ଦୋବନ୍ଧା ଯୁଦ୍ଧ: ଅନାଲୋଚିତ ଇତିହାସ
ଶ୍ରୀଜଗନ୍ନାଥଙ୍କର ଗୁପ୍ତ ଲୀଳାକ୍ଷେତ୍ର ଦୋବନ୍ଧା ଘାଟରେ ୧୮୧୭ ମସିହା ଅପ୍ରେଲ ଅଠର ତାରିଖରେ ଘଟିଥିଲା ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଠାରୁ ମଧ୍ୟ ମର୍ମନ୍ତୁଦ ହୃଦୟ ବିଦାରକ ଦାରୁଣ ଘଟଣା। ଏହା ମଧ୍ୟ ପଲାସୀ ଯୁଦ୍ଧ ଠାରୁ ଭୟାନକ ଥିଲା। ବ୍ରିଟିଶ୍ ସେନା ଗଞ୍ଜାମରୁ ମାଣିକପାଟଣା, ପୁରୀ ଦେଇ କଟକରେ ପହଞ୍ଚିଗଲେ। ଓଡ଼ିଶା ଦଖଲ କଲା ପରେ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ନାହିଁ ସରକାର। ଖୋର୍ଦ୍ଧାର ଗଜପତିଙ୍କ ସମ୍ମାନ ରକ୍ଷା ତ ଦୂରର କଥା ମରହଟ୍ଟାମାନଙ୍କ ପାଖରେ ବନ୍ଧକ […]
ଶ୍ରୀଜଗନ୍ନାଥଙ୍କର ଗୁପ୍ତ ଲୀଳାକ୍ଷେତ୍ର ଦୋବନ୍ଧା ଘାଟରେ ୧୮୧୭ ମସିହା ଅପ୍ରେଲ ଅଠର ତାରିଖରେ ଘଟିଥିଲା ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଠାରୁ ମଧ୍ୟ ମର୍ମନ୍ତୁଦ ହୃଦୟ ବିଦାରକ ଦାରୁଣ ଘଟଣା। ଏହା ମଧ୍ୟ ପଲାସୀ ଯୁଦ୍ଧ ଠାରୁ ଭୟାନକ ଥିଲା। ବ୍ରିଟିଶ୍ ସେନା ଗଞ୍ଜାମରୁ ମାଣିକପାଟଣା, ପୁରୀ ଦେଇ କଟକରେ ପହଞ୍ଚିଗଲେ। ଓଡ଼ିଶା ଦଖଲ କଲା ପରେ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ନାହିଁ ସରକାର। ଖୋର୍ଦ୍ଧାର ଗଜପତିଙ୍କ ସମ୍ମାନ ରକ୍ଷା ତ ଦୂରର କଥା ମରହଟ୍ଟାମାନଙ୍କ ପାଖରେ ବନ୍ଧକ ଥିବା ଚାରି ପ୍ରଗଣା – ‘ଚବିଶକୁଦ’, ‘ରାହାଙ୍ଗ’, ‘ସିରେଇ’, ‘ଲେମ୍ୱାଇ’ ଫେରାଇଲେ ନାହିଁ। ବରଂ ବିଭିନ୍ନ କଟକଣା ଜାରି କଲେ। ପାଇକମାନେ ଭୋଗ କରୁଥିବା ନିଷ୍କର ଜମି ଉଚ୍ଛେଦ କଲେ। ଅସନ୍ତୋଷ ହେଲେ ପାଇମାନେ। ଇଂରେଜ ବିରୋଧରେ ବିକ୍ଷୋଭ ଆରମ୍ଭ କଲେ। ୧୮୦୪ ମସିହା ମାର୍ଚ୍ଚ ଏଗାର ତାରିଖରେ ଚାରି ପ୍ରଗଣାରୁ ବିଶେଷ କରି ଚବିଶକୁଦ- ବ୍ରହ୍ମଗିରି ଅଞ୍ଚଳରୁ ସଂଘଟିତ ହୋଇ କଟକ ସ୍ଥିତ ବ୍ରିଟିଶ୍ କାର୍ଯ୍ୟାଳୟ ବାରବାଟି ଦୁର୍ଗ ଘେରାଉ କଲେ। ସୂର୍ଯ୍ୟାସ୍ତ ଦେଖୁ ନଥିବା ସମ୍ରାଜ୍ୟ ବ୍ରିଟିଶମାନଙ୍କ କାର୍ଯ୍ୟାଳୟ ଘେରାଉ କରିବା ଐତିହାସିକ ଏବଂ ବୀରତ୍ୱର ସୂଚନା ଦିଏ।
ବ୍ରିଟିଶ୍ ପଦାଧିକାରୀଙ୍କ ସହିତ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ପାଇକମାନଙ୍କ ଆଲୋଚନା କଲେ। କିନ୍ତୁ ପାଇକମାନଙ୍କ ସମ୍ପୂର୍ଣ୍ଣ ଦାବି ପୂରଣ ହେଲାନି। ଅର୍ଥାତ ଅମୃତମଣୋହି ଅଞ୍ଚଳ ଚାରିପ୍ରଗଣା ଫେରାଇଲେନି ବ୍ରିଟିଶ୍ କମ୍ପାନୀ ସରକାର। ଅମୃତମଣୋହି ଅଞ୍ଚଳ ନଫେରିବା ହେତୁ ଶ୍ରୀମନ୍ଦିର ନୀତିକାନ୍ତି ପାଳନ ପାଇଁ ଅର୍ଥାଭାବ ହେଲା। ପାଇକମାନେ ବିଦ୍ରୋହ ଆରମ୍ଭ କଲେ। ୧୮୦୪ ପ୍ରଥମ ରାଜବିଦ୍ରୋହକୁ ଅତି କଠୋର ହସ୍ତରେ ଦମନ କଲେ ଇଂରେଜ ସରକାର। ୧୮୦୬ ଡିସେମ୍ୱର ୬ ପାଇକନେତା ଜୟୀ ରାଜଗୁରୁଙ୍କୁ ଇଂରେଜମାନେ ଅତି ଅମାନୁଷିକ ବର୍ବୋରଚିତ ଭାବରେ ମେଦିନାପୁର ବାଘତୋଟାରେ ଦୁଇ ବରଡାଳକୁ ଭିଡ଼ି ଦୁଇଗୋଡ଼ ବାନ୍ଧି ହତ୍ୟା କଲେ। ଏହି ଘଟଣା ପାଇକମାନଙ୍କ ମନରେ ଇଂରେଜମାନଙ୍କ ବିରୋଧରେ ବିଦ୍ୱେଷ ଭରିଦେଲା।
ଫଳତଃ ସଂଘଟିତ ହେଲା ଆଉ ଏକ ବିପ୍ଳବ। ନେତୃତ୍ୱ ନେଲେ ରୋଡଙ୍ଗଗଡ଼଼ର ନାୟକ ଖୋର୍ଦ୍ଧା ସେନାପତି ବକ୍ସି ଜଗବନ୍ଧୁ। ୧୮୧୭ ମାର୍ଚ୍ଚମାସର ଗଡ଼଼ରୋଡ଼ଙ୍ଗ ଭୋଣୀପଡ଼ା ବାସନ୍ଦଠାରେ ଜଗବନ୍ଧୁଙ୍କ ଉଆସରେ ମିଳିତ ହୋଇ ବିଦ୍ରୋହର ଡାକରା ଦେଲେ। ସେହିଦିନ ହତ୍ୟାକଲେ କୃଷ୍ଣ ସିଂହଙ୍କ ଗୁମାସ୍ତା ବିଶ୍ୱାସଘାତକ ଜଗବନ୍ଧୁ ପଟ୍ଟନାୟକକୁ ଏକ ବରଗଛ ତଳେ। ଏଇ ବରଗଛ ହାଇସ୍କୁଲ ପୂର୍ବପାଖରେ ରହିଥିଲା। ଏହାକୁ ଲୋକେ ପଟ୍ଟନାୟକ ମରା ବରଗଛ କୁହନ୍ତି, ଯାହା ‘ଫନି’ ମହାବାତ୍ୟାରେ ଭାଙ୍ଗିଗଲା। କ୍ରମେ ବାଣପୁର ଓ ଘୁମୁସରଠାରୁ କିଛି ଆଦିବାସୀ ମିଳିତ ହେଲେ। ବିଦ୍ରୋହ ରାଜ୍ୟ ସାରା ବ୍ୟାପିଗଲା। ସମ୍ମିଳିତ ହେଲେ ରାଜ୍ୟର ବିଭିନ୍ନ ପ୍ରାନ୍ତର ପାଇକମାନେ।
୧୮୧୭ ଅପ୍ରେଲ ୧୪ ତାରିଖ। ମହାବିଷୁବ ପଣା ସଂକ୍ରାନ୍ତି। ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପ୍ରାୟ ଦଶହଜାର ଘୁମୁସର, ବ୍ରହ୍ମଗିରି, ଅନ୍ୟାନ୍ୟ ଅଞ୍ଚଳର ପାଇକ ପୁରୀରେ ପ୍ରବେଶ କଲେ। ପୂର୍ବରୁ ଦୁଇହଜାରରୁ ଅଧିକ ପାଇକ ଲୋକନାଥ ଘାଟ ଦେଇ ପ୍ରବେଶ କରିଥିଲେ। ଗରିଲା ପାଇକମାନେ ବଳିଆ ପଣ୍ଡା ଏବଂ ତାଳବଣିଆ ଅଞ୍ଚଳରେ ଛପି ରହିଥିଲେ। ପାଇକମାନେ ବ୍ରିଟିଶ୍ ଦପ୍ତର ସେନା ଉପରେ ଆକ୍ରମଣ କଲେ। ଆକ୍ରମଣରେ ଜଣେ ଇଂରେଜ ଅଧÒକାରୀଙ୍କ ସହିତ କେତେକ ବ୍ରିଟିଶ୍ ସିପାହୀଙ୍କ ଜୀବନ ଗଲା। ପାଇକମାନଙ୍କ ସମ୍ମୁଖୀନ ନହୋଇ ପାରି କ୍ୟାପ୍ଟେନ ଓଲିଙ୍ଗଟନ, ଲୁଣ ଏଜେଣ୍ଟ ଟିକସ କଲେକ୍ଟରଙ୍କ ସହିତ ଦୁଇଶହରୁ ଅଧିକ ସୈନ୍ୟ ପୁରୀ ଛାଡ଼ି ପଳାୟନ କଲେ।
ପୁରୀ ସ୍ୱାଧୀନ ହେବାରୁ ଆନନ୍ଦ ଖେଳିଗଲା। ପୁରୀବାସୀ ପଣାପର୍ବ ଆନନ୍ଦରେ ପାଳନ କଲେ। କମ୍ପାନୀ ସରକାର ଅତି କଠୋର ହୋଇ ପଦକ୍ଷେପ ନେଲେ ଏବଂ ସମଗ୍ର ଓଡ଼ିଶାକୁ ଉପଦ୍ରୁତ ଅଞ୍ଚଳ ଘୋଷଣା କରି ସାମରିକ ଆଇନ ଜାରି କଲେ। କ୍ୟାପ୍ଟେନ ଲି ଫେବ୍ରେଙ୍କ ନେତୃତ୍ୱରେ ଏକ ବିରାଟ ସେନା ପୁରୀ – ଖୋର୍ଦ୍ଧା ଅଭିମୁଖେ ପଠାଇଲେ। ବିଦ୍ରୋହୀମାନେ କିଛି ପ୍ରତିରୋଧ ସୃଷ୍ଟି କଲେ ମଧ୍ୟ ଅଧିକ ସମୟ ତିଷ୍ଠି ପାରିଲେ ନାହିଁ। ବ୍ରିଟିଶ୍ ସେନା ଖୋର୍ଦ୍ଧା ଦଖଲ କରି ଅନେକ ପାଇକ ବସତି ପୋଡ଼ି ନଷ୍ଟ କଲେ। କଦଳୀବାରୀ, ବାଜପୁର, ସାରଙ୍ଗ ଗଜ ଆଦି ଦଖଲ କରି କେତେକ ସ୍ଥଳରେ ଅଗ୍ନି ସଂଯୋଗ କରି ଧ୍ୱଂସ କରିଦେଲେ। ଅପ୍ରେଲ ୧୭ ତାରିଖରେ କଣାସରେ ପହଞ୍ଚି ଲୁଣା ନଦୀ ପାର ହୋଇ ନୂଆଗାଁ ଠାରେ ଡେରା ପକାଇଲେ। ତା’ ପରଦିନ ସକାଳୁ ପୁରୀ ଅଭିମୁଖେ ବାହାରିଲେ।
ଏ ଖବର ବ୍ରହ୍ମଗିରି-ଚବିଶକୁଦ ଅଞ୍ଚଳରେ ବ୍ୟାପିଗଲା। ଦୁଇହଜାର ପାଖାପାଖି ପାଇକ ପାରମ୍ପରିକ ଅସ୍ତ୍ରଶସ୍ତ୍ର, ଠେଙ୍ଗା, ତେଣ୍ଟା, ଭାଲି ଏବଂ କେତେଜଣ ଦେଶୀବନ୍ଧୁକ ଧରି ଇଂରେଜ ସେନାକୁ ପ୍ରତିହତ କରିବାକୁ ଦୋବନ୍ଧା ଘାଟରେ ସମ୍ମିଳିତ ହେଲେ। ଅପ୍ରେଲ ୧୮ତାରିଖ ଦିନ ପୂର୍ବହ୍ନ ପ୍ରାୟ ୧୦ଟା ବେଳେ ଇଂରେଜ ସେନା ଦୋବନ୍ଧା ଘାଟରେ ପହଞ୍ଚିବା ପରେ ଲି ଫେବ୍ରେ ସଙ୍ଗେ ସଙ୍ଗେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଲେ। ଅତର୍କିତ ଭାବରେ ୫୫୦ ବନ୍ଧୁକ ଓ ତୋପରୁ ଗୁଳି ଚାଳନା ହେଲା ପାଇକମାନଙ୍କ ଉପରକୁ। ପାଇକମାନେ ବୀରତ୍ୱ ସହ ସମ୍ମୁଖୀନ ହେଲେ। କିନ୍ତୁ ଅଧିକ ସମୟ ତିଷ୍ଠିପାରିଲେ ନାହିଁ। ଶତାଧିକ ସହିଦ ହେଲେ ଘଟଣାସ୍ଥଳରେ। କେତେଜଣ ଗୁଳିବିଦ୍ଧ ହୋଇ ନଦୀକୁ ଡେଇଁଲେ। ଅନେକ ରକ୍ତାକ୍ତ ହେଲେ। ଶ୍ରୀଜଗନ୍ନାଥଙ୍କ ପବିତ୍ର ଲୀଳାକ୍ଷେତ୍ର ଦୋବନ୍ଧା ଘାଟରେ ପୁଣ୍ୟତୋୟା ଭାର୍ଗବୀର ପବିତ୍ର ଜଳ ପାଇକ ରକ୍ତରେ ଲାଲ ହୋଇଗଲା। ଭିଜିଗଲା ଦୋବନ୍ଧା ଘାଟର ମାଟି। କିନ୍ତୁ ଇତିହାସ ଏହାକୁ ଗୁରୁତ୍ୱ ଦେଇ ନାହିଁ। ଏହି ଐତିହାସିକ ଦୋବନ୍ଧା ଯୁଦ୍ଧକୁ ସ୍ମରଣ କରି ବୀର ପାଇକମାନଙ୍କୁ ପ୍ରଣାମ କରୁଛି।
କାଶୀନାଥ ନାୟକ
ବ୍ରହ୍ମଗିରି, ମୋ: ୯୯୩୭୫୭୬୧୬୮






