଶିଷ୍ଟ ନିମନ୍ତ୍ରିତ ବ୍ୟକ୍ତି ଏହି ଅଗ୍ନି ସଂଯୋଗ କରନ୍ତି। ଏହାପୂର୍ବରୁ ଅଭିନୟ ସ୍ଥଳୀରେ ଗ୍ରାମବାସୀ, ଆଖପାଖ ଗାଁରୁ ଆସିଥିବା ଦର୍ଶକମାନେ ହନୁମାନଙ୍କୁ ମୁଣ୍ଡିଆ ମାରି ତାଙ୍କ ବେଶଭୂଷାରେ ଉପହାର ସ୍ୱରୂପ ଟଙ୍କା, ନୋଟ୍‌‌ ଲଗାନ୍ତି। ହନୁମାନଙ୍କ ଶରୀର ସାରା ଟଙ୍କା ମାଳ ଲମ୍ବିଯାଏ। ହନୁମାନଙ୍କୁ ଭୋଗ ସ୍ୱରୂପ ଦେଉଥିବା କଦଳୀ, ଫଳ ସେ ଲୋକଙ୍କ ମଧ୍ୟରେ ବିଚରଣ କରୁଥା’ନ୍ତି। ଲାଞ୍ଜରେ ଅଗ୍ନି ସଂଯୋଗ ପରେ ହନୁମାନ ଧାଇଁ ଧାଇଁ ଯାଇ କନା, ଡାଳପତ୍ରରେ ନିର୍ମିତ ସୁଦୃଶ୍ୟ ଲଙ୍କାପୁରୀ ଭିତରେ ପଶି ସେଥିରେ ନିଆଁ ଲଗାଇ ବାହାରି ଆସନ୍ତି। ମୁହୂର୍ତ୍ତକ ମଧ୍ୟରେ ତାହା ଜଳିଯାଇ ଛାରଖାର ହୋଇଯାଏ। ଏହାପରେ ଆତସବାଜି ହୋଇ ଲଙ୍କାପୋଡ଼ି ଯାତ୍ରା ଉଦ୍‌‌ଯାପିତ ହୁଏ। ପ୍ରଚଣ୍ଡ ଗ୍ରୀଷ୍ମକୁ ଖାତିର ନ କରି ରାତିର ଅଭିନୟ ଓ ଶେଷଦିନର ଲଙ୍କାପୋଡ଼ି ଯାତ୍ରା ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୁଏ। ଲଙ୍କାପୋଡ଼ି ପରେ ରାମାୟଣର ଆଉ ଯେତେକ ଅଂଶ ରହିଗଲା ତାକୁ ଆଉ ଅଭିନୟ ନକରି ଗାୟକମାନେ ତାକୁ ଗାୟନ କରନ୍ତି ଏବଂ ଲୋକେ ଶୁଣନ୍ତି। ଏହିଭଳି ଭାବରେ ବିଷୟ ମଧ୍ୟ ପୂର୍ଣ୍ଣ ହୁଏ।

ଦୀର୍ଘ ଦୁଇଶହ ବର୍ଷ ଧରି କେବଳ ଲୋକଙ୍କ ଶ୍ରଦ୍ଧା, ଅନୁରାଗକୁ ପାଥେୟ କରି ଏହି ରାମଲୀଳା ବଞ୍ଚି ରହିବା ଏକ ବିଲକ୍ଷଣ ନିଶ୍ଚୟ। ଓଡ଼ିଶାର ଜନତା କୃତବିଦ୍ୟ ନାଟ୍ୟକାର, ଲୋକସଂସ୍କୃତି ଗବେଷକ ମନ୍ମଥ କୁମାର ଶତପଥୀଙ୍କ ଉଦ୍ୟମରେ ଏହି ରାମଲୀଳା ଦିଲ୍ଲୀ ତଥା ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରଦର୍ଶିତ ହୋଇଛି। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଏହାର ପୂର୍ଣ୍ଣାଙ୍ଗ ଦୃଶ୍ୟ ଉତ୍ତୋଳନ କରି ଭବିଷ୍ୟତ ପାଇଁ ସଂଗ୍ରହ କରିଛନ୍ତି। ନାଟ୍ୟଦଳର ବେଶଭୂଷା, ଆଲୋକ, ଶବ୍ଦ, ବାଦ୍ୟଯନ୍ତ୍ର ଇତ୍ୟାଦିର ସମୃଦ୍ଧି ପାଇଁ ଆର୍ଥିକ ସହାୟତା ମଧ୍ୟ ଦେଇଛନ୍ତି। ଏଭଳି ଏକ ମୂଲ୍ୟବାନ ଲୀଳାଭିନୟର ଅନନ୍ୟ ପରମ୍ପରାର ସଂରକ୍ଷଣ ପାଇଁ ଆହୁରି ଅଧିକ ସହଯୋଗ, ପୃଷ୍ଠପୋଷକତାର ଆବଶ୍ୟକତା ରହିଛି। ଏ ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର, ବୁଦ୍ଧିଜୀବୀ, ଲୋକସଂସ୍କୃତି ବିଶେଷଜ୍ଞମାନଙ୍କର ସହଯୋଗ ଏକାନ୍ତ ଆବଶ୍ୟକ। ବିଶେଷକରି ଏହାର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି।

ଡ. ଶାନ୍ତନୁ କୁମାର ରଥ
ଭୁବନେଶ୍ୱର, ମୋ: ୯୪୩୭୪୮୦୮୦୬

About The Author

ରାଶିଫଳ

ସମ୍ବନ୍ଧିତ ଖବର