ଏଆଇ ଆଧାରିତ ସାମ୍ୱାଦିକତା
ସୂଚନା ଓ ସାମ୍ୱାଦିକତା ବର୍ତ୍ତମାନ ଦୁନିଆର ଅତ୍ୟନ୍ତ ଜରୁରୀ ଦିଗ। ଏହା ମଧ୍ୟ ଆଜିର ଗୁରୁ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଯେ ସାମ୍ୱାଦିକତା ମାନବ ଜୀବନର ଦୈନନ୍ଦିନ ଅଂଶ ହୋଇପାରିଛି। ଆଜି ବିଶ୍ୱ ଯେଉଁ ଗତିରେ ଆଗକୁ ବଢ଼ୁଛି, ତାହା ତଥ୍ୟପ୍ରାପ୍ତିର ଆବଶ୍ୟକତା ବଢ଼଼ାଇଛି। ଏହି ପୃଷ୍ଠଭୂମିରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଆଧାରିତ ପ୍ରୟୋଗ ସାମ୍ୱାଦିକତାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି। ସରଳ ଅର୍ଥରେ ବୁଝିବାକୁ ଗଲେ ଏଆଇ ହେଉଛି ଏକ ବୈଜ୍ଞାନିକ ପ୍ରକ୍ରିୟା ବା କମ୍ପ୍ୟୁଟର ବିଦ୍ୟା, ଯାହା ମଣିଷଙ୍କ ଭଳି […]
ସୂଚନା ଓ ସାମ୍ୱାଦିକତା ବର୍ତ୍ତମାନ ଦୁନିଆର ଅତ୍ୟନ୍ତ ଜରୁରୀ ଦିଗ। ଏହା ମଧ୍ୟ ଆଜିର ଗୁରୁ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଯେ ସାମ୍ୱାଦିକତା ମାନବ ଜୀବନର ଦୈନନ୍ଦିନ ଅଂଶ ହୋଇପାରିଛି। ଆଜି ବିଶ୍ୱ ଯେଉଁ ଗତିରେ ଆଗକୁ ବଢ଼ୁଛି, ତାହା ତଥ୍ୟପ୍ରାପ୍ତିର ଆବଶ୍ୟକତା ବଢ଼଼ାଇଛି। ଏହି ପୃଷ୍ଠଭୂମିରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଆଧାରିତ ପ୍ରୟୋଗ ସାମ୍ୱାଦିକତାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି।
ସରଳ ଅର୍ଥରେ ବୁଝିବାକୁ ଗଲେ ଏଆଇ ହେଉଛି ଏକ ବୈଜ୍ଞାନିକ ପ୍ରକ୍ରିୟା ବା କମ୍ପ୍ୟୁଟର ବିଦ୍ୟା, ଯାହା ମଣିଷଙ୍କ ଭଳି ଭାବିପାରିବ, କରିପାରିବ ଓ ନିଷ୍ପତ୍ତି ନେଇପାରିବ। ଏହି ବୈଷୟିକ ଜ୍ଞାନକୌଶଳ ସାମ୍ୱାଦିକତାରେ ଖବରସଂଗ୍ରହ, ବିଶ୍ଳେଷଣ ଓ ପ୍ରସ୍ତୁତିକୁ ସହଜ, ଦ୍ରୁତ ଓ ଦୃଢ଼ କରିଛି। ଏଆଇ ଆଧାରିତ ସାମ୍ୱାଦିକତାର ଅନେକ ସୁବିଧା ରହିଛି। ପ୍ରଥମେ, ଏହାଦ୍ୱାରା ଖବର ବହୁତ ଦ୍ରୁତ ଭାବେ ପ୍ରସ୍ତୁତ କରାଯାଇପାରୁଛି। ଏଆଇ ସହାୟତାରେ ସଂସାରର ଅନେକ ଘଟଣାର ଖବରର ବୈଧତା ମଧ୍ୟ ସଠିକ୍ ଭାବେ ନିର୍ଣ୍ଣୟ ହୋଇପାରୁଛି। ମଣିଷର କାର୍ଯ୍ୟକାରିତା ତୁଳନାରେ ଏହାର ଦକ୍ଷତା ଅଧିକ ଥିବାରୁ ଶ୍ରମ ଓ ସମୟ ସଞ୍ଚୟ ହୋଇପାରୁଛି। ଦ୍ୱିତୀୟତଃ, ଏଆଇର ବିଶ୍ଲେଷଣ ଦକ୍ଷତା ବ୍ୟାପକ ଓ ନିର୍ଭୁଲ୍। ସାଧାରଣ ମଣିଷଙ୍କ ପାଇଁ ଯେଉଁ ତଥ୍ୟକୁ ବୁଝିବାରେ ଅସୁବିଧା ହୁଏ, ସେଗୁଡ଼ିକୁ ଏଆଇ ଦ୍ୱାରା ଖୁବ ଦ୍ରୁତ ଓ ସଠିକ୍ ଭାବରେ କରାଯାଇପାରେ। ତୃତୀୟରେ, ଯଦି ସଠିକ୍ ନୀତି ଓ ନିୟମ ରହିଥାଏ, ତେବେ ଏଆଇ ଭୁଲ ଓ ଭ୍ରମରହିତ ଖବର ପ୍ରସାରଣ ଓ ପ୍ରସ୍ତୁତ କରିପାରେ। ଏହା ଫଳରେ ଖବର ଅଧିକ ପ୍ରାମାଣିକ, ଗ୍ରହଣୀୟ ଓ ନିର୍ଭରଶୀଳ ହୁଏ।
ଏହାସତ୍ତ୍ବେ କେବଳ ପ୍ରଦତ୍ତ ଓ ବା ଉପଲବ୍ଧ ତଥ୍ୟ ଉପରେ ଭିତ୍ତିକରି ଏଆଇ ଖବର ପ୍ରସ୍ତୁତ କରୁଥିବାରୁ ବେଳେବେଳେ ଏହା ପ୍ରମାଦ ସୃଷ୍ଟି କରେ। ଲୋକମାନେ ଭୁଲ ସୂଚନା ଆଧାରରେ ନିଷ୍ପତ୍ତି ନେବା ଫଳରେ ସମସ୍ୟା ବୃଦ୍ଧି ହୁଏ। ସେହିପରି ଏଆଇ ଯନ୍ତ୍ର ହୋଇଥିବାରୁ ଏକାରେ ମାନବୀୟ ଭାବନା, ସମ୍ୱେଦନା ଓ ନୀତି ନାହିଁ। ଯେତେବେଳେ କୌଣସି ଦୁଃଖଦ କିମ୍ୱା ସମ୍ୱେଦନଶୀଳ ବିଷୟ ଉପରେ ସୂଚନା ଦେବା ଏବଂ ବିଶ୍ଲେଷଣ କରିବା ଆବଶ୍ୟକ ସେ କ୍ଷେତ୍ରରେ ଏଆଇଠାରୁ ମାନବ ସୁଲଭ ଗୁଣ ଓ ପ୍ରତିକ୍ରିୟା ଆଶା କରାଯାଇପାରିବ ନାହିଁ। ଫଳରେ ସମ୍ବାଦ ପରିବେଷଣର ଭାବାତ୍ମକ ଉପସ୍ଥାପନ ହୋଇପାରେ ନାହିଁ। ସାମ୍ୱାଦିକତାରେ ଏଆଇ ବ୍ୟବହାର ପାଇଁ ଜଣାପଡ଼ୁଥିବା ନୀତି ଓ ନିୟମ ଯଦି ନଥାଏ, ତେବେ ଏହା ଅନ୍ୟାୟ ଓ ଦୁରୁପଯୋଗର ପରିବେଶ ସୃଷ୍ଟିର କାରଣ ହୋଇଥାଏ। ଏହା ମଧ୍ୟ ସାମାଜିକ ନ୍ୟାୟିକ ପ୍ରକ୍ରିୟାରେ ବିସଙ୍ଗତି ଆଣିପାରେ।
ତେଣୁ ସାମ୍ୱାଦିକତାରେ ଏଆଇ ଓ ମଣିଷ ଭାବନା ଓ କାର୍ଯ୍ୟକଳାପର ସମନ୍ୱୟ ଓ ଉଚିତ ସକ୍ରିୟତା ରହିଲେ ଫଳାଫଳ ଉନ୍ନତ ହୁଏ। ଏ କ୍ଷେତ୍ରରେ ସମ୍ପାଦକମାନଙ୍କ ଭୂମିକା ହେଉଛି ତଥ୍ୟ ଓ ଖବରର ନୀତିଗତ ମୂଲ୍ୟାଙ୍କନ, ସମୟୋଚିତ ତଥ୍ୟ ପ୍ରଦାନ ଏବଂ ତ୍ରୁଟିପୂର୍ଣ୍ଣ ସୂଚନାରୁ ଲୋକଙ୍କୁ ସୁରକ୍ଷା ଓ ସଚେତନ ସୃଷ୍ଟି କରିବା। ଏଆଇର ଏହି ଦୁର୍ବଳତାକୁ ଦୂର କରିପାରିଲେ ସାମ୍ବାଦିକତା କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ସମ୍ଭବ। ଏଆଇ ଆଧାରିତ ସାମ୍ୱାଦିକତା ପାଇଁ ମଧ୍ୟ ସଠିକ ନୀତି ଓ ନିୟମ ପ୍ରସ୍ତୁତ ହେବା ଦରକାର। ଯାହା ଏଆଇ ଆଧାରିତ ଖବରର ସତ୍ୟତା, ନ୍ୟାୟସଙ୍ଗତା ଓ ସକାରାତ୍ମକତାକୁ ସୁନିଶ୍ଚିତ କରି ସାମାଜିକ ସୁରକ୍ଷା ଓ ନ୍ୟାୟ ପ୍ରତି ଭରସା ବଢ଼଼ାଇବ। ଏଆଇ ଆଧାରିତ ସାମ୍ୱାଦିକତା ଏକପକ୍ଷରେ ଦୃଢ଼, ଦ୍ରୁତ ଓ ସଠିକ ତଥ୍ୟ ପ୍ରଦାନ କରି ସାମାଜିକ ଜୀବନକୁ ସୁବିଧାଜନକ କରିପାରିଥିବା ବେଳେ ସାମାନ୍ୟ ଦୁର୍ବଳତା ଓ ଅସୁବିଧା ଯୋଗୁଁଁ ଜନମତକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ତେଣୁ ସଭ୍ୟତାର ବିକାଶ ସହିତ ସାମାଜିକ ଜନଜୀବନକୁ ଅଧିକ ସରସ କରିବା ପାଇଁ ଏ ଦିଗରେ ସମନ୍ୱୟ ଲାଗି ସୁଚିନ୍ତିତ ସକାରାତ୍ମକ ଚିନ୍ତନ ଆବଶ୍ୟକ।
ଅଜିତ କୁମାର ପ୍ରଧାନ
ନୀଳଗିରି(ବାଲେଶ୍ୱର), ମୋ: ୯୭୭୭୮୧୪୫୪୧






