ନିମ୍ବ କି ମଧୁର ହୋଇବ!
ବିକଶିତ ଦେଶ, ବିଶେଷକରି ମହାଶକ୍ତିମାନଙ୍କ ମଧ୍ୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରୁ ଆରମ୍ଭ ହୋଇ ଅଦ୍ୟାବଧି ଜାରି ରହିଥିବା ଅହଂର ଲଢ଼େଇରେ ବିକାଶଶୀଳ ଓ ଅନୁନ୍ନତ ଦେଶମାନେ କିଭଳି ବଳି ପଡ଼ନ୍ତି ତା’ର କେତେକ ଝଲକ୍ ପୁଣି ଥରେ ଦେଖିବାକୁ ମିଳିଛି ସଦ୍ୟତମ ଭାରତ-ପାକିସ୍ତାନ ସାମରିକ ଉତ୍ତେଜନାର ପୃଷ୍ଠଭୂମିରେ। ଯଦି ଭାରତ ବିରୋଧରେ ବିଧିବଦ୍ଧ ଯୁଦ୍ଧ ଆରମ୍ଭ ହୁଏ ତେବେ ସପ୍ତାହେ ମଧ୍ୟ ତିଷ୍ଠି ପାରିବ ନାହିଁ, ଏ କଥା ଜାଣି ମଧ୍ୟ ପାକିସ୍ତାନ ସୀମାପାର ଆତଙ୍କବାଦୀଙ୍କ […]
ବିକଶିତ ଦେଶ, ବିଶେଷକରି ମହାଶକ୍ତିମାନଙ୍କ ମଧ୍ୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରୁ ଆରମ୍ଭ ହୋଇ ଅଦ୍ୟାବଧି ଜାରି ରହିଥିବା ଅହଂର ଲଢ଼େଇରେ ବିକାଶଶୀଳ ଓ ଅନୁନ୍ନତ ଦେଶମାନେ କିଭଳି ବଳି ପଡ଼ନ୍ତି ତା’ର କେତେକ ଝଲକ୍ ପୁଣି ଥରେ ଦେଖିବାକୁ ମିଳିଛି ସଦ୍ୟତମ ଭାରତ-ପାକିସ୍ତାନ ସାମରିକ ଉତ୍ତେଜନାର ପୃଷ୍ଠଭୂମିରେ। ଯଦି ଭାରତ ବିରୋଧରେ ବିଧିବଦ୍ଧ ଯୁଦ୍ଧ ଆରମ୍ଭ ହୁଏ ତେବେ ସପ୍ତାହେ ମଧ୍ୟ ତିଷ୍ଠି ପାରିବ ନାହିଁ, ଏ କଥା ଜାଣି ମଧ୍ୟ ପାକିସ୍ତାନ ସୀମାପାର ଆତଙ୍କବାଦୀଙ୍କ ଜରିଆରେ ବାରମ୍ବାର ଭାରତ ଉପରେ ଆକ୍ରମଣ, ସୀମାରେ ଗୁଳିଗୋଳା ବର୍ଷଣ ଏବଂ ଭାରତକୁ ପରୋକ୍ଷରେ ପରମାଣୁ ଯୁଦ୍ଧ ଆହ୍ୱାନ ଦେବା ପଛରେ ଯେ ଚୀନ୍ର ପରୋକ୍ଷ ସମର୍ଥନ ରହିଛି, ତାହା ଅସ୍ୱୀକାର କରିବାର ନାହିଁ। ସେହିପରି ପାକିସ୍ତାନ ଭୂମି ଯେ ଆତଙ୍କବାଦ ଅମଳର ଏକ ଉର୍ବର ଭୂମି ତାହାର ପ୍ରମାଣ ପାଇ ମଧ୍ୟ ଆମେରିକା ସେହି ଦେଶ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସାହାଯ୍ୟ କରିଆସୁଛି, ତା’ ପଛର କାରଣ ମଧ୍ୟ ବିଶ୍ୱକୁ ଅଗୋଚର ନୁହେଁ। ବିଶେଷକରି ସୋଭିଏତ୍ ସଂଘ ବିଲୟ ପରବର୍ତ୍ତୀ ସମୟରେ ଦୁଇ ମହାଶକ୍ତି ଆମେରିକା ଓ ଚୀନ୍ ମଧ୍ୟରେ ଯେଉଁ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି ତାହାର ସଦ୍ୟତମ ରଣଭୂମି ଓ ପ୍ରୟୋଗଶାଳା ହୋଇଛି ଏସୀୟ ମହାଦେଶୀୟ ଅଞ୍ଚଳ ଏବଂ ଏବେ ଭାରତ-ପାକିସ୍ତାନ।
ରୁଷ୍-ୟୁକ୍ରେନ୍ ଯୁଦ୍ଧ ସମାପ୍ତ ପାଇଁ ମଧ୍ୟସ୍ଥତା କରି ବିଫଳ ହେବା ପରେ ଟ୍ରମ୍ପ ଭାରତ-ପାକିସ୍ତାନ ସାମରିକ ଉତ୍ତେଜନାକୁ ଆଳ କରି ବଡ଼ଭାଇ ପଣିଆ ଦେଖାଇବାରେ କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ଦୁଇ ପାରମ୍ପରିକ ଶତ୍ରୁରାଷ୍ଟ୍ର ମଧ୍ୟରେ କ୍ରମଶଃ ଘନୀଭୂତ ହେଉଥିବା ଯୁଦ୍ଧ ଆଶଙ୍କା ଟଳି ଅସ୍ତ୍ରବିରତି ଘୋଷଣା ହେବା ଆଞ୍ଚଳିକ ସ୍ଥିରତା ଓ ବିଶ୍ୱଶାନ୍ତି ପାଇଁ ନିଶ୍ଚିତ ଭାବେ ଶୁଭସୂଚନା ଓ ସ୍ୱାଗତଯୋଗ୍ୟ। ଏଥିରେ ଯଦି ଆମେରିକା ମଧ୍ୟସ୍ଥତା କରିଥାଏ ତେବେ ତାହାର ଭୂମିକା ମଧ୍ୟ ପ୍ରଶଂସାଯୋଗ୍ୟ। କିନ୍ତୁ ଯୁଦ୍ଧମୁହାଁ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ପ୍ରସଙ୍ଗ ପକ୍ଷବାଦୀ ଶାସନମୁଖ୍ୟ କିମ୍ବା ମନ୍ତ୍ରୀ, ସଚିବଙ୍କ ବଦଳରେ ଟ୍ରମ୍ପଙ୍କ ମୁହଁରୁ ବିଶ୍ୱ ଏପରିକି ଭାରତ ଓ ପାକିସ୍ତାନବାସୀ ପ୍ରଥମେ ଅବଗତ ହେଲେ। ଟ୍ରମ୍ପଙ୍କ ଶ୍ରେୟ ଓ ପ୍ରଶଂସା ହରଣଚାଳର ଏହି ଆତୁରତା ଏବଂ ଏସିଆ ମାଟିରେ ଆମେରିକା କୂଟନୈତିକ ଉପସ୍ଥିତି ଚୀନ୍ ପକ୍ଷରେ ଅସହ୍ୟ ହେବା ସ୍ୱାଭାବିକ। ତେଣୁ ଅସ୍ତ୍ରବିରତି ଘୋଷଣାର କିଛି ମିନିଟ୍ ପରେ ପାକିସ୍ତାନକୁ ସବୁ ପରିସ୍ଥିତିରେ ସବୁପ୍ରକାର ସହାୟତା ଦେବା ପାଇଁ ପ୍ରସ୍ତୁତ ଥିବା ଚୀନ୍ ଘୋଷଣା କଲା। ଚୀନ୍ର ଏହି ଇଙ୍ଗିତ ବୁଝିବା ପାଇଁ ଖଳରାଷ୍ଟ୍ର ପାକିସ୍ତାନକୁ ବେଶୀ ସମୟ ଲାଗିଲା ନାହିଁ। ଆମେରିକାର ପରାମର୍ଶରେ ଅସ୍ତ୍ରବିରତି ଘୋଷଣା କରିଥିବା ପାକିସ୍ତାନ ମାତ୍ର କିଛି ଘଣ୍ଟା ପରେ ଚୀନ୍ ଉସୁକାଣରେ ଭାରତ ଉପରେ ଡ୍ରୋନ୍ ଆକ୍ରମଣ ଓ ସୀମାନ୍ତରେ ଗୁଳିଗୋଳା ବର୍ଷଣ ଆରମ୍ଭ କରିଦେଲା। ଆମେରିକା-ଚୀନ୍ର ଅହଂ ଲଢ଼େଇରେ ଉଭୟ ଦେଶର ଭିତ୍ତିଭୂମି ଓ ଅର୍ଥନୀତି ଅନେକ ପରିମାଣରେ କ୍ଷତିଗ୍ରସ୍ତ ହେଲା, ବିଶ୍ୱାସର ହତ୍ୟା ସହିତ ଶାନ୍ତି ଓ ସ୍ଥିରତା ବ୍ୟାହତ ହେଲା।
ଏହି ସମଗ୍ର ଘଟଣାବଳୀରୁ ଗୋଟିଏ କଥା ଆପାତତଃ ପୁଣି ଥରେ ପ୍ରମାଣିତ ହେଲା ଯେ ଆମେରିକା ଆଗରେ କେହି କେବେ ବନ୍ଧୁ ନୁହନ୍ତି କି ଶତ୍ରୁ ନୁହନ୍ତି। ଆମେରିକା ବିଶ୍ୱର ପ୍ରଥମ ପରମାଣୁ ବୋମାର ପ୍ରୟୋଗଶାଳା କରିଥିବା ଜାପାନକୁ ପରବର୍ତ୍ତୀ ସମୟରେ କୋଳେଇ ନେଲା, କିନ୍ତୁ ଅର୍ଥନୀତିରେ ଆମେରିକାକୁ ଟପି ଯାଉଥିବା ଦେଖି ସେହିରାଷ୍ଟ୍ର ସହିତ ଦ୍ୱିପାକ୍ଷିକ ବାଣିଜ୍ୟିକ ଚୁକ୍ତିରୁ ଓହରିଗଲା। ଏକଦା ବାଣିଜ୍ୟିକ ସହଯୋଗୀ ଥିବା ଚୀନ୍ ଏବେ ଆମେରିକାର ପ୍ରମୁଖ ବାଣିଜ୍ୟ ଶତ୍ରୁ। ସେହିଭଳି ଅଯାଚିତ ପାଣ୍ଠି ଅଜାଡ଼ି ଦେଉଥିବା ପାକିସ୍ତାନ ଉପରେ ଆମେରିକା ଆଜି କ୍ଷୁବ୍ଧ। ଭାରତକୁ ଆଡ଼ ଆଖିରେ ଚାହୁଁନଥିବା ସେହି ଦେଶ ପାଇଁ ଭାରତ ଏବେ ପ୍ରମୁଖ ବନ୍ଧୁ ରାଷ୍ଟ୍ର। ଅପରପକ୍ଷରେ ଚୀନ୍ ନା ତ କେବେ ଭାରତର ବନ୍ଧୁ ଥିଲା ନା କେବେ ହିତାକାଂକ୍ଷୀ ହୋଇପାରିବ। ଏହି ପ୍ରତିବେଶୀ ରାଷ୍ଟ୍ର ସବୁବେଳେ ଭାରତ ପ୍ରତି ବୈମାତୃକ ଭାବ ପୋଷଣ କରି ଆସିଛି। ପାରମ୍ପରିକ ଅର୍ଥନୈତିକ ପ୍ରତିଦ୍ୱନ୍ଦ୍ୱୀ ଭାରତ କେବେ ଶାନ୍ତିରେ ରହୁ ଏହା ଚୀନ୍ ଚାହିଁବ ନାହିଁ କି ଚୀନ୍ଠାରୁ କିଛି ଆଶା ମଧ୍ୟ କରାଯାଇପାରିବ ନାହିଁ।
ଏବେ ପାକିସ୍ତାନ କଥା ଆଲୋଚନା କରିବା। ପାକିସ୍ତାନର ଚରିତ୍ର ସମ୍ପର୍କରେ ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ଏକ ରୋଚକ ଲୋକକଥା ଅଛି – ଯୋ ଏକବାର ଗଲ୍ତି କରେ ୱ ନାଦାନ, ଯୋ ଦୋ ବାର ଗଲ୍ତି କରେ ୱ ଇନ୍ସାନ୍, ଯେ ଶୋ ବାର ଗଲ୍ତି କରେ ୱ ସଇତାନ, ଯୋ ବାର ବାର ଗଲତି କରେ ୱ ପାକିସ୍ତାନ, ଔର ଯେ ବାର ବାର ମାଫ୍ କରେ ୱ ହିନ୍ଦୁସ୍ଥାନ(ଅଜ୍ଞାନ ଥରେ ଭୁଲ୍ କରେ, ମଣିଷ ଭୁଲ୍ ଦୋହରାଇପାରେ, ଅମଣିଷ ବା ରାକ୍ଷସ ବା ଅତିଶୟ ଦୁଷ୍ଟଶକ୍ତି ଶତବାର ଭୁଲ୍ କରେ, କିନ୍ତୁ ପାକିସ୍ତାନ ଏଭଳି ଏକ ତତ୍ତ୍ୱ ଯିଏ ବାରମ୍ବାର ଭୁଲ୍ କରିଚାଲିଥାଏ ଏବଂ ଭାରତ ହିଁ ଏକମାତ୍ର ଦେଶ ଯିଏ ପାକିସ୍ତାନର ସେହି ଭୁଲ୍କୁ ଯିଏ କ୍ଷମା ଦେଇଥାଏ)। ଏକ ସହଜ ବିଜୟସ୍ଥିତିରେ ଥାଇ ମଧ୍ୟ ପାକିସ୍ତାନର ଅସ୍ତ୍ରବିରତି ପ୍ରସ୍ତାବକୁ ଗ୍ରହଣ କରି ଭାରତ ପୁଣି ଥରେ କ୍ଷମାଦାତା ପଣିଆକୁ ପ୍ରମାଣିତ କରିଛି।
ଓଡ଼ିଆରେ ଏକ ପ୍ରବାଦ ଅଛି- କ୍ଷୀରରେ ଧୋଇଲେ ଖଣ୍ଡରେ ମୋହିଲେ ନିମ୍ବ କି ମଧୁର ହୋଇବ। ଆମେରିକା, ଚୀନ୍ ଓ ପାକିସ୍ତାନ ପ୍ରତି ଏହା ସର୍ବାଦୌ ପ୍ରଯୁଜ୍ୟ। ଅଧିକନ୍ତୁ ପାକିସ୍ତାନ ପରି ଅବିଶ୍ୱସ୍ତ ଦୁଷ୍ଟ ପଡ଼ୋଶୀକୁ ବାରମ୍ବାର କ୍ଷମା ଦେଇ ତା’ର ସାହସ ବଢ଼଼ାଇବା ଉଚିତ ନୁହେଁ। କେତେକ ସାମରିକ ବିଶେଷଜ୍ଞଙ୍କ ମତରେ ପହଲ୍ଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା କାଶ୍ମୀରରେ ପର୍ଯ୍ୟଟନ କଟକଣା ଏବଂ ପ୍ରତିଶୋଧ ‘ଅପରେସନ୍ ସିନ୍ଦୂର’ ରେ ଭାରତର ଯେଉଁ ପ୍ରଭୂତ ଅର୍ଥ ଅପଚୟ ହୋଇଛି ସେଥିରେ ପାକିସ୍ତାନର ଅସଲ ଲକ୍ଷ୍ୟ ପୂରଣ ହୋଇଛି। ତେଣୁ ଅସ୍ତ୍ରବିରତି ଚୁକ୍ତିକୁ ସହଜରେ ଭାରତୀୟମାନେ ଗ୍ରହଣ କରିପାରୁନାହାନ୍ତି। ଏବେ ପାକିସ୍ତାନକୁ କୂଟନୈତିକ ସ୍ତରରେ କିଭଳି ଦୁର୍ବଳ ଓ ଏକଘରକିଆ କରାଯାଇପାରିବ ସେଥିପାଇଁ ଦୀର୍ଘମିଆଦୀ ପ୍ରଭାବୀ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ସଇତାନ ଆଗରେ ବେଦ ପାଠ ଯେଭଳି ନିରର୍ଥକ, ପାକିସ୍ତାନ ସହିତ ଶାନ୍ତି ଆଲୋଚନା ସେଭଳି ବହୁପ୍ରମାଣିତ ବ୍ୟର୍ଥ ଉଦ୍ୟମ। ଯେଉଁ ଦେଶ ୭୮ ବର୍ଷ ଧରି ଶାନ୍ତିର ଭାଷା ବୁଝିପାରି ନାହିଁ, ତା’କୁ ତା’ର ଭାଷାରେ ବୁଝାଇବାକୁ ପଡ଼ିବ। ତେଣୁ ଯେସାକୁ ତେସା ନୀତିରେ ବେଲୁଚି ବିଦ୍ରୋହୀଙ୍କୁ ପ୍ରଚ୍ଛନ୍ନ ସାହାଯ୍ୟ ସହଯୋଗକୁ ସାମ୍ପ୍ରତିକ ଆହ୍ୱାନ ଦୃଷ୍ଟିରୁ ଅନୁଚିତ ବୋଲି କୁହାଯାଇପାରିବ ନାହିଁ। ଏବେ ସାମ୍-ଦାମ-ଦଣ୍ଡ-ଭେଦ କୌଶଳ ହିଁ ପାକିସ୍ତାନକୁ ଶାସ୍ତି ଦେବାର ସର୍ବୋତ୍କୃଷ୍ଟ ବିକଳ୍ପ। ପାକ୍ ଅଧିକୃତ କାଶ୍ମୀରକୁ ଭାରତରେ ସମ୍ମିଶ୍ରଣ ପ୍ରସଙ୍ଗ ବ୍ୟତୀତ ପାକିସ୍ତାନ ସହିତ ଆଉ କୌଣସି ଆଲୋଚନା ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଉପରାଷ୍ଟ୍ରପତି ଜେ ଡି ଭାନ୍ସଙ୍କୁ ଯେଉଁ ଚରମବାଣୀ ଶୁଣାଇଛନ୍ତି ତାହା ଦଳମତ ନିର୍ବିଶେଷରେ ସ୍ୱାଗତଯୋଗ୍ୟ। ଏଣିକି ବିଶୃଙ୍ଖଳା କଲେ ପାକିସ୍ତାନ ପରାଭବ ଭୋଗିବା ନିଶ୍ଚିତ ବୋଲି ମୋଦୀ ଭାନ୍ସଙ୍କ ଜରିଆରେ ଯେଉଁ ବାର୍ତ୍ତା ଦେଇଛନ୍ତି ତାହାକୁ ଭାରତ ସରକାର ଏବଂ ଭାରତବାସୀ ସଂକଳ୍ପ ରୂପେ ଗ୍ରହଣ କରିବା ଆବଶ୍ୟକ।






