ମନୋରଞ୍ଜନ
ଓଡ଼ିଶା
ଉତ୍ତରାଖଣ୍ଡରେ ବଡ଼ଧରଣର ହିମସ୍ଖଳନ; ଫସିଛନ୍ତି ୨୫ ଶ୍ରମିକ, ୩୨ ଉଦ୍ଧାର
ଚାମୋଲି: ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାରେ ଥିବା ଭାରତର ପ୍ରଥମ ଗାଁ ମାନା ନିକଟରେ ବଡ଼ ଅଘଟଣ ଘଟିଛି। ବଦ୍ରିନାଥ ମନ୍ଦିରରୁ ୫ କିମି ଦୂରରେ ଥିବା ଏହି ଅଞ୍ଚଳରେ ଆଜି ସକାଳ ୭ଟା୧୫ରେ ଅଚାନକ ବଡ଼ଧରଣର ହିମସ୍ଖଳନ ହୋଇଛି। ରାସ୍ତାରେ ବରଫ ହଟାଇବା କାର୍ଯ୍ୟରେ ମୁତୟନ ଥିବା ବର୍ଡର ରୋଡ୍ ଅର୍ଗାନାଇଜେସନର (ବିଆରଓ)ର ୫୭ ଶ୍ରମିକ ଏହି ବରଫ ତଳେ ଫସି ଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୩୨ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୪ ଜଣଙ୍କ […]
ଚାମୋଲି: ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାରେ ଥିବା ଭାରତର ପ୍ରଥମ ଗାଁ ମାନା ନିକଟରେ ବଡ଼ ଅଘଟଣ ଘଟିଛି। ବଦ୍ରିନାଥ ମନ୍ଦିରରୁ ୫ କିମି ଦୂରରେ ଥିବା ଏହି ଅଞ୍ଚଳରେ ଆଜି ସକାଳ ୭ଟା୧୫ରେ ଅଚାନକ ବଡ଼ଧରଣର ହିମସ୍ଖଳନ ହୋଇଛି। ରାସ୍ତାରେ ବରଫ ହଟାଇବା କାର୍ଯ୍ୟରେ ମୁତୟନ ଥିବା ବର୍ଡର ରୋଡ୍ ଅର୍ଗାନାଇଜେସନର (ବିଆରଓ)ର ୫୭ ଶ୍ରମିକ ଏହି ବରଫ ତଳେ ଫସି ଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୩୨ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୪ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଆହୁରି ୨୫ ଶ୍ରମିକ ବରଫ ଗଦା ତଳେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନା, ଆଇଟିବିପି, ବିଆରଓ, ଏସ୍ଡିଆରଏଫ ଏବଂ ଏନ୍ଡିଆରଏଫ ଟିମ୍ର ୬୫ କର୍ମଚାରୀ ସାମିଲ ହୋଇଛନ୍ତି। ପ୍ରତିକୂଳ ପାଣିପାଗ ଯୋଗୁଁ ଉଦ୍ଧାରକାର୍ଯ୍ୟରେ ବାଧା ଉପୁଜିଛି।
ସମୁଦ୍ର ପତ୍ତନଠାରୁ ୩୨୦୦ ମିଟର ଉଚ୍ଚରେ ସ୍ଥିତ ଏହି ଅଞ୍ଚଳରେ ୬ ଫୁଟର ବରଫ ଜମା ହୋଇ ରହିଛି। ଅଘଟଣ ସମୟରେ ସମସ୍ତ ଶ୍ରମିକ ୮ଟି କଣ୍ଟେନର ଏବଂ ଗୋଟିଏ ସେଡ (ଆଶ୍ରୟ ସ୍ଥଳ) ତଳେ ରହିଥିଲେ। ଉଦ୍ଧାର ଶ୍ରମିକଙ୍କୁ ମାନା ଗ୍ରାମରେ ଥିବା ଆଇଟିବିପି କ୍ୟାମ୍ପକୁ ନିଆଯାଇଛି। ଏଠାରେ ତାଙ୍କର ଚିକିତ୍ସା କରାଯାଉଛି। ଖରାପ ପାଣିପାଗ ଯୋଗୁଁ କିଛି ସମୟ ପାଇଁ ଉଦ୍ଧାରକାର୍ଯ୍ୟକୁ ବନ୍ଦ ରଖାଯାଇଛି। ଜୋର୍ରେ ପବନ ସହିତ ବର୍ଷା ହେଉଛି। ସମ୍ପୂର୍ଣ୍ଣ ଅଞ୍ଚଳରେ ତୁଷାରପାତ ଜାରି ରହିଛି। ଏଥିଯୋଗୁଁ ରାସ୍ତାଘାଟ ବନ୍ଦ ରହିଛି। ରାସ୍ତା ସଫା କରିବାକୁ ‘ସ୍ନୋ କଟର’ ମୁତୟନ କରାଯାଇଛି। ତିନିରୁ ଚାରୋଟି ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି। କିନ୍ତୁ ପ୍ରବଳ ତୁଷାରପାତ ଯୋଗୁଁ ଏହା ପହଞ୍ଚି ପାରିନାହିଁ। ହେଲିକପ୍ଟର ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଯୋଶୀମଠରୁ ଏସ୍ଡିଆରଏଫର ଆଉ ଏକ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି। ଲାମ୍ବାଗଡ଼ ମାର୍ଗକୁ ପରିସ୍କାର କରିବା ପାଇଁ ସେନା ମୁତୟନ କରାଯାଇଛି। ପାଣିପାଗ ବଦଳିଲେ ହେଲିକପ୍ଟର ମାଧ୍ୟମରେ ଏସ୍ଡିଆରଏଫ ଟିମ୍କୁ ଘଟଣାସ୍ଥଳକୁ ପଠାଯିବ ବୋଲି ଏସ୍ଡିଆରଏଫ ଆଇଜି ରିଦ୍ଧିମ ଅଗ୍ରୱାଲ କହିଛନ୍ତି। ଏହା ମଧ୍ୟରେ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ତୁଷାରପାତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଏହି ଦୁର୍ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏସ୍ଡିଆରଏଫ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ, ସେନା, ଆଇଟିବିପି ଏବଂ ଏନ୍ଡିଆରଏଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।






