ଶତ୍ରୁର ଶତ୍ରୁ, ମିତ୍ର
ଶତ୍ରୁର ଶତ୍ରୁ ରାଷ୍ଟ୍ର ସହ ମିତ ବସିବା, ଏପରିକି ମିତ୍ର ରାଷ୍ଟ୍ର ସହ ଶତ୍ରୁତା ଆଚରଣ କରୁଥିବା ରାଷ୍ଟ୍ରକୁ ବ୍ୟାବସାୟିକ ସହଯୋଗିତା ମାଧ୍ୟମରେ ଆର୍ଥିକ ଫାଇଦା ହାସଲ କରିବା ଭଳି ସମ୍ପର୍କ ସହ କୂଟନୈତିକ ସମ୍ପର୍କର ସଦାଚାରକୁ ସଂଯୋଗ କରିବା ଠିକ୍ ହେବନାହିଁ। ଆଫଗାନିସ୍ତାନ ସହ ଚୀନ ଓ ଭାରତର ସଂପର୍କ ପ୍ରେକ୍ଷାପଟ୍ଟରେ ଆମେ ଏହି ମନ୍ତବ୍ୟ ଦେଉଛୁ। ୨୦୨୧ରେ ତାଲିବାନ ସାମରିକ ବିଦ୍ରୋହ ମାଧ୍ୟମରେ ଆଫଗାନିସ୍ତାନର କ୍ଷମତା ଦଖଲ କରିଛି। ଏହି ପରିସ୍ଥିତିରେ ପାଶ୍ଚାତ୍ୟ ସାହାଯ୍ୟ […]
ଶତ୍ରୁର ଶତ୍ରୁ ରାଷ୍ଟ୍ର ସହ ମିତ ବସିବା, ଏପରିକି ମିତ୍ର ରାଷ୍ଟ୍ର ସହ ଶତ୍ରୁତା ଆଚରଣ କରୁଥିବା ରାଷ୍ଟ୍ରକୁ ବ୍ୟାବସାୟିକ ସହଯୋଗିତା ମାଧ୍ୟମରେ ଆର୍ଥିକ ଫାଇଦା ହାସଲ କରିବା ଭଳି ସମ୍ପର୍କ ସହ କୂଟନୈତିକ ସମ୍ପର୍କର ସଦାଚାରକୁ ସଂଯୋଗ କରିବା ଠିକ୍ ହେବନାହିଁ। ଆଫଗାନିସ୍ତାନ ସହ ଚୀନ ଓ ଭାରତର ସଂପର୍କ ପ୍ରେକ୍ଷାପଟ୍ଟରେ ଆମେ ଏହି ମନ୍ତବ୍ୟ ଦେଉଛୁ। ୨୦୨୧ରେ ତାଲିବାନ ସାମରିକ ବିଦ୍ରୋହ ମାଧ୍ୟମରେ ଆଫଗାନିସ୍ତାନର କ୍ଷମତା ଦଖଲ କରିଛି। ଏହି ପରିସ୍ଥିତିରେ ପାଶ୍ଚାତ୍ୟ ସାହାଯ୍ୟ ହଠାତ୍ ବନ୍ଦ ହୋଇଯିବାରୁ ଭୟଙ୍କର ଆର୍ଥିକ ଦୁର୍ଗତି ଦେଇ ଗତିକରୁଛି ତାଲିବାନ। ତେବେ ଚୀନ ୨୦୧୭ରୁ ରଖି ଆସିଥିବା ସମ୍ପର୍କ ଏବେ ମଧ୍ୟ ଅତୁଟ ରହିଛି। ଫାଇବର କେବୁଲ ବିଛାଇବାଠାରୁ ଆରମ୍ଭ କରି ବେଲ୍ଟ ଆଣ୍ଡ ରୋଡ ନିର୍ମାଣ, ପଞ୍ଚରାଷ୍ଟ୍ରୀୟ ରେଳ ସଂଯୋଗ, ତମ୍ବା ଖଣି ଖନନ, ସର୍ବୋପରି ଆମୁଦରିଆ ବେସିନରୁ ତୈଳ ଉତ୍ତୋଳନ କରି ଆଫଗାନିସ୍ତାନ ସହ ସଂପର୍କ କେବଳ ସୁଦୃଢ଼ କରିନି, ବିପୁଳ ଆର୍ଥିକ ଫାଇଦା ହାସଲର କ୍ଷେତ୍ର ପ୍ରସ୍ତୁତ କରିଛି। କିନ୍ତୁ ଆମେ କ’ଣ କରିଛୁ? ତାଲିବାନ ବିଦ୍ରୋହ ସମୟରୁ ପାଶ୍ଚାତ୍ୟ ରାଷ୍ଟ୍ର ସହ ହାତ ମିଳାଇ କୂଟନୈତିକ ସମ୍ପର୍କ ଛିନ୍ନ କରିଛୁ। ସୀମାନ୍ତ ଅତିକ୍ରମ କରି ଚାଲିଥିବା ଆତଙ୍କବାଦକୁ ନେଇ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଜାରି ରହିଥିବା ସଂଘର୍ଷର ସୁଯୋଗ ନେଇ ଆମେ ସଂପର୍କ ଯୋଡ଼ିବାକୁ ଆରମ୍ଭ କରିଛୁ। ଶତ୍ରୁର ଶତ୍ରୁ ସହ ଆମେ ମିତ ବସିବା ପାଇଁ ଦୁଇଦେଶର ବୈଦେଶିକ ସ୍ତରରେ ପ୍ରାରମ୍ଭିକ କଥାବାର୍ତ୍ତା ହୋଇଛି। ହୋଇପାରେ ଆଗକୁ ଏହା ଦ୍ୱିପାକ୍ଷିକ ସମ୍ପର୍କର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବ।
ବେଲୁଚିସ୍ତାନ ବିଦ୍ରୋହୀ ଓ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ପକ୍ଷରୁ କ୍ରମାଗତ ଆକ୍ରମଣର ସମ୍ମୁଖୀନ ହୋଇ ପାକ୍ ସେନା କେବଳ ଲହୁଲୁହାଣ ହୋଇ ନାହାନ୍ତି, ଦିନକୁ ଦିନ ସେମାନଙ୍କ ପ୍ରଭାବ ଓ ପ୍ରତିଷ୍ଠା କ୍ଷୁଣ୍ଣ ହେବାରେ ଲାଗିଛି। ଏଭଳି ଏକ ପ୍ରତିକୂଳ ପରିସ୍ଥିତିରେ ସେନାବାହିନୀର ମୁଖ୍ୟ ମୁନୀର ଯେଉଁ ଭାରତ ବିରୋଧୀ ଷଡ଼ଯନ୍ତ୍ର ରଚନା କରିଥିଲେ ତାହାର ପରାଭବ ଏବେ ସେ ଭୋଗିଛନ୍ତି। ଏପରିକି ପାକ୍ ଅଧିକୃତ କାଶ୍ମୀର ତାଙ୍କ ଦଖଲରୁ ଚାଲିଯିବା ଭୟରେ ଚୀନର ସହାୟତା ମଧ୍ୟ ଲୋଡ଼ିଛନ୍ତି। ପାକିସ୍ତାନ ଓ ଚୀନ ଉଭୟଙ୍କ ସ୍ୱାର୍ଥ ଅଧିକୃତ କାଶ୍ମୀରରେ ନିହିତ ଥିବାରୁ ସମ୍ଭାବ୍ୟ ଆକ୍ରମଣର ମୁକାବିଲା ସକାଶେ ମିଳିତ ପ୍ରୟାସ ଆରମ୍ଭ ହୋଇଥିବା ସୂଚନା ମିଳିଛି। ତେଣୁ ପାକିସ୍ତାନ ଉପରେ ଚାପ ବୃଦ୍ଧି କରିବାରେ ଶତ୍ରୁର ଶତ୍ରୁ ଯଦି ଆମର ମିତ୍ର ହେଲା, ତେବେ ଅସୁବିଧା କ’ଣ? ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏଥିମଧ୍ୟରେ ଆଫଗାନ ପ୍ରତିପକ୍ଷ ଅମିର ଖାଁ ମୁତାକିଙ୍କ ସହ ଟେଲିଫୋନ ମାଧ୍ୟମରେ ଯେଉଁ ଯୋଗାଯୋଗ ରକ୍ଷା କରିଛନ୍ତି, ତାହାକୁ ଭିନ୍ନ ଦୃଷ୍ଟିରେ ବିଚାର କରିବାର ସେଭଳି ଯଥାର୍ଥତା ନାହିଁ। ହୋଇପାରେ ତାଲିବାନ ଧର୍ମୀୟ ମୌଳବାଦୀ ଓ ଆତଙ୍କବାଦୀ ସଂଘର୍ଷରୁ ଜନ୍ମ ନେଇଛି। ଉଜ୍ବେକିସ୍ତାନ ଇସ୍ଲାମିକ ବିଦ୍ରୋହରେ ସଂପୃକ୍ତ ହକାନି ନେଟୱାର୍କ ସହ ତାଲିବାନ୍ ସରକାରର ସଂପର୍କ ରହିଛି। ଏ କଥା ମଧ୍ୟ ସତ୍ୟ ଯେ, ଆଫଗାନିସ୍ତାନରେ ସୋଭିଏତ ରୁଷ ସହ ସଂଘର୍ଷରେ ଏହି ତାଲିବାନ ଗୋଷ୍ଠୀଙ୍କୁ ଉଭୟ ଆମେରିକା ଓ ପାକିସ୍ତାନ ଆର୍ଥିକ ଏବଂ ସାମରିକ ସହାୟତା ଯୋଗାଇଥିଲେ। ଏହି ମହତାକାଂକ୍ଷୀ ଗୋଷ୍ଠୀ ନିଜର ଜୀବନଜୀବିକାକୁ ଜଳାଞ୍ଜଳି ଦେଇ ଅନ୍ୟ ପାଇଁ ଲଢ଼ିଥିଲେ। ଏବେ ପୁଣି ସଂଘର୍ଷ କରି କ୍ଷମତାକୁ ଆସିଛନ୍ତି। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା। ଇସ୍ଲାମିକ ମୌଳବାଦ ସେମାନଙ୍କ ସକାଶେ ନୀତି ଓ ଆଦର୍ଶ ଏବଂ ତାହା ପ୍ରତିଷ୍ଠା ଓ ପ୍ରସାର ସକାଶେ ଆଗକୁ ସେମାନେ ଲଢ଼ିବେ। ପାକିସ୍ତାନ ସେମାନଙ୍କୁ ନିଜ ସ୍ୱାର୍ଥ ରକ୍ଷା ସକାଶେ ପ୍ରୟୋଗ କରିବାର ଯେଉଁ ଯୋଜନା କରିଥିଲା ତାହାକୁ ଟିଟିପି ଧ୍ୱଂସ କରିଦେଇଛି। ଆମକୁ ଏଠାରେ କହିବାକୁ ପଡ଼ୁଛି ଯେ ପାକିସ୍ତାନରେ ଆତଙ୍କବାଦୀଙ୍କ ପ୍ରାଧାନ୍ୟ ଓ ପ୍ରଭାବ ଅତୁଟ ରହିଛି। ତେଣିକି ସେମାନେ ତାହାକୁ ସ୍ୱୀକାର କରନ୍ତୁ ବା ନ କରନ୍ତୁ, ଯଦି ନିଜର ସ୍ୱାର୍ଥରକ୍ଷା ପାଇଁ ଆମେରିକା ଓ ଚୀନ ଯେଝା ବାଟରେ ପାକିସ୍ତାନ ସହ ସୁସମ୍ପର୍କ ରକ୍ଷା କରିପାରୁଛନ୍ତି ତେବେ ଆଫଗାନିସ୍ତାନରେ ତାଲିବାନ ସରକାର ସହ ଭାରତ ଯୋଗାଯୋଗ ରକ୍ଷା କଲେ ଅସୁବିଧା ରହିଲା କେଉଁଠି?
ଏଠାରେ ଆମେ ସମ୍ପର୍କର ଆଉ ଗୋଟିଏ ଦିଗ ସମ୍ପର୍କରେ ଆଲୋଚନା କରିବା। ଆରବ ସାଗରରେ ଦୁଇଟି ବନ୍ଦର ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ରୂପେ ମୁଣ୍ଡ ଟେକୁଛି। ପାକିସ୍ତାନରେ ଗ୍ୱଦ୍ଦର ବନ୍ଦର ନିର୍ମାଣ ଦାୟିତ୍ୱ ଚୀନ ହାତକୁ ନେଇ ମଧ୍ୟପ୍ରାଚ୍ୟ ଓ କେନ୍ଦ୍ର ଏସିଆରେ ନିଜର ବାଣିଜ୍ୟିକ ସଂପର୍କ ସୁଦୃଢ଼ କରିବାକୁ ଚାହୁଁଥିବା ବେଳେ ବେଲୁଚିସ୍ତାନ ବିଦ୍ରୋହୀଙ୍କ ଆନ୍ଦୋଳନ ଓ ସଂଘର୍ଷ ତାହାର ଗତିରୋଧ କରିଛି। ପାକିସ୍ତାନ ସେନାବାହିନୀର ସୁରକ୍ଷା ଉଦ୍ୟମ କ୍ରମାଗତ ଭାବେ ବ୍ୟର୍ଥ ହେବାରେ ଲାଗିଛି। ଦ୍ୱିତୀୟ ବନ୍ଦର ହେଉଛି ଚବାହାର; ଯାହାକି ଇରାନର ଏକମାତ୍ର ସାମୁଦ୍ରିକ ପରିବହନର କେନ୍ଦ୍ରସ୍ଥଳ। ଇରାନ ସହ ସୁଦୃଢ଼ ବାଣିଜ୍ୟିକ ସଂପର୍କ ଦୃଷ୍ଟିରୁ ଚବାହାର ବନ୍ଦର ନିର୍ମାଣ ସହ ଯୋଡ଼ି ହୋଇଯାଇଛି ଭାରତ। ଇରାନର ଦକ୍ଷିଣପୂର୍ବ ଊପକୂଳରେ ଶାହିଦ ବେହେସ୍ତି ଟର୍ମିନାଲର ଆଧୁନିକୀକରଣରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଇରାନ ବିରୋଧରେ ଆମେରିକାର କଠୋର ପ୍ରତିବନ୍ଧକ ବନ୍ଧ ନିର୍ମାଣରେ ଶିଥିଳତା ସୃଷ୍ଟି କରିଛି। ଏ କଥା ସତ ଯେ, ଆମେରିକା ବିରୋଧୀ କୂଟନୀତିରେ ରୁଷ ଓ ଚୀନ ପ୍ରତିରକ୍ଷାଠାରୁ ଆରମ୍ଭ କରି ସବୁସ୍ତରରେ ଇରାନକୁ ସହାୟତା ଯୋଗାଇ ଆସିଛନ୍ତି। ଏହା ସତ୍ତ୍ବେ ଚବାହାର ବନ୍ଦର ନିର୍ମାଣ ଦାୟିତ୍ୱ ଭାରତ ନେଇଛି। ଏଠାରେ ଉଲ୍ଲେଖଯୋଗ୍ୟ କି ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ଆରବ ସାଗରରେ ମୁଣ୍ଡ ଟେକୁଥିବା ଏହି ବନ୍ଦର ଦୁଇଟିର ଦୂରତା ମାତ୍ର ୭୨ କିମି। ଚବାହାର ବନ୍ଦର ମାଧ୍ୟମରେ ବାଣିଜ୍ୟିକ ସଂପର୍କ ଦୃଷ୍ଟିରୁ ପାକିସ୍ତାନ ଉପରେ ଆଉ ନିର୍ଭର କରିବ ନାହିଁ ଭାରତ।
ଯଥାସମ୍ଭବ ଯୁଦ୍ଧକୁ ଏଡ଼ାଇ ଯାଇ ବାଣିଜ୍ୟିକ ସମ୍ପର୍କର କ୍ଷେତ୍ର ଯେତେ ଅଧିକ ସମ୍ପ୍ରସାରିତ ହେବ ଆର୍ଥିକ ଦୃଷ୍ଟିରୁ ରାଷ୍ଟ୍ର ସେତିକି ସୁଦୃଢ଼ ଓ ସମୃଦ୍ଧ ହେବ। ୧୪୨ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତ ବିଶ୍ୱବଜାର ଅର୍ଥନୀତିର କେନ୍ଦ୍ରସ୍ଥଳ ପାଲଟିଛି। ପ୍ରତିଦ୍ୱନ୍ଦ୍ୱିତା ଓ ପ୍ରତିଯୋଗିତାରେ ପଛରେ ପଡ଼ି ନ ଯାଇ ଅଗ୍ରସର ହେଉଥିବାରୁ ଦେଶର ଅଭିବୃଦ୍ଧି ହାର ଏହି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ୬.୨ ପ୍ରତିଶତ ରହିଛି। ବିଶ୍ୱ ଅର୍ଥନୀତିରେ ଚତୁର୍ଥ ରାଷ୍ଟ୍ରର ମର୍ଯ୍ୟାଦା ହାସଲ କରିଥିବା ଭାରତ ପ୍ରତି ପତିପକ୍ଷଙ୍କ ଈର୍ଷଣୀୟ ଦୃଷ୍ଟି ରହିବା ସ୍ୱାଭାବିକ। ତାହାକୁ ଅତିକ୍ରମ କଲା ବେଳେ କେବଳ ଆଦର୍ଶକୁ ଜାବୁଡ଼ି ଧରିଲେ ହେବ ନାହିଁ। ପ୍ରତିପକ୍ଷକୁ ଉଚିତ୍ ଶିକ୍ଷା ଦେବା ପାଇଁ ମିତ୍ର ଚୟନ ବେଳେ ସତର୍କତା ଅବଲମ୍ବନ କରିବା ଉଚିତ।






