ନେତାଙ୍କ ଶିଷ୍ଟାଚାର ଓ ଗାନ୍ଧୀ ବିଚାର
ସ୍ୱାଧୀନତାର ତିନିଦଶନ୍ଧି ପୂର୍ବରୁ୧୯୧୭ ମସିହାରେ ମହାତ୍ମା ଗାନ୍ଧୀଙ୍କୁ ଥରେ ପ୍ରଶ୍ନ କରାଗଲା – ‘ବାପୁ! ଯଦି ଆମର ସଂସଦ ଥା’ନ୍ତା ତେବେ ଆମ ନିର୍ବାଚିତ ଜନପ୍ରତିନିଧିମାନେ କ’ଣ କରିଥା’ନ୍ତେ?’ ଗାନ୍ଧୀଙ୍କ ଉତ୍ତର ଥିଲା – ‘ଯଦି ଆମପାଖରେ ସେହିଭଳି ଏକ ଗଣତନ୍ତ୍ରର ମନ୍ଦିର ରହିବ ତେବେ ଆରମ୍ଭରୁ ଆମେ କିଛି ଭୁଲ କରିଥା’ନ୍ତୁ, ଯାହା ହେବା ମଧ୍ୟ ସ୍ୱାଭାବିକ। କିନ୍ତୁ ପର୍ଯ୍ୟାୟକ୍ରମେ ସେହି ଭୁଲକୁ ସୁଧାରିବାର ଉତ୍ତରଦାୟିତ୍ୱ ମଧ୍ୟ ଆମ ପାଖରେ ରହିବା ଆବଶ୍ୟକ ହୋଇଥା’ନ୍ତା। ବ୍ରିଟିଶଙ୍କ […]
ସ୍ୱାଧୀନତାର ତିନିଦଶନ୍ଧି ପୂର୍ବରୁ୧୯୧୭ ମସିହାରେ ମହାତ୍ମା ଗାନ୍ଧୀଙ୍କୁ ଥରେ ପ୍ରଶ୍ନ କରାଗଲା – ‘ବାପୁ! ଯଦି ଆମର ସଂସଦ ଥା’ନ୍ତା ତେବେ ଆମ ନିର୍ବାଚିତ ଜନପ୍ରତିନିଧିମାନେ କ’ଣ କରିଥା’ନ୍ତେ?’ ଗାନ୍ଧୀଙ୍କ ଉତ୍ତର ଥିଲା – ‘ଯଦି ଆମପାଖରେ ସେହିଭଳି ଏକ ଗଣତନ୍ତ୍ରର ମନ୍ଦିର ରହିବ ତେବେ ଆରମ୍ଭରୁ ଆମେ କିଛି ଭୁଲ କରିଥା’ନ୍ତୁ, ଯାହା ହେବା ମଧ୍ୟ ସ୍ୱାଭାବିକ। କିନ୍ତୁ ପର୍ଯ୍ୟାୟକ୍ରମେ ସେହି ଭୁଲକୁ ସୁଧାରିବାର ଉତ୍ତରଦାୟିତ୍ୱ ମଧ୍ୟ ଆମ ପାଖରେ ରହିବା ଆବଶ୍ୟକ ହୋଇଥା’ନ୍ତା। ବ୍ରିଟିଶଙ୍କ କମନ୍ସର ଇତିହାସ ହେଉଛି ଭୁଲର ଇତିହାସ…କିନ୍ତୁ ଆମ ପାଇଁ ଭୁଲ୍ କରିବାର ସ୍ୱାଧୀନତା ଏବଂ ସେହି ତ୍ରୁଟିକୁ ସୁଧାରିବାର କ୍ଷମତା ହେଉଛି ସ୍ୱରାଜ।’ ଗାନ୍ଧୀଙ୍କ ‘ସ୍ୱରାଜ’ର ଅର୍ଥ ହେଉଛି ଆତ୍ମ ଶାସନ ବା ସ୍ୱୟଂଶାସନ। ଏହା ଆତ୍ମସଂଯମକୁ ହିଁ ବୁଝାଏ। ଗାନ୍ଧିଜୀ ବିଶ୍ୱାସ କରୁଥିଲେ ଯେ ପ୍ରକୃତ ସ୍ୱରାଜ କେବଳ ଏକ ସମାଜ ମାଧ୍ୟମରେ ହାସଲ କରାଯାଇପାରିବ, ଯେଉଁଠାରେ ସଚ୍ଚୋଟତା ଓ ନୈତିକ ଆଚରଣ ଦ୍ୱାରା ପରିଚାଳିତ ଏକ ସାର୍ବଜନୀନ ଜୀବନ ଥିବ। ବ୍ୟକ୍ତିଗତ, ସାମାଜିକ ଓ ରାଜନୈତିକ ଜୀବନରେ ପବିତ୍ରତା ସହିତ ଉତ୍ତମ ଆଚାର, ବିଚାର ଓ ବ୍ୟବହାର ଭଳି ଉପାଦାନ ରାଜନୈତିକ କିମ୍ୱା ସାମାଜିକ ସ୍ଥାୟୀ ପ୍ରଗତି ପାଇଁ ଜରୁରୀ। କୁହାଯାଏ ମହାତ୍ମା ଗାନ୍ଧୀ ହେଉଛନ୍ତି ବିଶ୍ୱର ସର୍ବକାଳୀନ ପ୍ରାସଙ୍ଗିକ ଓ ଲୋକପ୍ରିୟ ରାଜନେତାଙ୍କ ମଧ୍ୟରେ ଅନନ୍ୟ। ସକ୍ରେଟିସଙ୍କ ପରେ ଗାନ୍ଧିଜୀ ଏପର୍ଯ୍ୟନ୍ତ ଏକମାତ୍ର ବ୍ୟକ୍ତି, ଯାହାଙ୍କର ଭାଷା ଉପରେ ସମ୍ପୂର୍ଣ ସଂଯମ ଥିଲା, ଯିଏ ନିଜ ବିରୋଧୀଙ୍କ ପ୍ରତି କେବେ ଅପଶବ୍ଦ ବ୍ୟବହାର କରି ନ ଥିଲେ। ଖରାପ ଭାଷା ପ୍ରୟୋଗ କରି ଅନ୍ୟକୁ ଆଘାତ ଦେବା ବି ଏକ ହିଂସା।
ଭବିଷ୍ୟତର ‘ସଂସଦ’ ଓ ‘ସ୍ୱରାଜ’ ବିଷୟରେ କହିଥିବା ଗାନ୍ଧୀ ବିଚାରର ତାତ୍ପର୍ଯ୍ୟ ହେଉଛି ଯେ ଗଣତନ୍ତ୍ରରେ ୭୫ ବର୍ଷର ଅଭିଜ୍ଞତା ପରେ ମଧ୍ୟ ଆମ କତିପୟ ଜନପ୍ରତିନିଧି କ୍ରମାଗତ ଭାବେ ରାଜନୈତିକ ବିଶୃଙ୍ଖଳା ଏବଂ ଗଣତନ୍ତ୍ରର ମର୍ଯ୍ୟାଦାକୁ କୁଠାରଘାତ କରୁଛନ୍ତି। ସଂସଦ ହେଉ ବା ବିଧାନସଭା, କେତେକ ରାଜନେତାଙ୍କ ଅଶୋଭନୀୟ ଅଚରଣ ସତେଯେପରି ଏକ ସାଧାରଣ ଘଟଣା ପାଲଟିଗଲାଣି। ବରିଷ୍ଠ ଗାନ୍ଧିବାଦୀ ଗବେଷକ ଗୌରାଙ୍ଗ ଚରଣ ପରିଡ଼ାଙ୍କ ‘ଗାନ୍ଧୀ ମହାତ୍ମା’ ପୁସ୍ତକରେ କ୍ଷମତା, ରାଜନୀତି ଏବଂ ଗାନ୍ଧୀଙ୍କ ଉତ୍ତରକୁ ନେଇ ଏକ ବିସ୍ତୃତ ବିବରଣୀ ଅଛି। ‘କେବଳ କ୍ଷମତା ହାସଲ କରିବା କ’ଣ ରାଜନୀତିର ଲକ୍ଷ୍ୟ?’ – ଅନେକ ସମୟରେ ଗାନ୍ଧୀଙ୍କୁ ଏପରି ପ୍ରଶ୍ନ ହୋଇଥିଲା। ୧୯୨୦ ମସିହାରେ ‘ୟଙ୍ଗ ଇଣ୍ଡିଆ’ରେ ଗାନ୍ଧୀ ଏହାର ଉତ୍ତରରେ କହିଥିଲେ – ‘ଗଣତନ୍ତ୍ରରେ ରାଜନୀତି ଏକ ସାମାଜିକ କାର୍ଯ୍ୟ। ଗଣତନ୍ତ୍ରରେ ଜୀବନର କୌଣସି କର୍ତ୍ତବ୍ୟ ରାଜନୀତି ବାହାରେ ନାହିଁ। ଗଣତାନ୍ତ୍ରିକ ସମାଜ ହିଁ ଏକ ରାଜନୈତିକ ସମାଜ। ଆମେ ସମସ୍ତେ ଏଠି ଜଣେ ଜଣେ ରାଜନୈତିକ ବ୍ୟକ୍ତି। କ୍ଷମତା ପାଇଁ ରାଜନୀତି ଉଦ୍ଦିଷ୍ଟ ନୁହେଁ।’ ରାଜନେତାଟି ଯେବେ ରଚନାତ୍ମକ କାର୍ଯ୍ୟରେ ନିଜକୁ ନିଯୋଗ କରେ, ନିଜ ବ୍ୟବହାର ଦ୍ୱାରା ସମାଜ ପାଇଁ ଆଦର୍ଶ ହୁଏ ଏବଂ ସମାଜ ସଂସ୍କାର ପାଇଁ ଜନଜାଗରଣ ସୃଷ୍ଟି କରେ ସେତେବେଳେ ହିଁ ରାଜନୀତି ଏକ ବ୍ୟାପକ ସମାଜସେବାରେ ପରିଣତ ହୁଏ। ଶ୍ରୀପରିଡ଼ାଙ୍କ ଅନ୍ୟ ଏକ ଆଲେଖ୍ୟରେ ଉଲ୍ଲେଖ୍ୟ ରହିଛି ଯେ ଏକ ଆଦର୍ଶ ରାଷ୍ଟ୍ର ବା ଗାନ୍ଧୀଙ୍କ ‘ରାମରାଜ୍ୟ’ ପାଇଁ ତ୍ୟାଗଯୁକ୍ତ ସେବା ଓ ନୀତିପୂର୍ଣ ରାଜନୀତି ସହିତ ଉତ୍ତମ ବ୍ୟବହାରର ପ୍ରାଥମିକ ଆବଶ୍ୟକତା ଅଛି।
ଜନପ୍ରତିନିଧିଙ୍କ ମଧ୍ୟରେ ଅନୁଶାସନ, ଶିଷ୍ଟାଚାର ଓ ମର୍ଯ୍ୟାଦା ଭଳି ମୂଲ୍ୟବୋଧକୁ ନେଇ ଏକ ସରକାରୀ ମାର୍ଗଦର୍ଶିକାରେ ମହାତ୍ମା ଗାନ୍ଧୀଙ୍କ ଧାରଣାକୁ ଗୁରୁତ୍ୱ ଦିଆଯାଇଥିଲା। ସେହି ଅବଧାରଣଟି ହେଉଛି ‘ପିଉରିଟି ଇନ୍ ପବ୍ଲିକ ଲାଇଫ୍’ ବା ‘ସାର୍ବଜନୀନ ଜୀବନରେ ପବିତ୍ରତା’। ଗାନ୍ଧିଜୀଙ୍କ ମତରେ ‘ଶୃଙ୍ଖଳାହୀନତା ହେଉଛି ହିଂସାର ଏକ ରୂପ’। ବିଶ୍ୱର ପ୍ରାୟ ସମସ୍ତ ଦେଶରେ ଶୃଙ୍ଖଳାହୀନତାରୁ ଜନ୍ମିତ ହିଂସାକୁ ବନ୍ଦ କରିବା ଏବଂ ‘ସାର୍ବଜନୀନ ଜୀବନରେ ଶୁଦ୍ଧତା’ ଫେରାଇ ଆଣିବା ପାଇଁ ଅନେକ ପ୍ରୟାସ କରାଯାଉଛି। କିନ୍ତୁ ରାଜନୀତି, ଶାସନ ଓ ସାମାଜିକ ସମ୍ପର୍କ ସମେତ ଜନଜୀବନର ପ୍ରାୟ ସମସ୍ତ ଦିଗରେ ଏହି ନୈତିକତାର ଘୋର ଅଭାବ ରହିଛି। ତେଣୁ ନୈତିକ ଆଚରଣକୁ ବଜାୟ ରଖିବା ଉପରେ ଗାନ୍ଧୀ ସର୍ବଦା ଗୁରୁତ୍ୱାରୋପ କରିଥିଲେ। ସାର୍ବଜନୀନ ବ୍ୟକ୍ତି ପାଇଁ ହିଂସା, ସତ୍ୟ ଓ ଜନହିତକର ସେବାରେ ଅଙ୍ଗୀକାରବଦ୍ଧତା ଅତ୍ୟନ୍ତ ଜରୁରୀ। ଗାନ୍ଧିଜୀଙ୍କ ମତରେ ‘ରାଜନୀତିରେ ସମ୍ପୂର୍ଣ୍ଣ ସଚ୍ଚୋଟତାର ଅର୍ଥ ହେଉଛି ବ୍ୟକ୍ତିଗତ କିମ୍ୱା ରାଜନୈତିକ ଫାଇଦା ପାଇଁ ଜନପ୍ରତିନିଧି କେବେ ବି ସତ୍ୟକୁ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ ଏବଂ ଉଭୟ ଦୁର୍ନୀତି ଓ ଲୋଭମୁକ୍ତ ହୋଇ ନେତାମାନେ ସରଳ ଜୀବନ ଯାପନ କରିବା ଉଚିତ।’ ଜନପ୍ରତିନିଧିମାନେ ସର୍ବଦା ଲୋକଙ୍କ ପ୍ରତି ଉତ୍ତରଦାୟୀ ରହିବା ଉଚିତ ବୋଲି ଗାନ୍ଧୀ ବିଶ୍ୱାସ କରୁଥିଲେ। ସାର୍ବଜନୀନ ଜୀବନରେ ପବିତ୍ରତାର ଏହି ଦୃଷ୍ଟିକୋଣ ଏକ ନୈତିକ ଶାସନ ଏବଂ ସାମାଜିକ ନ୍ୟାୟ ପାଇଁ ମାର୍ଗଦର୍ଶକ। ଗାନ୍ଧିଜୀଙ୍କ ଏହି ନୀତି ଯଦି ପ୍ରୟୋଗ ହୁଏ ତେବେ ଏକ ଉତ୍ତରଦାୟୀ, ସ୍ୱଚ୍ଛ ଓ ଲୋକାଭିମୁଖୀ ରାଜନୈତିକ ବ୍ୟବସ୍ଥା ସୃଷ୍ଟି ହୋଇପାରିବ।
‘ନେତା ହେବା ପାଇଁ କେଉଁ କେଉଁ ଗୁଣର ଆବଶ୍ୟକତା ଅଛି?’ ଏହି ପ୍ରଶ୍ନର ଉତ୍ତରରେ ଗାନ୍ଧୀ କୁହନ୍ତି ‘ସେବା ପ୍ରତି ଅଙ୍ଗୀକାରବଦ୍ଧତା ଓ ବିବେକ ହେଉଛି ନେତାର ପ୍ରଥମ ନୈତିକ ଆବଶ୍ୟକତା। ସାହସ ଓ ନିର୍ଭୀକତା ପାଇଁ ପଦକ୍ଷେପ ହେଉଛି ଦ୍ୱିତୀୟ ଏବଂ ଶିଷ୍ଟାଚାର ଓ ସଚ୍ଚୋଟତାର ଦୃଢ଼ ଭାବନା ହେଉଛି ତୃତୀୟ ଆବଶ୍ୟକତା।’ ମହାତ୍ମା ଗାନ୍ଧୀଙ୍କ ମତରେ ବ୍ୟକ୍ତିର ‘ଆଭ୍ୟନ୍ତରୀଣ ସ୍ୱର’ ହିଁ ବିବେକ। ନେତାମାନେ ଅନ୍ୟମାନଙ୍କ ପାଇଁ ମାର୍ଗ ନିର୍ଦ୍ଧାରଣ କରିବା ସମୟରେ ସାଧାରଣ ଲୋକଙ୍କ ଅପେକ୍ଷା ନିଜ ବିବେକକୁ ଅଧିକ ବିକଶିତ ଓ ଅନୁସରଣ କରିବା ଆବଶ୍ୟକ। ସେଥିପାଇଁ ଗାନ୍ଧୀ ଲେଖିଛନ୍ତି, ‘ଆମ ମଧ୍ୟରୁ କେହି, ବିଶେଷକରି କୌଣସି ନେତା, ବାହ୍ୟ ଚାପ ସାମ୍ନାରେ ନିଜ ଆଭ୍ୟନ୍ତରୀଣ ସ୍ୱରକୁ ଅମାନ୍ୟ କରିବା ଉଚିତ ନୁହେଁ। ଯଦି କୌଣସି ନେତା ଏହି ଚାପରେ ମୁଣ୍ଡ ନୁଅାଁଇଲେ ତେବେ ନେତାର ନେତୃତ୍ୱ ମଧ୍ୟ ଅଧିକାର ହରାଇବ। ସାହସ, ଧୈର୍ଯ୍ୟ ଏବଂ ସର୍ବୋପରି, ନିର୍ଭୀକତା ଓ ବଳିଦାନର ଭାବନା ଭଳି ଗୁଣ ଆଜି ଭାରତରେ ନେତୃତ୍ୱ ପାଇଁ ଆବଶ୍ୟକ।’
ସଂସଦ ହେଉ କି ବିଧାନସଭା, ରାଜନୈତିକ ବିଶୃଙ୍ଖଳା କେବଳ ଶିଷ୍ଟାଚାରର ବିଷୟ ନୁହେଁ, ବରଂ ସମାଜର ଗଣତାନ୍ତ୍ରିକ ସ୍ୱାସ୍ଥ୍ୟର ପ୍ରତିଫଳନ। ଅନେକ ସାମାଜିକ ସିଦ୍ଧାନ୍ତରୁ ଜଣାଯାଏ ଯେ ବିଶୃଙ୍ଖଳିତ ରାଜନୈତିକ ଆଚରଣ ବ୍ୟାପକ ପ୍ରଭାବ ପକାଇପାରେ। ଏହାଦ୍ୱାରା ସଂସ୍ଥାଗତ ବିଶ୍ୱସନୀୟତା ହାନି ସହିତ ସାର୍ବଜନୀନ ଆଲୋଚନାରେ ଆକ୍ରୋଶର ପ୍ରତିଫଳନ ହୁଏ ଏବଂ ସାମାଜିକ ଏକତା ମଧ୍ୟ ଦୁର୍ବଳ ହୋଇଥାଏ। ଜନପ୍ରତିନିଧିଟି ବେଳେ ବେଳେ ଭୁଲିଯାଏ ଯେ ରାଜନେତାଙ୍କ ଜୀବନ ଆଉ ବ୍ୟକ୍ତିଗତ ନୁହେଁ। ଅନେକ ଯୁବଗୋଷ୍ଠୀ ସେମାନଙ୍କୁ ଆଦର୍ଶ ଓ ନାୟକ ଭାବି ଅନୁସରଣ କରନ୍ତି। ତେଣୁ ରାଜନୈତିକ ନେତାଙ୍କ କୌଣସି ପ୍ରକାରର ବିଭ୍ରାନ୍ତିକର ଆଚରଣ ଦ୍ୱାରା ଏକ ବୃହତ ଗୋଷ୍ଠୀ ପ୍ରଭାବିତ ହେବାର ଅନେକ ଆଶଙ୍କା ଥାଏ।
ସି. ଏଫ୍. ଆଣ୍ଡ୍ରିୟୁଜଙ୍କ ପୁସ୍ତକ ‘ମହାତ୍ମା ଗାନ୍ଧୀ – ହିଜ୍ ଲାଇଫ୍ ଆଣ୍ଡ ଆଇଡିଆଜ’ ରେ ରାଜନୀତି ଓ ବିଦ୍ୟାର୍ଥୀଙ୍କୁ ନେଇ ଏକ ଭାଷଣର ବର୍ଣ୍ଣନା ଅଛି। ‘ଯୁବଗୋଷ୍ଠୀ, ମୁଖ୍ୟତଃ ବିଦ୍ୟାର୍ଥୀମାନେ, ରାଜନୀତିରେ ପ୍ରବେଶ କରିବା ଉଚିତ କି?’ ଏଭଳି ଏକ ସମ୍ୱେଦନଶୀଳ ପ୍ରଶ୍ନରେ ଗାନ୍ଧୀଙ୍କ ଉତ୍ତର ଥିଲା – ‘ବିଦ୍ୟାର୍ଥୀମାନେ ବହୁସଂଖ୍ୟାରେ ରାଜନୀତିରେ ପ୍ରବେଶ କଲେ ତାହା ଜାତୀୟ ଅଭିବୃଦ୍ଧି ପାଇଁ ସୁସ୍ଥ ସୂଚନା ନୁହେଁ। କିନ୍ତୁ ଯଦି ରାଜନୀତିକୁ ଆସିବାକୁ ଚାହୁଁଛନ୍ତି ତେବେ ବିଦ୍ୟାର୍ଥୀମାନେ ଧର୍ମ ଜାଣିବା ଦରକାର। ଏହାବ୍ୟତୀତ ବିବେକ, ବୁଦ୍ଧି ଓ ନୈତିକତା ଜ୍ଞାନର ମଧ୍ୟ ଆବଶ୍ୟକତା ରହିଛ।’ ୧୪ ମାର୍ଚ୍ଚ ୧୯୫୮ ମସିହା, ବିଦାୟୀ ରାଜ୍ୟସଭା ସଦସ୍ୟଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ କହିଥିଲେ – ‘ସଂସଦ ଦେଶ ପାଇଁ ଏକ ଉଦାହରଣ। ସର୍ବଦା ମନେରଖିବା ଉଚିତ ଯେ ଲକ୍ଷଲକ୍ଷ ଆଖି ଆମକୁ ଦେଖୁଛି। ଆମେ ଏପରି କିଛି କରିବା ନାହିଁ, ଯାହାଦ୍ୱାରା ସଂସଦ ସାମାନ୍ୟତମ ବଦନାମ ହେବ କିମ୍ୱା ଲୋକଙ୍କ ସମ୍ମୁଖରେ ଜନପ୍ରତିନିଧିର ଭୁଲ ଉପସ୍ଥାପନା ହେବ। ଆମ ଆଚରଣରେ ଶୁଦ୍ଧତା ହିଁ ଆମର ମହାନ ଦାୟିତ୍ୱ।’
ଗଣତନ୍ତ୍ରକୁ ବଜାୟ ରଖିବା ପାଇଁ ରାଜନୈତିକ ଶୃଙ୍ଖଳା ଓ ମର୍ଯ୍ୟାଦା ହିଁ ମୌଳିକ ଉପାଦାନ। ବିଧାନସଭା କିମ୍ୱା ସଂସଦରେ ଉଚ୍ଛୃଙ୍ଖଳତା କେବଳ ଶାସନରେ ବାଧା ସୃଷ୍ଟି କରେ ନାହିଁ, ବରଂ ଗଣତାନ୍ତ୍ରିକ ଅନୁଷ୍ଠାନ ପ୍ରତି ଥିବା ଜନସାଧାରଣଙ୍କ ଆସ୍ଥାକୁ ମଧ୍ୟ ଦୁର୍ବଳ କରିଥାଏ। ଗାନ୍ଧିଜୀଙ୍କ ସତ୍ୟ, ଅହିଂସା ଓ ଆତ୍ମଶୃଙ୍ଖଳା ନୀତିକୁ ଗ୍ରହଣ କରି ରାଜନେତାମାନେ ଶାସନରେ ସମ୍ମାନ ଫେରାଇ ଆଣିପାରିବେ ଏବଂ ଗଣତନ୍ତ୍ରକୁ ସୁଦୃଢ଼ କରିପାରିବେ ବୋଲି ଆଶା।
ଡକ୍ଟର ଅବଶ ପରିଡ଼ା
ଭୁବନେଶ୍ୱର, ମୋ: ୮୪୫୬୮୭୯୫୨୨






