ଡିଜିପିନ: ଆଶୀର୍ବାଦ ନା ଆପଦ?

The Sakala Picture
Published On

ଭାରତ ସରକାର ୨୭ ମେ ୨୦୨୫ରେ ଏକ ଦଶ-ଅକ୍ଷର ବିଶିଷ୍ଟ ଅଲଫାନ୍ୟୁମରିକ କୋଡ୍‌‌ ଭାବରେ ଡିଜାଇନ ହେଇଥିବା ଡିଜିପିନ (ଡିଜିଟାଲ ପୋଷ୍ଟାଲ ଇଣ୍ଡେକ୍ସ ନମ୍ୱର) ନାମରେ ଏକ ନୂଆ ଡିଜିଟାଲ ପ୍ରୟାସର ଉନ୍ମୋଚନ କରିଛନ୍ତି, ଯାହା ଦେଶର ପ୍ରତ୍ୟେକ ୪ଗୁଣା୪ ମିଟର ଅଞ୍ଚଳକୁ ଦ୍ରାଘିମା ଓ ଅକ୍ଷାଂଶ ଭିତ୍ତିରେ ସଠିକ୍‌‌ ଭାବେ ଚିହ୍ନଟ କରିବା ପାଇଁ ବ୍ୟବହାର କରାଯାଇପାରିବ। ଭାରତୀୟ ଡାକ ବିଭାଗ, ଆଇଆଇଟି ହାଇଦ୍ରାବାଦ ଓ ଇସ୍ରୋ ଅନ୍ତର୍ଗତ ଜାତୀୟ ରିମୋଟ୍‌‌ ସେନ୍ସିଂ କେନ୍ଦ୍ରଙ୍କ ସହଯୋଗରେ […]

ଭାରତ ସରକାର ୨୭ ମେ ୨୦୨୫ରେ ଏକ ଦଶ-ଅକ୍ଷର ବିଶିଷ୍ଟ ଅଲଫାନ୍ୟୁମରିକ କୋଡ୍‌‌ ଭାବରେ ଡିଜାଇନ ହେଇଥିବା ଡିଜିପିନ (ଡିଜିଟାଲ ପୋଷ୍ଟାଲ ଇଣ୍ଡେକ୍ସ ନମ୍ୱର) ନାମରେ ଏକ ନୂଆ ଡିଜିଟାଲ ପ୍ରୟାସର ଉନ୍ମୋଚନ କରିଛନ୍ତି, ଯାହା ଦେଶର ପ୍ରତ୍ୟେକ ୪ଗୁଣା୪ ମିଟର ଅଞ୍ଚଳକୁ ଦ୍ରାଘିମା ଓ ଅକ୍ଷାଂଶ ଭିତ୍ତିରେ ସଠିକ୍‌‌ ଭାବେ ଚିହ୍ନଟ କରିବା ପାଇଁ ବ୍ୟବହାର କରାଯାଇପାରିବ। ଭାରତୀୟ ଡାକ ବିଭାଗ, ଆଇଆଇଟି ହାଇଦ୍ରାବାଦ ଓ ଇସ୍ରୋ ଅନ୍ତର୍ଗତ ଜାତୀୟ ରିମୋଟ୍‌‌ ସେନ୍ସିଂ କେନ୍ଦ୍ରଙ୍କ ସହଯୋଗରେ ବିକଶିତ ଏହି ଡିଜିପିନକୁ ଭାରତର ଡିଜିଟାଲ ଢାଞ୍ଚାରେ ଏକ ପରିବର୍ତ୍ତନକାରୀ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଏହାକୁ ଏକ ଗୋପନୀୟତାକୈନ୍ଦ୍ରିକ ଓ ଜିଓକୋଡିଂ ଭିତ୍ତିକ ପଦ୍ଧତି ଭାବରେ ଉପସ୍ଥାପନ କରାଯାଇଛି, ଯାହା ଭାରତୀୟ ଡାକ ବିଭାଗ ଦ୍ୱାରା ୧୯୭୨ରୁ ପ୍ରଚଳିତ ହୋଇ ଆସୁଥିବା ‘ପିନ୍‌‌କୋଡ୍‌‌’ ବ୍ୟବସ୍ଥାକୁ ଏକ ଆଧୁନିକତାର ସ୍ପର୍ଶ ଦେବ। ଡିଜିପିନର ଏହି ସଠିକ ଭୌଗୋଳିକ ଟ୍ୟାଗିଂ ଦ୍ୱାରା ଲଜିଷ୍ଟିକ୍ସ, ଆପାତକାଳୀନ ସେବା, ଗ୍ରାମୀଣ ସେବା ପ୍ରଦାନ ଓ ଡିଜିଟାଲ ଶାସନ ପ୍ରଣାଳୀରେ ଲାଭ ମିଳିବ ବୋଲି କୁହାଯାଉଛି। ଅରଣ୍ୟ, ନଦୀ କୂଳ, ପାହାଡ଼ ଅଞ୍ଚଳ ଭଳି ସଠିକ୍‌‌ ଠିକଣା ନଥିବା ସ୍ଥାନଗୁଡ଼ିକୁ ଡିଜିପିନ୍‌‌ ଦ୍ୱାରା ଏବେ ଡିଜିଟାଲ ଉପାୟରେ ଚିହ୍ନଟ କରାଯାଇପାରିବ।

ଏକ ଡିଜିପିନ୍‌‌ ତିଆରି ପାଇଁ ବ୍ୟବହାରକାରୀଙ୍କୁ ନିଜର ରିଅଲ୍‌‌-ଟାଇମ୍‌‌ ଅବସ୍ଥାନ ତଥ୍ୟକୁ ଆକ୍ସେସ୍‌‌ କରିବା ଅନୁମତି ଦେବାକୁ ପଡ଼ିଥାଏ। ଯଦିଓ ଭାରତୀୟ ଡାକ ବିଭାଗ ଦାବି କରୁଛି ଯେ ଏହି ତଥ୍ୟ ସଂରକ୍ଷିତ ବା ରେକର୍ଡ ହେବ ନାହିଁ ଏବଂ କେବଳ କୋଡ୍‌‌ ସୃଷ୍ଟି ପାଇଁ ବ୍ୟବହୃତ ହେବ, ତଥାପି ଏହି ତଥ୍ୟ ଆକ୍ସେସ୍‌‌ କରିବା ଅଭିକ୍ରିୟା ଏକ ଭବିଷ୍ୟତ ତଥ୍ୟଚ୍ୟୁତିର ଦ୍ୱାର ଖୋଲିଦେଇପାରେ। ଏହି ନୂତନ ପଦକ୍ଷେପକୁ ଏକ ଡିଜିଟାଲ ଉନ୍ନତି ନାମରେ ପ୍ରଚାର କରାଯାଉଥିଲେ ମଧ୍ୟ ଦେଶରେ ଇଣ୍ଟରନେଟ ଆଧାରିତ ସାଇବର ଅପରାଧ ବୃଦ୍ଧି ପାଉଥିବା ବେଳେ ଏହା ବ୍ୟକ୍ତିଗତ ତଥ୍ୟର ଗୋପନୀୟତା, ନିରୀକ୍ଷଣ ଓ ଦୁରୁପଯୋଗ ବିଷୟରେ ଚିନ୍ତା ବୃଦ୍ଧି କରିଛି।

ଭାରତର ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ତଥ୍ୟ ଅନୁସାରେ, ୨୦୨୩ ମସିହାରେ ଭାରତରେ ୧.୫୫ ଲକ୍ଷରୁ ଅଧିକ ସାଇବର ଅପରାଧ ଘଟିଛି, ଯାହା ୨୦୨୦ର ୫୦, ୦୩୫ ଘଟଣାଠାରୁ ବହୁଗୁଣା ବେଶି। ସେଥିମଧ୍ୟରୁ ଅନେକଟି ଅର୍ଥ ଠକେଇ, ଫିସିଂ, ପରିଚୟ ଚୋରି ଓ ସିମ୍‌‌ କ୍ଲୋନିଂ ସହିତ ସଂପୃକ୍ତ, ଯେଉଁଥିରେ ଆଧାର, ମୋବାଇଲ ନମ୍ୱର, ବ୍ୟାଙ୍କ ଖାତା ଓ ସରକାରୀ ଯୋଜନା ସହିତ ଜଡ଼ିତ ବ୍ୟକ୍ତିଗତ ତଥ୍ୟ ଦୁରୁପଯୋଗ ମୁଖ୍ୟ ଭୂମିକା ନେଇଥିଲା। ଆଧାର, ପ୍ୟାନ୍‌‌, ଫୋନ୍‌‌ ଓ ଅର୍ଥ ବିବରଣୀକୁ ବାଧ୍ୟତାମୂଳକ ଭାବେ ଯୋଡ଼ିବା ଦ୍ୱାରା ପ୍ରତ୍ୟେକ ଭାରତୀୟ ଏବେ ଏକ ଡିଜିଟାଲ ତଥ୍ୟ କ୍ଷେତ୍ରରେ ପରିଣତ ହୋଇଥିବା ଯୋଗୁଁଁ ବ୍ୟକ୍ତିଗତ ପ୍ରଦତ୍ତ ତଥ୍ୟର ଦୁରୁପଯୋଗ ହେବାର ଆଶଙ୍କା ଯଥେଷ୍ଟ ବଢ଼଼ି ଯାଇଛି। ଏପରି ପରିବେଶରେ, ବ୍ୟକ୍ତିଙ୍କ ନିଜସ୍ୱ ଅବସ୍ଥାନକୁ ସଠିକ ଭାବରେ ଚିହ୍ନଟ କରି ଡିଜିପିନ୍‌‌ ଲୋକମାନଙ୍କୁ ଏକ ନୂଆ ସ୍ତରର ବିପଦ ଭିତରକୁ ଟାଣି ନେବାକୁ ଉଦ୍ୟମରତ ବୋଲି ଅଭିଯୋଗ ହେଉଛି।

ସାଇବର ସୁରକ୍ଷା ବିଶେଷଜ୍ଞମାନଙ୍କ ମତରେ ସାଧାରଣ ଠିକଣା ତୁଳନାରେ ଡିଜିପିନ ବ୍ୟକ୍ତିଗତ ଗୋପନୀୟତାକୁ ପ୍ରାୟ ଶୂନ୍ୟ କରିଦେଇଥାଏ। ଯଦି ଏହା ଭୋଟର ତାଲିକା, ସ୍ୱାସ୍ଥ୍ୟ କାର୍ଡ, ଟେଲିକମ୍‌‌ ତଥ୍ୟ ଓ ଆଧାର ଲିଙ୍କ କ୍ଷେତ୍ର ଭଳି ଅନ୍ୟ ତଥ୍ୟ ସହ ଯୋଡ଼ି ଦିଆଯାଏ, ତେବେ ଏହା ଏକ ବ୍ୟକ୍ତିକୁ ନିର୍ଦ୍ଦିଷ୍ଟ ଭାବେ ଖୋଜି ବାହାର କରିବାର ଏକ ମଜବୁତ ହତିଆର ହୋଇପାରେ। ଯେଉଁ ପ୍ରତିରକ୍ଷା ସ୍ତର ଦିନେ ନାଗରିକଙ୍କୁ ଟ୍ରାକିଂରୁ ବଞ୍ଚାଉଥିଲା, ବର୍ତ୍ତମାନ ସେହି ସୁରକ୍ଷା ଭାଙ୍ଗିଯିବ, ଯାହା ଫଳରେ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସ) ସହ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ (ଲୋକେସନ୍‌‌ ଟ୍ରେସିଂ) ପାଇଁ ଅତ୍ୟାଧୁନିକ ଡିଜିଟାଲ କୌଶଳ ଅବଲମ୍ୱନ କରୁଥିବା ସାଇବର ଅପରାଧୀମାନେ ଡିଜିପିନକୁ ଏକ ଆପରାଧିକ ଅସ୍ତ୍ର ଭାବରେ ବ୍ୟବହାର କରିପାରିବେ। ଅଧିକନ୍ତୁ, ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ୍‌‌ ୨୦୨୩ର ଦୁର୍ବଳ ଓ ଅସ୍ପଷ୍ଟ ଧାରା ଏହି ସମସ୍ୟାକୁ ଆଉ ଗମ୍ଭୀର କରୁଛି।

ଏହି ପରିପ୍ରେକ୍ଷୀରେ ଆଉ ଏକ ଗଭୀର ଚିନ୍ତା ହେଉଛି ଡିଜିଟାଲ ବ୍ୟବସ୍ଥାର ବାଧ୍ୟବାଧକତାରୁ ସୃଷ୍ଟି ସାମାଜିକ ଅନିଚ୍ଛା। ବିଗତ ଦଶବର୍ଷ ଧରି ବିଶେଷତଃ ବୃଦ୍ଧ, ଗ୍ରାମୀଣ ଜନତା ଓ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ନାଗରିକମାନେ ନିରନ୍ତର ଡିଜିଟାଲ୍‌‌ ଉପକରଣ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଅଧିକାଂଶ ସମୟରେ ଆଧାର କାର୍ଡ ପ୍ରସ୍ତୁତିରେ ବିଳମ୍ୱ, ବାୟୋମେଟ୍ରିକ୍‌‌ ଅମେଳ ଓ ପ୍ରକ୍ରିୟାଗତ ଉଦାସୀନତା ଦେଖିବାକୁ ମିଳିଛି। ପାନ୍‌‌ ସହ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରି ଅନେକବାର ଜମାକାରୀଙ୍କ ଖାତାକୁ ବନ୍ଦ କରିଦେବାର ଭୟ ଦେଖାଯାଉଛି। ‘ଆୟୁଷ୍ମାନ୍‌‌ ଭାରତ ଯୋଜନା’ର ଲାଭ ନେବା ପାଇଁ ବର୍ତ୍ତମାନ ଅନଲାଇନ୍‌‌ ପୋର୍ଟାଲ୍‌‌, ଓଟିପି ଓ ଜିଓ-ଭେରିଫିକେସନ୍‌‌ ଜରୁରୀ, ଯାହା ମିଳିନଥିବା ଲକ୍ଷ-ଲକ୍ଷ ଲୋକଙ୍କ ପାଇଁ ଏକ ଅସମ୍ଭବ ଆହ୍ୱାନ। ଭାରତ ସରକାରଙ୍କ ରେଳ ମନ୍ତ୍ରାଳୟ ତରଫରୁ ଜାରି ସଦ୍ୟତମ ସୂଚନା ଅନୁଯାୟୀ ଜୁଲାଇ ମାସରୁ ତତ୍କାଳ ରେଳ ଟିକେଟର ବୁକିଂ ପାଇଁ ଆଧାର କାର୍ଡ ତଥା ସେଥିରେ ସଂଯୋଜିତ ଟେଲିଫୋନ ନମ୍ୱରର ଓଟିପି ବାଧ୍ୟତାମୂଳକ ହେବ। ଯଦି ଡିଜିପିନ୍‌‌ ଭବିଷ୍ୟତରେ ଆଧାର ଓ ପ୍ୟାନ ଭଳି ବ୍ୟାଙ୍କିଂ, ଜମିଜମା ପଞ୍ଜୀକରଣ, ବିଦ୍ୟୁତ୍‌‌ ସେବା, ରେଳ ଟିକେଟ ବୁକିଂ କିମ୍ୱା ସରକାରୀ ଯୋଜନା ଦେବାରେ ଆବଶ୍ୟକ କରାଯିବ, ତେବେ ଏହା ଲୋକଙ୍କ ପାଇଁ ଅଧିକ ବିପଦ ଓ ଅନେକ ଜଟିଳ ସମସ୍ୟା ସୃଷ୍ଟି କରିବ। ଯେଉଁ ବ୍ୟବସ୍ଥାକୁ ଲୋକଙ୍କର ସୁବିଧା ପାଇଁ ପ୍ରସ୍ତୁତ କରାଯାଉଛି, ତାହା ଶେଷରେ ଏକ ଅନିଚ୍ଛାକୃତ ଆବଶ୍ୟକତା ହୋଇ କେବଳ ଏକ ପ୍ରସାଶନିକ ବୋଝ ହିସାବରେ ଜନସାଧାରଣଙ୍କ ପାଇଁ ଦୁର୍ବିସହ ହୋଇପଡ଼ିବ।

ପ୍ରକୃତ ବିପଦ କେବଳ ଡିଜିପିନ୍‌‌ କ’ଣ କରିବ ସେଥିରେ ନାହିଁ, ବରଂ ଏହା ଯାହା ସୂଚିତ କରେ ସେଥିରେ ଅଛି। ଆଇନଗତ ସୁରକ୍ଷା ଓ ସ୍ୱଚ୍ଛତା ନଥାଇ ନାଗରିକଙ୍କ ବିନା ପରାମର୍ଶରେ ସେମାନଙ୍କର ବ୍ୟକ୍ତିଗତ ତଥ୍ୟକୁ ନେଇ ସରକାରଙ୍କର ଏହା ଏକ କ୍ରମବର୍ଦ୍ଧିଷ୍ଣୁ ସମ୍ୱେଦନଶୀଳ ଡିଜିଟାଲ ହସ୍ତକ୍ଷେପ। ନିହାତି ଭାବରେ ଏହା ଏକ ଏକତରଫା ଶୀର୍ଷସ୍ତରୀୟ ନୀତି ନିର୍ମାଣ ପ୍ରଣାଳୀକୁ ପ୍ରତିବିମ୍ୱିତ କରେ, ଯାହା ଗ୍ରାମାଞ୍ଚଳରେ ରହୁଥିବା ଅଶିକ୍ଷିତ, ଗରିବ ତଥା ଡିଜିଟାଲ ଉପକରଣର ବ୍ୟବହାର ଜାଣି ନଥିବା ଜନସାଧାରଣଙ୍କୁ କିଭଳି ପ୍ରଭାବିତ କରିବ ବୁଝିବା ପୂର୍ବରୁ ସେମାନଙ୍କ ଉପରେ ଜୋରଜବରଦସ୍ତି ଲଦି ଦିଆଯାଉଛି। ଅନେକ ନାଗରିକଙ୍କ ପାଇଁ, ବିଶେଷକରି ଯେଉଁମାନେ ଆଧାର ନିବନ୍ଧନ ବିଳମ୍ୱ, ବ୍ୟାଙ୍କ ସଂଯୋଜନ ବା ଡିଜିଟାଲ୍‌‌ ସୁଦୃଢ଼ୀକରଣର ବିଫଳତା ଦ୍ୱାରା ପୂର୍ବରୁ ହତାଶ ହୋଇଛନ୍ତି, ସେମାନଙ୍କ ପାଇଁ ଡିଜିପିନ୍‌‌ ଏକ ସଶକ୍ତୀକରଣର ଉପକରଣ ନୁହେଁ। ଆଶୀର୍ବାଦ ନୁହେଁ, ବରଂ ଏହା ଗୋଟିଏ ସମ୍ଭାବ୍ୟ ଆପଦ, ଏକ ଅତ୍ୟଧିକ ହସ୍ତକ୍ଷେପକାରୀ ଡିଜିଟାଲ୍‌‌ ଫାଶ।

ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ବର୍ତ୍ତମାନର ପିନ୍‌‌କୋଡ୍‌‌ ପ୍ରଣାଳୀ ଦ୍ୱାରା ଭାରତୀୟ ଡାକ ବିଭାଗ ଡାକ ପ୍ରେରଣ ଓ ବଣ୍ଟନ, ସ୍ଥାନ ପରିଚୟ ଓ ପ୍ରଶାସନିକ ବିଭାଜନ ପାଇଁ ପର୍ଯ୍ୟାପ୍ତ ଭାବେ ସୁରୁଖୁରୁରେ କାମ କରୁଥିବା ବେଳେ ଭାରତକୁ ଏକ ଅସୁରକ୍ଷିତ ଡିଜିପିନ୍‌‌ ବ୍ୟବସ୍ଥାର ଆବଶ୍ୟକତା ଅଛି କି? ଜର୍ମାନୀ, ଫ୍ରାନ୍ସ ଓ ଜାପାନ ଭଳି ବିକାଶଶୀଳ ଦେଶଗୁଡ଼ିକର ଡାକ ବିଭାଗ ଅତ୍ୟଧିକ ସୂକ୍ଷ୍ମ ଜିଓକୋଡିଂ ଯୋଗ କରି ନୁହେଁ, ବରଂ ତାଙ୍କର ପ୍ରଚଳିତ କୋଡ୍‌‌ ବ୍ୟବସ୍ଥା ମଧ୍ୟରେ ଜନସାଧାରଣଙ୍କୁ ସୁରକ୍ଷିତ ଡାକସେବା ପ୍ରଦାନ କରୁଛନ୍ତି। ଭାରତୀୟ ଡାକ, ଯାହା ୧.୬୫ ଲକ୍ଷରୁ ଅଧିକ ଡାକଘର ସହିତ ବିଶ୍ୱର ସବୁଠୁ ବଡ଼ ଡାକ ବ୍ୟବସ୍ଥା, ତା’ର ଅନେକ ନିଜସ୍ୱ ସମସ୍ୟା ସମାଧାନ ଅପେକ୍ଷାରେ ଅଟକି ରହିଛି। ଏଭଳି ପରୀକ୍ଷାନିରୀକ୍ଷାରୁ ବିରତ ରହି ସାମ୍ପ୍ରତିକ ତଥା ମୌଳିକ ସମସ୍ୟାଗୁଡ଼ିକର ଆଶୁ ସମାଧାନ ପାଇଁ ଡାକ ବିଭାଗକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି। ଚିଠି ପ୍ରେରଣରେ ବିଳମ୍ୱ, ଡାକଘରଗୁଡ଼ିକରେ ବିଶେଷକରି ଗ୍ରାମାଞ୍ଚଳରେ ଉତ୍ତମ ନେଟୱାର୍କ ଓ ଡିଜିଟାଲ୍‌‌ ଢାଞ୍ଚାର ଅଭାବ, ଗ୍ରାହକ ଅଭିଯୋଗ ଶୁଣାଣିରେ ଅବ୍ୟବସ୍ଥା ଭଳି ସମସ୍ୟାଗୁଡ଼ିକର ସମାଧାନ ଦିଗରେ ତୁରନ୍ତ ଧ୍ୟାନ ଦେଇ କର୍ମଚାରୀଙ୍କୁ ସଠିକ୍‌‌ ପ୍ରଶିକ୍ଷଣ ଦେବା, ବିତରଣ ବ୍ୟବସ୍ଥାରେ ଉନ୍ନତି ଆଣିବା, ଗ୍ରାମୀଣ ବ୍ୟାଙ୍କିଂକୁ ବିସ୍ତାର କରି ଡାକଘର ଠକେଇକୁ ରୋକିବା, ଭଡ଼ା ଓ ଭଙ୍ଗା ଦଦରା ଘରେ ତଥା ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ଚାଲୁଥିବା ଡାକଘରଗୁଡ଼ିକର ଉନ୍ନତିକରଣ ପାଇଁ ଉଚିତ୍‌‌ ପଦକ୍ଷେପ ନେଲେ ନାଗରିକମାନେ ଅଧିକ ଭଲ ସେବା ପାଇପାରିବେ। ଏକ ଅବାଞ୍ଛିତ ଡିଜିଟାଲ୍‌‌ ଯୋଜନା ଆଣିବା ପରିବର୍ତ୍ତେ ଏପରି ପଦକ୍ଷେପ ଲୋକମାନଙ୍କର ଭରସାକୁ ମଜଭୁତ କରିପାରିବ ଏବଂ ଏହି ପ୍ରତିଷ୍ଠାନର ଐତିହ୍ୟକୁ ପୁନର୍ଜୀବନ ଦେଇପାରିବ।

ଭାରତ ଏକ ସଙ୍କଟମୟ ସ୍ଥିତିରେ ଅଛି, ଯେଉଁଠାରେ ପ୍ରଯୁକ୍ତିଗତ ନବୋନ୍ମେଷ ଓ ନୈତିକ ଶାସନ ହାତକୁ ହାତ ମିଳେଇ ଚାଲିବା ଦରକାର। ସମସ୍ତ ଡିଜିଟାଲ୍‌‌ ନବୋନ୍ମେଷ ପ୍ରଗତି ନୁହେଁ। କେବେ କେବେ ସଂଯମ ଓ ସାବଧାନତା ହିଁ ସଠିକ୍‌‌ ପଥ ବୋଲି ବିଚାର କରାଯାଏ। ସାମ୍ପ୍ରତିକ ସମୟରେ ଡିଜିପିନ୍‌‌ ଭରସାଯୋଗ୍ୟ ନହୋଇ ଏକ ଗମ୍ଭୀର ସଙ୍କଟ ସୃଷ୍ଟି କରିବାର ଆଗୁଆ ସୂଚନା ପ୍ରଦାନ କରୁଛି। ଯଦି ଶାସନର ଲକ୍ଷ୍ୟ ସୁରକ୍ଷା ଓ ସଶକ୍ତୀକରଣ, ତେବେ ଏହି ଡିଜିଟାଲ୍‌‌ ପ୍ରଣାଳୀର ପୁନର୍ବିଚାର ହେବା ଉଚିତ୍‌‌।

ବୃହସ୍ପତି ସାମଲ

ଭୁବନେଶ୍ୱର, ମୋ: ୯୪୩୭୦୨୨୬୬୯

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର