ଶାରଦୀୟ ଦୁର୍ଗାପୂଜାର କ’ଣ ରହିଛି ପରମ୍ପରା, ଆସନ୍ତୁ ଜାଣିବା…

The Sakala Picture
Published On

ବିଶ୍ବର ସୃଷ୍ଟି, ସ୍ଥିତି ଓ ପ୍ରଳୟର ମୂଳ ହେଉଛି ମାତୃଶକ୍ତି। ଏହି ଦୃଷ୍ଟିରୁ ମାତୃଶକ୍ତିର ଉପାସନା ବହୁପ୍ରାଚୀନ କାଳରୁ ପ୍ରଚଳିତ ହୋଇ ଆସୁଛି। ଯଦ୍ୟପି ବୈଦିକ ସାହିତ୍ୟରେ ମୂର୍ତ୍ତିପୂଜାର ପ୍ରମାଣ ମିଳେ ନାହିଁ, ତଥାପି ଦେବୀସୂକ୍ତ ପରି କେତେକ ସୂକ୍ତ ଓ ମନ୍ତ୍ରରେ ଶକ୍ତିଙ୍କର ଅଲୌକିକ ମହିମା ଓ ମହାପ୍ରଭାବ ବର୍ଣ୍ଣିତ ହୋଇଛି। ପରବର୍ତ୍ତୀ ସମୟରେ ରାମାୟଣ ଯୁଗରେ ଉମା, ଗିରିଜା, ରୁଦ୍ରାଣୀ, ନାଗ ମାତା ଓ କଳାରାତ୍ରି ପ୍ରଭୃତି ଦେବୀମାନଙ୍କର ଉଲ୍ଲେଖ କରାଯାଇଛି। ମହାଭାରତରେ ବିରାଟ […]

ବିଶ୍ବର ସୃଷ୍ଟି, ସ୍ଥିତି ଓ ପ୍ରଳୟର ମୂଳ ହେଉଛି ମାତୃଶକ୍ତି। ଏହି ଦୃଷ୍ଟିରୁ ମାତୃଶକ୍ତିର ଉପାସନା ବହୁପ୍ରାଚୀନ କାଳରୁ ପ୍ରଚଳିତ ହୋଇ ଆସୁଛି। ଯଦ୍ୟପି ବୈଦିକ ସାହିତ୍ୟରେ ମୂର୍ତ୍ତିପୂଜାର ପ୍ରମାଣ ମିଳେ ନାହିଁ, ତଥାପି ଦେବୀସୂକ୍ତ ପରି କେତେକ ସୂକ୍ତ ଓ ମନ୍ତ୍ରରେ ଶକ୍ତିଙ୍କର ଅଲୌକିକ ମହିମା ଓ ମହାପ୍ରଭାବ ବର୍ଣ୍ଣିତ ହୋଇଛି। ପରବର୍ତ୍ତୀ ସମୟରେ ରାମାୟଣ ଯୁଗରେ ଉମା, ଗିରିଜା, ରୁଦ୍ରାଣୀ, ନାଗ ମାତା ଓ କଳାରାତ୍ରି ପ୍ରଭୃତି ଦେବୀମାନଙ୍କର ଉଲ୍ଲେଖ କରାଯାଇଛି। ମହାଭାରତରେ ବିରାଟ ପର୍ବ ଅନ୍ତର୍ଗତ ଯୁଧିଷ୍ଠିରଙ୍କର ଦୁର୍ଗାସ୍ତବ, ଭୀଷ୍ମ ପର୍ବ ଅନ୍ତର୍ଗତ ଅର୍ଜୁନଙ୍କର ଦୁର୍ଗାସ୍ତୋତ୍ର ଓ ହରିବଂଶର ଆର୍ଯ୍ୟାସ୍ତବକୁ ଅନୁଶୀଳନ କଲେ ଜଣାଯାଏ ଯେ, ପ୍ରାୟ ପ୍ରଥମ ଶତାବ୍ଦୀ ବେଳକୁ ଭାରତରେ ପୂର୍ଣ୍ଣ ରୂପରେ ଶକ୍ତି ଉପାସନା ବିକଶିତ ହୋଇଥିଲା। ସମୟକ୍ରମେ ଯେତେବେଳେ ମାନବ ଜାତି ପ୍ରତୀକ ପୂଜାରୁ ପ୍ରତିମା ପୂଜା ପ୍ରତି ମନ ବଳାଇଲେ, ସେତେବେଳେ ମାତୃଶକ୍ତିଙ୍କର ପ୍ରଥମ ରୂପର ପରିକଳ୍ପନା କରାଗଲା, ସେହି ପ୍ରଥମ ମୂର୍ତ୍ତି ହେଲେ ଯାଜପୁରର ଅଧିଷ୍ଠାତ୍ରୀ ଦ୍ବିଭୁଜା ବିରଜା ଦେବୀ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ନବରାତ୍ରି ହିନ୍ଦୁ ଜାତିର ଏକ ବିଶିଷ୍ଟ ପର୍ବ, ଏହି ଦିନ ଘରେ ଘରେ ଚଣ୍ଡୀପାଠ ହୁଏ। ନବରାତ୍ରି ଏଥିପାଇଁ ପ୍ରସିଦ୍ଧ, ଯେହେତୁ ଏହା ଋତୁମାନଙ୍କର ସନ୍ଧିକାଳ। ଏହି ଋତୁ ସନ୍ଧିକାଳ ଉତ୍ପତ୍ତି ଓ ସଂହାରର କାରଣ ହୋଇଥାଏ। ଏହାକୁ ମଧ୍ୟ କାଳସନ୍ଧି କୁହାଯାଏ। ଏହି ସନ୍ଧିକାଳରେ ଜଗଜ୍ଜନନୀ ଦୁର୍ଗାଙ୍କର ଆବାହନ ସୁଗମ ହୁଏ। ଏହି ଅବସ୍ଥାରେ ଇଡ଼ା ଓ ପିଙ୍ଗଳାରେ ବାୟୁଗତିରେ ସାମ୍ୟତା ରହେ। ଏଣୁ କୁଣ୍ଡଳିନୀ ଜାଗରଣ ଓ ଊର୍ଦ୍ଧ୍ବଗତି ସହଜ ହୋଇଯାଏ। ଏହି କାରଣରୁ ନବରାତ୍ରି ମହାପର୍ବ ରୂପେ ପାଳନ କରାଯିବା ସହିତ ବ୍ରତରୂପେ ମଧ୍ୟ ଗ୍ରହଣ କରାଯାଏ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

କାଳ ସନ୍ଧି ସମୟରେ ଦେବୀଙ୍କୁ ଆବାହନ କରିବା ସୁଗମ ହୋଇଥିବାରୁ ଶାରଦୀୟ ପାର୍ବଣ ପୂଜାରେ ସନ୍ଧି ପୂଜା ଅନୁଷ୍ଠିତ ହୁଏ। ଅଷ୍ଟମୀ ତିଥିର ଅନ୍ତ ଓ ନବମୀ ତିଥିର ଆଦ୍ୟକାଳର ମଧ୍ୟବର୍ତ୍ତୀ ସମୟରେ ସନ୍ଧି ପୂଜା ଅନୁଷ୍ଠିତ ହୁଏ। ଏହି ସମୟରେ ଭୈରବ ରୂପୀ ଶିବଙ୍କର ପୂଜା ସହିତ ବଳିଦାନ ଓ ଦୀପ ଉତ୍ସର୍ଗ ଆଦି କରାଯାଏ। ତନ୍ତ୍ର ସାଧକମାନଙ୍କର ସାଧନା ପାଇଁ ସନ୍ଧି ସମୟକୁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ମନେ କରାଯାଏ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଶାରଦୀୟ ପୂଜାର ଷୋଡ଼ଶ ଦିବସୀୟ ପୂଜାବିଧି ମଧ୍ୟରେ ନବରାତ୍ର ପ୍ରସିଦ୍ଧ। କେତେକ ଭକ୍ତ ଶୁକ୍ଳ ପଞ୍ଚମୀଠାରୁ ପାଞ୍ଚଦିନ, ଅନ୍ୟ କେତେକ ଶୁକ୍ଳ ସପ୍ତମୀଠାରୁ ନବମୀ ପର୍ଯ୍ୟନ୍ତ ତିନିଦିନ ଅଥବା କେବଳ ମହାଷ୍ଟମୀ ଦିନ ଏକ- ଦିବସୀୟ ବ୍ରତ ପାଳନ କରିଥାନ୍ତି, କାରଣ ଶାକ୍ତ ପରଂପରାରେ ମହାଷ୍ଟମୀ ତିଥି ସର୍ବଶ୍ରେଷ୍ଠ ଓ ପ୍ରଶସ୍ତ। କଥିତ ଅଛି ଯେ ପ୍ରଭୁ ରାମଚନ୍ଦ୍ର ମହାବଳୀ ରାବଣର ବିନାଶ ନିମିତ୍ତ ଦେବୀ ଦୁର୍ଗାଙ୍କୁ ଅକାଳରେ ବୋଧନ ଓ ଆବାହନ କରିଥିଲେ। ତାଙ୍କର ପୂଜାରେ ସନ୍ତୁଷ୍ଟ ହୋଇ ଦେବୀ ସପ୍ତମୀ ତିଥିରେ ତାଙ୍କ ଧନୁର୍ବାଣରେ ପ୍ରବେଶ କଲେ। ମହାଶକ୍ତିଙ୍କର ଆବିର୍ଭାବ ଫଳରେ ଶ୍ରୀରାମଚନ୍ଦ୍ର ରାବଣକୁ ଅଷ୍ଟମୀ ତିଥିରେ ବଧ କରି ସୀତା ମାତାଙ୍କୁ ଉଦ୍ଧାର କରିଥିଲେ। ମହାବିପଦ ଅପସରି ଯିବାରୁ ଏହି ଅଷ୍ଟମୀ ତିଥିକୁ ମହାଷ୍ଟମୀ ବୋଲି କୁହାଯାଏ। ଏହି ବିଷୟରେ ଶାସ୍ତ୍ରର ମତ ହେଉଛି:-

ମହାବିପତ୍ତାରକତ୍ବାତ୍‌ ଗୀୟତେ ହ୍ୟସୌ ମହାଷ୍ଟମୀ
ମହାସଂପଦ୍‌ଦାୟକତ୍ବାତ୍‌ ସା ଖ୍ୟାତା ମହାନବମୀ।

ଏଣୁ ପ୍ରାୟ ପ୍ରତ୍ୟେକ ହିନ୍ଦୁ ଏହି ମହାଷ୍ଟମୀ ଦିନକୁ ଶ୍ରେଷ୍ଠ ମନେ କରି ବ୍ରତରୂପେ ପାଳନ କରିବା ସହିତ ଉପବାସ କରିଥାନ୍ତି। ପୌରାଣିକ ବିବରଣୀରୁ ଜଣାଯାଏ ଯେ ଦକ୍ଷ ପ୍ରଜାପତିଙ୍କ ଯଜ୍ଞ ଧ୍ବଂସ ପରେ ସତୀଙ୍କ ଦେହାବଶେଷର ବିଭିନ୍ନ ଅଂଶ ପଡ଼ିଥିବା ସ୍ଥାନଗୁଡ଼ିକ ଶକ୍ତିପୀଠ ରୂପେ ପରିଚିତ। ପ୍ରତି ଶକ୍ତି ପୀଠର ରକ୍ଷକଭାବେ ଶିବ ଭୈରବ ରୂପ ଧାରଣ କରି ପୂଜା ପାଇଥାନ୍ତି। ସାଧାରଣତଃ ପୀଠର ଅର୍ଥ ଜପ ବା ମନ୍ତ୍ର ସିଦ୍ଧିର ଆସ୍ଥାନ। ଏଠାରେ ଅଭୀଷ୍ଟ ପୂରଣ ପାଇଁ ସାଧନା ଓ ସିଦ୍ଧିଲାଭର ନିଶ୍ଚିତତା ରହିଥାଏ। ଏହି ଦୃଷ୍ଟିରୁ ଭାରତରେ ଏକାବନଟି ଶକ୍ତି ପୀଠର ପ୍ରସିଦ୍ଧି ରହିଛି। ଆଦିକବି ସାରଳାଦାସ ଓଡ଼ିଶାରେ ଅଷ୍ଟକୀଳାପୀଠ ଥିବା ବିଷୟ ବର୍ଣ୍ଣନା କରିଛନ୍ତି। ସେମାନଙ୍କୁ ପୀଠ ଦେବୀର ମର୍ଯ୍ୟାଦା ପ୍ରଦାନ କରାଯାଏ।

ଶକ୍ତି ପୂଜାରେ ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ସପ୍ତଶତୀ ଚଣ୍ଡୀ ପାଠର ବିଧି ରହିଛି। ନବରାତ୍ର ସମୟରେ ଲୋକମାନେ ନିଜଘରେ ପ୍ରତିଦିନ ଚଣ୍ଡୀପାଠ ମଧ୍ୟ କରିଥାନ୍ତି। ଏକଦା ଦୈତମାନେ ସବଳ ହୋଇ ଦେବତାମାନଙ୍କୁ ଯୁଦ୍ଧରେ ପରାସ୍ତ କରି ଇନ୍ଦ୍ରଲୋକ ଅଧିକାର କରିନେଲେ। ଅଧିକାର ଚ୍ୟୁତ ଦେବଗଣ ଶଙ୍କରଙ୍କର ଶରଣାପନ୍ନ ହେଲେ। ସେଠାରେ ଉପସ୍ଥତି ଥିବା ବିଷ୍ଣୁ ମଧ୍ୟ ଦେବଗଣଙ୍କର କରୁଣ କାହାଣୀ ଶୁଣି କ୍ରୁଦ୍ଧ ହୋଇଗଲେ। ଫଳତଃ ସମସ୍ତଙ୍କ ତେଜରୁ ଏକ ମହାଶକ୍ତି ପ୍ରକଟିତ ହେଲେ। ଦେବଗଣଙ୍କ ତେଜ ଓ ଆୟୁଧରେ ଭୂଷିତ ସେହି ଦେବୀ ଦୈତ୍ୟମାନଙ୍କୁ ସଂହାର ଓ ଦେବତାଙ୍କର ଦୁଃଖ ଦୂର କଲେ। ଏହା ଶକ୍ତି ପୂଜାର ପ୍ରକୃତ ରହସ୍ୟ। ଏଣୁ ଚଣ୍ଡୀପାଠ ଦ୍ବାରା ଭକ୍ତମାନେ ସର୍ବଶକ୍ତିମୟୀ ଦେବୀଙ୍କର କୃପା ଲାଭ କରିବା ସହଜ ହୁଏ।

ଶକ୍ତି ପୂଜାରେ ବଳିପ୍ରଥା ଏକ ତାନ୍ତ୍ରିକ ପଦ୍ଧତି, ବାମମାର୍ଗୀ ତାନ୍ତ୍ରିକମାନଙ୍କ ମତରେ ଯଜ୍ଞ ପାଇଁ ନିହତ ପଶୁପକ୍ଷୀମାନେ ଉଚ୍ଚଗତି ଲାଭ କରନ୍ତି, କିନ୍ତୁ ମୁନି ପରାଶର ଓ ମାଧ୍ବଚାର୍ଯ୍ୟ ପ୍ରଭୃତି ମନୀଷୀମାନେ କହନ୍ତି- ଚନ୍ଦନ କାଠକୁ ପୋଡ଼ି ତାହାର ଅଙ୍ଗାରକୁ ଦେହରେ ଲେପନ କରିବା ଯାହା, ପ୍ରାଣୀମାନଙ୍କୁ ବଧ କରି ଶୁଭ ଯଜ୍ଞାନୁଷ୍ଠାନ କରିବା ତାହା। ବେଦରେ ମଧ୍ୟ ଯଜ୍ଞର ଅନ୍ୟନାମ ଅଧ୍ବର ଅର୍ଥାତ୍‌ ଅହିଂସା । ଏହି ଦୃଷ୍ଟିରୁ ଯଜ୍ଞକର୍ମରେ ପଶୁବଳି କେତେଦୂର ଯଥାର୍ଥ ତାହା ବିଚାର ସାପେକ୍ଷ, କିନ୍ତୁ ଉଦାରପନ୍ଥୀମାନେ ପୂଜା ବିଧିରେ କୁଷ୍ମାଣ୍ଡ ବଳି ପ୍ରଦାନ କରିଥାନ୍ତି। ସର୍ବଶକ୍ତିମାୟୀ ମା’ ଦୁର୍ଗାଙ୍କର ଉପାସନା ଭାରତୀୟ ଧର୍ମଧାରାରେ ଏକ ରହସ୍ୟମୟ ଚରିତ ଅଟେ। ଉପାସନାର ଯଥାର୍ଥତା ଭକ୍ତିପୂର୍ଣ୍ଣ ଆତ୍ମନିବେଦନରେ ସାର୍ଥକ ହୁଏ।

05 Oct 2022 By The Sakala

https://www.thesakala.in/religion/what-is-the-tradition-of-sharadiya-durga-puja/article-15480
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର