ଉପେକ୍ଷିତ ଶିଶୁ ଓ ଗୁଣାତ୍ମକ ଶିକ୍ଷା
ଆମ ଦେଶରେ ସାର୍ବଜନୀନ ଗୁଣାତ୍ମକ ପ୍ରାଥମିକ ଶିକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସ୍ୱାଧୀନତା ପ୍ରାପ୍ତିର ଆଦ୍ୟ ଭାଗରୁ ଅଦ୍ୟାବଧି ଅନେକ କାର୍ଯ୍ୟକ୍ରମ ଓ ନୀତି କାର୍ଯ୍ୟକାରୀ କରାଯାଇଛି। ତନ୍ମଧ୍ୟରୁ କଳାପଟା ଅଭିଯାନ, ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ, ଜିଲ୍ଲା ମାଧ୍ୟମିକ ଶିକ୍ଷା କାର୍ଯ୍ୟକ୍ରମ, ସର୍ବଶିକ୍ଷା ଅଭିଯାନ, ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ, ଶିକ୍ଷା ଅଧିକାର ଆଇନ-୨୦୦୯, ଜାତୀୟ ଶିକ୍ଷା ନୀତି ୧୯୮୬, ଜାତୀୟ ଶିକ୍ଷା ନୀତି ୨୦୨୦ ଅନ୍ୟତମ। ଏତଦ୍ବ୍ୟତୀତ ବିଭିନ୍ନ ଆୟୋଗର ସୁପାରିସ ମଧ୍ୟ କାର୍ଯ୍ୟକାରୀ ହୋଇଛି। […]
ଆମ ଦେଶରେ ସାର୍ବଜନୀନ ଗୁଣାତ୍ମକ ପ୍ରାଥମିକ ଶିକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସ୍ୱାଧୀନତା ପ୍ରାପ୍ତିର ଆଦ୍ୟ ଭାଗରୁ ଅଦ୍ୟାବଧି ଅନେକ କାର୍ଯ୍ୟକ୍ରମ ଓ ନୀତି କାର୍ଯ୍ୟକାରୀ କରାଯାଇଛି। ତନ୍ମଧ୍ୟରୁ କଳାପଟା ଅଭିଯାନ, ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ, ଜିଲ୍ଲା ମାଧ୍ୟମିକ ଶିକ୍ଷା କାର୍ଯ୍ୟକ୍ରମ, ସର୍ବଶିକ୍ଷା ଅଭିଯାନ, ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ, ଶିକ୍ଷା ଅଧିକାର ଆଇନ-୨୦୦୯, ଜାତୀୟ ଶିକ୍ଷା ନୀତି ୧୯୮୬, ଜାତୀୟ ଶିକ୍ଷା ନୀତି ୨୦୨୦ ଅନ୍ୟତମ। ଏତଦ୍ବ୍ୟତୀତ ବିଭିନ୍ନ ଆୟୋଗର ସୁପାରିସ ମଧ୍ୟ କାର୍ଯ୍ୟକାରୀ ହୋଇଛି। ତଥାପି ଅଦ୍ୟାବଧି ଦଳିତ, ଭିନ୍ନକ୍ଷମ, ସହରୀ ଦରିଦ୍ର, ଆଦିବାସୀ ଓ ଦୂରବର୍ତ୍ତୀ ପ୍ରାନ୍ତୀୟ ଛାତ୍ରଛାତ୍ରୀ ଶିକ୍ଷାର ମୁଖ୍ୟସ୍ରୋତରେ ଯଥୋଚିତ ସାମିଲ ହୋଇ ପାରୁ ନ ଥିବା ଏବଂ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହୋଇ ରହିଯାଇଥିବା ଅଭିଯୋଗ ହେଉଛି। ଜାତୀୟ ଶିକ୍ଷାନୀତି ୨୦୨୦ ରେ ଅଧ୍ୟାୟ ୬ ଓ ୧୪ ରେ ଏହିଭଳି ଅବହେଳିତ ବର୍ଗଙ୍କ ପାଇଁ ସମାବେଶୀ ଓ ନ୍ୟାୟସଙ୍ଗତ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇ ଅନେକ ପ୍ରାବଧାନ କରାଯାଇଛି।
ସମାବେଶୀ ଶିକ୍ଷା ଏଭଳି ଏକ ଶିକ୍ଷଣ ବ୍ୟବସ୍ଥା, ଯେଉଁଥିରେ କି କ୍ଷମତା, ସାମାଜିକ ଓ ଆର୍ଥିକ ପୃଷ୍ଠଭୂମି, ଲିଙ୍ଗଭେଦ, ଭୌଗୋଳିକ ଅବସ୍ଥିତି ନିର୍ବିଶେଷରେ ସମସ୍ତ ବର୍ଗର ବିଦ୍ୟାର୍ଥୀ ଶିକ୍ଷା ବ୍ୟବସ୍ଥାର ମୁଖ୍ୟସ୍ରୋତରେ ସାମିଲ ହୋଇ ଦକ୍ଷତାର ପୂର୍ଣ୍ଣାଙ୍ଗ ବିକାଶ କରିପାରିବେ। ନ୍ୟାୟସଙ୍ଗତ ଶିକ୍ଷା ବିଦ୍ୟାର୍ଥୀର ବିଶେଷତା ଓ ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଆବଶ୍ୟକତା କରୁଥିବା ସମସ୍ତ ସୁବିଧା ଯୋଗାଇଦେବା ଦିଗରେ ଅଭିପ୍ରେତ। ସର୍ବଭାରତୀୟ ତଥ୍ୟାନୁଯାୟୀ, ଆମ ରାଜ୍ୟରେ ତୃତୀୟ ଶ୍ରେଣୀ ସମାପ୍ତି ବେଳକୁ ‘ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟାଜ୍ଞାନ’ ହାସଲ କରିବା ଲକ୍ଷ୍ୟ ନେଇ ସରକାରଙ୍କ ତରଫରୁ ‘ନିପୁଣ ଭାରତ ମିଶନ’ ଓ ‘ନିପୁଣ ଓଡ଼ିଶା ମିଶନ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜାତୀୟ ଶିକ୍ଷା ନୀତି ୨୦୨୦ ର ଏହା ଏକ ପ୍ରମୁଖ ଅଂଶ। ୩ ରୁ ୮ ବର୍ଷ ମଧ୍ୟରେ ପଢ଼଼ୁଥିବା ପିଲାମାନେ ତୃତୀୟ ଶ୍ରେଣୀ ସମାପ୍ତି ସୁଦ୍ଧା ଯେପରି ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ହାସଲ କରିପାରିବେ, ଅର୍ଥାତ ବୟସ ଅନୁସାରେ ସହଜରେ ପଢ଼଼ିପାରିବେ, ବୁଝିପାରିବେ, ଲେଖିପାରିବେ, ଗଣିତ କଷିପାରିବେ ଓ ଦୈନନ୍ଦିନ ଜୀବନର ସମସ୍ୟା ସମାଧାନ କରିପାରିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି।
ତେବେ ଅବହେଳିତ ବର୍ଗର ଶିକ୍ଷାକଥା ଚିନ୍ତନ ବେଳେ ବ୍ରାଜିଲରେ ଜନ୍ମିତ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିକ୍ଷାବିତ୍ ‘ପାଓଲୋ ଫିଏରେ’ଙ୍କ ବହୁଚର୍ଚ୍ଚିତ ପୁସ୍ତକ ‘ପେଡ଼ାଗୋଜି ଅଫ ଦି ଅପ୍ରେସଡ’(ନିଷ୍ପେସିତର ଶିକ୍ଷାଶାସ୍ତ୍ର)ରେ ଆଲୋଚନା କରାଯାଇଥିବା ଅନେକଦିଗ ପ୍ରାସଙ୍ଗିକ ମନେ ହୁଏ। ୧୯୬୮ ମସିହାରେ ମୂଳତଃ ପର୍ତ୍ତୁଗୀଜ ଭାଷାରେ ଲିଖିତ ଏହି ପୁସ୍ତକଟି ବିଭିନ୍ନ ଦେଶର ୧୮ ଟି ଭାଷାରେ ଅନୂଦିତ ହୋଇସାରିଛି। ପୁସ୍ତକରେ ସାମାଜିକ ସଂରଚନାରେ ଉପେକ୍ଷିତ ବର୍ଗ ଓ ସୁବିଧାବାଦୀ ବର୍ଗ ଭିତରେ ରହିଥିବା ତାରତମ୍ୟ ଓ ଜଟିଳ ସମ୍ପର୍କକୁ ଗଭୀର ଅନୁଶୀଳନ କରାଯାଇ କେତେକ ସମାଧାନର ସୂତ୍ର ଉଲ୍ଲେଖ କରାଯାଇଛି। ଏହି ପରିପ୍ରେକ୍ଷୀରେ ସେଥିରେ ବର୍ଣ୍ଣିତ ‘ବ୍ୟାଙ୍କିଂ ମଡେଲ’ର ଶିକ୍ଷା ଅବଧାରଣା ଏବେ ମଧ୍ୟ ଅନେକ ସ୍ଥାନରେ ବଳବତ୍ତର ରହିଛି।
ଆମର ଏକ ରୂଢ଼ିବାଦୀ ଧାରଣା ରହିଛି ଯେ ବିଦ୍ୟାଳୟକୁ ପ୍ରବେଶ କରୁଥିବା ପିଲା କଞ୍ଚା ମାଟି ଅଟନ୍ତି। ସେମାନଙ୍କୁ ଯେମିତି ଇଚ୍ଛା ଗଢ଼ିପାରିବା। କିନ୍ତୁ ଆମେ ଯଦି ଶିଶୁମାନଙ୍କୁ ଚେତନାବିହୀନ ଉପାଦାନ ଭାବିବା, ଯେଉଁଠି ଆମ ଇଚ୍ଛା ଅନୁସାରେ ସୂଚନା ତଥା ସିଦ୍ଧାନ୍ତ ସେମାନଙ୍କ ମନରେ ଭର୍ତ୍ତି କରି ଦିଆଯିବ ତାହା କେବଳ ଏକ ଭୁଲ ଧାରଣା ନୁହେଁ, ବିପଜ୍ଜନକ ମଧ୍ୟ। ପିଲାଟିଏ ପାଖରେ ଅନୁଭୂତି ସହ ସାମାଜିକତା, ମାତୃଭାଷାରେ କଥାବାର୍ତ୍ତା କରିବା କୌଶଳ, ଆଧାରଭୂତ ଗଣନର ଅନୁଭୂତି ବିଦ୍ୟାଳୟକୁ ଆସିବା ପୂର୍ବରୁ ରହିଥାଏ। ଏ କ୍ଷେତ୍ରରେ ସ୍ୱଛଳ ବିଦ୍ୟାର୍ଥୀ ଅପେକ୍ଷା ଅବହେଳିତ ଶିଶୁଟି ଆହୁରି ଜୀବନ୍ତ ଅନୁଭୂତି, ଉତ୍ପୀଡ଼ନ, ଟାହିଟାପରା, ମାନସିକ ସଂଘାତ, ସାମାଜିକ ଅସ୍ପୃଶ୍ୟତା ଭଳି ସ୍ଥିତି ଦେଇ ଅତିକ୍ରମ କରିଥାଏ। ପିଲା ଗୋଟିଏ ବ୍ୟାଙ୍କ ନୁହେଁ ଯେ ଆମେ ଜ୍ଞାନ ଜମା କରି ଭବିଷ୍ୟତରେ ସୁଧ ସହ ଅମଳ କରି ହେବ। ତା’ମୁଣ୍ଡରେ କେବଳ ସୂଚନା ପୂରେଇ ଦେଇ ଯନ୍ତ୍ର ଭଳି ପ୍ରକ୍ରିୟାକରଣ କରି ଆମ ଇଚ୍ଛା ଅନୁସାରେ ଉତ୍ପାଦ ବାହାର କରିପାରିବା ନାହିଁ। ଏହି ମନୋବୃତ୍ତିର ଫଳ ହେଉଛି ରାଜସ୍ଥାନ୍ର କୋଟା ବା ଅନ୍ୟାନ୍ୟ ସହରରେ ଦୈନିକ ଛାତ୍ରଛାତ୍ରୀ ଆତ୍ମହତ୍ୟା ସମ୍ପର୍କିତ ଖବର।
ଜାତୀୟ ଶିକ୍ଷା ନୀତିରେ ଯେଉଁ ଉପେକ୍ଷିତ ବର୍ଗର ଶିକ୍ଷା କଥା କୁହାଯାଇଛି, ସେମାନେ ଅଧିକାଂଶ କ୍ଷେତ୍ରରେ ପ୍ରଥମ ପିଢ଼ିଭାବେ ବିଦ୍ୟାଳୟକୁ ପ୍ରବେଶ କରିଥା’ନ୍ତି। ଘରୋଇ ପରିବେଶରେ ଯେହେତୁ ପିତାମାତା ଆନୁଷ୍ଠାନିକ ଶିକ୍ଷଣରୁ ବଞ୍ଚିତ ଥା’ନ୍ତି ଉକ୍ତ ପରିବାର ଓ ତାଙ୍କ ସନ୍ତାନମାନଙ୍କ ମନରେ ବିଦ୍ୟାଳୟ ପ୍ରତି ଏକ ଆକର୍ଷଣ ଓ ଆଶଙ୍କା ଉଭୟ ଦବି ରହିଥାଏ। ପିଲାକୁ ଯଦି ଆମେ କୌଣସି ବିଷୟକୁ ଜାଣିବାକୁ ନ ଦେଇ ଶିକ୍ଷକ ପଢ଼଼ାଉଥିବା ପାଠକୁ କେବଳ ଆହରଣ କରିବାକୁ ପ୍ରବର୍ତ୍ତାଇବା ତାହା ମଣିଷ ବଦଳରେ ଯନ୍ତ୍ର ହେବାରେ ସାହାଯ୍ୟ କରିବ। ଉକ୍ତ ସିଦ୍ଧାନ୍ତ ଉପରେ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଇଛି। ଦ୍ୱିତୀୟତଃ, ପ୍ରତ୍ୟେକ ବିଦ୍ୟାର୍ଥୀ ଯେଉଁ ବିଷୟରେ ଜାଣିବାକୁ ଚାହୁଁଥିବେ ସେବିଷୟରେ ଏକ ସଂଗଠିତ, ନିୟମବଦ୍ଧ ଓ ବିକାଶମୂଳକ ପ୍ରତିନିଧି ହିସାବରେ ତା’ ପାଖରେ ପହଞ୍ଚାଇବା ଦରକାର। ତୃତୀୟତଃ, ଶିକ୍ଷା ଅନ୍ୟ କୌଣସି ଭୌତିକ ଜିନିଷ ଭଳି ବିତରଣ ଉପାଦାନ ନୁହେଁ, ବରଂ ଏହା ପିଲାମାନଙ୍କ ସୁହାଇଲା ଭଳି ବା ପିଲାମାନଙ୍କ ପୃଷ୍ଠଭୂମି, ମାତୃଭାଷା, ସଂସ୍କୃତି ଓ ସାମର୍ଥ୍ୟ ଅନୁଯାୟୀ ହେବା ଆବଶ୍ୟକ। ଶିକ୍ଷା ସମ୍ପର୍କରେ ବିଶିଷ୍ଟ ଶିକ୍ଷାବିତ୍ମାନଙ୍କ ମତ ହେଲା ‘ଯାହା ଯୋଡ଼େ ତାହା ହିଁ ଶିକ୍ଷା।’ ଚତୁର୍ଥତଃ, ମାନବ ଓ ଅନ୍ୟାନ୍ୟ ଇତର ପ୍ରାଣୀ (ପଶୁପକ୍ଷୀ ଇତ୍ୟାଦି)ଙ୍କ ଶିକ୍ଷଣ ପ୍ରକ୍ରିୟାରେ ଫରକ ଅଛି। ମାନବ ଶିଶୁ ସବୁ ବସ୍ତୁ ଓ ବିଷୟ ତଥା ଭାବନାର ସାଙ୍କେତିକ ବ୍ୟବହାର କରିପାରେ, ଯାହାକି ଇତର ପ୍ରାଣୀକ୍ଷେତ୍ରରେ ସମ୍ଭବ ନୁହେଁ ବା ଅତ୍ୟନ୍ତ ନଗଣ୍ୟ।
ମାନବ ଶିଶୁ ଯେତେ ଅବହେଳିତ ବା ନିଷ୍ପେସିତ ବର୍ଗକୁ ପ୍ରତିନିଧିତ୍ୱ କରୁ ନା କାହିଁକି, ଏକ ପାରିବାରିକ ତଥା ଅନୁବଂଶିକ ସଭ୍ୟତା ଓ ସଂସ୍କୃତିର ଦାୟାଦ। ତା’ର ଏକ ଅତୀତ, ଭବିଷ୍ୟତ ଓ ବର୍ତ୍ତମାନ ଥାଏ। ଆଦ୍ୟ ଶୈଶବରେ ମଧ୍ୟ ଅବହେଳିତ ‘ଶିଶୁ’ ଟି ଗୋଷ୍ଠୀ ବା ସମାଜ ଦ୍ୱାରା ନିର୍ମିତ ବନ୍ଧନରେ ଛନ୍ଦି ହୋଇଯାଏ। ତା’ ଭିତରେ ସହଜାତ ଭାବେ ବିଦ୍ୟମାନ ଥିବା ‘ମୁକ୍ତି କାମନା’ ତା’କୁ ଶିକ୍ଷା ପାଇଁ ଆକର୍ଷିତ କରେ। ‘ସା ବିଦ୍ୟା ଯା ବିମୁକ୍ତୟେ’ -ବିଦ୍ୟା ତାହା ଯାହା ମୁକ୍ତି ପ୍ରଦାନ କରେ। ଅବହେଳିତ, ନିଷ୍ପେସିତ ବିଦ୍ୟାର୍ଥୀମାନଙ୍କୁ ନିକଟ ପରିବେଶର ଅନୁବନ୍ଧନରୁ ଓ ବିଭିନ୍ନ ରୂଢ଼ିବାଦୀ ଚିନ୍ତାଧାରାରୁ ମୁକ୍ତ କରିବା ପ୍ରୟାସ ଲୋଡ଼ା। ଏହି ଶିଶୁ ଯଦି ବର୍ତ୍ତମାନ ଅବସ୍ଥାରୁ ନ୍ୟୂନକୁ ଗତି ନ କରି ଉତ୍ତମ ମଣିଷ ହେବାର ସମ୍ଭାବନାକୁ ଠଉରେଇ ପାରିବ, ତେବେ ତା’ର ଶିକ୍ଷଣ ଚରମ ସୋପାନରେ ପହଞ୍ଚିବ।
ବିଡ଼ମ୍ୱନା ହେଉଛି ନିଷ୍ପେସିତ ଶିଶୁଟି ଆର୍ଥିକ, ସାମାଜିକ, ମନସ୍ତାତ୍ତ୍ବିକ ଚାପ ଓ ସଚେତନତା ଅଭାବରୁ ଶିକ୍ଷଣର ଗୁରୁତ୍ୱପୂର୍ଣ୍ଣ ଆଦ୍ୟ ବର୍ଷଗୁଡ଼ିକ ଅତିବାହିତ କରିଦିଏ। ଏହିଭଳି ଶିଶୁମାନଙ୍କ ଶିକ୍ଷଣ କ୍ଷେତ୍ରରେ ଅନୁଭୂତିସମ୍ପନ୍ନ ଅଭିକର୍ତ୍ତାକୁ ସାମିଲ କରାଗଲେ ଫଳପ୍ରଦ ହେବ। ନିଷ୍ପେସିତ ବା ଉପେକ୍ଷିତ ବର୍ଗର ଶୈଖିକ ଉନ୍ନତି କେବଳ ଆମ ଅବଧାରଣ ଅନୁସାରେ ନ ହୋଇ ସେମାନଙ୍କ ପୃଷ୍ଠଭୂମିର ଅନୁଶୀଳନ, ଅବଧାରଣା ଇତ୍ୟାଦିକୁ କେନ୍ଦ୍ର କଲେ ହିଁ ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରାଯାଇପାରିବ।
ଅମାତ୍ୟ କୁମାର ପ୍ରଧାନ
ମୋ: ୯୪୩୭୨୧୯୬୧୩






