ଶିଶୁଶ୍ରମ ଓ ଆମର ଦାୟିତ୍ୱ

The Sakala Picture
Published On

୨୦୨୫ ମସିହାର ଅର୍ଦ୍ଧେକ ସରିବା ଉପରେ। ଜାତିସଂଘର ସଦସ୍ୟ ରାଷ୍ଟ୍ରମାନଙ୍କ ଦ୍ୱାରା ୨୦୧୫ ମସିହାରେ ଧାର୍ଯ୍ୟ କରାଯାଇଥିବା ୧୭ ଟି ସ୍ଥାୟୀ ବିକାଶ ଲକ୍ଷ୍ୟର ଅବଧି ସରିବାକୁ ବସିଲାଣି। ସେହି ଲକ୍ଷ୍ୟସୂଚୀର ୮.୭ କ୍ରମାଙ୍କ ଅନୁଯାୟୀ ୨୦୨୫ ମସିହା ସୁଦ୍ଧା ସମସ୍ତ ପ୍ରକାରର ଶିଶୁ ଶ୍ରମିକ ପ୍ରଥାର ନିରାକରଣ ହେବାର ସ୍ଥିରୀକୃତ ହୋଇଥିଲା। କିନ୍ତୁ ବାସ୍ତବ ଚିତ୍ର କ’ଣ ରହିଛି ତାହା ଆମେ କିଛି ଉଦାହରଣରୁ ଜାଣିପାରିବା। କୌଣସି ରେଳ ଷ୍ଟେସନକୁ ଗଲେ ଅନେକ କୁନି କୁନି […]

୨୦୨୫ ମସିହାର ଅର୍ଦ୍ଧେକ ସରିବା ଉପରେ। ଜାତିସଂଘର ସଦସ୍ୟ ରାଷ୍ଟ୍ରମାନଙ୍କ ଦ୍ୱାରା ୨୦୧୫ ମସିହାରେ ଧାର୍ଯ୍ୟ କରାଯାଇଥିବା ୧୭ ଟି ସ୍ଥାୟୀ ବିକାଶ ଲକ୍ଷ୍ୟର ଅବଧି ସରିବାକୁ ବସିଲାଣି। ସେହି ଲକ୍ଷ୍ୟସୂଚୀର ୮.୭ କ୍ରମାଙ୍କ ଅନୁଯାୟୀ ୨୦୨୫ ମସିହା ସୁଦ୍ଧା ସମସ୍ତ ପ୍ରକାରର ଶିଶୁ ଶ୍ରମିକ ପ୍ରଥାର ନିରାକରଣ ହେବାର ସ୍ଥିରୀକୃତ ହୋଇଥିଲା। କିନ୍ତୁ ବାସ୍ତବ ଚିତ୍ର କ’ଣ ରହିଛି ତାହା ଆମେ କିଛି ଉଦାହରଣରୁ ଜାଣିପାରିବା।

କୌଣସି ରେଳ ଷ୍ଟେସନକୁ ଗଲେ ଅନେକ କୁନି କୁନି ପିଲା ନୁଖୁରା କେଶ ଓ ଛିଣ୍ଡା ପୋଷାକରେ ଇତସ୍ତତ ବୁଲୁଥିବାର ଆମେ ଦେଖିପାରିବା। ବହିଖାତା କିମ୍ୱା ଖେଳଣା ବଦଳରେ ଗୋଟିଏ ହାତରେ ଥିବ ଖୋଲା ପାଣି ବୋତଲ ସଂଗ୍ରହର ବସ୍ତା ଓ ଅନ୍ୟ ହାତରେ ଡେଣ୍ଡ୍ରାଇଟ ଅଠାର ଗୋଟିଏ ଗୋଟିଏ ଟ୍ୟୁବ୍‌‌। ଏହି ପିଲାମାନେ ଦିନସାରା ଜରି ଓ ଖାଲି ପାଣି ବୋତଲ ସଂଗ୍ରହ କରି କିଛି ପଇସା ରୋଜଗାର କରନ୍ତି, ଯାହାକି ସେମାନଙ୍କ ଖାଇବା ଖର୍ଚ୍ଚକୁ ଭରଣା କରିପାରେ ନାହିଁ ସତ; କିନ୍ତୁ ସ୍ୱଳ୍ପ ମୂଲ୍ୟରେ ମିଳୁଥିବା ମାରାତ୍ମକ ଡେଣ୍ଡ୍ରାଇଟ ଅଠା ଗୋଟିଏ ମିଳିଯାଏ, ଯାହାକୁ ଟିକିଏ ଶୁଙ୍ଘି ଦେଲେ ଭୋକ, ଶୋଷ ଓ ଥଣ୍ଡାରୁ ମୁକ୍ତି ମିଳିଯାଏ। ସେମିତି ରାଜଧାନୀର ଛାତି ଉପରେ ଥିବା ମାଷ୍ଟରକ୍ୟାଣ୍ଟିନ ବସଷ୍ଟାଣ୍ଡ ପରିସର ଓ ଟ୍ରାଫିକ ଲାଇଟ ତଳେ ମାଳମାଳ ଶିଶୁ ଓ କିଶୋର କିଶୋରୀ ଅନାୟାସରେ ଭିକ୍ଷାବୃତ୍ତି କରୁଥିବାର ଘଟଣାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ଏହି ଭିକ୍ଷାବୃତ୍ତିରେ ଦେଢ଼ବର୍ଷରୁ ଆରମ୍ଭ କରି ତେର/ଚଉଦ ବର୍ଷର କୁନି କୁନି ପିଲା ନିୟୋଜିତ ହୋଇଥା’ନ୍ତି। ଏମାନଙ୍କ କଥା ବୁଝିବା ପାଇଁ କେହି ନାହାନ୍ତି।

ଶିଶୁ ଶ୍ରମିକ ପ୍ରଥାର ଉଛେଦ ପାଇଁ ଚାରୋଟି ମୁଖ୍ୟ ଉପାଦାନର ଆବଶ୍ୟକତା ରହିଛି। ସେଗୁଡ଼ିକ ହେଲା – ୧)ଶିଶୁ ଶ୍ରମିକଙ୍କ ସର୍ବେକ୍ଷଣ, ୨)ଉଦ୍ଧାର ଓ ଥଇଥାନ, ୩)ଆଇନର ସଫଳ ପ୍ରଣୟନ ଓ କାର୍ଯ୍ୟାନୁଷ୍ଠାନ ଏବଂ ୪)ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲକରଣ। ବାସ୍ତବରେ ଏହି ଉପାଦାନଗୁଡ଼ିକର ପ୍ରକୃତ ସ୍ଥିତି କ’ଣ ରହିଛି ତାହା ଉଲ୍ଳେଖ ଅନାବଶ୍ୟକ। ବାସ୍ତବରେ ଶିଶୁ ଶ୍ରମିକମାନଙ୍କର ସଂଖ୍ୟା ସମ୍ପର୍କରେ ପ୍ରକୃତ ତଥ୍ୟ କାହା ପାଖରେ ନାହିଁ। ଶିଶୁ ଶ୍ରମିକଙ୍କ ସର୍ବେକ୍ଷଣ ରାଜ୍ୟ ସରକାରଙ୍କ ଦ୍ୱାରା ୧୯୯୦ ମସିହାଠାରୁ ଅଦ୍ୟାବଧି ମାତ୍ର ଦୁଇଥର ହୋଇଛି। ୧୯୯୦ ମସିହାକୁ ‘ବାଳିକାମାନଙ୍କ ପାଇଁ ବର୍ଷ’ ବୋଲି ‘ସାର୍କ’ ତରଫରୁ ପାଳନ କରାଯାଇଥିଲା। ସେଥିପାଇଁ ରାଜ୍ୟ ସରକାର ବାଧ୍ୟ ହୋଇ ଶିଶୁ ଶ୍ରମିକଙ୍କ ସର୍ବେକ୍ଷଣ କରିଥିଲେ। ସେହିପରି ୧୯୯୫-୯୬ ମସିହାରେ ହୋଇଥିବା ରାଜ୍ୟସ୍ତରୀୟ ସର୍ବେକ୍ଷଣରେ ୮, ୩୧, ୬୬୪ ଜଣ ଶିଶୁ ଶ୍ରମିକ ଚିହ୍ନଟ ହୋଇଥିଲେ।

ଶିଶୁ ଶ୍ରମିକଙ୍କ କଲ୍ୟାଣ ପାଇଁ ୧୯୯୪ ମସିହାଠାରୁ ରାଜ୍ୟରେ ପରିଚାଳିତ ହେଉଥିବା ଏକମାତ୍ର କେନ୍ଦ୍ରୀୟ ଅନୁଷ୍ଠାନ ‘ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ’ ଦ୍ୱାରା ୧୯୯୬-୯୭ ମସିହାଠାରୁ ପ୍ରତି ତିନିବର୍ଷରେ ଥରେ ସର୍ବେକ୍ଷଣ କରାଯାଇ ଶିଶୁ ଶ୍ରମିକମାନଙ୍କୁ ଚିହ୍ନଟ, ଉଦ୍ଧାର ଓ ସ୍ୱତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର ମାଧ୍ୟମରେ ଥଇଥାନ ଓ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରାଯାଉଥିଲା। କିନ୍ତୁ ୨୦୨୧ ମସିହାଠାରୁ ସେହି ଅନୁଷ୍ଠାନକୁ ଚକ୍ରାନ୍ତ କରି ବନ୍ଦ କରି ଦେବା ଦ୍ୱାରା ବର୍ତ୍ତମାନ ଶିଶୁଶ୍ରମିକଙ୍କ କୌଣସି ତଥ୍ୟ କାହା ପାଖରେ ନାହିଁ କି କୌଣସି ସ୍ୱତନ୍ତ୍ର ଯୋଜନା ନାହିଁ। ଆଇନ ପ୍ରଣୟନ କଥା ବିଚାରକୁ ନେଲେ ଆମେ ଜାଣିପାରିବା ଯେ ନିୟମ ଅନୁସାରେ ଶିଶୁ ଶ୍ରମିକଙ୍କ ଉଦ୍ଧାର ଓ ଥଇଥାନ ଆଇନର ସଫଳ ପ୍ରଣୟନ ତଥା ପୀଡ଼ିତ ଶିଶୁ ଓ ସାକ୍ଷ୍ୟ ପ୍ରଦାନ କରୁଥିବା ଶିଶୁମାନଙ୍କୁ ସୁରକ୍ଷା ଆଦି କାର୍ଯ୍ୟର ତଦାରଖ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଶ୍ରମ ବିଭାଗ ଦ୍ୱାରା ‘ଶିଶୁ ଶ୍ରମିକଙ୍କ ଟାସ୍କ ଫୋର୍ସ କମିଟି’ ଗଠନ ହେବ ଏବଂ ଏହାର ବୈଠକ ପ୍ରତିମାସରେ ବସିବ। କିନ୍ତୁ ପ୍ରାୟ ଜିଲ୍ଲାରେ ବର୍ଷ ବର୍ଷ ଧରି ଏହାକୁ କାର୍ଯ୍ୟକାରୀ କରାଯାଉ ନାହିଁ। ୨୦୨୦ ମସିହାଠାରୁ ୨୦୨୪ ଭିତରେ ମାତ୍ର ୨୬ ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଥିବା ବେଳେ ୨୦୧୩ ରୁ ୨୦୧୭ ମଧ୍ୟରେ ମାତ୍ର ୪୩୧ ମାମଲା ରୁଜୁ ହୋଇଛି। ଶ୍ରମ ବିଭାଗକୁ ନବକଳେବର କରାଯାଇ ଅଧିକାରୀମାନଙ୍କ ସଂଖ୍ୟା, କ୍ଷମତା ଓ ଦରମା ହାର ସିନା ବୃଦ୍ଧି କରାଯାଇଛି, କିନ୍ତୁ ଶିଶୁଶ୍ରମିକ ଆଇନ ପ୍ରଣୟନ କ୍ଷେତ୍ରରେ କୌଣସି ପ୍ରଭାବଶାଳୀ ଉଦ୍ୟମ ହୋଇନାହିଁ। ବର୍ତ୍ତମାନ ସବୁ ଯୋଜନା କେବଳ ପ୍ରଚାରସର୍ବସ୍ୱ ହୋଇ ରହିଯାଇଛି।

ଏକଦା ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରି ସ୍ୱତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର ମାଧ୍ୟମରେ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରି ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଅଭିଯାନ ଚଳାଇ ବିଶେଷ ସଫଳତା ହାସଲ କରିଥିଲା ‘ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ’। ଏହି ପ୍ରକଳ୍ପ ବନ୍ଦ ହୋଇଗଲା ପରେ ଶିଶୁ ଶ୍ରମିକଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବିଦ୍ୟାଳୟ ଦେଖିବାକୁ ମିଳୁନାହିଁ। ଆମ ରାଜ୍ୟରେ ଶତକଡ଼ା ୯ ଭାଗ ଛାତ୍ରଛାତ୍ରୀ ମାଧ୍ୟମିକସ୍ତରରେ ପାଠ ଛାଡ଼ି ଦେଉଛନ୍ତି। ସେହିପରି ଆଠଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଆଧାର ପରିଚୟ ପତ୍ର ନାହିଁ। ସରକାର ବିଦ୍ୟାଳୟର ସଂସ୍କାର ଯେତିକି କରିବାକୁ ଯାଉଛନ୍ତି ଦିନକୁ ଦିନ ସେତିକି ପିଲା ପାଠ ଛାଡୁଛନ୍ତି। ଆମେ ବିଦ୍ୟାଳୟରେ ପଢ଼ୁଥିଲା ବେଳେ କୌଣସି ସ୍ୱତନ୍ତ୍ର ଯୋଜନା ନଥାଇ ମଧ୍ୟ ପ୍ରତ୍ୟେକ ଶ୍ରେଣୀରେ ଏକାଧିକ ବିଭାଗ ରହି ଶହେ ଲେଖାଏଁ ପିଲା ପାଠ ପଢ଼ୁଥିଲେ। ଅଥଚ ସେହି ବିଦ୍ୟାଳୟଗୁଡ଼ିକରେ ବର୍ତ୍ତମାନ ସର୍ବମୋଟ ପିଲା ସଂଖ୍ୟା ଶହେ ହେବ କି ନାହିଁ ସନ୍ଦେହ। ପିଲାମାନେ ଯଦି ପାଠ ଛାଡୁଛନ୍ତି ସେମାନେ କୁଆଡ଼େ ଯାଉଛନ୍ତି? କ’ଣ କରୁଛନ୍ତି? ସେକଥା ବୁଝୁଛି କିଏ?

ଆମ ଦେଶ ସ୍କୁଲଶିକ୍ଷାର ସାର୍ବଜନୀନକରଣ ଦିଗରେ ପ୍ରଚେଷ୍ଟା ଜାରି ରଖିଛି। ପ୍ରଗତି ସତ୍ତ୍ବେ ଶିଶୁଶ୍ରମର ପ୍ରଚଳନ ରହିଛି। ଠିକ୍‌‌ ଏହିପରି ସ୍କୁଲ ଉପସ୍ଥାନ ଏବଂ ସମାପ୍ତି ହାର ଶିକ୍ଷାଗତ ପ୍ରାପ୍ତିରେ ବ୍ୟବଧାନ ପ୍ରକାଶ କରୁଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ଶିଶୁ ଶ୍ରମିକ ନିରାକରଣ ଦିଗରେ ପ୍ରଗତି ଘଟିଥିଲେ ମଧ୍ୟ ବିଶ୍ୱରେ ଏବେ ବି ୧୬୦ ନିୟୁତ ଶିଶୁ ଶ୍ରମିକ ଭାବରେ କାମ କରୁଛନ୍ତି, ଯାହାର ସଂଖ୍ୟା ଆମଦେଶରେ ଆକଳନ କରାଯାଇ ନାହିଁ। ଶିଶୁ ଶ୍ରମିକ ପ୍ରଥା କେବଳ ଶିକ୍ଷା, ସୁରକ୍ଷା ଏବଂ ଅବସର ପାଇବାର ଅଧିକାରରୁ ବଞ୍ଚିତ କରି ଶିଶୁ ମାନଙ୍କର ଅଧିକାରକୁ ଉଲ୍ଲଙ୍ଘନ କରେ ନାହିଁ, ବରଂ ଏହା ସେମାନଙ୍କୁ ଶୋଷଣକାରୀ ଓ ପ୍ରାୟତଃ ବିପଜ୍ଜନକ କାର୍ଯ୍ୟ ପରିବେଶରେ ଫସାଇ ସେମାନଙ୍କର ପୂର୍ଣ୍ଣ ସମ୍ଭାବନା ଓ ଦକ୍ଷତାକୁ ଉପଯୋଗ କରିବାର ସୁଯୋଗକୁ ମଧ୍ୟ ବାଧାପ୍ରାପ୍ତ କରେ।

୨୦୨୫ ମସିହା ସୁଦ୍ଧା ସମସ୍ତ ପ୍ରକାରର ଶିଶୁଶ୍ରମିକ ପ୍ରଥା ଦୂର କରିବା ପାଇଁ ସ୍ଥାୟୀ ବିକାଶ ଲକ୍ଷ୍ୟ ମାଧ୍ୟମରେ ଜାତିସଂଘର ଆହ୍ୱାନକୁ ସାକାର କରିବା ଲାଗି ଏକ ନୂତନ ପ୍ରୟାସର ଆବଶ୍ୟକ। ଶିଶୁଶ୍ରମିକ ପ୍ରଥାର ଦୂରୀକରଣ ପାଇଁ ଆମମାନଙ୍କର ମାନସିକତାରେ ପରିବର୍ତ୍ତନ ଜରୁରୀ। ଶିିଶୁଶ୍ରମିକ ନିୟୋଜିତ ହୋଇଥିବା ଦୋକାନ, ହୋଟେଲ, ଢାବା ଓ କାର୍ଯ୍ୟସ୍ଥଳ ସହିତ ଉତ୍ପାଦ ସାମଗ୍ରୀକୁ ଆମମାନଙ୍କ ଭିତରୁ କେତେଜଣ ବର୍ଜନ କରି ପାରୁଛେ? ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା ଢାବା, ହୋଟେଲ କିମ୍ୱା ଚା’ ଦୋକାନକୁ ଆମେ ସମସ୍ତେ ଯଦି ଯିବା ନାହିଁ, ତେବେ ମାଲିକ ଶିଶୁ ଶ୍ରମିକ ନିୟୋଜନ କରିବାରୁ କ୍ଷାନ୍ତ ନିଶ୍ଚୟ ରହିବ। ସମାଜରେ ଶିଶୁଶ୍ରମିକ ପ୍ରଥାର ପ୍ରଚଳନକୁ ଆମେ ଆଜିପର୍ଯ୍ୟନ୍ତ ଗ୍ରହଣ କରି ଆସୁଛନ୍ତି। କୌଣସି ସ୍ଥାନରେ ଶିଶୁ ଶ୍ରମିକଟିଏ ଦେଖିଲେ ଆମେ ଅଭିଯୋଗ କରୁଛୁ କି? ଶିଶୁ ଶ୍ରମିକ ସମ୍ପର୍କରେ ଅଭିଯୋଗ ପାଇଁ ବର୍ତ୍ତମାନ କୌଣସି କାର୍ଯ୍ୟାଳୟକୁ ଯିବା ଜରୁରୀ ଆବଶ୍ୟକ ନୁହେଁ। ଆମେ ସିଧାସଳଖ ମୋବାଇଲ ଫୋନ ମାଧ୍ୟମରେ www.pencil.gov.in ରେ ତଥ୍ୟ ପ୍ରଦାନ କରି ଅଭିଯୋଗ କରିପାରିବା। ଆମର ପରିଚୟ ଗୁପ୍ତ ରହିବାର ବ୍ୟବସ୍ଥା ରହିଛି। ଦେଶରେ ରହୁଥିବା ପ୍ରତ୍ୟେକ ନାଗରିକ ଯଦି ଏ ଦିଗରେ ଗୋଟିଏ ପାଦ ବଢ଼଼ାଇବେ ତେବେ ଦିନ ଆସିବ ଦେଶରେ ଶିଶୁ ଶ୍ରମିକ ରହିବେ ନାହିଁ। ଏଥିପାଇଁ ସରକାରଙ୍କ କୌଣସି ଆଇନ କି ଯୋଜନାର ମଧ୍ୟ ସହାୟତା ନେବା ଦରକାର ପଡ଼ିବ ନାହିଁ।

ଡ. ସମୀର କୁମାର ନନ୍ଦ
ଦେବଗଡ଼଼, ମୋ: ୯୪୩୭୨୧୮୯୧୭

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର