ଧାର୍ମିକ ବର୍ବରତା

The Sakala Picture
Published On

ପୃଥିବୀପୃଷ୍ଠରେ ମାନବଜାତିର ସୃଷ୍ଟି ଯେତିକି ରହସ୍ୟମୟ, ତା’ଠାରୁ ଅଧିକ ରହସ୍ୟମୟ ତା’ର ଧାର୍ମିକ ମାନସିକତା। ସେ ତା’ ନିଜ ସୃଷ୍ଟିକୁ ନେଇ ଅନେକ ମତବାଦ ମଧ୍ୟରୁ ଧାର୍ମିକ ମତବାଦକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭାବେ ଗ୍ରହଣ କରିଛି। ଧର୍ମ ପ୍ରତ୍ୟେକ ମଣିଷର ଏକ ସ୍ୱତନ୍ତ୍ର ପରିଚୟ। ଧାର୍ମିକ ପରିଚୟ ତା’କୁ ସାମାଜିକ ଅନୁଷ୍ଠାନ ଓ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ସହ ଯୋଡ଼ି ରଖିଥାଏ। ଯଦିଓ ଧର୍ମର ଆରମ୍ଭ ଓ ନିର୍ଦ୍ଦିଷ୍ଟ ସମୟକୁ ଖୋଜିପାଇବା କାଠିକର ପାଠ, ତଥାପି ଧର୍ମ […]

ପୃଥିବୀପୃଷ୍ଠରେ ମାନବଜାତିର ସୃଷ୍ଟି ଯେତିକି ରହସ୍ୟମୟ, ତା’ଠାରୁ ଅଧିକ ରହସ୍ୟମୟ ତା’ର ଧାର୍ମିକ ମାନସିକତା। ସେ ତା’ ନିଜ ସୃଷ୍ଟିକୁ ନେଇ ଅନେକ ମତବାଦ ମଧ୍ୟରୁ ଧାର୍ମିକ ମତବାଦକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭାବେ ଗ୍ରହଣ କରିଛି। ଧର୍ମ ପ୍ରତ୍ୟେକ ମଣିଷର ଏକ ସ୍ୱତନ୍ତ୍ର ପରିଚୟ। ଧାର୍ମିକ ପରିଚୟ ତା’କୁ ସାମାଜିକ ଅନୁଷ୍ଠାନ ଓ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ସହ ଯୋଡ଼ି ରଖିଥାଏ। ଯଦିଓ ଧର୍ମର ଆରମ୍ଭ ଓ ନିର୍ଦ୍ଦିଷ୍ଟ ସମୟକୁ ଖୋଜିପାଇବା କାଠିକର ପାଠ, ତଥାପି ଧର୍ମ ବିନା ମଣିଷର ଅସ୍ତିତ୍ୱ ବା କାହିଁ?

ଇତିହାସ ପୃଷ୍ଠାକୁ ଉନ୍ମୋଚନ କଲେ ଜଣାଯାଏ ମଣିଷର ସାମାଜିକ ପରିଚୟ କେବଳ ମଣିଷ ନୁହେଁ, ବରଂ ଜାତି-ଧର୍ମ ଭିତରେ ସୀମାବଦ୍ଧ ହୋଇଯାଇଛି। ଦର୍ଶନ ଶାସ୍ତ୍ର ଅନୁଯାୟୀ ମଣିଷ ନିଜକୁ ସଂଯତ, ପରିମାର୍ଜିତ ସହ ଦିବ୍ୟଚେତନାର ଜାଗରଣ କରି ନିଜ ଜୀବନକୁ ଅମୃତମୟପୂର୍ବକ ମୋକ୍ଷ ଲକ୍ଷ୍ୟରେ ଆତ୍ମାକୁ ଅଗ୍ରସର କରିବାର ମୁଖ୍ୟ ଉଦେଶ୍ୟ ହେଉଛି ଧର୍ମ। ‘ଧର୍ମ’ର ଅର୍ଥ ଧାରଣ କରିବା। ‘ଧାରଣ’ର ଅର୍ଥ ନିଜର ନୈତିକ କର୍ମକୁ ଆଦରପୂର୍ବକୁ ଆଗେଇ ନେବା। ଧର୍ମ ଏକ ଜୀବନଶୈଳୀ, ଏକ ଚିନ୍ତାଧାରା, ଏକ ମାନସିକ ପରିକଳ୍ପନା, ଏକ ସ୍ୱଚ୍ଛସୁନ୍ଦର ସଂକଳ୍ପ, ଯାହା ମଣିଷକୁ ରାସ୍ତା ଦେଖାଏ। ତା’ ଭିତରେ ଥିବା ମାନବିକତାକୁ ଉଦ୍ରେକ କରେ। ଦୟା, ପ୍ରେମ, କରୁଣା ପୁଣି ଭଲ ପାଇବା ସୃଷ୍ଟି କରେ। ପ୍ରତ୍ୟେକ ମଣିଷ ସ୍ୱତନ୍ତ୍ର ଯେ ସେ କେଉଁ ଧର୍ମ ବା ଜୀବନଶୈଳୀକୁ ଗ୍ରହଣ କରିବ ଏବଂ ସେ କେଉଁ ପଥରେ ଅଗ୍ରସର ହେବ ତା’କୁ ହିଁ ଜଣା।

ଜୀବଜଗତର ସୃଷ୍ଟି ପରେ ପରେ ଧର୍ମର ଧ୍ୱଜା ଉଡ଼ିବା ଆରମ୍ଭ ହେଲା। ମଣିଷ ଦ୍ୱାରା ସୃଷ୍ଟି ହୋଇଥିବା ଧର୍ମକୁ ମଣିଷ ହିଁ ପ୍ରଚାର ପ୍ରସାର କରିବାରେ ଲାଗିପଡ଼ିଲା। ଖାଦ୍ୟ, ବସ୍ତ୍ର ଓ ବାସଗୃହ ଉପଯୋଗୀ ସବୁକିଛି ଧର୍ମକୁ ଆଖିରେ ରଖି କରାଗଲା। କେଉଁ ଧର୍ମ ଗ୍ରହଣ କଲେ ମଣିଷକୁ ସୁଖ ଶାନ୍ତି ମିଳିବ ସେ ହିଁ ସ୍ଥିର କଲା। ମଣିଷର ପୋଷାକ ପରିଚ୍ଛଦ ବେଶଭୂଷାକୁ ଦେଖି କେଉଁ ମଣିଷ କେଉଁ ଧର୍ମର ଜାଣିବାରେ ଆଉ କୌଣସି ଦ୍ୱନ୍ଦ୍ୱ ଉପୁଜିଲା ନାହିଁ। ପ୍ରତ୍ୟେକ ଧର୍ମର ଉପାସନା ପଦ୍ଧତି ସମ୍ପୂର୍ଣ ଭିନ୍ନ ରହିଲା। ଧର୍ମର ପ୍ରତିଷ୍ଠାତାଙ୍କ ମହତ୍ବାଣୀ ସାମାଜିକ ଓ ବ୍ୟକ୍ତିଗତ ଜୀବନରେ ସାଧାରଣ ଜନତାଙ୍କୁ ନିଶ୍ଚିତଭାବେ ଆକର୍ଷଣ କରିବା ଫଳରେ ସେମାନେ ସେହି ଧାର୍ମିକ ଚିନ୍ତାଧାରାରେ ନିଜକୁ ସାମିଲ୍ କରିବାରେ ମନୋନିବେଶ କଲେ। ପାରମ୍ପରିକ ଭାବେ ପିଢ଼ି ପରେ ପିଢ଼ି ସେଇ ନିର୍ଦ୍ଦିଷ୍ଟ ଧର୍ମକୁ ଗ୍ରହଣ କରିନେଲେ। ଧର୍ମକୁ ସହୃଦୟରେ ଗ୍ରହଣ କଲା ପରେ ସେହିଧର୍ମକୁ ଲୋକପ୍ରିୟ କରାଇବା ପାଇଁ ମଣିଷମାନେ ଲାଗିପଡ଼ିଲେ। ନିଜ ଧର୍ମକୁ ଶ୍ରେଷ୍ଠ ଭାବେ ଅନୁଭବ କରି ବିଶ୍ୱ ଦରବାରରେ ସେହି ଧର୍ମର ପ୍ରତିଷ୍ଠା ପାଇଁ ପ୍ରୟାସ ଆରମ୍ଭ କଲେ। ପରେପରେ ଧର୍ମ-ଧର୍ମ ମଧ୍ୟରେ ଚାଲିଲା ପ୍ରତିଦ୍ୱନ୍ଦ୍ୱିତା, ଆକ୍ଷେପ-ପ୍ରତ୍ୟାକ୍ଷେପ।

ଧର୍ମ ଆଗରେ ସବୁ ମୂଲ୍ୟହୀନ। ତେଣ ନିଜର ଜୀବନକୁ ବଳିଦାନ ସହ ଅନ୍ୟର ଜୀବନକୁ ନେଇ ରକ୍ତର ହୋଲି ଖେଳିବାକୁ ମଣିଷର କୌଣସି ଦ୍ୱନ୍ଦ୍ୱ ଜାତ ହେଲା ନାହିଁ। ଧର୍ମ ଓ ଧର୍ମର ପୁରୋଧାକୁ ନିଜର ଇଷ୍ଟ ଭାବେ ଗ୍ରହଣ କରି ସେହି ନିର୍ଦ୍ଦିଷ୍ଟ ଧର୍ମର ପ୍ରଭୂତାକୁ କିପରି ଜାହିର କରାଯିବ ସେଥିପାଇଁ ସେ ଯୋଜନା କଲା। ଧାର୍ମିକ ଅନୁଷ୍ଠାନ ଜରିଆରେ ଭାବପ୍ରବଣତାକୁ ଅସ୍ତ୍ର କରି ତାହାକୁ ଲୋକାଭିମୁଖୀ କରିବାରେ ସେ ଯତ୍ନବାନ ହେଲା। ପରବର୍ତ୍ତୀ ସମୟରେ ଧର୍ମର ପୃଷ୍ଠପୋଷକ ସାଜିଲେ ହିଂସ୍ର ଅତ୍ୟାଚାରୀ ଶାସକଗୋଷ୍ଠୀ। ସମସ୍ତ ବଳପ୍ରୟୋଗ ପୂର୍ବକ ସାଧାରଣ ଜନତାକୁ ଯୋରଜବରଦସ୍ତ ଧର୍ମଗ୍ରହଣ କରିବାକୁ ବାଧ୍ୟ କରାଗଲା। ଏଥିରେ ଯିଏ ରାଜି ହେଲା ସେ ବଞ୍ଚିଲା। କେହି କେହି ନିଜ ଜୀବନ ବିକଳରେ ଧର୍ମାନ୍ତରଣକୁ ଉପଯୁକ୍ତ ମନେ କଲେ। ଯେଉଁମାନେ ଅନ୍ୟ ଧର୍ମ ଗ୍ରହଣ କଲେ ନାହିଁ ସେମାନଙ୍କୁ ଅତ୍ୟାଚାର, ଅକଥନୀୟ ଦଣ୍ଡ, ମୃତ୍ୟଦଣ୍ଡ ଓ ମାନସିକ ଯନ୍ତ୍ରଣା ସହିବାକୁ ପଡ଼ିଲା। ଅଯଥା ଧାର୍ମିକ ଓ ତୀର୍ଥକର ମଧ୍ୟ ସାଧାରଣ ଜନତାଙ୍କ ଉପରେ ଜୋର କରି ଲଦି ଦିଆଗଲା। କେଉଁଠି ଉପାସନା ପୀଠକୁ ଧ୍ୱଂସ କରାଗଲା ତ ପୁଣି କେଉଁଠି ଉପାସନା ପୀଠକୁ ନିଜ ପ୍ରିୟଧର୍ମର ଉପାସନା ପୀଠରେ ରୂପାନ୍ତର କରିବାରେ ଲାଗି ପଡ଼ିଲେ ଧର୍ମାନ୍ଧ ବ୍ୟକ୍ତିସମୂହ। ଧର୍ମକୁ ପ୍ରଧାନ୍ୟ ଦେଇ ମଣିଷ ମାନବିକତାକୁ ପାସୋରି ଦେଲା। ବିଶ୍ୱର କୋଣଅନୁକୋଣରେ ଭିନ୍ନଭିନ୍ନ କ୍ଷେତ୍ରରେ ଧର୍ମକୁ ଆଖିରେ ରଖି ଧର୍ମଯୁଦ୍ଧ ଆରମ୍ଭ ହୋଇଗଲା। ଯେଉଁ ଧର୍ମ ପ୍ରେମ ଓ କରୁଣାର ଗୀତଗାନ କରୁଥିଲା ସେ ପୁଣି ହିଂସା-ନୃଶଂସ ଆତଙ୍କବାଦୀର ରୂପ ଧାରଣ କଲା।

‘ଧର୍ମ’ର ମୂଳମନ୍ତ୍ର ନୈତିକ ବିଚାର ଉପରେ ପର୍ଯ୍ୟବସିତ। ବିଶ୍ୱଭ୍ରାତୃତ୍ୱ ଓ ଶାନ୍ତି ସ୍ଥାପନ ପାଇଁ ଧର୍ମ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ହେଁ ତାହା ସମୟକ୍ରମେ ଉଗ୍ର ମାନସିକ ରୂପଧାରଣ କରି ରକ୍ତପାତର ରୂପ ନେବ ସେ କଥା କିଏ ଜାଣିଥିଲା? ଦୟା, କ୍ଷମା, ଦାନ ଓ ତ୍ୟାଗ ଥିଲା ପ୍ରତ୍ୟେକ ଧର୍ମର ମୂଳଲକ୍ଷ୍ୟ। ତାହା କିନ୍ତୁ କ୍ରୂରତାକୁ ପରିବର୍ତ୍ତିତ ହେବାରେ ଲାଗିଲା। ଜଳଦାନ, ଜଳଛତ୍ର କୂପଖନନ ପରିବର୍ତ୍ତେ କୂଅପୋଖରୀ ପାଣିରେ ବିଷ ମିଶାଇବା ଭଳି ଅମାନବିକ କାର୍ଯ୍ୟକଳାପ ଦେଖିବାକୁ ମିଳିଲା। ମଣିଷ ପଶୁଠାରୁ ମଧ୍ୟ ହୀନ ପାଲଟିଗଲା। ଅତ୍ୟାଚାର, ଲୁଣ୍ଠନ, ଗୃହଦାହ, ବଳାତ୍କାର, ଉତ୍ପୀଡ଼ନ, ଉତ୍ତେଜନା, ହିଂସା, ରକ୍ତପାତ କେଉଁ ଧର୍ମର ଆଦର୍ଶ? ନାଜିବାଦ ଶାସନ ସମୟରେ ଇହୁଦୀମାନଙ୍କ ପ୍ରତି ଯେଉଁ ଅତ୍ୟାଚାର କରାଗଲା ତା’ର ମୂକସାକ୍ଷୀ କେବଳ ସମୟ। ଇସ୍ରାଏଲ ଓ ପାଲେଷ୍ଟାଇନରେ ଥିବା ହମାସ ଆତଙ୍କବାଦୀ ମଧ୍ୟରେ ଦୀର୍ଘ ଦିନରୁ ଲାଗିଥିବା ଶତ୍ରୁତା ପଛରେ ଧାର୍ମିକ ଚିନ୍ତାଧାରା ହିଁ ଜଡ଼ିତ, ଯାହା ବାରମ୍ୱାର ଯୁଦ୍ଧ ପାଇଁ ରାସ୍ତା ଉନ୍ମୁକ୍ତ କରୁଛି। ସିରିଆରେ ଆଇଏସଆଇର ଯେଉଁ ବର୍ବରତାର କରୁଣକୋହ ତାକୁ କିଏ ବୁଝିବ?
ଭାରତବର୍ଷରେ ଧାର୍ମିକ ବର୍ବରତା କିଛି ନୂଆ କଥା ନୁହେଁ। ମୋଗଲ ଓ ଅନ୍ୟ ବାହ୍ୟ ଆକ୍ରମଣକାରୀମାନଙ୍କଠାରୁ ଆରମ୍ଭ ହୋଇଛି ଭାରତରେ ଧାର୍ମିକ ବର୍ବରତା। ଭାରତରୁ ଧନସମ୍ପଦ ଲୁଣ୍ଠନ ସହ ଧାର୍ମିକ ବର୍ବରତାର ସମସ୍ତ ତଥ୍ୟ ଗୋଟିଗୋଟି ଆମ ଆଖି ସାମନାରେ। ମୋଗଲ ରାଜତ୍ୱ ସମୟରେ ମୋଗଲ ଶାସକମାନେ ଯେଉଁ ଘୃଣା ହିଂସା ନୃଶଂସ ଅମାନବୀୟ ଅତ୍ୟାଚାର ଧର୍ମକୁ ନେଇ ଆରମ୍ଭ କରିଥିଲେ, ତାହା ଦେଶ ସ୍ୱାଧୀନ ହେବାର ପରବର୍ତ୍ତୀ ସମୟରେ ମଧ୍ୟ ଦେଖିବାକୁ ମିଳୁଛି। ମୋଗଲ ସାମ୍ରାଜ୍ୟର ପତନ ପରେ ବ୍ରିଟିଶ ଶାସନ କାଳରେ କିଛିମାତ୍ରାରେ ଧାର୍ମିକ ବର୍ବରତା ଦେଖିବାକୁ ମିଳିଥିଲା। ଭାରତ ପାକିସ୍ତାନ ବିଭାଜନ ସମୟରେ ଯେଉଁ ହତ୍ୟା, ଧର୍ଷଣ ଓ ବର୍ବରତାର ଦୃଶ୍ୟ ଦେଖିବାକୁ ମିଳିଥିଲା, ସେ ସବୁ ପଛରେ ଧାର୍ମିକ ଚିନ୍ତାଧାରାର ଝଲକ୍ ଇତିହାସ ପୃଷ୍ଠାରେ ଲିପିବଦ୍ଧ। ପାକିସ୍ତାନରୁ ବାଂଲାଦେଶ ଅଲଗା ହେବା ସମୟରେ ପୁନଶ୍ଚ ସେହି ବୀଭତ୍ସ ଅମାନବୀୟ କ୍ରୂରତା କାହାକୁ ବା ଅଛପା? ଉଭୟ ପାକିସ୍ତାନ ଓ ବାଂଲାଦେଶରେ ବସବାସ କରୁଥିବା ହିନ୍ଦୁମାନଙ୍କ ପ୍ରତି ଯେଉଁ ଅତ୍ୟାଚାର ଓ ନିର୍ଯାତନା ଘଟିଛି, ତା’ର ହିସାବ କାହା ପାଖରେ ଅଛି? ଆଫଗାନିସ୍ତାନରେ ଥିବା ବୁଦ୍ଧ ଧର୍ମର ସମସ୍ତ ପ୍ରତିମୂର୍ତ୍ତିକୁ ଯେଉଁଭଳି ଧ୍ୱଂସବିଧ୍ୱଂସ କରାଗଲା, ତାହା କଣ ଅତ୍ୟନ୍ତ ଧାର୍ମିକ ବର୍ବରତାର ପରିଚୟ ନୁହେଁ?

ଧର୍ମ ଆଧାରରେ ଭାରତଠାରୁ ଅଲଗା ହୋଇଥିବା ପାକିସ୍ତାନ ଭିନ୍ନ ଭିନ୍ନ ସମୟରେ ଆତଙ୍କବାଦ କାର୍ଯ୍ୟକଳାପରେ ଲିପ୍ତ। ଭାରତର ବିଭିନ୍ନ ସ୍ଥାନରେ ସମୟେ ସମୟେ ନିଜ ଧର୍ମର ହୀନଚକ୍ରାନ୍ତକୁ ବାରମ୍ୱାର ଉପସ୍ଥାପିତ କରିବାରେ ସେହି ରାଷ୍ଟ୍ର ପଛଘୁଞ୍ଚା ଦେଉନାହିଁ। କାଶ୍ମୀର ପଣ୍ଡିତମାନଙ୍କୁ ଧର୍ମ ଆଧାରରେ ଆତ୍ୟାଚାର ଓ ପଳାୟନ ପାଇଁ ଧାର୍ମିକପୀଠରୁ ଯେଉଁ ଧମକପୂର୍ଣ୍ଣ ଆଦେଶ ମିଳିଲା, ତାହା କଳୁଷିତ ଧାର୍ମିକ ଚିନ୍ତାଧାରାର ନମୁନାମାତ୍ର। ଧର୍ମକୁ ଆଧାର କରି ଆତଙ୍କବାଦୀମାନେ ଯେଭଳି ଅମାନବୀୟ ହତ୍ୟାକାଣ୍ଡମାନ ଭିଆଇଥା’ନ୍ତି, ତାହାର ସ୍ପଷ୍ଟ ପ୍ରମାଣ ଗତ ଏପ୍ରିଲ୍ ମାସରେ କାଶ୍ମୀର ଘାଟିରେ ପହଲଗାମରେ ଘଟିଥିବା ଘଟଣା ଆଉ ଏକ ଉଦାହରଣ। ଆତଙ୍କବାଦୀଙ୍କ ନିନ୍ଦନୀୟ କର୍ମ ପଛରେ ଧାର୍ମିକ ପରିଚୟ ଓ ଧାର୍ମିକ ଚିନ୍ତାଧାରା ହିଁ ପ୍ରତିଫଳିତ ହୋଇଥିଲା।
ଧର୍ମକୁ ଆଖିରେ ରଖି ଯେଉଁ ଘୃଣ୍ୟ ବର୍ବରୋଚିତ ଘଟଣା ଘଟିଚାଲିଛି ସେଥିପାଇଁ ଧର୍ମ ସମାଲୋଚିତ ହେଉଛି। ଧର୍ମ, ଧର୍ମଗ୍ରନ୍ଥ ଓ ଧର୍ମଗୁରୁ ବାସ୍ତବରେ ମଣିଷକୁ କ’ଣ ଶିଖାଏ? ନିଜ ଧର୍ମ ଠାରୁ କେହି ବଡ଼ ନାହିଁ? ନିଜ ଇଷ୍ଟ ହିଁ ଅନ୍ୟ ଧର୍ମର ଇଷ୍ଟଠାରୁ ଶ୍ରେଷ୍ଠ? ନିଜ ଧର୍ମରେ ଦୀକ୍ଷିତ ବ୍ୟକ୍ତି ହିଁ ମଣିଷ, ଅନ୍ୟମାନେ ପଶୁ, ଯାହାଙ୍କୁ ଯେତେବେଳେ ଚାହିଁବ ସେମାନଙ୍କର ବଳି ପକେଇବ? ନିଜ ଧର୍ମଗ୍ରନ୍ଥ, ପ୍ରଥା ଓ ପରମ୍ପରା ଅନ୍ୟ ଧର୍ମଠାରୁ କ’ଣ ବହୁତ ଉଚ୍ଚତର? ହିଂସା, ଘୃଣା, ବ୍ୟଭିଚାର, ହତ୍ୟା ଓ ସମସ୍ତ ଅମାନବୀୟ ଘଟଣା ପଛରେ ଧାର୍ମିକ ଚିନ୍ତାଧାରା ଯେ ବୃହତ୍ ଭୂମିକା ଗ୍ରହଣ କରୁଛି, ତାହା ଉଦାହରଣମାନ ବାରମ୍ୱାର ଦେଖିବାକୁ ମିଳୁଛି। ଏହା ଧାର୍ମିକ ବର୍ବରତା ନୁହେଁ ତ କ’ଣ?

ଡ.ମନୋଜ କୁମାର ମହାନ୍ତି

ଭଦ୍ରକ, ମୋ: ୮୮୯୫୩୪୧୦୩୩

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର