ସିନ୍ଧୁ ନଦୀଜଳ ଚୁକ୍ତି

The Sakala Picture
Published On

କାଶ୍ମୀରର ପହଲଗାମଠାରେ ଗତ ୨୨ ତାରିଖରେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କୁ ଗୁଳି କରି ମାରିବା ପରଦିନ ଭାରତ ପାକିସ୍ତାନ ବିରୁଦ୍ଧରେ କେତେକ କଡ଼ା ପଦକ୍ଷେପ ନେଇଛି। ଏହି ଆତଙ୍କବାଦୀ କାର୍ଯ୍ୟ ଏବଂ ଏହା ପୂର୍ବରୁ କେତେକ ଆତଙ୍କବାଦୀ କାର୍ଯ୍ୟରେ ପାକିସ୍ତାନର ପରୋକ୍ଷ ସମର୍ଥନ ଥିବାରୁ ଭାରତ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି। ଭାରତ ନେଇଥିବା ପଦକ୍ଷେପଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିବା। ସିନ୍ଧୁ ହେଉଛି ଗୋଟିଏ ଆନ୍ତଃରାଷ୍ଟ୍ର ନଦୀ। ଏହା ଚୀନ୍‌‌ […]

କାଶ୍ମୀରର ପହଲଗାମଠାରେ ଗତ ୨୨ ତାରିଖରେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କୁ ଗୁଳି କରି ମାରିବା ପରଦିନ ଭାରତ ପାକିସ୍ତାନ ବିରୁଦ୍ଧରେ କେତେକ କଡ଼ା ପଦକ୍ଷେପ ନେଇଛି। ଏହି ଆତଙ୍କବାଦୀ କାର୍ଯ୍ୟ ଏବଂ ଏହା ପୂର୍ବରୁ କେତେକ ଆତଙ୍କବାଦୀ କାର୍ଯ୍ୟରେ ପାକିସ୍ତାନର ପରୋକ୍ଷ ସମର୍ଥନ ଥିବାରୁ ଭାରତ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି। ଭାରତ ନେଇଥିବା ପଦକ୍ଷେପଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିବା।
ସିନ୍ଧୁ ହେଉଛି ଗୋଟିଏ ଆନ୍ତଃରାଷ୍ଟ୍ର ନଦୀ। ଏହା ଚୀନ୍‌‌ ତିଦ୍ଦତ ମାଳଭୂମିରୁ ବାହାରି ଭାରତର ଜାମ୍ମୁ ଓ କାଶ୍ମୀର ଏବଂ ହିମାଚଳ ପ୍ରଦେଶ ଦେଇ ପାକିସ୍ତାନରେ ପ୍ରବେଶ କରିଛି। ପାକିସ୍ତାନର ପଞ୍ଜାବ ଓ ସିନ୍ଧୁ ପ୍ରଦେଶରେ ପ୍ରବାହିତ ହୋଇ ଏହା କରାଚି ନିକଟରେ ଆରବ ସାଗରରେ ପଡ଼ିଛି। ଏହାର ଦୈର୍ଘ୍ୟ ହେଉଛି ୩୧୮୦ କିମି। ଏଥିମଧ୍ୟରୁ ୯୩ ପ୍ରତିଶତ ପାକିସ୍ତାନରେ, ୫ ପ୍ରତିଶତ ଭାରତରେ ଏବଂ ୨ ପ୍ରତିଶତ ଚୀନରେ ଅଛି। ଏହା ହେଉଛି ପାକିସ୍ତାନର ବୃହତ୍ତମ ନଦୀ। ଏହାର ଉପତ୍ୟକା ପ୍ରାୟ ୧୧, ୬୫, ୦୦୦ ବର୍ଗ କିମି ପରିବ୍ୟାପ୍ତ। ଏଥିରେ ବାର୍ଷିକ ପ୍ରାୟ ୨୦୭ ଘନ କିମି ଜଳ ପ୍ରବାହିତ ହୋଇଥାଏ। ଜଳପ୍ରବାହ ଆଧାରରେ ଏହା ହେଉଛି ପୃଥିବୀର ଏକୋଇଶିତମ ବୃହତ୍ତମ ନଦୀ। ଏହାର ମୁଖ୍ୟ ଉପନଦୀ ହେଉଛି ଚେନାବ ଏବଂ ଚେନାବର ଚାରିଟି ମୁଖ୍ୟ ଉପନଦୀ ହେଉଛି ଝେଲମ, ରାବି, ବାୟାସ୍‌‌ ଓ ସତଲେଜ। ଏହି ନଦୀଗୁଡ଼ିକରେ ବନ୍ଧ ନିର୍ମାଣ କରାଯାଇ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ କରାଯାଉଛି। ମୋଟ ଉପରେ ଏହା ଦ୍ୱାରା ୨୬ ନିୟୁତ ଏକରରୁ ଅଧିକ ଜମି ଜଳସେଚିତ ହେଉଛି ଏବଂ କୌଣସି ନଦୀସମୂହ ଦ୍ୱାରା ଜଳସେଚନ ହେବାରେ ଏହା ପୃଥିବୀରେ ପ୍ରଥମ ସ୍ଥାନ ଅଧିକାର କରିଛି।

୧୯୪୭ ମସିହାରେ ଭାରତ ବିଭାଜନ ହେବା ପରେ ସିନ୍ଧୁ ଉପତ୍ୟକାର ଜଳବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରାଗଲା। ଯଦିଓ ନଦୀଗୁଡ଼ିକର ଅଧିକାଂଶ ଦୈର୍ଘ୍ୟ ପାକିସ୍ତାନରେ ଅଛି, ଏଗୁଡ଼ିକର ଉତ୍ସ ହେଉଛି ଭାରତ। ଏଣୁ ସିନ୍ଧୁ ନଦୀ ଓ ଏହାର ଉପନଦୀଗୁଡ଼ିକର ଜଳବଣ୍ଟନକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱବ୍ୟାଙ୍କର ମଧ୍ୟସ୍ଥତାରେ ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖରେ କରାଚିଠାରେ ଏକ ଚୁକ୍ତି ସ୍ୱାକ୍ଷରିତ ହେଲା। ଏହା ‘ସିନ୍ଧୁ ଜଳ ରାଜିନାମା’ ନାମରେ ଜଣା। ଏଥିରେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହୁରୁ ଏବଂ ପାକିସ୍ତାନର ରାଷ୍ଟ୍ରପତି ଆୟୁବ ଖାଁ ସ୍ୱାକ୍ଷର କରିଥିଲେ।

ସିନ୍ଧୁ ଜଳ ଚୁକ୍ତି ଅନୁଯାୟୀ ପୂର୍ବଦିଗକୁ ପ୍ରବାହିତ ତିନୋଟି ନଦୀ ବାୟସ, ରାବି ଓ ସତଲେଜର ନିୟନ୍ତ୍ରଣ ଭାରତ ପାଖରେ ରହିଲା। ଭାରତ ଏହି ନଦୀଗୁଡ଼ିକର ଜଳକୁ ନିଜ ଇଚ୍ଛାନୁସାରେ ଜଳସେଚନ, ବିଦ୍ୟୁତ ଉତ୍ପାଦନ କିମ୍ବା ଅନ୍ୟ ଯେକୌଣସି ଉଦ୍ଦେଶ୍ୟରେ ବ୍ୟବହାର କରିବାର ଅଧିକାର ପାଇଛି। ଏହି ତିନୋଟି ନଦୀରେ ମୋଟ ୩୩ ନିୟୁତ ଏକରଫୁଟ ଜଳ ପ୍ରବାହିତ ହୋଇଥାଏ। ସେହିପରି ପଶ୍ଚିମ ଦିଗକୁ ପ୍ରବାହିତ ଅନ୍ୟ ତିନୋଟି ନଦୀର ଜଳକୁ ବ୍ୟବହାର କରିବାର ଅଧିକାର ପାକିସ୍ତାନ ପାଖରେ ଅଛି। ଏହି ତିନୋଟି ନଦୀର ଜଳପ୍ରବାହ ପରିମାଣ ହେଉଛି ୧୩୫ ନିୟୁତ ଏକରଫୁଟ। ଏହିପରି ସିନ୍ଧୁ ଓ ଏହାର ଉପନଦୀଗୁଡ଼ିକରେ ପ୍ରବାହିତ ମୋଟ ଜଳର ପ୍ରାୟ ୨୦ ପ୍ରତିଶତର ବ୍ୟବହାର ଅଧିକାର ଭାରତ ଓ ୮୦ ପ୍ରତିଶତ ବ୍ୟବହାର ଅଧିକାର ପାକିସ୍ତାନ ପାଖରେ ଅଛି। ଚୁକ୍ତିରେ ଉଲ୍ଲେଖ ଅଛି ଯେ ପାକିସ୍ତାନକୁ ଯେଉଁ ତିନୋଟି ନଦୀର ଜଳ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ଅଧିକାର ଦିଆଗଲା, ସେହି ନଦୀଗୁଡ଼ିକର ଜଳକୁ ଭାରତ ଅଣ-ବ୍ୟୟ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବ। ଅର୍ଥାତ ଭାରତ ଏହି ନଦୀଗୁଡ଼ିକର ଜଳକୁ ଏପରି ଭାବରେ ବ୍ୟବହାର କରିବ, ଯେପରି ବ୍ୟବହାର ପରେ ଜଳ ନଦୀରେ ଯାଇପାରିବ ଏବଂ ଭାରତ ଏହାକୁ ସଞ୍ଚୟ କରି ରଖିପାରିବ ନାହିଁ। ଏପରିକି ଏକ ବ୍ୟବହାର ହେଉଛି ନଦୀର ଛୋଟ ବନ୍ଧ ନିର୍ମାଣ କରି ଜଳବିଦ୍ୟୁତ ଉତ୍ପାଦନ କରିବା। ଏହି ବନ୍ଧ ଦ୍ୱାରା ସୃଷ୍ଟି ହେଉଥିବା ଜଳାଶୟ ବିଦ୍ୟୁତ୍‌‌ କେନ୍ଦ୍ର ପାଇଁ ଅତିବେଶିରେ ଦୁଇଦିନ ପାଇଁ ଜଳ ରଖିପାରେ। ଏହାକୁ ‘ରନ୍‌‌ ଅଫ ରିଭର’ ଜଳ ବିଦ୍ୟୁତ୍‌‌ ଯୋଜନା କୁହାଯାଏ।

ଭାରତ ୨୦୧୮ ମସିହାରେ ଝେଲମର ଏକ ଉପନଦୀରେ ଭାରତ ପାର୍ଶ୍ବରେ ୩୩୦ ମେଗାୱାଟ୍‌‌ କ୍ଷମତାର ଗୋଟିଏ ଜଳବିଦ୍ୟୁତ କେନ୍ଦ୍ର ସ୍ଥାପନ କରିଛି। ପୁନଶ୍ଚ ଚେନାବର ଗୋଟିଏ ଉପନଦୀରେ ଭାରତ ୮୫୦ ମେଗାୱାଟ କ୍ଷମତାର ରାଟଲ ବିଦ୍ୟୁତ୍‌‌ କେନ୍ଦ୍ର ନିର୍ମାଣ କରୁଛି। ପାକିସ୍ତାନ ଏହି ବିଦ୍ୟୁତ କେନ୍ଦ୍ରର ଡିଜାଇନ୍‌‌ ଉପରେ ଆପତ୍ତି ଦର୍ଶାଇ ବିଶ୍ୱବ୍ୟାଙ୍କର ଦ୍ୱାରସ୍ଥ ହୋଇଥିଲା। ଏ ପର୍ଯ୍ୟନ୍ତ ବିଶ୍ୱବ୍ୟାଙ୍କ ଏହା ଉପରେ କୌଣସି ମତ ଦେଇନାହିଁ।
ସିନ୍ଧୁ ଜଳର ଏକ ବଡ଼ ଭାଗ ପାକିସ୍ତାନ ପାଇଛି। ଏହି ଚୁକ୍ତି ରଦ୍ଦ ହେଲେ ପାକିସ୍ତାନର କୋଟି କୋଟି ଲୋକ ପ୍ରଭାବିତ ହେବେ। ପାକିସ୍ତାନର ପଞ୍ଜାବ ଓ ସିନ୍ଧୁ ପ୍ରଦେଶରେ କୃଷି ପାଇଁ ଏହି ଜଳ ନିହାତି ଆବଶ୍ୟକ। ଏହି ଦୁଇ ରାଜ୍ୟରେ କୃଷି ବ୍ୟାହତ ହେଲେ ପାକିସ୍ତାନର ଅର୍ଥନୀତି ଦୁର୍ବଳ ହୋଇଯିବ ଏବଂ ଏହାର ଲୋକମାନେ ଭୋକିଲା ରହିବେ କହିଲେ ଚଳେ। ସୂଚନାଯୋଗ୍ୟ ଯେ ପାକିସ୍ତାନର ଜାତୀୟ ଆୟର ୨୩ ପ୍ରତିଶତ କୃଷିରୁ ଆସୁଛି ଏବଂ ଏହା ଉପରେ ଏହାର ୬୮ ପ୍ରତିଶତ ଲୋକ ନିର୍ଭରଶୀଳ। ଅବଶ୍ୟ ଭାରତ ସାଙ୍ଗେ ସାଙ୍ଗେ ସିନ୍ଧୁ ନଦୀ ଜଳକୁ ପାକିସ୍ତାନକୁ ବନ୍ଦ କରିପାରିବ ନାହିଁ। କାରଣ ଏଥିପାଇଁ ଆବଶ୍ୟକୀୟ ଆନୁଷଙ୍ଗିକ ବ୍ୟବସ୍ଥା (ବନ୍ଧ, ଆନିକଟ ଆଦି) ନିର୍ମାଣ କରିବା ପାଇଁ ସମୟ ଲାଗିବ। କିନ୍ତୁ ଭାରତର ଏହି କାର୍ଯ୍ୟ ନିଶ୍ଚିତ ଭାବେ ପାକିସ୍ତାନକୁ ଭବିଷ୍ୟତରେ ବିପଦରେ ପକାଇବ।

ସିନ୍ଧୁ ଜଳ ଚୁକ୍ତି ସ୍ୱାକ୍ଷର ହେବା ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ତିନୋଟି ଯୁଦ୍ଧ ହୋଇଥିଲେ ସୁଦ୍ଧା ଚୁକ୍ତି ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ଏହାକୁ ପୃଥିବୀର ସବୁଠାରୁ ସଫଳ ଜଳ ସହଭାଗିତା ଚୁକ୍ତି ଭାବେ ବିବେଚନା କରାଯାଉଥିଲା। ଏସବୁ ସତ୍ତ୍ବେ ପାକିସ୍ତାନର ଔଦ୍ଧତ୍ୟକୁ ସହିବାର ଏକ ସୀମା ଅଛି। ଏଣୁ ଭାରତ ବର୍ତ୍ତମାନ ଏକ ଉଚିତ ପଦକ୍ଷେପ ନେଇଛି। ଭାତରେ ନ ମାରି ଭାତରେ ମାରିବା ନ୍ୟାୟରେ ପାକିସ୍ତାନକୁ ଉପଯୁକ୍ତ ଶାସ୍ତି ଦିଆଯିବା ଉଚିତ।

ଇଂ ମାୟାଧର ସ୍ୱାଇଁ, ଭୁବନେଶ୍ୱର, ମୋ: ୯୪୩୮୬୯୩୭୨୪

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର