ଟ୍ରମ୍ପଙ୍କୁ ପାନେ

The Sakala Picture
Published On

କ୍ଷମତା ସହ ରାଜନୈତିକ ଆଦର୍ଶ, ନୀତି ଓ ବିଚାରବୋଧର କୌଣସି ସମ୍ପର୍କ ନାହିଁ। କାରଣ ଆର୍ଥିକ ଶକ୍ତି ଓ ସାମର୍ଥ୍ୟ ମାଧ୍ୟମରେ ପ୍ରତିଷ୍ଠା ଓ ପ୍ରଭୁତ୍ବ ଜାହିର କରିବା ଏକ ଗ୍ରହଣଯୋଗ୍ୟ ବ୍ୟବସ୍ଥାରେ ପରିଣତ ହୋଇଛି। ତେଣୁ ଯୁଦ୍ଧମୁକ୍ତ ବିଶ୍ବ ସମ୍ଭାବନା କ୍ରମେ ଊଣା ହେବାରେ ଲାଗିଛି। ଏଭଳି ପରିର୍ଥିତିରେ ନିଜେ ପ୍ରତ୍ୟକ୍ଷ ସମ୍ପୃକ୍ତ ହେବା ଅପେକ୍ଷା ଅନୁଗତଙ୍କୁ ଲଢ଼େଇ ଦେଇ ଯୁଦ୍ଧାସ୍ତ୍ରର ବେପାର ସକାଶେ କ୍ଷେତ୍ର ପ୍ରସ୍ତୁତ କରିବା ହେଉଛି ପ୍ରଚଳିତ ବାଣିଜ୍ୟ ନୀତିର ଅଂଶବିଶେଷ। […]

କ୍ଷମତା ସହ ରାଜନୈତିକ ଆଦର୍ଶ, ନୀତି ଓ ବିଚାରବୋଧର କୌଣସି ସମ୍ପର୍କ ନାହିଁ। କାରଣ ଆର୍ଥିକ ଶକ୍ତି ଓ ସାମର୍ଥ୍ୟ ମାଧ୍ୟମରେ ପ୍ରତିଷ୍ଠା ଓ ପ୍ରଭୁତ୍ବ ଜାହିର କରିବା ଏକ ଗ୍ରହଣଯୋଗ୍ୟ ବ୍ୟବସ୍ଥାରେ ପରିଣତ ହୋଇଛି। ତେଣୁ ଯୁଦ୍ଧମୁକ୍ତ ବିଶ୍ବ ସମ୍ଭାବନା କ୍ରମେ ଊଣା ହେବାରେ ଲାଗିଛି। ଏଭଳି ପରିର୍ଥିତିରେ ନିଜେ ପ୍ରତ୍ୟକ୍ଷ ସମ୍ପୃକ୍ତ ହେବା ଅପେକ୍ଷା ଅନୁଗତଙ୍କୁ ଲଢ଼େଇ ଦେଇ ଯୁଦ୍ଧାସ୍ତ୍ରର ବେପାର ସକାଶେ କ୍ଷେତ୍ର ପ୍ରସ୍ତୁତ କରିବା ହେଉଛି ପ୍ରଚଳିତ ବାଣିଜ୍ୟ ନୀତିର ଅଂଶବିଶେଷ। ଆର୍ଥିକ ଦୃଷ୍ଟିରୁ ବିଶ୍ବର ସର୍ବଶକ୍ତିମାନ ରାଷ୍ଟ୍ର ଆମେରିକା ଓ ଚୀନ ପରସ୍ପରର ପ୍ରତିଯୋଗୀ ହେଲେ ମଧ୍ୟ ପ୍ରତ୍ୟକ୍ଷ ଭାବେ ଯୁଦ୍ଧ ଲଢୁନାହାନ୍ତି। ଅଥଚ ସେମାନଙ୍କ ଅସ୍ତଶସ୍ତ୍ର ବେପାର ବଢ଼ି ଚାଲିଛି। ଅନ୍ୟପକ୍ଷରେ ଆର୍ଥିକ ଶକ୍ତି, ସାମର୍ଥ୍ୟ ଓ ସମୃଦ୍ଧି ହାସଲ ସକାଶେ ଯେଉଁ ରାଷ୍ଟ୍ର ନିରବଚ୍ଛିନ୍ନ ପ୍ରୟାସ ଜାରି ରଖୀଛନ୍ତି ସେମାନଙ୍କ ଅତିକ୍ରମଣ ଓ ଅଗ୍ରଗତିକୁ ବାଧା ଦେବାକୁ ଏହି ଦୁଇରାଷ୍ଟ୍ର ତତ୍ପର। ଏମାନଙ୍କ ବିଚିତ୍ର ଭୂମିକାକୁ ଦେଖୀଲେ ମନେହୁଏ, ଉଭୟ ଭୂତ ଓ ଗୁଣିଆ ହୋଇ ଅନ୍ୟମାନଙ୍କ ଅଗ୍ରସରକୁ ଗତିରୋଧ କରୁଛନ୍ତି। ଟ୍ରମ୍ପଙ୍କ କର୍ପୋରେଟ ସହଯୋଗୀ ଏଲନ ମସ୍କ ନୂଆ ପ୍ରଶାସନିକ ବ୍ୟବସ୍ଥାରେ ସବୁଠାରୁ କ୍ଷମତା ସମ୍ପନ୍ନ ଥିଲେ। ଏପରିକି ଟାରିଫ ଯୁଦ୍ଧରେ ସମସ୍ତଙ୍କୁ ନାଲିଆଖି ଦେଖାଇ ନିଜ ଫାଇଦା ହାସଲ କରିଚାଲିଥିଲେ। ସରକାରୀ ଦକ୍ଷତା ବିଭାଗ ଦାୟିତ୍ବରେ ରହି ସେ ଏପରି କିଛି କାମକଲେ, ଯାହା ତାଙ୍କୁ ସାଧାରଣରେ ନିନ୍ଦିତ କଲା। କ୍ଷମତା ଓ ବେପାର ଏକାସାଙ୍ଗେ ଚାଲେନି। ଏକଥା ବୁଝିବାକୁ ତାଙ୍କୁ ୪ମାସ ଲାଗିଗଲା। ଶେଷରେ ସେ ଦେଇଥିବା ଇସ୍ତଫା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ ବାଣିଜ୍ୟଯୁଦ୍ଧ ମାଧ୍ୟମରେ ସମସ୍ତଙ୍କୁ ନାଲିଆଖୀ ଦେଖାଉଥିବା ବେଳେ ଚୀନ ଆର୍ଥିକ ଦୃଷ୍ଟିରୁ ଦୁର୍ବଳରାଷ୍ଟ୍ରଙ୍କୁ ଆର୍ଥିକ ସହାୟତା ଯୋଗାଇ ଶୋଷଣ କରିଚାଲିଛି। ଏହି ବିଚିତ୍ର ପରିସ୍ଥିତିରେ ଭାରତ–ପାକିସ୍ତାନ ଯୁଦ୍ଧ ବିରତି ସ୍ବତନ୍ତ୍ର ଆଲୋଚନା ଦାବି କରେ।

ବାଣିଜ୍ୟ ସମ୍ପର୍କ ଛନ୍ନ କରିବାର ନାଲି ଆଖୀ ଦେଖାଇ ଉଭୟ ଭାରତ ଓ ପାକିସ୍ତାକୁ ଯୁଦ୍ଧ ବିରତି ସକାଶେ ରାଜି କରାଇଛନ୍ତି ବୋଲି ଟ୍ରମ୍ପ ଯେଉଁ ଦାବି କରିଛନ୍ତି ତାହା ଆମେରିକାର ଆନ୍ତର୍ଜାତିକ ବାଣିଜ୍ୟ ଅଦାଲତ କ୍ଷମତା ବହିର୍ଭୂତ କାର୍ଯ୍ୟ ବୋଲି ଦର୍ଶାଇଛନ୍ତି। ଏହା ସଂଘୀୟ ସାମ୍ବିଧାନିକ ବ୍ୟବସ୍ଥାର ଅତିକ୍ରମଣ ବୋଲି ଦିଆଯାଇଥିବା ମନ୍ତବ୍ୟକୁ ଉଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିବା ବ୍ୟତୀତ ଟ୍ରମ୍ପ ପ୍ରଶାସନ ପାଖରେ ଅନ୍ୟ କୌଣସି ପନ୍ଥା ନଥିଲା। ତାହା ହିଁ ଟ୍ରମ୍ପଙ୍କ ପକ୍ଷରୁ କରାଯାଇଛି ଏବଂ ସାମୟିକ ଆଶ୍ବସ୍ତି ମିଳିଛି। ଆନ୍ତର୍ଜାତିକ ବାଣିଜ୍ୟ ଅଦାଲତଙ୍କ ନିର୍ଦ୍ଦେଶ ଉପରେ ୟୁଏସ୍ କୋର୍ଟ ଅଫ୍‌ ଆପିଲ୍ ରହିତାଦେଶ ଜାରି କରିଛନ୍ତି। ଅର୍ଥାତ୍‌ ଟ୍ରମ୍ପଙ୍କ ତାରିଫ୍‌ ନୀତି ବଳବତ୍ତର ରହିବ। ଅଦାଲତରେ ଟ୍ରମ୍ପଙ୍କ ଶାସନତନ୍ତ୍ର ମିଳିତ ଭାବେ ଏହି ପଦକ୍ଷମତାକୁ ଜାହିର କରୁଥିବା ବେଳେ ଆମପକ୍ଷରୁ ଯେଉଁ ଢଙ୍ଗରେ ଖଣ୍ଡନ କରାଯିବା କଥା ତାହା ଏ ପର୍ଯ୍ୟନ୍ତ ହୋଇନି। କେବଳ ବୈଦେଶିକ ସଚିବ ବିକ୍ରମ ମିଶ୍ରି ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଦୁଇ ରାଷ୍ଟ୍ରର ଜିଜିଏମ୍‌ଓ ସ୍ତରରେ ଯୁଦ୍ଧ ବିରତି ପ୍ରସ୍ତାବ ସ୍ଥିରୀକୃତ ହୋଇଛି। ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିରବତାକୁ ସମାଲୋଚନା କରାଯାଉଥିବା ବେଳେ ଆମକୁ ଏଠାରେ କିନ୍ତୁ କହିବାକୁ ପଡ଼ିବ ଯେ ରାଷ୍ଟ୍ରର ବୃହତ୍ତର ସ୍ବାର୍ଥକୁ ପରାହତ କରିବା ଭଳି କିଛି ଉଚ୍ଚାରଣରୁ ନିବୃତ୍ତ ରହିବା ହେଉଛି ଜଣେ ଦୂରଦୃଷ୍ଟି ସଂପନ୍ନ ନେତାଙ୍କ କର୍ତ୍ତବ୍ୟ। ହୋଇପାରେ ଭାରତ ଓ ପାକିସ୍ତାନ ପ୍ରସଙ୍ଗରେ ତୃତୀୟ ରାଷ୍ଟ୍ର ହସ୍ତକ୍ଷେପ ବା ମଧ୍ୟସ୍ଥତାର ସୁଯୋଗ ନାହିଁ। ଏ ଦିଗରେ ସିମ୍‌ଲା ରାଜିନାମାର କଟକଣା ଆନ୍ତର୍ଜାତିକ ସ୍ତରରେ ସ୍ବୀକୃତି ହାସଲ କରିଥିଲେ ମଧ୍ୟ ଟ୍ରମ୍ପଙ୍କୁ ଉତ୍ତର ଦେବା ସକାଶେ ସଠିକ୍‌ ସମୟ ଉପୁଜି ନାହିଁ।

ଭାରତ ଓ ପାକିସ୍ତାନ ମଧ୍ୟରେ ଏହା ଥିଲା ଅଘୋଷିତ ଯୁଦ୍ଧ। ଅଣୁଅସ୍ତ୍ର କ୍ଷମତାସଂପନ୍ନ ଦୁଇରାଷ୍ଟ୍ର ମଧ୍ୟରେ ପୂର୍ଣ୍ଣକାଳୀନ ଯୁଦ୍ଧ ହେଲେ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣହାନି ଘଟିବାର ଆଶଙ୍କା ଥିବାରୁ ଟ୍ରମ୍ପ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲେ ବୋଲି ଶାସନତନ୍ତ୍ର ପକ୍ଷରୁ ଅଦାଲତରେ ଦର୍ଶାଇଥିଲା। ଏକଥା ସତ ଯେ ଟ୍ରମ୍ପଙ୍କ ବାଣିଜ୍ୟ ଯୁଦ୍ଧ କେବଳ ଭାରତ ଓ ପାକିସ୍ତାନ ପ୍ରସଙ୍ଗରେ ସୀମିତ ନଥିଲା। ସେ ଜାନୁଆରୀରେ କ୍ଷମତାସୀନ ହେବା ମାତ୍ରେ ଚୀନ୍‌, ମେକ୍ସିକୋ ଓ କାନାଡ଼ା ବିରୋଧରେ ଏକତରଫା ଅତରିକ୍ତ ତାରିଫ୍‌ ଲାଗୁ କରିଥିଲେ। ଆନ୍ତର୍ଜାତିକ ବାଣିଜ୍ୟ ଅଦାଲତରେ ଦର୍ଶାଯାଇଛି ଯେ ୧୯୭୭ରେ ଆନ୍ତର୍ଜାତିକ ଜରୁରୀ ଅର୍ଥନୀତି କ୍ଷମତା ଆଇନ(ଆଇପା)ର ଏ କ୍ଷେତ୍ରରେ ଦୁରୁପଯୋଗ କରିଛନ୍ତି ଟ୍ରମ୍ପ। ରାଷ୍ଟ୍ରପତିଙ୍କ ଏକତରଫା ତାରିଫ ଲାଗୁ କରିବାର କ୍ଷମତା ନାହିଁ। ଅତୀତରେ ରାଷ୍ଟ୍ରପତି ଜନ୍‌ସନ ମଧ୍ୟ ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ଆମେରିକାର କଂଗ୍ରେସ ସହମତିରେ ରାଷ୍ଟ୍ରପତି ଏଦିଗରେ କିଛି ପଦକ୍ଷେପ ଗ୍ରହଣ କରିପାରିବେ। ବିଶ୍ବ ଅର୍ଥନୀତି ଉପରେ ଟ୍ରମ୍ପଙ୍କ ଏହି ଅନମନୀୟ ଆଚରଣ ପ୍ରତିକୂଳ ପ୍ରଭାବ ପକାଇଛି। ଏହା ଆମେରିକା ସାଂବିଧାନିକ ବ୍ୟବସ୍ଥାର ପରିପନ୍ଥୀ। ଏକଥା ମଧ୍ୟ ଦର୍ଶାଯାଇଛି ଯେ ଟ୍ରମ୍ପଙ୍କ ଚାପ ଯୋଗୁଁ ଚୀନ ଆପୋସ ଆଲୋଚନା ସ୍ତରକୁ ଓହ୍ଲାଇବାକୁ ବାଧ୍ୟ ହେଇଛି। ତେବେ ତାରିଫ ଆତଙ୍କରାଜ ସୃଷ୍ଟି ଯେ ଗ୍ରହଣୀୟ ନୁହେଁ ତାହା ଆନ୍ତର୍ଜାତିକ ବାଣିଜ୍ୟ ଅଦାଲତ ମତାମତରୁ ସ୍ପଷ୍ଟ ହୋଇଛି। ଏ ନେଇ ଟ୍ରମ୍ପ ପ୍ରଶାସନ ସଂଘୀୟ ଅଦାଲତରେ ଯେଉଁ ପ୍ରତିକୂଳ ରାୟର ସମ୍ମୁଖୀନ ହୋଇଛନ୍ତି ତାହା ବିରୋଧରେ ଉଚ୍ଚ ଅଦାଲତରେ ଆବେଦନ କରି ସାମୟିକ ଆଶ୍ବସ୍ତି ଲାଭ କରିଛନ୍ତି।

ଘଟଣାକ୍ରମର ଗତି ଓ ପ୍ରକୃତି ଯେଉଁ ଦିଗକୁ ଯାଉଛି ତାହାକୁ ବିଶ୍ଲେଷଣ କଲେ ମନେ ହୁଏ କିଛି ନା କିଛି ରହସ୍ୟ ରହିଯାଇଛି, ଯାହା ଏପର୍ଯ୍ୟନ୍ତ ଉନ୍ମୋଚନ ହୋଇପାରିନାହିଁ। ଭାରତ ପକ୍ଷରୁ ଦିଆଯାଇଥବା ସ୍ପଷ୍ଟୀକରଣର ବିଶ୍ବସନୀୟତା ନେଇ ବିଭିନ୍ନ ମହଲରେ ସନ୍ଦେହ ଉଙ୍କିମାରିଛି। ଉଭୟ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ଭୂମିକା ଅସ୍ପଷ୍ଟ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ‘ଅପରେସନ ସିନ୍ଦୂର’ର ସଫଳତାରେ ସମଗ୍ର ଦେଶବାସୀଙ୍କୁ ସିନ୍ଦୂରିମା କରିପକାଇଲେଣି। ଏକଥା ସତ ଯେ ଉଭୟ ପକ୍ଷର ସ୍ବାର୍ଥ ଦୃଷ୍ଟିରୁ ଯୁଦ୍ଧ ବିରତିର ଆବଶ୍ୟକତା ଥିଲା। ଯୁଦ୍ଧ ବଦଳରେ ଶାନ୍ତି ଚାହୁଁଥିବା ଲୋକଙ୍କ ସକାରାତ୍ମକ ଅଭିବ୍ୟକ୍ତି ଯେଭଳି ପ୍ରଶଂସନୀୟ ସେହିଭଳି ବିଜୟର ନିକଟବର୍ତ୍ତୀ ହୋଇଥିବା ଭାରତର ଦେଶପ୍ରେମୀ ଯୁଦ୍ଧବିରତି ଘୋଷଣାରେ ଭୟଙ୍କର ଅସନ୍ତୁଷ୍ଟ। ଏତଦ୍‌ବ୍ୟତୀତ କୂଟନୈତିକ ସ୍ତରରେ ଆମର ଅସଫଳତା ବାରି ହୋଇପଡ଼ୁଛି। ବହୁଦଳୀୟ ଦୂତଙ୍କୁ ପଠାଯାଇଥିଲେ ମଧ୍ୟ ଏହି ପ୍ରୟାସରୁ ଆକାଂକ୍ଷିତ ସୁଫଳ ମିଳିନାହିଁ। ଆମକୁ ଏଠାରେ କହିବାକୁ ପଡ଼ିବ ଯେ ଏଭଳି ଏକ ସଂକଟ ସମୟରେ ବୈଦେଶିକ ନୀତି ମଧ୍ୟ କଠୋର ପରୀକ୍ଷାର ସମ୍ମୁଖୀନ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର