ମନୋରଞ୍ଜନ
ମଧ୍ୟପ୍ରାଚ୍ୟକୁ ନୂଆ ବିପଦ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅହଂକାରର ପରିଣତି କି ରୂପ ନେବ ତାହା ଏବେଠାରୁ ଆକଳନ କରିବା କଷ୍ଟକର। ତେବେ ସେ ଆଗପଛ ନ ବିଚାରି କ୍ରମାଗତ ଗୋଟିକ ପରେ ଗୋଟିଏ ଘୋଷଣା କରି ବିଶ୍ୱ ଜନସମୁଦାୟକୁ ସାମୟିକ ହତ୍ଚକିତ କରିଥିଲେ ମଧ୍ୟ ସେଗୁଡ଼ିକୁ କାର୍ଯ୍ୟକାରୀ କରିନପାରି ବିକଳ୍ପର ସନ୍ଧାନରେ ଥିବା ଭଳି ମନେହୁଏ। ଇସ୍ରାଏଲ ଓ ହମାସ ମଧ୍ୟରେ ବର୍ଷାଧିକକାଳ ଚାଲିଥିବା ଯୁଦ୍ଧରେ ସାମୟିକ ବିରତି, ରୁଷ-ୟୁକ୍ରେନ୍ ମଧ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଭଳି କେତେକ […]
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅହଂକାରର ପରିଣତି କି ରୂପ ନେବ ତାହା ଏବେଠାରୁ ଆକଳନ କରିବା କଷ୍ଟକର। ତେବେ ସେ ଆଗପଛ ନ ବିଚାରି କ୍ରମାଗତ ଗୋଟିକ ପରେ ଗୋଟିଏ ଘୋଷଣା କରି ବିଶ୍ୱ ଜନସମୁଦାୟକୁ ସାମୟିକ ହତ୍ଚକିତ କରିଥିଲେ ମଧ୍ୟ ସେଗୁଡ଼ିକୁ କାର୍ଯ୍ୟକାରୀ କରିନପାରି ବିକଳ୍ପର ସନ୍ଧାନରେ ଥିବା ଭଳି ମନେହୁଏ। ଇସ୍ରାଏଲ ଓ ହମାସ ମଧ୍ୟରେ ବର୍ଷାଧିକକାଳ ଚାଲିଥିବା ଯୁଦ୍ଧରେ ସାମୟିକ ବିରତି, ରୁଷ-ୟୁକ୍ରେନ୍ ମଧ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଭଳି କେତେକ ପ୍ରସ୍ତାବ ମାଧ୍ୟମରେ ସେ ସାମୟିକ ପ୍ରଶଂସା ସାଉଁଟିଥିଲେ ମଧ୍ୟ ସମୟକ୍ରମେ ତାହା ଦିଗହରା ହୋଇଛି। କ୍ଷମତାଲିପ୍ସୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ନିଜର ଆଞ୍ଚଳିକ ସ୍ୱାର୍ଥରକ୍ଷା ସକାଶେ ଟ୍ରମ୍ପ ବ୍ୟାପକ ଯୁଦ୍ଧାସ୍ତ୍ର ଯୋଗାଇଥିବାରୁ ହମାସ୍ କବ୍ଜାରେ ଥିବା ପଣବନ୍ଦୀଙ୍କ ମୁକ୍ତି ସମ୍ଭାବନା ଦିନକୁ ଦିନ କ୍ଷୀଣ ହେବାରେ ଲାଗିଛି। ଅନ୍ୟପକ୍ଷରେ ଇରାନକୁ ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ସେ ମଧ୍ୟପ୍ରାଚ୍ୟରେ ଏକ ବୃହତ୍ତର ଯୁଦ୍ଧର ପୃଷ୍ଠଭୂମି ପ୍ରସ୍ତୁତ କରିଛନ୍ତି। ଏହାକୁ କେନ୍ଦ୍ରକରି ତୃତୀୟ ବିଶ୍ୱଯୁଦ୍ଧ ଉପୁଜିପାରେ ବୋଲି ବିଶେଷଜ୍ଞ ମହଲ ଆଶଙ୍କା ପ୍ରକାଶ କରୁଥିଲେ ହେଁ ତାହା ଆଗକୁ ଭୟଙ୍କର ତୈଳ ସଂକଟ ସୃଷ୍ଟି କରିବା ଏକପ୍ରକାର ନିଶ୍ଚିତ। ଅବିଚାରିତ ଭାବେ ନାଲିଆଖି ଦେଖାଇ ସମସ୍ତଙ୍କୁ ସବୁଦିନ ପାଇଁ ଜବତ କରାଯିବା ସମ୍ଭବ ନୁହେଁ। ତାଙ୍କୁ ପରିବର୍ତ୍ତିତ ବାଣିଜ୍ୟ ନୀତି କଡ଼ା ମୁକାବିଲାର ସମ୍ମୁଖୀନ ହେବା ପରେ ସେ ଅପେକ୍ଷାକୃତ ନରମ ମନୋଭାବ ପ୍ରଦର୍ଶନ କରୁଥିବାର ପରିଲକ୍ଷିତ ହୋଇଛି।
ଆମେରିକା ଓ ଇରାନ ବିଦ୍ୱେଷର ପୃଷ୍ଠଭୂମିକୁ ତର୍ଜମା କଲେ ସ୍ପଷ୍ଟ ହୁଏ ଯେ ତୈଳଭଣ୍ଡାର ଉପରେ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଲୋଲୁପ ଦୃଷ୍ଟି ଓ ନିୟନ୍ତ୍ରଣ। ମଧ୍ୟପ୍ରାଚ୍ୟର ୭ଟି ରାଷ୍ଟ୍ର ସହ ସୁସମ୍ପର୍କ ପ୍ରତିଷ୍ଠା ଓ ସାମରିକ ସହଯୋଗ ମାଧ୍ୟମରେ ଆମେରିକା ପରୋକ୍ଷରେ ତୈଳ ଅର୍ଥନୀତିକୁ ନିୟନ୍ତ୍ରଣ କରିଆସିଛି। ଏ କ୍ଷେତ୍ରରେ ଇରାନ ହିଁ ବ୍ୟତିକ୍ରମ। ଇରାନ ଓ ଆମେରିକା ମଧ୍ୟରେ ବିବାଦର ସୂତ୍ରପାତ ଘଟିଛି ୧୯୫୩ ମସିହାରେ। ତତ୍କାଳୀନ ଇରାନ ପ୍ରଧାନମନ୍ତ୍ରୀ ମହମ୍ମଦ ମୋସାଦ୍ଦିକ ତୈଳ ସମ୍ପଦର ରାଷ୍ଟ୍ରୀୟକରଣ ଘୋଷଣା କରିବା ପରେ ଆମେରିକା ବ୍ରିଟେନ୍ ଭଳି ୫ଟି ୟୁରୋପୀୟ ରାଷ୍ଟ୍ରଙ୍କ ସ୍ୱାର୍ଥହାନୀ ଘଟିଥିଲା। ସିଆଇଏ ଓ ବ୍ରିଟେନ୍ ଉଦ୍ୟମରେ ମୋସାଦ୍ଦିକଙ୍କୁ କ୍ଷମତାଚ୍ୟୁତ କରାଗଲା। ସେମାନଙ୍କ ଇସାରାରେ ସାର୍ ରେଜା ପହଲେବି ହେଲେ ଇରାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ତେଣିକି ସେମାନଙ୍କ ପରାମର୍ଶରେ ଇରାନର ତୈଳଭଣ୍ଡାର ଉନ୍ମୁକ୍ତ ହୋଇଗଲା। ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଏହି ପ୍ରାଧାନ୍ୟ ବିରୋଧରେ ଖାମେନିଙ୍କ ନେତୃତ୍ୱରେ ଯେଉଁ ବିଦ୍ରୋହ ଆରମ୍ଭ ହେଲା, ତାହା ଇରାନରେ ନବଜାଗରଣ ସୃଷ୍ଟି କଲା। ସମୃଦ୍ଧ ରାଷ୍ଟ୍ରଗଠନର ଭିତ୍ତିଭୂମି ପ୍ରତିଷ୍ଠା ମାଧ୍ୟମରେ ଶୂନ୍ୟ ନିର୍ଭରଶୀଳତାକୁ ପ୍ରାଧାନ୍ୟ ଦିଆଗଲା। ହେଲେ ଆମେରିକା ନେତୃତ୍ୱରେ ପାଶ୍ଚାତ୍ୟ କୂଟନୈତିକ ଚାପ ଓ ପ୍ରତିବଦ୍ଧ ପ୍ରୟୋଗ ଫଳରେ ଅର୍ଥନୀତିର ଗତିଶୀଳତା ହ୍ରାସ ପାଇଲା ସତ; କିନ୍ତୁ ଇରାନ ଆତ୍ମସମର୍ପଣ କଲାନାହିଁ। ବିଶ୍ୱର ବିକଳ୍ପ ଶକ୍ତି ସହଯୋଗରେ ପ୍ରତିରକ୍ଷା କ୍ଷେତ୍ରରେ କେବଳ ନିଜକୁ ସମର୍ଥ କଲାନାହିଁ; ଆଣବିକ କାର୍ଯ୍ୟକ୍ରମରେ ମଧ୍ୟ ସଫଳତା ହାସଲ କଲା। ଇରାକ, କାତର ଓ ଆଫଗାନିସ୍ଥାନ ଭଳି ଆମେରିକା ଦ୍ୱାରା ନିୟୋଜିତ ଓ ନିଃଶେଷ ହେଲାଭଳି ପରାଭବ ଭୋଗିବାକୁ ଚାହେଁନି ଇରାନ।
ଆମେରିକା ପକ୍ଷରୁ ଆଣବିକ କାର୍ଯ୍ୟକ୍ରମ ନେଇ ବୁଝାମଣା ପାଇଁ ଇରାନକୁ ବାରମ୍ବାର ତାଗିଦ୍ କରାଯାଇଛି। ଟ୍ରମ୍ପଙ୍କ ଏହି ଚାପ ଆପୋଷ ବୁଝାମଣାର ଇଙ୍ଗିତ ନୁହେଁ; ବରଂ ନିର୍ଦ୍ଦେଶ କୁହାଯାଇପାରେ। ଏ ସମ୍ପର୍କରେ ସେ ଇରାନର ଧର୍ମଗୁରୁ ତଥା କ୍ଷମତାକେନ୍ଦ୍ର, ଆୟତୋଲ୍ଲା ଅଲ୍ଲି ଖାମେନିଙ୍କ ନିକଟକୁ ପଠାଇଥିବା ପତ୍ରର ଉତ୍ତର ଓମାନ ମାଧ୍ୟମରେ ଦିଆଯାଇଛି। କିନ୍ତୁ ସମାଧାନ ଓ ବୁଝାମଣାରେ ଉପନୀତ ନ ହେଲେ ଭୟଙ୍କର ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ନିକଟରେ ହାର୍ ମାନିବାକୁ ପ୍ରସ୍ତୁତ ନୁହେଁ ଇରାନ। ଖାମେନିଙ୍କ ନିକଟତମ ମହଲରୁ ପ୍ରକାଶ ଯେ ସେଭଳି ଉଦ୍ବେଗଜନକ ପରିସ୍ଥିତି ଉପୁଜିଲେ ଆଣବିକ ଅସ୍ତ୍ର ପ୍ରସ୍ତୁତ କରିବାକୁ ପଛଘୁଞ୍ଚା ଦେବନି ତେହେରାନ। ଆମେରିକାର ସମ୍ଭାବ୍ୟ ଆକ୍ରମଣର ମୁକାବିଲା ପାଇଁ ତେହେରାନ ବ୍ୟାପକ ପ୍ରସ୍ତୁତି ଚଳାଇଥିବା ଖବରରୁ ପ୍ରକାଶ। ନିକଟରେ ମିସାଇଲ ସିଟିର ଭିଡ଼ିଓ ପ୍ରତିପକ୍ଷଙ୍କ ଅବଗତି ନିମନ୍ତେ ଛାଡ଼ିଥିବା ଇରାନ ପକ୍ଷରୁ କୁହାଯାଇଛି ଯେ ମଧ୍ୟପ୍ରାଚ୍ୟରେ ୭ଟି ରାଷ୍ଟ୍ରରେ ଥିବା ଆମେରିକାର ବାୟୁସେନା କେନ୍ଦ୍ରରେ ଲକ୍ଷଭେଦ କରିବାର କ୍ଷମତା ଓ ଦକ୍ଷତା ଏହି ବାଲାଷ୍ଟିକ କ୍ଷେପଣାସ୍ତ୍ରର ଅଛି। ଏଭଳି ଏକ ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଦୁଇପକ୍ଷ ନିଜ ନିଜର ପ୍ରସ୍ତୁତି ଓ କ୍ଷମତା ସମ୍ପର୍କରେ ବୟାନବାଜି ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷରେ ଭାରତ ମହାସାଗରରେ ଥିବା ଡିଆଗୋ ଗାର୍ସଆରୁ ‘ବି-୨ ବମ୍ବର’ ପ୍ରୟୋଗ କରିବାର କ୍ଷମତା ସମ୍ପର୍କରେ ଇରାନ ଅବଗତ ଅଛି। ସୂଚନାଯୋଗ୍ୟ କି ଏହା ୪ ହଜାର କିଲୋମିଟର ଦୂରରେ ଲକ୍ଷ୍ୟଭେଦ ଦକ୍ଷତା ରଖିଛି। ପରିସ୍ଥିତିକୁ ଅଧିକ ଜଟିଳ କରିଛି ରୁଷର ଚେତାବନୀ। ଇରାନ ତାହାର ବନ୍ଧୁରାଷ୍ଟ୍ର। ସାମରିକ କାର୍ଯ୍ୟାନୁଷ୍ଠାନ ହେଲେ ବିନାଶକାରୀ ପରାଭବର ସମ୍ମୁଖୀନ ହେବ ଆମେରିକା। ଇରାନ-ରୁଷ-ଚୀନ ନିକଟରେ ଯେଉଁ ମିଳିତ ସମରାଭ୍ୟାସ କରିଛନ୍ତି, ସେଥିରୁ ସ୍ପଷ୍ଟ ଇଙ୍ଗିତ ମିଳୁଛି ଯେ ଏମାନଙ୍କ ମଧ୍ୟରେ ନିବିଡ଼ ସାମରିକ ସମ୍ପର୍କ ଅଛି। ଏହି ଗୋଷ୍ଠୀରେ ଉତ୍ତରକୋରିଆ ମଧ୍ୟ ଅନ୍ୟତମ ସହଯୋଗୀ। ତେଣୁ ଆମେରିକା ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ହଠାତ ଇରାନ ଉପରେ ଆକ୍ରମଣ କରିବାର ସମ୍ଭାବନା କ୍ଷୀଣ।
ଟ୍ରମ୍ପ କ୍ଷମତାସୀନ ହେବାମାତ୍ରେ ରୁଷ ରାଷ୍ଟ୍ରପତି ଭ୍ଲାଡିମର ପୁଟିନଙ୍କ ସହ ସୁସମ୍ପର୍କ ରକ୍ଷା କରି ଯେଉଁ ବନ୍ଧୁତାର ହାତ ବଢ଼଼ାଇଥିଲେ, ତାହା ୟୁକ୍ରେନ ଯୁଦ୍ଧର ଅବସାନ ଘଟାଇ ପାରିନି। ଅନ୍ୟପକ୍ଷରେ ନାଟୋ ସହଯୋଗୀମାନେ ଏବେ ମଧ୍ୟ ୟୁକ୍ରେନ ସହ ସାମରିକ ସମ୍ପର୍କ ରକ୍ଷାକରି ଆସିଛନ୍ତି। ଇରାନ ପ୍ରସଙ୍ଗରେ ରୁଷର ଖୋଲା ଆଭିମୁଖ୍ୟ ମଧ୍ୟ ଟ୍ରମ୍ପଙ୍କୁ ଚକିତ କରିଛି। ଏହାକୁ ଟ୍ରମ୍ପଙ୍କ କୂଟନୈତିକ ବିଫଳତା କୁହାଯାଇପାରେ। ଏଠାରେ ସୂଚେଇ ଦିଆଯାଇପାରେ କି ବାରାକ ଓବାମା ୨୦୧୫ରେ ବ୍ରିଟେନ ଓ ଅନ୍ୟ ସହଯୋଗୀଙ୍କ ମାଧ୍ୟମରେ ଇରାନ ସହ ଯେଉଁ ଶାନ୍ତିପୂର୍ଣ୍ଣ ବୁଝାମଣାର ପଥ ପରିଷ୍କାର କରିଥିଲେ, ତାହାକୁ ପୁଣିଥରେ ଆଗେଇ ନେବାର ସୁଯୋଗ ସୃଷ୍ଟି କରାଯାଇପାରେ। ୨୦୧୬ରେ ଟ୍ରମ୍ପ କ୍ଷମତାସୀନ ହେବା ପରେ ଏହି ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିଥିଲେ। ଟ୍ରମ୍ପଙ୍କ ସାମ୍ପ୍ରତିକ ବିଦେଶ ନୀତି ସମଗ୍ର ମଧ୍ୟପ୍ରାଚ୍ୟକୁ ପୁଣି ଏକ ବିସ୍ତାରିତ ଯୁଦ୍ଧକ୍ଷେତ୍ରରେ ପରିଣତ କରିବାର ଆଶଙ୍କା ସୃଷ୍ଟି କରିଛି।






