ମନୋରଞ୍ଜନ
ଓଡ଼ିଶା
କମିଲା ଅଶୋଧିତ ତୈଳ ମୂଲ୍ୟ, ପେଟ୍ରୋଲରେ ମିଶିଲା ଇଥାନଲ୍; ତଥାପି ଖସୁନି ପେଟ୍ରୋଲ-ଡିଜେଲ ଦର...
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ରୁଷ-ୟୁକ୍ରେନ ଯୁଦ୍ଧ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ଥରେ କହିଛନ୍ତି ଯେ ୟୁକ୍ରେନ ସହିତ ଆଲୋଚନାର କୌଣସି ଫଳାଫଳ ମିଳୁନାହିଁ ଏବଂ ରୁଷ ଯୁଦ୍ଧକୁ ଆହୁରି ତୀବ୍ର କରିବାକୁ ପ୍ରସ୍ତୁତ ହେଉଛି। ଏହା ସତ୍ତ୍ୱେ ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ହର୍ମୁଜ୍ ପ୍ରଣାଳୀରେ ଯୋଗାଣ ପୁନର୍ବାର ଆରମ୍ଭ ଆଶା ଏବଂ ଏହି ଜଳ ମାର୍ଗ ଦେଇ ଜାହାଜ ଚଳାଚଳ ନେଇ ଇରାନ-ଓମାନ ଚୁକ୍ତି ଏହାର ମୁଖ୍ୟ କାରଣ। ବର୍ତ୍ତମାନ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ପ୍ରାୟ ୮୩ ଡଲାର ଯାଏ ହ୍ରାସ ଘଟିଛି। ତଥାପି, ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅର୍ଥାତ୍ ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ପେଟ୍ରୋଲରେ ଇଥାନଲ୍ ମିଶ୍ରଣ ସତ୍ତ୍ବେ ଘରୋଇ ବଜାରରେ ତେଲ ଦର ଖସୁନାହିଁ।
ଅପରପକ୍ଷେ ଭାରତ ରୁଷକୁ ତୈଳ ରପ୍ତାନି କରିବାରେ ବ୍ୟସ୍ତ। ପୂର୍ବରୁ ରୁଷରୁ ଭାରତ ଶସ୍ତା ତେଲ ଆମଦାନୀ ମଧ୍ୟ କରିଥିଲା। ଉଭୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ହ୍ରାସ ଘଟି ନ ଥିବାବେଳେ ଖାଉଟିଙ୍କୁ ବି ଏହାର କୌଣସି ଲାଭ ମିଳିନାହିଁ। ଏଥିରେ କେବଳ ଶସ୍ତା ତେଲ ଆମଦାନୀ ଏବଂ ରପ୍ତାନି କରି କର୍ପୋରେଟ୍ ସଂସ୍ଥା ମାଲେମାଲ ହୋଇଛନ୍ତି। ସେହିପରି ଇଥାନଲ୍ ବ୍ଲେଣ୍ଡିଂ ଯୋଜନାରେ କେନ୍ଦ୍ର ସରକାର ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ କରିଥିଲେ। ହେଲେ ଏହା ପରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ବଦଳିନାହିଁ।
ସମ୍ପ୍ରତି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୮୩ ଡଲାର ରହିଛି। ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ପ୍ରତି ବ୍ୟାରେଲ ୮୮.୧୭୫ ଡଲାରକୁ ହ୍ରାସ ଘଟିଥିବାବେଳେ ଆମେରିକୀୟ ଡବ୍ଲ୍ୟୁଟିଆଇ ମୂଲ୍ୟ ବ୍ୟାରେଲ ପିଛା ୮୩.୪୪୦ ଡଲାରକୁ ହ୍ରାସ ପାଇଛି। ଏଥିରେ ସାଧାରଣ ଖାଉଟିଙ୍କ ପ୍ରଶ୍ନ, ଯେତେବେଳେ ଦେଶରେ ଇଥାନଲର ବ୍ୟବହାର ବୃଦ୍ଧି ପାଉଛି ଏବଂ ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ବର୍ତ୍ତମାନ ହ୍ରାସ ପାଉଛି, ସେତେବେଳେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କେବେ ହ୍ରାସ ହେବ ? ବର୍ତ୍ତମାନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୯.୧୫ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୧୦୦.୮୦ ଟଙ୍କା ଉପରେ ରହିଛି। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରଣାଳୟର କହିବା ହେଉଛି, ପେଟ୍ରୋଲରେ ଇଥାନଲ ମିଶ୍ରଣର ପ୍ରାଥମିକ ଉଦ୍ଦେଶ୍ୟ ଖୁଚୁରା ଇନ୍ଧନ ମୂଲ୍ୟ ହ୍ରାସ କରିବା ନୁହେଁ, ବରଂ ଆମଦାନୀକୃତ ଅଶୋଧିତ ତେଲ ଉପରେ ଭାରତର ନିର୍ଭରଶୀଳତା କମ୍ କରିବା।
ଅପରପକ୍ଷେ ଭାରତରୁ ଯାଉଥିବା ପେଟ୍ରୋଲ ଏବେ ରୁଷର ‘ଜୀବନ ରେଖା’ ପାଲଟିଛି। ୟୁକ୍ରେନର ଡ୍ରୋନ ଆକ୍ରମଣର ପ୍ରଭାବ ଏବେ ରୁଷର ଇନ୍ଧନ ବଜାର ଉପରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ରୁଷର ଅନେକ ତୈଳ ବିଶୋଧନାଗାର ଉପରେ ଆକ୍ରମଣ ଯୋଗୁଁ ଘରୋଇ ପେଟ୍ରୋଲ ଉତ୍ପାଦନକୁ ପ୍ରଭାବିତ କରିଛି। ଫଳସ୍ୱରୂପ, ରୁଷ ତା'ର ଆବଶ୍ୟକତା ପୂରଣ କରିବା ପାଇଁ ଅନ୍ୟ ଦେଶରୁ ପେଟ୍ରୋଲ ଆମଦାନୀ କରିବାକୁ ବାଧ୍ୟ ହେଉଛି। ଏହି ପରିସ୍ଥିତିରେ, ଭାରତ ରୁଷକୁ ପେଟ୍ରୋଲର ଏକ ପ୍ରମୁଖ ଯୋଗାଣକାରୀ ଭାବରେ ଉଭା ହୋଇଛି। ମାତ୍ର ୨ ମାସରେ ଭାରତ ରୁଷକୁ ୧୦ ଲକ୍ଷ ବ୍ୟାରେଲ୍ ତୈଳ ରପ୍ତାନି କରିଛି।






