ବିଜେପିକୁ ଅଡୁଆ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ : ସେପଟେ ଲବି, ଏପଟେ ଚାପ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟ ବିଜେପି ସରକାରକୁ ୧୫ ମାସ ଚାଲୁଥିବା ବେଳେ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ଗଠନ ନେଇ ଏଯାବତ୍‌ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ମନ୍ତ୍ରିମଣ୍ଡଳକୁ ନେଇ ଶୀର୍ଷ ନେତୃତ୍ୱ ସ୍ତରରେ ବାରମ୍ବାର ପ୍ରୟାସ ହୋଇଥିଲେ ହେଁ ବିଭିନ୍ନ କାରଣ ଯୋଗୁଁ ଏହା ସମ୍ଭବ ହୋଇପାରୁ ନାହିଁ। ଏପଟେ ଖାଲିଥିବା ୬ ମନ୍ତ୍ରୀ ପଦ ପାଇଁ ଦଳର ଦୁଇ ଡଜନ ନେତା ଚାହିଁ ବସିଛନ୍ତି। ସେହିପରି ମନ୍ତ୍ରିମଣ୍ଡଳରେ ବର୍ତ୍ତମାନ ଥିବା କିଛି ମନ୍ତ୍ରୀଙ୍କୁ ବାଦ ଦିଆଯିବା ପାଇଁ […]

ଭୁବନେଶ୍ୱର : ରାଜ୍ୟ ବିଜେପି ସରକାରକୁ ୧୫ ମାସ ଚାଲୁଥିବା ବେଳେ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ଗଠନ ନେଇ ଏଯାବତ୍‌ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ମନ୍ତ୍ରିମଣ୍ଡଳକୁ ନେଇ ଶୀର୍ଷ ନେତୃତ୍ୱ ସ୍ତରରେ ବାରମ୍ବାର ପ୍ରୟାସ ହୋଇଥିଲେ ହେଁ ବିଭିନ୍ନ କାରଣ ଯୋଗୁଁ ଏହା ସମ୍ଭବ ହୋଇପାରୁ ନାହିଁ। ଏପଟେ ଖାଲିଥିବା ୬ ମନ୍ତ୍ରୀ ପଦ ପାଇଁ ଦଳର ଦୁଇ ଡଜନ ନେତା ଚାହିଁ ବସିଛନ୍ତି। ସେହିପରି ମନ୍ତ୍ରିମଣ୍ଡଳରେ ବର୍ତ୍ତମାନ ଥିବା କିଛି ମନ୍ତ୍ରୀଙ୍କୁ ବାଦ ଦିଆଯିବା ପାଇଁ ଯୋଜନା ହେଉଥିଲେ ହେଁ ଲବି ଓ ଚାପ ଯୋଗୁଁ ତାହା ସମ୍ଭବ ହୋଇପାରୁ ନାହିଁ।

ନିକଟ ଅତୀତରେ ଦଳର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ମନ୍ତ୍ରିମଣ୍ଡଳକୁ ନେଇ ଦଳକୁ ଅଡ଼ୁଆରେ ପକାଇବା ଭଳି ଅନେକ ଅଭିମାନପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ବେଳେ ମଙ୍ଗଳବାର ପୁଣି ତାହାକୁ ଦୋହରାଇଛନ୍ତି। କେବଳ ଜୟ ନାରାୟଣ ନୁହନ୍ତି, ବିଧାୟକ ପ୍ରକାଶ ସୋରେନ ମଧ୍ୟ ବରିଷ୍ଠଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବା କଥା କହି ନିଜ ଦାବି ଉପସ୍ଥାପନ କରିଛନ୍ତି।

ଜୟନାରାୟଣ କହିଛନ୍ତି ଯେ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ଆଲୋଚନା ହୁଏ। ମନ୍ତ୍ରିମଣ୍ଡଳ ଯେହେତୁ ଖାଲି ଅଛି, ଚର୍ଚ୍ଚା ହେବା ଏକ ସ୍ୱାଭାବିକ କଥା। ସମ୍ପ୍ରସାରଣ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ଅଧୀନ ବିଷୟ। ସେ ଯେତେବେଳେ ଚାହିଁବେ ଏହାକୁ ପୂରଣ କରିବେ। ଏପରିକି ସେ ଏକା ମଧ୍ୟ ମନ୍ତ୍ରିମଣ୍ଡଳ ଚଳାଇପାରିବେ। ମୁଁ ଦଳର ଗୋଟେ ଛୋଟିଆ କର୍ମୀ, ତୃଣମୂଳ କାମ କରିବା ଜାଣେ; ଉପର କଥା ଜାଣେ ନାହିଁ। ରାଜନୀତିରେ ବରିଷ୍ଠ ଅଭିଜ୍ଞର କୌଣସି ମୂଲ୍ୟ ନାହିଁ। ଦଳ ପାଇଁ ନିଷ୍ଠାର ସହ କାମ ଏବଂ କେସ ଖାଇବା ମୂଲ୍ୟହୀନ। ଏସବୁର କିଛି ଗୁରୁତ୍ୱ ନଥାଏ। ମୋ ପାଇଁ ସରକାର ଆସିଛି କି କାହା ପାଇଁ ଆସିଛିି ସେକଥା କିଏ ଜାଣେ। ଲୋକେ ନିଷ୍ପତ୍ତି ନେବେ।

ମାତ୍ର ଅନେକ ଲୋକ ତାଙ୍କ ପାଇଁ ସରକାର ଆସିଛି ତାହାକୁ ଆମେ ସ୍ୱୀକାର କରୁଛୁ ବୋଲି କହୁଛନ୍ତି ବୋଲି ଜୟ ନାରାୟଣ ମନ୍ତବ୍ୟ ରଖିଛନ୍ତି। ସେହିପରି ଦଳର ଅନ୍ୟତମ ବିଧାୟକ ପ୍ରକାଶ ସୋରେନ ମଧ୍ୟ ବରିଷ୍ଠମାନେ ମନ୍ତ୍ରୀ ହେବା ଆବଶ୍ୟକ ବୋଲି କହିଛନ୍ତି। ବରିଷ୍ଠ ଓ ଅଭିଜ୍ଞ ବିଧାୟକଙ୍କୁ ମନ୍ତ୍ରୀ ହେବା ଆବଶ୍ୟକ। ମୁଁ ଶହେ ଶହେରେ ମନ୍ତ୍ରୀ ହେବାର ଇଚ୍ଛା ଅଛି। ମତେ ଯେଉଁ ବିଭାଗର ମନ୍ତ୍ରୀ ଦେଲେ ମଧ୍ୟ ମୁଁ ଦାୟିତ୍ୱ ନେବାକୁ ପ୍ରସ୍ତୁତ। ଜୟ ନାରାୟଣ ମିଶ୍ର ପୂର୍ବରୁ ମନ୍ତ୍ରୀ ଥିଲେ, ଦଳର ବରିଷ୍ଠ ନେତା। ତେଣୁ ସେ ମନ୍ତ୍ରୀ ହେବା ଉଚିତ୍‌ ବୋଲି ଶ୍ରୀ ସୋରେନ ମନ୍ତବ୍ୟ ରଖିଛନ୍ତି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମୁଖ୍ୟମନ୍ତ୍ରୀ କୌଣସି ଠୋସ୍‌ ନିଷ୍ପତ୍ତି ନେଇପାରୁନଥିବା ବେଳେ ବରିଷ୍ଠ ବିଧାୟକଙ୍କର ଏପରି ବୟାନ ତାଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରୁଛି। ବିଭିନ୍ନ ସମୀକରଣକୁ ଦୃଷ୍ଟିରେ ରଖି ସବୁ କୋଟେରୀକୁ ଖୁସି କରିବା ପରି ପୂର୍ଣ୍ଣାଙ୍ଗ ମନ୍ତ୍ରୀମଣ୍ଡଳ ଗଠନ ନିଶ୍ଚିତଭାବେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆହ୍ୱାନ ହେବ ବୋଲି ରାଜନୈତିକ ସମୀକ୍ଷକ ମତପ୍ରକାଶ କରିଛନ୍ତି।

About The Author