ଚୀନ୍ର ତ୍ରିକୋଣୀୟ ସମ୍ପର୍କ
ସଶସ୍ତ୍ର ଆନ୍ଦୋଳନ ଓ ଗଣବିଦ୍ରୋହ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ କ୍ଷମତାଚ୍ୟୁତ କରିବା ପରେ ବାଂଲାଦେଶ ଭୟଙ୍କର ଆର୍ଥିକ ଦୁର୍ଗତି ଦେଇ ଗତିକରୁଛି। ଗତବର୍ଷ ଅଗଷ୍ଟ ୫ ତାରିଖର ଏହି ବିବଦମାନ ସ୍ଥିତି ପରେ ସେଠାରେ ଏ ପର୍ଯ୍ୟନ୍ତ ରାଜନୈତିକ ସ୍ଥିରତା ଫେରିବା ସମ୍ଭବପର ହୋଇନି। ଘୋର ଅନିଶ୍ଚିତତା ମଧ୍ୟରେ କେବେ ନିର୍ବାଚନ ହେବ ତାହା ଏବେ ମଧ୍ୟ ଅସ୍ପଷ୍ଟ। ଦେଶ ବାହାରେ ଥିବା ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ୍ଙ୍କୁ ଦେଶର ଅନ୍ତରୀଣ ସରକାରୀ ମୁଖ୍ୟ […]
ସଶସ୍ତ୍ର ଆନ୍ଦୋଳନ ଓ ଗଣବିଦ୍ରୋହ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ କ୍ଷମତାଚ୍ୟୁତ କରିବା ପରେ ବାଂଲାଦେଶ ଭୟଙ୍କର ଆର୍ଥିକ ଦୁର୍ଗତି ଦେଇ ଗତିକରୁଛି। ଗତବର୍ଷ ଅଗଷ୍ଟ ୫ ତାରିଖର ଏହି ବିବଦମାନ ସ୍ଥିତି ପରେ ସେଠାରେ ଏ ପର୍ଯ୍ୟନ୍ତ ରାଜନୈତିକ ସ୍ଥିରତା ଫେରିବା ସମ୍ଭବପର ହୋଇନି। ଘୋର ଅନିଶ୍ଚିତତା ମଧ୍ୟରେ କେବେ ନିର୍ବାଚନ ହେବ ତାହା ଏବେ ମଧ୍ୟ ଅସ୍ପଷ୍ଟ। ଦେଶ ବାହାରେ ଥିବା ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ୍ଙ୍କୁ ଦେଶର ଅନ୍ତରୀଣ ସରକାରୀ ମୁଖ୍ୟ ରୂପେ ଦାୟିତ୍ୱ ପ୍ରଦାନ କରାଯାଇଛି। ଶେଖ ହସିନାଙ୍କୁ ରାଜନୈତିକ ଆଶ୍ରୟ ଦେଇ ଭାରତ ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କରେ ଯେଉଁ ଫାଟ ସୃଷ୍ଟି କରିଛି, ତାହାର ସୁଯୋଗ ନେଇଛି ଚୀନ୍। ୟୁନୁସ୍ଙ୍କ ଚୀନ ଗସ୍ତ ଏବଂ ଦୁଇଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ୯ଟି ଚୁକ୍ତିନାମାରୁ ଜଣାପଡୁଛି ଯେ ଆଗକୁ ଭାରତ ପ୍ରତି ବିପଦ ଘନେଇ ଆସୁଛି। ଅର୍ଥନୈତିକ ଓ ବୈଷୟିକ ସହଯୋଗିତା, ଭିତ୍ତିଭୂମି ନିର୍ମାଣ ଏବଂ ଅତ୍ୟାଧୁନିକ ଚିକିତ୍ସା କ୍ଷେତ୍ରରେ ବାଂଲାଦେଶକୁ ସହାୟତାର ହାତ ବଢ଼଼ାଇଛି ବେଜିଂ। ୟୁନୁସ ଓ ସି ଜିନ୍ପିଙ୍ଗଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରକୃତ ସମ୍ପର୍କର ସମ୍ପ୍ରସାରିତ େକ୍ଷତ୍ର ତର୍ଜମା କଲେ ଚୀନ୍ର ବିସ୍ତାରବାଦୀ କାର୍ଯ୍ୟକ୍ରମର ସ୍ପଷ୍ଟ ସୂଚନା ମିଳୁଛି।
ଯଦି ଭାରତ ନୁହେଁ, ତେବେ ଆଉ କିଏ ସହାୟତାର ହାତ ବଢ଼଼ାଇବ – ଏଭଳି ଚିନ୍ତାରେ ଭାରାକ୍ରାନ୍ତ ଅର୍ଥନୀତିଜ୍ଞ ୟୁନୁସଙ୍କ ପାଇଁ ଏକମାତ୍ର ବିକଳ୍ପ ଥିଲା ଚୀନ୍। ଭାରତର ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦାବି କରୁଥିବା ବେଜିଂ ନେତୃତ୍ୱ ଭାରତ ସୀମାରେ କ୍ରମାଗତ ଭାବେ ନିଜର ଆସ୍ଥାନ ଜମାଇ ଚାଲିଥିବା ବେଳେ ଆମ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ବିଭ୍ରାଟ ସୃଷ୍ଟି କରିବାର ଚାବିକାଠି ଧରାଇ ଦେଇଛନ୍ତି ୟୁନୁସ। ସୂଚନାଯୋଗ୍ୟ କି, ମାର୍ଚ୍ଚ ୨୬ ତାରିଖରେ ସ୍ୱତନ୍ତ୍ର ବିମାନ ପଠାଇ ୪ ଦିନିଆ ଚୀନ୍ଗସ୍ତରେ ୟୁନୁସଙ୍କୁ ଢାକାରୁ ନିଆଯାଇଛି। ଚୀନ୍ ଯାଇଥିବା ବାଂଲା ନେତା ସ୍ୱାଭାବିକ ଭାବେ ନିଜର ପତିଆରା ପ୍ରଦର୍ଶନ ସକାଶେ ଭାରତ ବିରୋଧରେ କିଛି ତ କହିବେ। ଭାରତର ଉତ୍ତର-ପୂର୍ବାଞ୍ଚଳର ୭ଟି ରାଜ୍ୟର କୌଣସି ସାମୁଦ୍ରିକ ବେଳାଭୂମି ନାହିଁ। ତେଣୁ ଏହି ଅଞ୍ଚଳର ବଙ୍ଗୋପସାଗର ଉପରେ ବାଂଲାଦେଶର ସମ୍ପୂର୍ଣ୍ଣ ମାଲିକାନା ବା କର୍ତ୍ତୃତ୍ୱ ରହିଛି – ୟୁନୁସଙ୍କ ଏହି ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ ସାମରିକ କ୍ଷେତ୍ର ବିସ୍ତାରରେ ଚୀନ୍କୁ ସୁଯୋଗ ଦେବା ସକାଶେ ତାଙ୍କ ରାଷ୍ଟ୍ର ପ୍ରସ୍ତୁତ ଅଛି। ପାକିସ୍ତାନରେ ଗଦ୍ଦର ବନ୍ଦର ପରେ ବାଂଲାଦେଶରେ ମୋଙ୍ଗଳା ବନ୍ଦରର ସମ୍ପ୍ରସାରଣ ଓ ଆଧୁନିକୀକରଣର ଦାୟିତ୍ୱ ନେବେ ଚୀନା କମ୍ପାନୀ। ଭାରତର ପୂର୍ବ ଓ ପଶ୍ଚିମ ଉପକୂଳରେ ଚୀନ୍ର ସମ୍ଭାବ୍ୟ ନୌ-ସେନା ସାମର୍ଥ୍ୟ ବୃଦ୍ଧି ଆଗାମୀ ଦିନରେ ଆମ ସକାଶେ ନୂତନ ବିପଦ ସୃଷ୍ଟି କରିପାରେ। ଆମକୁ ଏଠାରେ କହିବାକୁ ପଡୁଛି ଯେ ଉତ୍ତର-ପୂର୍ବାଞ୍ଚଳର ଭୌଗୋଳିକ ଅବସ୍ଥିତି ଓ ସେଠାକାର ଜନମାନସର ଚିତ୍ର ଓ ଚରିତ୍ରରେ ଥିବା ଭିନ୍ନତା ସାମୟିକ ସମସ୍ୟା ସୃଷ୍ଟି କରିଆସିଛି। କିଛି ବିଚ୍ଛିନ୍ନତାବାଦୀ ତତ୍ତ୍ୱଙ୍କୁ କଠୋର ହସ୍ତରେ ଦମନ କରିବାକୁ ପଡ଼ିଥାଏ। ଏ କ୍ଷେତ୍ରରେ ପଡ଼ୋଶୀ ବନ୍ଧୁରାଷ୍ଟ୍ର ହିସାବରେ ବାଂଲାଦେଶ ପଟରୁ ମଧ୍ୟ ସହାୟତା ମିଳୁଥିଲା। ପରିବର୍ତ୍ତିତ ସ୍ଥିତିରେ ୟୁନୁସ୍ଙ୍କ ଏହି ମନ୍ତବ୍ୟ ନିଶ୍ଚୟ ଭାରତୀୟ ସ୍ୱାର୍ଥର ପରିପନ୍ଥୀ। ତେଣୁ ନୂଆଦିଲ୍ଲୀ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସ୍ୱାଭାବିକ।
ବାଂଲାଦେଶକୁ ୨.୧ ବିଲିୟନ ଡଲାର ନିବେଶ ଋଣ ଓ ସହାୟତା ଆକାରରେ ଯୋଗାଇବାର ପ୍ରତିଶ୍ରୁତି ଦେଇଛି ଚୀନ୍। ସେଥିମଧ୍ୟରେ ଅଛି – ଚଟ୍ଟ ଗ୍ରାମରେ ହେବ ସ୍ୱତନ୍ତ୍ର ଶିଳ୍ପ ଓ ଅର୍ଥନୀତି ଜୋନ୍। ସେଠାରେ ଚୀନ୍ ସାମଗ୍ରୀର ଉତ୍ପାଦନ ସକାଶେ ଭିତ୍ତିଭୂମି ପ୍ରତିଷ୍ଠା ମାଧ୍ୟମରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ସେହିଭଳି ଦ୍ୱିପାକ୍ଷିକ ବାଣିଜ୍ୟ ରାଜିନାମା ଅନୁଯାୟୀ ରପ୍ତାନିଯୋଗ୍ୟ ବାଂଲାଦେଶ ସାମଗ୍ରୀ ଉପରୁ ଶତପ୍ରତିଶତ ଶୁଳ୍କ ଛାଡ଼ କରାଯିବାର ନିଷ୍ପତ୍ତି ହୋଇଛି। ବାଣିଜ୍ୟ ନିଅଣ୍ଟ ହ୍ରାସ ସକାଶେ ଚୀନ୍ ଅଧିକରୁ ଅଧିକ ବାଂଲାଦେଶୀ ସାମଗ୍ରୀ ଆମଦାନୀ କରିବାକୁ ପ୍ରତିଶ୍ରୁତି ଦେଇଛି। ତିସ୍ତାନଦୀ ଜଳ ଉଭୟ ବନ୍ୟା ଓ ମରୁଡ଼ିର କାରଣ ହୋଇଥିବାରୁ ତାହାର ସୁପରିଚାଳନା ମାଧ୍ୟମରେ ଉଭୟ ସମସ୍ୟାର ସମାଧାନ ପାଇଁ ଚୀନ୍ ଭାଗୀଦାରିରେ କାର୍ଯ୍ୟାରମ୍ଭ ହେବ। ଯେଉଁ ବଙ୍ଗୋପସାଗରରେ ନିଜ ଦେଶର ନିରଙ୍କୁଶ ମାଲିକାନା ରହିଥିବା କଥା ୟୁନୁସ ଉଲ୍ଲେଖ କରିଥିଲେ, ତାହାର ଉପକୂଳରେ ମୁଣ୍ଡ ଟେକିଥିବା ମୋଙ୍ଗଳା ବନ୍ଦରର ସମ୍ପ୍ରସାରଣ ଓ ଆଧୁନିକୀକରଣ ଦାୟିତ୍ୱ ମଧ୍ୟ ଚୀନ ହାତକୁ ଟେକି ଦିଆଯାଇଛି। ସାମୁଦ୍ରିକ ପଥରେ ବାଂଲାଦେଶ, ଶ୍ରୀଲଙ୍କା ଓ ପାକିସ୍ତାନ ଉପକୂଳରେ ତ୍ରିକୋଣୀୟ ପ୍ରାଧାନ୍ୟ ଜାହିର କରି ଭାରତ ପ୍ରତି ବେଜିଂ ନୂଆ ବିପଦ ସୃଷ୍ଟି କରିବାକୁ ଯାଉନାହିଁ ତ? ଏଭଳି ପ୍ରଶ୍ନ ବେଳେବେଳେ ବିଚଳିତ କରିବା ସ୍ୱାଭାବିକ। କାରଣ ଭାରତ ପଡ଼ୋଶୀ ରାଷ୍ଟ୍ରଙ୍କ ସହ ସୁସମ୍ପର୍କ ରଖିବାରେ ବିଫଳ ହୋଇଛି। ଏହା ଆମର ବଡ଼ଭାଇ ପଣିଆ ନା କୂଟନୈତିକ ବିଫଳତା, ତାହା ସ୍ୱତନ୍ତ୍ର ତର୍ଜମା ସାପେକ୍ଷ।
ବାଂଲାଦେଶରେ ଶେଖ ହସିନାଙ୍କ ଲୋକପ୍ରିୟତା କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ ପଡ଼ୋଶୀ ବନ୍ଧୁ ରାଷ୍ଟ୍ରଭାବେ ଆମକୁ ଯଥେଷ୍ଟ ପୂର୍ବରୁ ସତର୍କ ହେବାର ଥିଲା। ହସିନା ୨୦୧୪, ୨୦୧୮ ଓ ୨୦୨୪ ନିର୍ବାଚନରେ ବ୍ୟାପକ ରିଗିଂ ଓ ନାନା କଳବଳକୌଶଳ ପ୍ରୟୋଗ କରି ନିର୍ବାଚନ ଜିତିଥିବାରୁ ଅସନ୍ତୋଷ ମୁଣ୍ଡ ଟେକିଥିଲା। ଏପରିକି ଅମାନବୀୟ ଭାବେ ବିରୋଧୀଙ୍କୁ ଜେଲ୍ରେ ଅଟକ ରଖି ନିର୍ଯାତନା ଦିଆଯିବା ଘଟଣା କିଛି ଲୁଚାଛପା ନଥିଲା। ତେଣୁ ଯେଉଁ ଆନ୍ଦୋଳନ ଓ ବିଦ୍ରୋହ ହେଲା ତାହାକୁ ଆମେ ଜାମାତ-ଇ-ଇସଲାମୀ ଓ ପାକିସ୍ତାନୀ ଗୁଇନ୍ଦାଙ୍କ ସମ୍ପୃକ୍ତି କହି ଏଡ଼ାଇଯିବା ଠିକ୍ ହେଲାନି। ଆମକୁ ଯଥେଷ୍ଟ ପୂର୍ବରୁ ସତର୍କ ରହି କୂଟନୈତିକ ଗୋଟିଚାଳନା କରିବାର ଥିଲା। ବିଶେଷକରି ଶେଖ ହସିନାଙ୍କୁ ଦୀର୍ଘସମୟ ଧରି ରାଜନୈତିକ ଆଶ୍ରୟ ଦିଆଯିବାରୁ ତାହାର ପ୍ରତିକୂଳ ପ୍ରଭାବ ବାଂଲାଦେଶ କ୍ଷମତାକେନ୍ଦ୍ର ଉପରେ ପଡ଼ିଲା। ବିଦ୍ରୋହ ଓ ବିଶୃଙ୍ଖଳାର ପ୍ରତିକୂଳ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିବା ସ୍ୱାଭାବିକ। ତେଣୁ ବାଂଲାଦେଶ ବିଗିଡ଼ି ଯାଉଥିବା ବ୍ୟବସ୍ଥାକୁ ସଜାଡ଼ିବା ପାଇଁ କାହାର ନା କାହାର ସାହାଯ୍ୟ ତ ନିଶ୍ଚୟ ନେବ। ସମ୍ପର୍କ ସୁଦୃଢ଼ କରିବାକୁ ଅପେକ୍ଷା କରିଥିବା ଚୀନ୍ ପ୍ରତି ବାଂଲାଦେଶ ହାତ ବଢ଼଼ାଇବାରେ ସେଭଳି କୌଣସି ଅସ୍ୱାଭାବିକତା ନାହିଁ।






