ସଇତାନର ବେଦପାଠ

The Sakala Picture
Published On

ଯିଏ ବିଭେଦ ଓ ବିଦ୍ୱେଷର ମଞ୍ଜି ବୁଣୁଛି ସେ ଯଦି ସମାଧାନର ମଞ୍ଚ ଗଠନ କରି ଶାନ୍ତିର ବାର୍ତ୍ତା ଦିଏ ତେବେ ତାହା ଆମ ଲୋକକଥାରେ ପ୍ରଚଳିତ ସଇତାନର ବେଦ ପାଠ ଭଳି। ଏବେ ଚୀନ୍‌‌ ସେଭଳି ଏକ ଉଦ୍ୟମ ଆରମ୍ଭ କରିଛି, ଯାହାକୁ ନେଇ ପଶ୍ଚିମ-ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦେଶ-ଦେଶ ମଧ୍ୟରେ ସୃଷ୍ଟି ହେଉଥିବା ଦ୍ୱିପାକ୍ଷିକ ବିବାଦରେ ଚୀନ୍‌‌ ମାମଲତି କରିବାକୁ ଆଗ୍ରହୀ ହୋଇପଡ଼ିଛି ଏବଂ ଏଥିଲାଗି ହଂକଂରେ ‘ଇଣ୍ଟରନ୍ୟାଶ୍‌‌ନାଲ୍‌‌ ଅର୍ଗାନାଇଜେସନ୍‌‌ ଫର […]

ଯିଏ ବିଭେଦ ଓ ବିଦ୍ୱେଷର ମଞ୍ଜି ବୁଣୁଛି ସେ ଯଦି ସମାଧାନର ମଞ୍ଚ ଗଠନ କରି ଶାନ୍ତିର ବାର୍ତ୍ତା ଦିଏ ତେବେ ତାହା ଆମ ଲୋକକଥାରେ ପ୍ରଚଳିତ ସଇତାନର ବେଦ ପାଠ ଭଳି। ଏବେ ଚୀନ୍‌‌ ସେଭଳି ଏକ ଉଦ୍ୟମ ଆରମ୍ଭ କରିଛି, ଯାହାକୁ ନେଇ ପଶ୍ଚିମ-ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦେଶ-ଦେଶ ମଧ୍ୟରେ ସୃଷ୍ଟି ହେଉଥିବା ଦ୍ୱିପାକ୍ଷିକ ବିବାଦରେ ଚୀନ୍‌‌ ମାମଲତି କରିବାକୁ ଆଗ୍ରହୀ ହୋଇପଡ଼ିଛି ଏବଂ ଏଥିଲାଗି ହଂକଂରେ ‘ଇଣ୍ଟରନ୍ୟାଶ୍‌‌ନାଲ୍‌‌ ଅର୍ଗାନାଇଜେସନ୍‌‌ ଫର ମେଡିଏସନ୍‌‌(ଆନ୍ତର୍ଜାତିକ ମଧ୍ୟସ୍ଥି ସଂଗଠନ)’ ନାମରେ ଏକ ବିଶ୍ୱମଞ୍ଚ ଗଠନ କରିଛି। ଜାତିସଂଘ ଓ ଆନ୍ତର୍ଜାତିକ ଆଇନ ଅଦାଲତ(ଆଇସିଜେ) ସମାନ୍ତରାଳରେ ଗଠିତ ଏହି ମଞ୍ଚର ସଦସ୍ୟତା ଗ୍ରହଣ କରିବା ପାଇଁ ଚୀନ୍‌‌ ୩୩ଟି ଦେଶକୁ ରାଜି କରାଇବାରେ ସଫଳ ହୋଇଛି। ଏଥିଲାଗି ଆୟୋଜିତ ସମ୍ମିଳନୀରେ ୮୫ଟି ଦେଶ ଓ ଜାତିସଂଘ ସମେତ ୨୦ଟି ଆନ୍ତର୍ଜାତିକ ସଂଗଠନର ୪୦୦ ସଦସ୍ୟ ଯୋଗ ଦେଇଥିବା ଉଲ୍ଳେଖନୀୟ। ଆନ୍ତର୍ଜାତିକ ବିବାଦ ସମାଧାନରେ ଏହା ମାଇଲ୍‌‌ଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଚୀନ୍‌‌ ଦାବି କରିଛି। ଏହାଉପରେ ସ୍ୱାଭାବିକ ଭାବେ ଆମେରିକା ପ୍ରତିକ୍ରିୟା ପ୍ରକାଶ କରି ଚୀନ୍‌‌ ବିଶ୍ୱରେ ବିସ୍ତାରବାଦୀ ଆଭିମୁଖ୍ୟକୁ ଲଦି ଦେବାକୁ ଚାହୁଁଛି ବୋଲି ଅଭିଯୋଗ କରିଛି। ଫ୍ରାନ୍ସ ମଧ୍ୟ ଚୀନ୍‌‌ ଉପରେ ଅନୁରୂପ ଆରୋପ ଆଣିଛି।

ଦକ୍ଷିଣ ଚୀନ୍‌‌ ସାଗର ଉପରେ ଚୀନ୍‌‌ର ଆଧିପତ୍ୟକୁ ‘ୟୁଏନ୍‌‌ କନ୍‌‌ଭେନସନ୍‌‌ ଅନ ଦ ଲ ଅଫ୍‌‌ ଦି ସି’(ସାମୁଦ୍ରିକ ନୀତି ସମ୍ପର୍କିତ ଜାତିସଂଘ ରାଜିନାମା) ଉଲ୍ଲଙ୍ଘନ ବୋଲି ୨୦୧୬ରେ ‘ପରମାନେଣ୍ଟ କୋର୍ଟ ଅଫ୍‌‌ ଆର୍ବିଟ୍ରେସନ୍‌‌’ ଦର୍ଶାଇ ଚୀନ୍‌‌ର କାର୍ଯ୍ୟକଳାପକୁ ଅବୈଧ ଘୋଷଣା କରିବା ପରେ ଚୀନ୍‌‌ ଅତିଶୟ କ୍ଷୁବ୍ଧ ଥିଲା। ଏହି ସମଗ୍ର ଘଟଣାରେ ଆମେରିକାର ପ୍ରଚ୍ଛନ୍ନ ସମର୍ଥନରେ ଫିଲିପାଇନ୍‌‌ସର ଜିତାପଟକୁ ଚୀନ୍‌‌ ଆଦୌ ସହ୍ୟ କରିପାରିନଥିଲା। ଏହାଛଡ଼ା ‘ଇଣ୍ଟରନ୍ୟାଶ୍‌‌ନାଲ୍‌‌ କ୍ରିମିନାଲ୍‌‌ କୋର୍ଟ’ରେ ଚୀନ୍‌‌ ତା’ର ସମଭାବାପନ୍ନ ଦେଶମାନଙ୍କୁ ଉଚିତ ନ୍ୟାୟ ଦେଇପାରୁ ନ ଥିବା ଅନୁଭବ କରି ଆସୁଥିଲା। ସେହିପରି ଦକ୍ଷିଣ ଏସିଆରେ ‘କ୍ୱାଡ୍‌‌’ ଓ ‘ଆଉକସ୍‌‌’ ମେଣ୍ଟ ଜରିଆରେ ଆମେରିକାର ଉପସ୍ଥିତି ଯୋଗୁଁଁ ଚୀନ୍‌‌ ଅସୁରକ୍ଷିତ ମଣୁଛି। ତାଇୱାନ୍‌‌ ମାମଲାରେ ମଧ୍ୟ ଆମେରିକା ହସ୍ତକ୍ଷେପକୁ ଚୀନ୍‌‌ ଅଯାଚିତ ଓ ଅବାଞ୍ଛନୀୟ ବୋଲି ଅଭିଯୋଗ କରିଆସୁଛି। ତେଣୁ ଏହି କୂଟନୈତିକ ଓ ଭୂ-ରାଜନୈତିକ ବାମନତା ଜନିତ ହୀନମନ୍ୟତାରୁ ଚୀନ୍‌‌ ନିଜକୁ ଉଦ୍ଧାର କରିବା ପାଇଁ ସମଭାବାପନ୍ନ ଓ ଋଣ-ଆନୁଗତ୍ୟ ଦେଶମାନଙ୍କୁ ପକ୍ଷଭୂତ କରି ବିଶ୍ୱ ଭୂ-ରାଜନୀତିରେ ଏକ ନୂଆ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛି।

ଅର୍ଥନୀତି, ସୂଚନା ପ୍ରଯୁକ୍ତି, ବାଣିଜ୍ୟ, ପ୍ରତିରକ୍ଷାରେ ଚୀନ୍‌‌ ଆମେରିକାର ପ୍ରାୟ ସମାସ୍କନ୍ଦ ହୋଇସାରିଥିଲେ ହେଁ ବଡ଼ଭାଇ ପଣିଆ ଜାହିର କରିବାରେ ଆମେରିକାଠାରୁ ଦୁଇପାଦ ପଛରେ ରହିଯାଇଛି। ଏଥିଯୋଗୁଁଁ ଚୀନ୍‌‌ର ଆଧିପତ୍ୟ କେବଳ ଏସୀୟ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସୀମିତ ଥିବା ବେଳେ ଆମେରକାର ପ୍ରଭୁତ୍ୱ ଓ କର୍ତ୍ତୃତ୍ୱ ନାଟୋରୁ ଆରମ୍ଭ କରି ଦକ୍ଷିଣ ଏସିଆ ପର୍ଯ୍ୟନ୍ତ ବ୍ୟାପିଚାଲିଛି। ବିଶେଷକରି ସଦ୍ୟତମ ଭାରତ-ପାକିସ୍ତାନ ଅସ୍ତ୍ରବିରତି ଘଟଣାରେ ଆମେରିକା ଯେଭଳି ଭାବରେ ମାମଲାତି କରି ବିଶ୍ୱର ବଡ଼ଭାଇ ହେବାର ଶ୍ରେୟ ନେଇଗଲା, ତାହା ଚୀନ୍‌‌କୁ ଅତିମାତ୍ରାରେ କ୍ଷୁବ୍ଧ ଓ ଅଶ୍ୱସ୍ତିକର କରିଛି। ଏହିକାରଣରୁ ଚୀନ୍‌‌ ଏବେ ବିଶ୍ୱ ଭୂ-ରାଜନୀତି-କୂଟନୀତିରେ ଆମେରିକାର ମାମଲାତିକୁ ଟକ୍କର ଦେବା ପାଇଁ ନୂଆ ଫନ୍ଦି ଫାନ୍ଦିଛି।

ସମ୍ପ୍ରତି ଆମେରିକା-ଚୀନ୍‌‌ ମଧ୍ୟରେ ଆରମ୍ଭ ହୋଇଥିବା ବାଣିଜ୍ୟ ବା ତାରିଫ୍‌‌ ଯୁଦ୍ଧ ବିଶ୍ୱକୁ ଦୁଇଧ୍ରୁବୀୟ କରିଚାଲିଛି। ଯେଉଁମାନେ ଆମେରିକ।।ର ଉତ୍ପାଦ ପ୍ରତି ଅନୁକୂଳ ନୀତି ପୋଷଣ କରିବେ ସେମାନଙ୍କ ପ୍ରତି ଆମେରିକା କୋହଳ ହେବ। ଅର୍ଥାତ୍‌‌ ସେହି ରାଷ୍ଟ୍ରମାନେ ଆମେରିକାର ଛତ୍ରଛାୟା ତଳେ ରହିବେ ଏବଂ ଆମେରିକାର ମାମଲାତିକୁ ସହିବେ। ଅପରପକ୍ଷରେ ଯେଉଁମାନେ ଆମେରିକା ସହିତ ବନ୍ଧୁ୍‌‌ତ୍ୱପୂର୍ଣ୍ଣ ବାଣିଜ୍ୟ କରିବେ ସେମାନେ ଚୀନ୍‌‌ର ନାଲିଆଖିର ଶିକାର ହେବେ। ତେଣୁ ପରିବର୍ତ୍ତିତ ବିଶ୍ୱ ବାଣିଜ୍ୟ-ରଣନୀତିରେ ଋଣ ଓ କୋହଳ ତାରିଫ୍‌‌ ଜାଲରେ ଫସିଥିବା ଅନେକ ଅନୁନ୍ନତ ଦେଶ ନିକଟ ଭବିଷ୍ୟତରେ ଚୀନ୍‌‌ର ବଶତା ସ୍ୱୀକାର କରିବାକୁ ଏକପ୍ରକାର ବାଧ୍ୟ ହେବେ। ଏହି ଦୁଇଧ୍ରୁବୀୟ ନେତୃତ୍ୱ ଲଢ଼େଇରେ ଅର୍ଥନୀତି, ପ୍ରତିରକ୍ଷା, ସୂଚନା ପ୍ରଯୁକ୍ତିରେ ଆମେରିକା ଓ ଚୀନ୍‌‌ କେହି କାହାକୁ ବଳି ନ ଗଲେ ମଧ୍ୟ ଆଇନ ଅଦାଲତ, ଆଇଏମ୍‌‌ଏଫ୍‌‌ ଓ ବିଶ୍ୱବ୍ୟାଙ୍କ ଭଳି ସଂଗଠନରେ ଆମେରିକାର ଆଧିପତ୍ୟକୁ ଆହ୍ୱାନ ଦେବା ଭଳି କ୍ଷମତା ଏ ପର୍ଯ୍ୟନ୍ତ ଚୀନ ଅର୍ଜନ କରିପାରି ନାହିଁ। ଇତିମଧ୍ୟରେ ବିଶ୍ୱ ବାଣିଜ୍ୟ ସଂଗଠନର ବିବାଦ ସମାଧାନ ମଞ୍ଚକୁ ଆମେରିକା ଭାଙ୍ଗି ଦେଇଛି। ଜାତିସଂଘରେ ଭେଟୋ କ୍ଷମତା ଥାଇ ମଧ୍ୟ ଏ କ୍ଷେତ୍ରରେ ଚୀନ୍‌‌ର ବିବଶତା ବିଶ୍ୱ ଦେଖିଛି। ନାଟୋ ଓ ଆଇଏମ୍‌‌ଏଫ୍‌‌କୁ ଟକ୍କର ଦେବା ପାଇଁ ପରିକଳ୍ପିତ ‘ବ୍ରିକ୍ସ’ ମଧ୍ୟ ଚୀନ୍‌‌ ଆଶାନୁରୂପ ସଫଳତା ହାସଲ କରିପାରିନାହିଁ। ତେଣୁ ମଧ୍ୟସ୍ଥତା ମଞ୍ଚ ମାଧ୍ୟମରେ ଅଧିକରୁ ଅଧିକ ଦେଶକୁ ନିଜ ସପକ୍ଷରେ ଆଣିବାକୁ ଚୀନ୍‌‌ ଅଭିନବ ଉଦ୍ୟମ ଆରମ୍ଭ କରିଛି।

ଆମେରିକାର ଆଧିପତ୍ୟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବା ଇରାନ୍‌‌, ଉତ୍ତର କୋରିଆ, ତୁର୍କୀ ଏପରିକି ଦକ୍ଷିଣ ଆମେରିକୀୟ ଓ ଆଫ୍ରିକୀୟ ରାଷ୍ଟ୍ରମାନେ ଯଦି ଚୀନ୍‌‌ର ମଧ୍ୟସ୍ଥତା ମଞ୍ଚର ସଦସ୍ୟତା ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଯା’ନ୍ତି ତେବେ ଆମେରିକାର ମାମଲାତିରେ ପକ୍ଷଛେଦନ ହେବା ନିଶ୍ଚିତ, ଯାହାକୁ ଆମେରିକା ଓ ନାଟୋ ସଦସ୍ୟମାନେ ସହଜରେ ଗ୍ରହଣ ନ କରିପାରିବା ସ୍ୱାଭାବିକ। ଏପରିକି ସାମ୍ପ୍ରତିକ ବାଣିଜ୍ୟ-କୂଟନୀତି କୈନ୍ଦ୍ରିକ ଦ୍ୱିଧ୍ରୁବୀୟ ବିଶ୍ୱ ଦୃଶ୍ୟପଟ୍ଟରେ ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନେ ମଧ୍ୟ ପକ୍ଷଭୁକ୍ତ ହେବାକୁ ବାଧ୍ୟ। ଏହି ପୃଷ୍ଠଭୂମିରେ ଭାରତ ଏବେ ଦୋଛକିରେ ରହିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ‘ବ୍ରିକ୍ସ’ ସଦସ୍ୟଭୁକ୍ତ ରାଷ୍ଟ୍ର ଭାରତ ଯଦି ଚୀନ୍‌‌କୁ ଆଡ଼ କରି ଆମେରିକା ଦିଗକୁ ଅଧିକ ଢଳିବ ତେବେ ଏସିଆ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଏକଘରକିଆ ହେବାର ଆଶଙ୍କା ଅଧିକ। ଯଦି ଭାରତ ‘ବ୍ରିକ୍ସ’ ଅନୁକୂଳ ନୀତି ପୋଷଣ କରେ ତେବେ ଆମେରିକା ପାକିସ୍ତାନକୁ କୋଳେଇ ନେବାରେ ଅଧିକ ବିଳମ୍ବ କରିବ ନାହିଁ। ଇତିମଧ୍ୟରେ ଭାରତ ରୁଷରୁ ଅଧିକ ଯୁଦ୍ଧାସ୍ତ୍ର କିଣିବା ନିଷ୍ପତ୍ତି ପରେ ଆମେରିକା ପରୋକ୍ଷ ଚେତାବନୀ ଦେଇସାରିଛି। ଏହି ପୃଷ୍ଠଭୂମିରେ ଭାରତ ଆଗରେ ଏବେ ଅନେକ ଆହ୍ୱାନ ସୃଷ୍ଟି ହୋଇଛି। ଆମେରିକା-ଚୀନ୍‌‌ର ମାମଲାତି କୂଟନୀତି ବା ସଇତାନମାନଙ୍କର ବେଦପାଠର ଉଚ୍ଚାରଟ ଯେତେ ସଘନ ହେବ ବିଶ୍ୱରେ ଅଶାନ୍ତିର ବାତାବରଣ ସେତିକି ବ୍ୟାପିବ। କିନ୍ତୁ ସଇତାନମାନଙ୍କୁ ବେଦପାଠରୁ ନିବୃତ୍ତ କରିବ କିଏ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର