ଚୀନ ପରିବ୍ରାଜକ ଓ ପ୍ରାଚୀନ ଓଡ଼ିଶାରେ ବୌଦ୍ଧଧର୍ମ

The Sakala Picture
Published On

ପ୍ରାଚୀନ କାଳରେ ଭାରତ ଭ୍ରମଣରେ ଆସିଥିବା ଚୀନ୍‌‌ ପରିବ୍ରାଜକମାନଙ୍କ ମଧ୍ୟରେ ଫାହିଆନ, ହୁଏନ୍‌‌ସାଂ ଓ ଇ-ସିଙ୍ଗ୍‌‌ ଅଧିକ ପ୍ରସିଦ୍ଧ। ସେମାନେ ମୁଖ୍ୟତଃ ଭାରତର ପବିତ୍ର ବୌଦ୍ଧସ୍ଥଳଗୁଡ଼ିକୁ ପରିଦର୍ଶନ କରିଥିଲେ। ସେମାନଙ୍କର ଭ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦୁର୍ଲଭ ବୌଦ୍ଧଗ୍ରନ୍ଥ ସଂଗ୍ରହ, ବୌଦ୍ଧଧର୍ମର ବିଭିନ୍ନ ଆଚାର ବିଚାର ଓ ଆନୁଷ୍ଠାନିକ ରୀତିନୀତି ଅନୁଧ୍ୟାନ, ସଂସ୍କୃତ ଶିକ୍ଷା ତଥା ପ୍ରମୁଖ ବୌଦ୍ଧ ଆଚାର୍ଯ୍ୟମାନଙ୍କଠାରୁ ବୌଦ୍ଧ ଶାସ୍ତ୍ର, ସୂତ୍ର ଓ ସିଦ୍ଧାନ୍ତ ଆଦି ଶିକ୍ଷା କରିବା। ଏମାନଙ୍କ ବ୍ୟତୀତ ଆହୁରି ଅନେକ […]

ପ୍ରାଚୀନ କାଳରେ ଭାରତ ଭ୍ରମଣରେ ଆସିଥିବା ଚୀନ୍‌‌ ପରିବ୍ରାଜକମାନଙ୍କ ମଧ୍ୟରେ ଫାହିଆନ, ହୁଏନ୍‌‌ସାଂ ଓ ଇ-ସିଙ୍ଗ୍‌‌ ଅଧିକ ପ୍ରସିଦ୍ଧ। ସେମାନେ ମୁଖ୍ୟତଃ ଭାରତର ପବିତ୍ର ବୌଦ୍ଧସ୍ଥଳଗୁଡ଼ିକୁ ପରିଦର୍ଶନ କରିଥିଲେ। ସେମାନଙ୍କର ଭ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦୁର୍ଲଭ ବୌଦ୍ଧଗ୍ରନ୍ଥ ସଂଗ୍ରହ, ବୌଦ୍ଧଧର୍ମର ବିଭିନ୍ନ ଆଚାର ବିଚାର ଓ ଆନୁଷ୍ଠାନିକ ରୀତିନୀତି ଅନୁଧ୍ୟାନ, ସଂସ୍କୃତ ଶିକ୍ଷା ତଥା ପ୍ରମୁଖ ବୌଦ୍ଧ ଆଚାର୍ଯ୍ୟମାନଙ୍କଠାରୁ ବୌଦ୍ଧ ଶାସ୍ତ୍ର, ସୂତ୍ର ଓ ସିଦ୍ଧାନ୍ତ ଆଦି ଶିକ୍ଷା କରିବା। ଏମାନଙ୍କ ବ୍ୟତୀତ ଆହୁରି ଅନେକ ପରିବ୍ରାଜକ ପୂର୍ବରୁ ଓ ପରେ ଭାରତ ଭ୍ରମଣ କରିଛନ୍ତି। ଖ୍ରୀଷ୍ଟୀୟ ତୃତୀୟ ଓ ଷଷ୍ଠ ଶତାବ୍ଦୀ ମଧ୍ୟରେ ଶହେଅଣସ୍ତରୀ ଚୀନ୍‌‌ ପରିବ୍ରାଜକ ଭାରତ ଆସିଥିବାର ଉଲ୍ଲେଖ ଅଛି। ଅଧିକାଂଶ ଚୀନ୍‌‌ ପରିବ୍ରାଜକ ହେଉଛନ୍ତି ବୌଦ୍ଧଭିକ୍ଷୁ। ଏମାନେ ଉଭୟ ସ୍ଥଳ ଓ ଜଳ ଭାଗରେ ଭାରତ ଆସିଥିଲେ।
ପ୍ରମୁଖ ଚୀନ୍‌‌ ପରିବ୍ରାଜକମାନଙ୍କ ମଧ୍ୟରେ ପ୍ରଥମେ ଭାରତ ଆସିଥିଲେ ଫାହିଆନ୍‌‌। ସେ ଖ୍ରୀ. ୩୯୯ରେ ଚୀନ୍‌‌ର ଚାଙ୍ଗାନରୁ ଯାତ୍ରା ଆରମ୍ଭ କରି ଭାରତ ଆସି ଗୁପ୍ତସାମ୍ରାଜ୍ୟ କାଳରେ ଭାରତ ପରିଭ୍ରମଣ କରିଥିଲେ। ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମୂଳ ଭାଷାରେ ଲିଖିତ ବୌଦ୍ଧଗ୍ରନ୍ଥଗୁଡ଼ିକର ସଂଗ୍ରହ। ସେ ସ୍ଥଳଭାଗରେ ଭାରତ ଆସି ଜଳପଥରେ ଚୀନ୍‌‌ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଗାନ୍ଧାର ଓ କାଶ୍ମୀର ଅଞ୍ଚଳ ସହ ତକ୍ଷଶିଳା, ପଞ୍ଜାବ, ଅଯୋଧ୍ୟା, କୋଶଳ, ମଥୁରା, ନାଳନ୍ଦା, ରାଜଗୃହ, ଗୟା, ବନାରସ, ସାଇନାଥ ହୋଇ ପାଟଳୀପୁତ୍ର ଫେରିଥିଲେ। ବୌଦ୍ଧଗ୍ରନ୍ଥ ସଂଗ୍ରହ ତାଙ୍କ ଲକ୍ଷ୍ୟ ଥିଲେ ମଧ୍ୟ ସେ କୌଣସିଠାରୁ ଲିଖିତ ଗ୍ରନ୍ଥ ପାଇଲେ ନାହିଁ। ସେତେବେଳେ ଆମ ଦେଶର ଶିକ୍ଷା ପରମ୍ପରାରେ ଗୁରୁ ଶିଷ୍ୟମାନଙ୍କୁ ମୌଖିକଭାବେ ଶିକ୍ଷା ଦେଉଥିଲେ। ସେ ପାଟଳୀପୁତ୍ରରେ ପ୍ରାୟ ତିନିବର୍ଷ ରହି ସଂସ୍କୃତ ଭାଷା ଶିକ୍ଷା କରିବା ସହ ବିଭିନ୍ନ ବୌଦ୍ଧବିହାର ଓ ବୌଦ୍ଧ ଆଚାର୍ଯ୍ୟମାନଙ୍କଠାରୁ ଅଳ୍ପ କିଛି ଲିଖିତ ଗ୍ରନ୍ଥ ସଂଗ୍ରହ କରିବାରେ ସଫଳ ହୋଇଥିଲେ। ପାଟଳୀପୁତ୍ରରୁ ସେ ତତ୍କାଳୀନ ଓଡ଼ିଶାର ପ୍ରାଚୀନ ବନ୍ଦର ସହର ତଥା ପ୍ରମୁଖ ବୌଦ୍ଧକେନ୍ଦ୍ର ତାମ୍ରଲିପ୍ତ ରାଜ୍ୟରେ ପହଞ୍ଚିଲେ। ଏଠାରେ ସେ ଚବିଶ ଗୋଟି ବିଶାଳ ବୌଦ୍ଧବିହାର ଦର୍ଶନ କରିଥିଲେ। ସେସବୁ ବିହାରରେ ଭିକ୍ଷୁମାନେ ବହୁସଂଖ୍ୟାରେ ରହୁଥିଲେ। ଏହି ରାଜ୍ୟରେ ବହୁସଂଖ୍ୟାରେ ବୌଦ୍ଧଧର୍ମାବଲମ୍ବୀ ଥିବାର ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଫାହିଆନ ତାମ୍ରଲିପ୍ତରେ ପ୍ରାୟ ଦୁଇବର୍ଷ ରହିବା ମଧ୍ୟରେ ବୌଦ୍ଧ ସୂତ୍ରଗ୍ରନ୍ଥ ଲେଖିବା କାର୍ଯ୍ୟ ସହ ସେଠାରେ ଥିବା ବୌଦ୍ଧ ମୂର୍ତ୍ତିଗୁଡ଼ିକର ଚିତ୍ର ଅଙ୍କନ କରିଥିଲେ। ଏଠାରୁ ସେ ଜାହାଜଯୋଗେ ସିଂହଳ ଯାତ୍ରା କରିଥିଲେ।

ହୁଏନ୍‌‌ସାଂ: ଛବିଶ ବର୍ଷ ବୟସରେ ସେ ଚୀନ୍‌‌ର ଚାଙ୍ଗାନଠାରୁ ଖ୍ରୀ. ୬୨୯ରେ ଭାରତ ଭ୍ରମଣ ଉଦ୍ଦେଶ୍ୟରେ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ ଓ ଖ୍ରୀ ୬୪୫ରେ ଭାରତରୁ ଚୀନ୍‌‌ ପ୍ରତ୍ୟାବର୍ତ୍ତନ କରିଥିଲେ। ଭାରତର ବିଭିନ୍ନ ବୌଦ୍ଧସ୍ଥଳମାନ ପରିଦର୍ଶନ କରି ହୁଏନ୍‌‌ସାଂ ପ୍ରାଚୀନ ଓଡ଼ିଶାର ବନ୍ଦରନଗରୀ ତାମ୍ରଲିପ୍ତ (ବର୍ତ୍ତମାନ ଏହା ପଶ୍ଚିମବଙ୍ଗରେ)ରେ ପହଞ୍ଚିଥିଲେ। ଏହି ରାଜ୍ୟର ପରିସୀମା ପ୍ରାୟ ୧୫୦୦ ଲି (ପ୍ରତି ଲି ପ୍ରାୟ ଅଧ କିଲୋମିଟର) ଏବଂ ରାଜଧାନୀର ପରିସୀମା ପ୍ରାୟ ୧୦ ଲି ଥିବାର ସେ ଦର୍ଶାଇଛନ୍ତି। ଏଠାରେ ଉଭୟ ବୌଦ୍ଧ ଓ ହିନ୍ଦୁମାନେ ବସବାସ କରୁଥିଲେ। ଏଠରେ ୧୦ ଗୋଟି ବିଶାଳ ବୌଦ୍ଧ ବିହାର ଓ ସେଥିରେ ପ୍ରାୟ ଏକ ହଜାର ଭିକ୍ଷୁ ରହିଥିଲେ। ପ୍ରାୟ ୫୦ ଗୋଟି ହିନ୍ଦୁ ମନ୍ଦିର ସେଠାରେ ଥିଲା। ଏଥିରୁ ଜଣାଯାଏ ତାମ୍ରଲିପ୍ତରେ ସେ ସମୟକୁ ଅଧିକ ହିନ୍ଦୁ ଅଧିବାସୀ ଥିଲେ। ମାତ୍ର ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପାରସ୍ପରିକ ସଦ୍‌‌ଭାବ ରହିଥିଲା। ସହର ନିକଟରେ ସମ୍ରାଟ ଅଶୋକଙ୍କ ନିର୍ମିତ ଏକ ବୌଦ୍ଧସ୍ତମ୍ଭ ମଧ୍ୟ ଥିଲା। ତାମ୍ରଲିପ୍ତରୁ ଦକ୍ଷିଣ-ପଶ୍ଚିମକୁ ୭୦୦ଲି ଯାତ୍ରା କରି ହୁଏନ୍‌‌ସାଂ କର୍ଣ୍ଣସୁବର୍ଣ୍ଣ (ବର୍ତ୍ତମାନର ଝାଡ଼ଖଣ୍ଡ ଅଞ୍ଚଳ)ରେ ପହଞ୍ଚିଥିଲେ। ସେଠାରେ ସେ ୧୦ ଗୋଟି ବୌଦ୍ଧବିହାର ଓ ସେଥିରେ ଦୁଇହଜାର ବୌଦ୍ଧ ସନ୍ନ୍ୟାସୀଙ୍କୁ ଦେଖିଥିଲେ।

ସେଠାରୁ ଦକ୍ଷିଣ-ପଶ୍ଚିମକୁ ୭୦୦ଲି ଯାତ୍ରା କରିବା ପରେ ଓଡ଼ିଶାର ଓଡ୍ର ରାଜ୍ୟ (ସେ ଭ୍ରମଣ କରିଥିବା ଓଡ଼ିଶାର ଉପକୂଳ ଅଞ୍ଚଳ)ରେ ପହଞ୍ଚିଲେ। ଏହି ରାଜ୍ୟର ପରିସୀମା ପ୍ରାୟ ୭୦୦୦ ଲି ଓ ରାଜଧାନୀର ପରିସୀମା ୨୦ଲି ଥିଲା। ଏହି ଦେଶରେ ଅଧିକାଂଶ ଲୋକ ଶିକ୍ଷିତ ଓ ବୌଦ୍ଧଧର୍ମାବଲମ୍ବୀ ଥିଲେ। ଏଠାରେ ସେ ପ୍ରାୟ ଶହେଗୋଟି ବିଶାଳ ବୌଦ୍ଧବିହାରରେ ପ୍ରାୟ ଦଶହଜାର ବୌଦ୍ଧ ସନ୍ନ୍ୟାସୀ ରହୁଥିବା ଦର୍ଶାଇଛନ୍ତି। ଏମାନେ ସବୁ ମହାଯାନ ପନ୍ଥାର ଥିଲେ। ଏହି ଦେଶରେ ସମ୍ରାଟ ଅଶୋକଙ୍କ ନିର୍ମିତ ଦଶଗୋଟି ସ୍ତମ୍ଭ ସହ ପ୍ରାୟ ୫୦ ଗୋଟି ହିନ୍ଦୁ ମନ୍ଦିର ମଧ୍ୟ ସେ ଦେଖିଥିଲେ। ଓଡ୍ରଦେଶର ସୀମାରୁ ଦକ୍ଷିଣ-ପଶ୍ଚିମ ଦିଗରେ ଏକ ବିରାଟ ପାହାଡ଼ ଉପରେ ‘ପୁଷ୍ପଗିରି’ ନାମକ ବୌଦ୍ଧବିହାର ଥିବା ବିଷୟ ହୁଏନ୍‌‌ସାଂ ଉଲ୍ଲେଖ କରିଛନ୍ତି। ଏ ବିଷୟରେ ଆମେ ପୂର୍ବ ଅଧ୍ୟାୟରେ ବିସ୍ତୃତ ଆଲୋଚନା କରିଛେ। ଏଠାରୁ ଉତ୍ତର-ପଶ୍ଚିମକୁ ବଣ ପାହାଡ଼ ମଧ୍ୟରେ ପ୍ରାୟ ୧୮୦୦ ଲି ଯାତ୍ରା କରି କୋଶଳ ଦେଶର ରାଜଧାନୀରେ ପହଞ୍ଚିଲେ। ଏହା ଥିଲା ପ୍ରାଚୀନ ଦକ୍ଷିଣ କୋଶଳ ଏବଂ ବର୍ତ୍ତମାନର ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼଼ ରାଜ୍ୟର କିଛି ଅଞ୍ଚଳ। ଏହି ରାଜ୍ୟର ସୀମା ପାହାଡ଼ ପର୍ବତ ଘେରା। ରାଜଧାନୀର ପରିସୀମା ୪୦ ଲି ଥିଲା। ଏହି ଦେଶରେ ସହର ଓ ଗ୍ରାମସବୁ ଲାଗି ଲାଗି ରହିଥିଲା। ଏଠାରେ ଉଭୟ ବୌଦ୍ଧ ଓ ହିନ୍ଦୁମାନେ ବସବାସ କରୁଥିଲେ। ଏଠାକାର ଲୋକମାନେ ପ୍ରାୟ ଶିକ୍ଷିତ ଓ ଚତୁର ଥିଲେ। ସେଠାକାର କ୍ଷତ୍ରୀୟ ରାଜା ବୌଦ୍ଧଧର୍ମ ପ୍ରତି ଅତ୍ୟନ୍ତ ଅନୁରକ୍ତ ଥିଲେ। ଏହି ରାଜ୍ୟରେ ହୁଏନ୍‌‌ସାଂ ପ୍ରାୟ ଶହେଗୋଟି ବୌଦ୍ଧବିହାର ଓ ଦଶହଜାର ସଂଖ୍ୟକ ବୌଦ୍ଧ ଭିକ୍ଷୁ ରହିଥିବାର ଦେଖିଥିଲେ। ଏମାନେ ସମସ୍ତେ ମହାଯାନପନ୍ଥୀ ଥିଲେ। ଏହି ରାଜ୍ୟରେ ପ୍ରାୟ ସତୁରୀ ଗୋଟି ହିନ୍ଦୁ ମନ୍ଦିର ମଧ୍ୟ ଥିବା ସେ ଦର୍ଶାଇଛନ୍ତି। ରାଜଧାନୀର ଦକ୍ଷିଣ ଦିଗ ନିକଟବର୍ତ୍ତୀ ସ୍ଥାନରେ ସମ୍ରାଟ ଅଶୋକଙ୍କ ନିର୍ମିତ ସ୍ତମ୍ଭଟିଏ ଥିବାର ସେ ଉଲ୍ଲେଖ କରିଛନ୍ତି।

ରାଜଧାନୀର ଦକ୍ଷିଣ-ପଶ୍ଚିମକୁ ୩୦୦ ଲି ଦୂରରେ ଥିବା ପରିମଳଗିରି ପର୍ବତ ବିଷୟରେ ହୁଏନ୍‌‌ସାଂ ଉଲ୍ଲେଖ କରିଛନ୍ତି। ଏହି ପାହାଡ଼ରେ ସୁଡ଼ଙ୍ଗ ଖୋଳି ମଝି ଅଂଶରେ ରାଜା ସଦବାହ ବୌଦ୍ଧ ଆଚାର୍ଯ୍ୟ ନାଗାର୍ଜୁନଙ୍କ ନିବାସ ଉଦ୍ଦେଶ୍ୟରେ ଏକ ବିଶାଳ ବୌଦ୍ଧବିହାର ନିର୍ମାଣ କରିଥିଲେ। ପାହାଡ଼ ଖୋଳି ଦୀର୍ଘ ଓ ବିସ୍ତୃତ ଅଳିନ୍ଦଏବଂ ପାହାଡ଼ରେ ଥାକ ଥାକ କରି ବହୁତାଲା ବିଶିଷ୍ଟ ଗୁମ୍ଫାମାନ ମଧ୍ୟ ନିର୍ମାଣ କରାଇଥିଲେ। ଏହି ପର୍ବତରେ ବିହାର ଓ ଗୁମ୍ଫାମାନଙ୍କରେ ପ୍ରାୟ ଏକହଜାର ଭିକ୍ଷୁଙ୍କୁ ବିଭିନ୍ନ ସ୍ଥାନରୁ ଆଣି ରାଜା ରଖାଇଥିଲେ। ଏହି ରାଜ୍ୟଟି ଅତ୍ୟନ୍ତ ସମୃଦ୍ଧିଶାଳୀ ଥିଲା।

ପ୍ରବୀର କୁମାର ପଟ୍ଟନାୟକ
ଭୁବନେଶ୍ୱର, ମୋ: ୭୨୦୫୦୨୨୭୯୦

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର