ମନୋରଞ୍ଜନ
ମୋହନ ଶାସନରେ ନବୀନଙ୍କ ଜୟଗାନ
୨୦୨୪ ସାଧାରଣ ନିର୍ବାଚନରେ ଅପ୍ରତ୍ୟାଶିତ ବିଜୟ ହାସଲ କରିବା ପରେ ଜୁନ ୧୨ ତାରିଖରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିଥିଲା। ଇତିମଧ୍ୟରେ ମୋହନ ସରକାର କ୍ଷମତାକୁ ଆସିବାର ଏକ ବର୍ଷ ପୂରଣ ହୋଇଛି। ବିଗତ ଏକ ବର୍ଷ ଭିତରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ତର୍ଜମା କରିବା ବେଳେ ଜାତୀୟସ୍ତରୀୟ ରିପୋର୍ଟରେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ପ୍ରଶଂସାଯୋଗ୍ୟ ହୋଇଥିବା ନଜରକୁ ଆସୁଛି। କିନ୍ତୁ ଏହି ସମସ୍ତ ଉପଲବ୍ଧି ନବୀନ ସରକାରଙ୍କ […]
୨୦୨୪ ସାଧାରଣ ନିର୍ବାଚନରେ ଅପ୍ରତ୍ୟାଶିତ ବିଜୟ ହାସଲ କରିବା ପରେ ଜୁନ ୧୨ ତାରିଖରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିଥିଲା। ଇତିମଧ୍ୟରେ ମୋହନ ସରକାର କ୍ଷମତାକୁ ଆସିବାର ଏକ ବର୍ଷ ପୂରଣ ହୋଇଛି। ବିଗତ ଏକ ବର୍ଷ ଭିତରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ତର୍ଜମା କରିବା ବେଳେ ଜାତୀୟସ୍ତରୀୟ ରିପୋର୍ଟରେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ପ୍ରଶଂସାଯୋଗ୍ୟ ହୋଇଥିବା ନଜରକୁ ଆସୁଛି। କିନ୍ତୁ ଏହି ସମସ୍ତ ଉପଲବ୍ଧି ନବୀନ ସରକାରଙ୍କ ସମୟରେ କରାଯାଇଥିବା କାର୍ଯ୍ୟ ଯୋଗୁଁଁ ମିଳିପାରିଛି। ଯଦିଓ ଏହା ଓଡ଼ିଶା ପାଇଁ ଗୌରବର ବିଷୟ, ତଥାପି ଏହା ବିଜେପି ପାଇଁ ଆନନ୍ଦଦାୟକ ହୋଇ ପାରିନାହିଁ।
ଗତ ନିର୍ବାଚନରେ ଚବିଶ ବର୍ଷ ଧରି କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ସରକାର ବିରୋଧରେ ବିଜେପି ତରଫରୁ ବିଭିନ୍ନ ଅଭିଯୋଗ ଅଣା ଯାଇଥିଲା। ଏହାଭିତରୁ ‘ଚବିଶ ବର୍ଷରେ ରାଜ୍ୟରେ କୌଣସି ବିକାଶ ହୋଇନାହିଁ’ ଥିଲା ଏକ ପ୍ରମୁଖ ଅଭିଯୋଗ। ନିର୍ବାଚନରେ ବିଜେଡି ଅପ୍ରତ୍ୟାଶିତ ପରାଜୟର କାରଣ ଖୋଜିବା ବେଳେ ବିଜେପି ଦ୍ୱାରା ଅଣାଯାଇଥିବା ବିଭିନ୍ନ ମିଛ ଅଭିଯୋଗଗୁଡ଼ିକୁ ଖଣ୍ଡନ କରିବାରେ ବିଫଳ ହେବା ପରାଜୟର ପ୍ରମୁଖ କାରଣ ବୋଲି କୁହାଯାଇଥିଲା। ଗତ ଏକବର୍ଷରେ ଆସିଥିବା ବିଭିନ୍ନ ରିପୋର୍ଟରେ ଓଡ଼ିଶାର ଉପଲବ୍ଧି ‘ନବୀନଙ୍କ ଚବିଶ ବର୍ଷର ଶାସନ କାଳରେ ଓଡ଼ିଶାର କୌଣସି ବିିକାଶ ହୋଇନାହିଁ’ ବୋଲି ବିଜେପିର ଅଭିଯୋଗ ମିଥ୍ୟା ଥିଲା ବୋଲି ପ୍ରମାଣିତ ହେଉଛି। ଏବେ ଆସନ୍ତୁ ନଜର ପକାଇବା, ଗତ ଏକ ବର୍ଷ ଭିତରେ ଓଡ଼ିଶା କେଉଁ କେଉଁ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି।
ମୋହନ ସରକାର ରାଜ୍ୟର ଶାସନ ଦାୟିତ୍ୱ ନେବା ପରେ ସାରା ଦେଶରେ ବିଭିନ୍ନ ରାଜ୍ୟରେ ପୁଞ୍ଜି ନିବେଶ କ୍ଷେତ୍ରରେ ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଥିଲା। ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଆକର୍ଷିତ କରିବା କ୍ଷେତ୍ରରେ ଶ୍ରେଷ୍ଠ ରାଜ୍ୟ ଭାବେ କେନ୍ଦ୍ର ସରକାର ଓଡ଼ିଶାକୁ ପୁରସ୍କୃତ କରିଥିଲେ। ନୂତନ ଭାବେ ରାଜ୍ୟର ଶିଳ୍ପମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ସମ୍ପଦ ସ୍ୱାଇଁ ରାଜ୍ୟ ସରକାରଙ୍କ ତରଫରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଉଲ୍ଲେଖଯୋଗ୍ୟ, ନବୀନଙ୍କ ଶାସନ କାଳରେ ପୁଞ୍ଜି ନିବେଶକାରୀଙ୍କୁ ଆକର୍ଷିତ କରିବାରେ ଗତ କିଛିବର୍ଷ ଧରି ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଥିଲା। ଏହି କ୍ରମରେ, ୨୦୨୧-୨୨, ୨୦୨୨-୨୩, ୨୦୨୩-୨୪ ଆର୍ଥିକ ବର୍ଷରେ ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶା ଦେଶର ସମସ୍ତ ରାଜ୍ୟମାନଙ୍କ ଭିତରେ ଯଥାକ୍ରମେ ତୃତୀୟ, ଦ୍ୱିିତୀୟ ଓ ପ୍ରଥମ ସ୍ଥାନ ହାସଲ କରିଥିଲା। ସେହିପରି ନିକଟରେ ପ୍ରକାଶିତ ହୋଇଥିବା ଆଇସିଆରଏ ରିପୋର୍ଟରେ ୨୦୧୫ ରୁ ୨୦୨୪ ଆର୍ଥିକ ବର୍ଷ ଭିତରେ ଓଡ଼ିଶାର ଶିଳ୍ପ ଜିଏସଭିଏ (ଗ୍ରସ ଷ୍ଟେଟ ଭ୍ୟାଲ୍ୟୁ ଆଡେଡ) ବାର୍ଷିକ ଚକ୍ରବୃଦ୍ଧି ବିକାଶ ହାର ୧୦% ରହିଥିଲା, ଯାହା ଦେଶର ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ସର୍ବାଧିକ ଥିଲା। ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଏହି ଅଭିବୃଦ୍ଧି ମୁଖ୍ୟତଃ ମାନୁଫାକଚରିଙ୍ଗ କ୍ଷେତ୍ରରେ ହୋଇଥିଲା। ଓଡ଼ିଶାର ଏହି ଉପଲବ୍ଧି ଜାତୀୟ ସ୍ତରରେ ଅନ୍ୟ ବିକଶିତ ରାଜ୍ୟମାନଙ୍କୁ ପଛରେ ପକାଇ ଓଡ଼ିଶା ଆଗକୁ ବଢ଼ୁଛି ବୋଲି ପ୍ରମାଣିତ କରିବା ସହିତ ନବୀନ ସରକାରଙ୍କ ସଫଳତାକୁ ମଧ୍ୟ ଦର୍ଶାଉଛି।
ଦେଶର ସମସ୍ତ ରାଜ୍ୟମାନଙ୍କ ଆର୍ଥିକ ସ୍ଥିତିକୁ ନେଇ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପ୍ରକାଶିତ ହୋଇଥିବା ସିଏଜି ରିପୋର୍ଟରେ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୨୦୧୯-୨୦ ଆର୍ଥିକ ବର୍ଷରୁ ୨୦୨୩-୨୪ ବର୍ଷ ଭିତରେ, ଓଡ଼ିଶାର ଜିଏସଡିପି ୧୨% ହାରରେ ଅଭିବୃଦ୍ଧି ହୋଇଥିଲା, ଯାହା ଦେଶର ଆଗ ଧାଡ଼ିର ରାଜ୍ୟମାନଙ୍କ ସହିତ ସମକକ୍ଷ ଥିଲା। ଏହାଛଡ଼ା, ଏହି ସମୟରେ ଓଡ଼ିଶାର ବଳକା ରାଜସ୍ୱ ପ୍ରାୟ ୫୮% ହାରରେ ବୃଦ୍ଧି ହୋଇଥିଲା। ଦୁର୍ବଳ ଆର୍ଥିକ ସ୍ଥିତି, ବିଶାଳ ଋଣ ବୋଝ, ବିକାଶ କାମ ପାଇଁ ଉତ୍କଟ ଆର୍ଥିକ ଅଭାବ ଭଳି ସମସ୍ୟା ସହିତ ନିୟମିତ ଭାବେ ଲଢ଼େଇ କରି ଆସୁଥିବା ଓଡ଼ିଶା ଭଳି ଏକ ପଛୁଆ ରାଜ୍ୟ ପାଇଁ ଏହି ଉପଲବ୍ଧି ଥିଲା ଅମୂଲ ମୂଲ।
ସେପ୍ଟେମ୍ୱର ୨୦୨୪ ମସିହାରେ ପ୍ରଧାନମନ୍ତ୍ରୀ ପରାମର୍ଶଦାତା କମିଟିର ରିପୋର୍ଟରେ ଓଡ଼ିଶା ମୁଣ୍ଡପିଛା ଆୟ କ୍ଷେତ୍ରରେ ବିଗତ ଦୁଇ ଦଶନ୍ଧିରେ ଭାରତର ସମସ୍ତ ରାଜ୍ୟମାନଙ୍କ ଭିତରେ ସର୍ବାଧିକ ଅଭିବୃଦ୍ଧି ହାସଲ କରିଛି। ରାଜ୍ୟର ଆପେକ୍ଷିକ ମୁଣ୍ଡପିଛା ଆୟ, ଯାହା ୨୦୦୦ ମସିହା ବେଳକୁ ୫୫% ଥିଲା, ତାହା ୨୦୨୪ ବେଳକୁ ୮୮%କୁ ବୃଦ୍ଧି ପାଇଥିଲା। ଏହି ସମୟରେ ଦେଶର ଜିଡିପିକୁ ବଡ଼ ବଡ଼ ରାଜ୍ୟମାନଙ୍କ ଅବଦାନ କମିଥିବା ବେଳେ ଓଡ଼ିଶାର ଅବଦାନ ଲଗାତର ଭାବେ ବୃଦ୍ଧି ପାଇଥିଲା ବୋଲି ରିପୋର୍ଟରେ କୁହାଯାଇଛି। ୨୦୦୦-୦୧ ମସିହା ବେଳକୁ ଦେଶର ଜିଡିପିକୁ ଓଡ଼ିଶାର ଅବଦାନ ୨.୩% ଥିଲା, ଯାହା ୨୦୨୩-୨୪ ବେଳକୁ ୨.୮% କୁ ବୃଦ୍ଧି ପାଇଥିଲା। ନିତି ଆୟୋଗଙ୍କ ଆର୍ଥିକ ସୂଚକାଙ୍କ ରିପୋର୍ଟ ୨୦୨୫ରେ ବିତ୍ତୀୟ ଶୃଙ୍ଖଳା କ୍ଷେତ୍ରରେ ଦେଶର ସମସ୍ତ ରାଜ୍ୟମାନଙ୍କୁ ପଛରେ ପକାଇ ଓଡ଼ିଶା ଏକନମ୍ୱର ସ୍ଥାନ ହାସଲ କରିଥିଲା। ଏହି ରିପୋର୍ଟରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଜାରି କରାଯାଇଥିବା ସୂଚୀରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରି ‘ଆଚିଭର୍ସ’ ବର୍ଗରେ ସ୍ଥାନ ପାଇଛି। ୨୦୧୪-୧୫ ରୁ ୨୦୨୨-୨୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଲଗାତର ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରି ଆସୁଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଓଡ଼ିଶାର ରାଜସ୍ୱ ସଂଗ୍ରହ ବୃଦ୍ଧି ହାର ମଧ୍ୟ ଲଗାତର ଭାବେ ବୃଦ୍ଧି ପାଇଥିବା ବେଳେ ମୁଣ୍ଡପିଛା ଋଣ ମଧ୍ୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।
କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ତରଫରୁ ପ୍ରଦାନ କରାଯାଇଥିବା ଏକ ରିପୋର୍ଟରେ ସବୁଜ ଆବରଣ ବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ଜଙ୍ଗଲ ଓ ବୃକ୍ଷ ଆବରଣ ବୃଦ୍ଧି କ୍ଷେତ୍ରରେ କେବଳ ଜଙ୍ଗଲ ଆବରଣ ବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଯଥାକ୍ରମେ ତୃତୀୟ ଓ ଦ୍ୱିତୀୟ ସ୍ଥାନ ହାସଲ କରିଥିଲା। ସେହିପରି ଏଏସଇଆର(ଆନୁଆଲ୍ ଷ୍ଟାଟସ୍ ଅଫ୍ ଏଜୁକେଶନାଲ୍ ରିପୋର୍ଟ) ୨୦୨୪ରେ ଜାତୀୟସ୍ତରର ଏକ ସର୍ବେକ୍ଷଣରେ ଓଡ଼ିଶାର ସରକାରୀ ବିଦ୍ୟାଳୟଗୁଡ଼ିକରେ ନାମଲେଖା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିଲା। ଏକ୍ଷେତ୍ରରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ଆନେମିଆ ମୁକ୍ତ ଭାରତ ସୂଚକାଙ୍କରେ ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶା ଚତୁର୍ଥ ଶ୍ରେଷ୍ଠ ରାଜ୍ୟ ଭାବେ ସ୍ଥାନ ପାଇଥିଲା।
ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ଦ୍ୱାରା ପୂର୍ବ ସରକାରଙ୍କ ବିଫଳତାକୁ ବାରମ୍ୱାର ଉଲ୍ଲେଖ କରା ଯାଉଥିଲା ବେଳେ ଜାତୀୟ ସ୍ତରରେ ଗତ ଏକବର୍ଷ ଭିତରେ ଗୋଟିଏ ପରେ ଗୋଟିଏ ରିପୋର୍ଟ ପ୍ରକାଶିତ ହେଉଥିଲା, ଯେଉଁଥିରେ ନବୀନଙ୍କ ସମୟରେ ଓଡ଼ିଶାର ସଫଳତାକୁ ବର୍ଣ୍ଣନା କରୁଥିଲା। ନବୀନଙ୍କ ଶାସନ କାଳରେ କ୍ରୀଡ଼ାର ବିକାଶ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀମାଝୀ ତାଙ୍କର ବକ୍ତବ୍ୟରେ ନିଜ ସରକାରଙ୍କ ଉପଲବ୍ଧି ଅପେକ୍ଷା ପୂର୍ବ ସରକାରଙ୍କ ବିଫଳତା ବିଷୟରେ ଟିପଣୀ ଦେବାକୁ ଅଧିକ ପସନ୍ଦ କରିଥା’ନ୍ତି। କିନ୍ତୁ ମୁମ୍ୱାଇରେ ଅନୁଷ୍ଠିତ ହେଉଥିବା ସ୍ୱଦେଶୀ କ୍ରୀଡ଼ା ଉପରେ ହେଉଥିବା ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ସ୍ୱଦେଶୀ କ୍ରୀଡ଼ା ‘ଖୋକୋ’ର ବିକାଶ ପାଇଁ ‘ହାଇ ପରର୍ଫରମ୍ୟାନ୍ସ ସେଣ୍ଟର’ ସ୍ଥାପନରେ ଦେଶର ପ୍ରଥମ ରାଜ୍ୟ ବୋଲି ଗର୍ବର ସହିତ କହିଥିଲେ। ଉଲ୍ଲେଖଯୋଗ୍ୟ, ଶ୍ରୀମାଝୀ ଉଲ୍ଲେଖ କରିଥିବା ଏହି ସେଣ୍ଟର ୨୦୨୩ ମସିହାରେ ତ୍ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟ ସରକାର ଓ ଏଏନଏଏସ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷର ହେବା ପରେ ନିର୍ମାଣ ହୋଇଥିଲା। ଏଠାରେ କୁହାଯାଇ ପାରିବ ଯେ ସବୁସମୟରେ ପୂର୍ବ ସରକାରଙ୍କ କାର୍ଯ୍ୟକୁ ସମାଲୋଚନା କରି ଆସୁଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବୀନଙ୍କ ଶାସନ କାଳରେ ପ୍ରଶଂସାଯୋଗ୍ୟ କାର୍ଯ୍ୟକୁ ପରୋକ୍ଷରେ ସ୍ୱୀକାର କରିଥିଲେ।
ସେହିପରି ‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମରେ ଶିଳ୍ପ ଅନୁଷ୍ଠାନମାନଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ବିଜେପି ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରା ଯାଇଥିବା ପୁସ୍ତିକାରେ ରାଜ୍ୟ ସରକାରଙ୍କ ‘ଫାଇଭ ଟି’ ପ୍ରଶାସନିକ ବ୍ୟବସ୍ଥା ବିଷୟରେ ଉଲ୍ଲେଖ କରାଯାଇଛି। ଏହି ‘ଫାଇଭ ଟି’ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟରେ ପ୍ରତିଷ୍ଠା କରୁଥିବା ଶିଳ୍ପାନୁଷ୍ଠାନଗୁଡ଼ିକ ବିନା ଦ୍ୱନ୍ଦ୍ୱରେ ଶିଳ୍ପ ପ୍ରତିଷ୍ଠା କରିବାରେ ସକ୍ଷମ ହେଉଛନ୍ତି ବୋଲି ଉଲ୍ଲେଖ କରା ଯାଇଛି। ସରକାର ଗଠନ ପୂର୍ବରୁ ବିଜେପି ତରଫରୁ ‘ଫାଇଭ ଟି’ କୁ ତୀବ୍ର ସମାଲୋଚନା କରା ଯାଉଥିବା ବେଳେ ସରକାରକୁ ଆସିବା ପରେ ‘ଫାଇଭ ଟି’ କୁ ପ୍ରଶଂସା କରିବା ସ୍ୱାଭାବିକ ଭାବେ ବିଭିନ୍ନ ମହଲରେ ଭୃକୁଞ୍ଚନ ସୃଷ୍ଟି କରିଛି।
ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ତରଫରୁ ସାରା ରାଜ୍ୟକୁ ଉତ୍ସବ ମୁଖରିତ କରିବା ପାଇଁ ଆୟୋଜନ କରାଯାଉଛି। ଏହି ସମୟରେ ଗତ ଏକବର୍ଷ ଭିତରେ ବିଭିନ୍ନ କେନ୍ଦ୍ରୀୟ ରିପୋର୍ଟରେ ନବୀନଙ୍କ ଶାସନ କାଳରେ ଓଡ଼ିଶାର ଉପଲବ୍ଧି ‘ମୋହନଙ୍କ ଶାସନରେ ନବୀନଙ୍କ ଜୟଗାନ’ ସଦୃଶ୍ୟ ଉଭା ହୋଇଛି।
ମିହିର ରାୟ






