ନବୀନବାବୁଙ୍କ ମିଶନ୍‍ ଓଡ଼ିଶା

The Sakala Picture
Published On

ନିଜେ ନିଜର ଉଦାହରଣ ହେବା ଏବଂ ପ୍ରତ୍ୟେକ ସଂକଟକାଳରେ ସଫଳତାର ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରି ବୈଶ୍ୱିକ ଆଦର୍ଶ ସୃଷ୍ଟି କରିବା କେବଳ ଅସାଧାରଣ ନେତାଙ୍କ ପକ୍ଷେ ସମ୍ଭବ ହୋଇଥାଏ। ଏଥିରେ ନେତୃତ୍ୱର ଦୂରଦୃଷ୍ଟି, ପରାକାଷ୍ଠା, ସାମର୍ଥ୍ୟ ପ୍ରତିଫଳିତ ହୋଇଥାଏ। ନିର୍ଦ୍ଦିଷ୍ଟ ଭାବେ ଶାସନର ବିଭିନ୍ନ ସୋପାନକୁ ସଫଳତାର ସହ ପରିଚାଳନା କରିବା, ସମସ୍ତ ଯୋଜନାକୁ ଲୋକାଭିମୁଖୀ କରି ଏଥିରେ ଲୋକ କଲ୍ୟାଣକୁ କେନ୍ଦ୍ରୀୟ ଭୂମିକା ଦେବା ସୁଶାସନର ଏକ ଯଥାର୍ଥ ପ୍ରୟୋଗ, ଯାହା ଓଡ଼ିଶାରେ ସଫଳ […]

ନିଜେ ନିଜର ଉଦାହରଣ ହେବା ଏବଂ ପ୍ରତ୍ୟେକ ସଂକଟକାଳରେ ସଫଳତାର ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରି ବୈଶ୍ୱିକ ଆଦର୍ଶ ସୃଷ୍ଟି କରିବା କେବଳ ଅସାଧାରଣ ନେତାଙ୍କ ପକ୍ଷେ ସମ୍ଭବ ହୋଇଥାଏ। ଏଥିରେ ନେତୃତ୍ୱର ଦୂରଦୃଷ୍ଟି, ପରାକାଷ୍ଠା, ସାମର୍ଥ୍ୟ ପ୍ରତିଫଳିତ ହୋଇଥାଏ। ନିର୍ଦ୍ଦିଷ୍ଟ ଭାବେ ଶାସନର ବିଭିନ୍ନ ସୋପାନକୁ ସଫଳତାର ସହ ପରିଚାଳନା କରିବା, ସମସ୍ତ ଯୋଜନାକୁ ଲୋକାଭିମୁଖୀ କରି ଏଥିରେ ଲୋକ କଲ୍ୟାଣକୁ କେନ୍ଦ୍ରୀୟ ଭୂମିକା ଦେବା ସୁଶାସନର ଏକ ଯଥାର୍ଥ ପ୍ରୟୋଗ, ଯାହା ଓଡ଼ିଶାରେ ସଫଳ ହୋଇଛି ବିଗତ ଦୁଇ ଦଶନ୍ଧିରେ। ଏହି ସକଳ ପ୍ରକରଣର ମଙ୍ଗୁଆଳ ହୋଇଛନ୍ତି ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ନବୀନିଜିମ୍‍’ ବା ନବୀନବାବୁଙ୍କ ଶାସନ ତତ୍ତ୍ୱ ଗତାନୁଗତିକ ନୁହେଁ। ଏହା ଜନହିତର ଲକ୍ଷ୍ୟରେ ସଂକଳ୍ପିତ ଓ ରୂପାୟିତ। ୧୯୯୯ ମହାବାତ୍ୟାର କରାଳ ଧ୍ବଂସଲୀଳା ଓ ବ୍ୟାପକ ଧନଜୀବନ ହାନି ରାଜ୍ୟର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା। ତାହାର ଠିକ୍‍ ପରେ ପରେ ଥଇଥାନ ଓ ପୁନଃନିର୍ମାଣର ଜୀବନମନ୍ତ୍ର ନେଇ ଓଡ଼ିଶାର ଭାଗ୍ୟ ଆକାଶରେ ଉଦିତ ନୂତନ ସୂର୍ଯ୍ୟ ଥିଲେ ଶାନ୍ତ, ସରଳ ଓ ଉଦ୍‍ଯୋଗୀ ଜନନେତା ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ଗୋଟିଏ ପରେ ଗୋଟିଏ ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ଦାରିଦ୍ର୍ୟ ଓ ହତାଶାର ଅନ୍ଧକାରରୁ ସ୍ୱାବଲମ୍ବନ ତଥା ସାମାଜିକ ଓ ଆର୍ଥିକ ଉତ୍‍ଥାନର ବାଟ ଫିଟାଇଦେଲେ ଓଡ଼ିଶାର ନୂତନ ପରିବାର ମୁଖ୍ୟ ଓ ପୁନଃନିର୍ମାଣର କର୍ଣ୍ଣଧାର। ୧୯୯୯ ମହାବାତ୍ୟାରୁ ‘ୟାସ୍‍’- ଏହି ୨୨ ବର୍ଷ ଓଡ଼ିଶା ଇତିହାସର ଏକ ଜଟିଳ ଓ ଆହ୍ୱାନମୂଳକ ସମୟ ପ୍ରାକୃତିକ ବିପର୍ଯ୍ୟୟ ଦୃଷ୍ଟିରୁ। ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ, ବିପର୍ଯ୍ୟୟ ପରିଚାଳନା ନୀତି ପ୍ରସ୍ତୁତି, ପ୍ରଶାସନକୁ ଅତ୍ୟଧିକ ଦାୟିତ୍ୱବାନ ଓ ସଂବେଦନଶୀଳ କରିବା, ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟରେ ନୂଆ ନୀତି, କୌଶଳର ଉପଯୋଗ କରିବା କାର୍ଯ୍ୟକୁ ସେ ଅତ୍ୟନ୍ତ କୌଶଳପୂର୍ଣ୍ଣ ଓ ସହୃଦୟତା ସହ ଦିଗ୍‍ଦର୍ଶନ ଦେଇଥିଲେ। ଏଥିରେ ସର୍ବାଧିକ ଗୁରୁତ୍ୱ ପାଇଥିଲା ଏକ ସ୍ଥିତିସ୍ଥାପକ, ଦୃଢ଼ ଭିତ୍ତିଭୂମି ଓ ବିପର୍ଯ୍ୟୟ ପରିଚାଳନା ନୀତି ନିର୍ଦ୍ଧାରଣ। ଇତିମଧ୍ୟରେ କ୍ରମାଗତ ତିନିଟି ବଡ଼ ସାମୁଦ୍ରିକ ତୋଫାନ ସହ ଓଡ଼ିଶା ଛ’ଟି ବାତ୍ୟା, ୧୦ରୁ ଅଧିକ ବଡ଼ବନ୍ୟା ଓ ମରୁଡ଼ିର ସମ୍ମୁଖୀନ ହୋଇଛି। ୧୯୯୯ ମହାବାତ୍ୟାରେ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଗତ ଛ’ଟି ବାତ୍ୟାରେ ମୋଟ୍‍ ମୃତ୍ୟୁ ସଂଖ୍ୟା ନଗଣ୍ୟ ଏବଂ ସ୍ଥଳବିଶେଷରେ ଶୂନ୍ୟ ରହିବା ପଛରେ ସରକାରଙ୍କ ନୀତି, ପୂର୍ବପ୍ରସ୍ତୁତି ଓ ବିପର୍ଯ୍ୟୟ ପରିଚାଳନାର ଗୁରୁତ୍ୱ ଅନସ୍ୱୀକାର୍ଯ୍ୟ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ନବୀନବାବୁ ଭଲଭାବେ ଜାଣିଛନ୍ତି ଓଡ଼ିଶା ସ୍ୱଭାବତଃ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ। ତେଣୁ ଏହାର ମୁକାବିଲାରେ ସବୁଲୋକଙ୍କୁ ସୁରକ୍ଷା ଓ ‘ଶୂନ୍ୟ ମୃତ୍ୟୁ’ର ମୂଳମନ୍ତ୍ର ବାସ୍ତବିକ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ବିପର୍ଯ୍ୟୟ ପରିଚାଳନାର ପ୍ରାଥମିକ ଲକ୍ଷ୍ୟ ହେଲା ‘ମୃତ୍ୟୁ ସଂଖ୍ୟା ଶୂନ୍ୟ’ ଓ ‘ସର୍ବନିମ୍ନ କ୍ଷୟକ୍ଷତି’ର ରଣନୀତି ଅବଲମ୍ବନ। ନବୀନବାବୁଙ୍କ ନେତୃତ୍ୱରେ ଓଡ଼ିଶା ବାରମ୍ବାର ଏହି ଲକ୍ଷ୍ୟ ପୂରଣ କରିପାରିଥିବାରୁ ମୁଖ୍ୟମନ୍ତ୍ରୀ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ପ୍ରଶଂସିତ ହେବା ଆମ ସମସ୍ତଙ୍କ ପାଇଁ ଗର୍ବର କଥା। ଗତ ତିନିବର୍ଷର କ୍ରମାଗତ ବାତ୍ୟା ପରିଚାଳନାର ସ୍ଥିତି ଦେଖିବା ପରେ ମନେ ହେଉଛି ୧୯୯୯ର ସେହି ଦୁଃଖଦ ଇତିହାସର ପୁନରାବୃତ୍ତି ଆଶଙ୍କା ଦୂର ହୋଇଛି। ଓଡ଼ିଶାକୁ ଏବେ ବାତ୍ୟା ମୁକାବିଲାର ‘ମଡେଲ୍‍’ ଭାବେ ପରିଗଣିତ କରାଯାଉଛି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଶକ୍ତି, ପ୍ରେରଣା ଓ ଦିଗଦର୍ଶନର ଏକ ଅଟଳ ପ୍ରାଚୀର ଭାବେ ଛିଡ଼ା ହୋଇଛନ୍ତି। ସବୁ କଥା ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମିଶନ ମୋଡ୍‌ରେ ଚାଲିଛି। ତା’ ନ ହୋଇଥିଲେ ବାତ୍ୟାର ମାତ୍ର ୨୪ ଘଣ୍ଟା ପୂର୍ବରୁ କରୋନା ମହାମାରୀର ପ୍ରଚଣ୍ଡ ସଂକ୍ରମଣ ଭିତରେ ସାତ ଲକ୍ଷରୁ ଅଧିକ ଲୋକଙ୍କୁ ତଳିଆ ଅଞ୍ଚଳରୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରିବା ସମ୍ଭବ ହୋଇ ନଥା’ନ୍ତା।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

କ୍ରମାଗତ ଭାବେ ପଞ୍ଚମଥର କ୍ଷମତାକୁ ଆସିବା, ପ୍ରତ୍ୟେକ ନିର୍ବାଚନରେ ପୂର୍ବଥର ଅପେକ୍ଷା ଅଧିକ ଜନସମର୍ଥନ ଲାଭ କରିବା ପଛରେ ଯେଉଁ ତତ୍ୱଟି କାମ କରୁଛି ତାହା ହେଲା ‘ଜନତାଙ୍କ ଆସ୍ଥା’। ଲୋକେ ଶାସନର ସଫଳତା ଓ ଦକ୍ଷତା ପରଖନ୍ତି ଏବଂ ତଦନୁସାରେ ଜନାଦେଶ ଦେଇଥା’ନ୍ତି। ସୁଶାସନ, ଜନକଲ୍ୟାଣ, ରୋଜଗାର ଯୋଗାଣ, ସ୍ୱାସ୍ଥ୍ୟସେବା, ଅର୍ଥନୈତିକ ବିକାଶ, ସାମାଜିକ କଲ୍ୟାଣ, ଦୁର୍ନୀତି ନିରାକରଣ, ସମୟୋଚିତ ସେବା ଯୋଗାଣ, ପ୍ରଶାସନର ଲୋକାଭିମୁଖୀକରଣ- ଏସବୁ ସୁଶାସନର ଉପାଦାନ। ଦୂରଦର୍ଶୀ, ଦକ୍ଷ, ଜନପ୍ରିୟ ଓ ସମ୍ବେଦନଶୀଳ ନେତୃତ୍ୱ ହିଁ ଏପରି ସିଦ୍ଧି ଲାଭ କରିପାରେ। ନବୀନବାବୁ ତାଙ୍କର ନୂଆ ରାଜନୈତିକ ଓ ଅମଲାତାନ୍ତ୍ରିକ ପରିଚାଳନାରେ ଏସବୁ କରିବାରେ ସଫଳ ହେବା ସହିତ ଜାତୀୟସ୍ତରରେ ଆବଶ୍ୟକସ୍ଥଳେ କେତେକ ଅଭିନବ ପଦକ୍ଷେପ ଗ୍ରହଣ କରି ନିଜର ରାଷ୍ଟ୍ରନୀତିଜ୍ଞ ବିଚାରକୁ ପ୍ରକଟ କରି ସମସ୍ତଙ୍କ ପ୍ରଶଂସାଭାଜନ ହୋଇପାରିଛନ୍ତି। ନବୀନବାବୁ ଜଣେ ବିରଳ, ନିଆରା ରାଜନେତା, ସ୍ୱଳ୍ପଭାଷୀ, ନମ୍ର, ଭଦ୍ର, ଶାନ୍ତ ଓ ଅବିଚଳିତ। ଏହି ନେତା ଆତ୍ମବଡ଼ିମାର ପ୍ରଚାରରୁ ସର୍ବଥା ବିରତ।

ବିଗତ ୨୨ବର୍ଷର ଓଡ଼ିଶାର ବିକାଶ ଯାତ୍ରାକୁ ଅନୁଧ୍ୟାନ କଲେ ସେଥିରେ ନବୀନବାବୁଙ୍କ ଛାପ ସୁସ୍ପଷ୍ଟ। କେବଳ ବିପର୍ଯ୍ୟୟ ପରିଚାଳନା ନୁହେଁ, ବରଂ ରାଜ୍ୟର ସର୍ବାଙ୍ଗୀଣ ଉନ୍ନତି, ବିଶେଷକରି ଗରିବ, ଦଳିତ, କୃଷକ, ମହିଳା, ଯୁବଗୋଷ୍ଠୀର ସୁପରିକଳ୍ପିତ କଲ୍ୟାଣ ସାଧନ ଏବଂ ଓଡ଼ିଆ ଐତିହ୍ୟ ଓ ସଂସ୍କୃତିର ବଳିଷ୍ଠ ଉପସ୍ଥାପନର ସଫଳ ପ୍ରକ୍ରିୟାକୁ ଆମେ ସବୁ ଅନୁଭବ କରିବାର ସୌଭାଗ୍ୟ ଲାଭ କରିଆସିଛୁ। ମିଶନ୍‍ ଶକ୍ତି, କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ବିଜୁ ପକ୍କାଘର, ଖାଦ୍ୟ ସୁରକ୍ଷା, ମୋ ସ୍କୁଲ୍‍, ମୋ ଗାଁ ଆଦି ଯୋଜନାର ଶଙ୍ଖଧ୍ୱନି ଆଜି ଓଡ଼ିଶାର ମାଇଲଖୁଣ୍ଟ ହୋଇସାରିଛି। ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’, ‘ଶୂନ୍ୟ ମୃତ୍ୟୁ ସଂଖ୍ୟା’, ‘ଅକ୍ସିଜେନ୍‍ ଏକ୍ସପ୍ରେସ୍‍’ ଆଦି ସ୍ଲୋଗାନ୍‍ ପ୍ରତ୍ୟେକ ଓଡ଼ିଆର ସ୍ୱାଭିମାନ ଜାଗ୍ରତ କରେ। ୧୯୯୯ ମହାବାତ୍ୟା ପରର ସଂରକ୍ଷକ ନବୀନବାବୁ ‘ୟସ୍‍’ ବାତ୍ୟା ପରବର୍ତ୍ତୀ ରାଷ୍ଟ୍ରବିକାଶ ଚେତନା ପୁରୁଷ ଭାବେ ବିବର୍ତ୍ତନ ହେବା ଆମ ମୁଖ୍ୟମନ୍ତ୍ରୀଙ୍କୁ ସବୁ ଓଡ଼ିଆଙ୍କ ସୁଖଦୁଃଖରେ ପରିବାର ମୁଖିଆ ସହିତ ଏକ ମହାଭାରତୀୟ ବ୍ୟକ୍ତିତ୍ୱରେ ପରିଣତ କରିଛି। ସମୀକ୍ଷକଙ୍କ ଦୃଷ୍ଟିରେ ନବୀନବାବୁଙ୍କ ‘ମିଶନ୍‍ ଓଡ଼ିଶା’ର ରୁକ୍କୁଣା ରଥ ଅଣଲେଉଟା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର