ବିଷାକ୍ତ ହେବାରେ ଲାଗିଛି ବ୍ରାହ୍ମଣୀ ନଦୀର ଜଳ; ଗାଧୋଇଲେ ହେଉଛି ଚର୍ମରୋଗ, ପିଇଲେ କିଡ୍‌ନୀ ଖରାପ !

Madhusudan Das Picture
Published On

ତାଳଚେର: ବ୍ରାହ୍ମଣୀ ନଦୀର ଜଳ ବିଷାକ୍ତ ହେବାରେ ଲାଗିଛି। ଶିଳ୍ପ ପ୍ରତିଷ୍ଠାନର ଅପରିଷ୍କାର ଜଳ ସିଧାସଳଖ ନଦୀରେ ମିଶୁଥିବା ବେଳେ କମ୍ପାନୀ ଉପରେ ଲଗାମ କଷିବାକୁ କେହିନାହାନ୍ତି। ଏ ପ୍ରସଙ୍ଗରେ ପ୍ରଶାସନ ଏବଂ ସରକାର ଆଖି ବୁଜିଦେଇଛନ୍ତି। ଦିନକୁ ଦିନ ସମସ୍ୟା ସଙ୍ଗୀନ ହେଉଥିବା ବେଳେ ଆଗାମୀ ଦିନରେ ତାଳଚେରବାସୀଙ୍କୁ ଏହାର ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା କଲେଣି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ଝାଡ଼ଖଣ୍ଡ ଛୋଟନାଗପୁର ମାଳଭୂମିରୁ ବାହାରିଥିବା ଶଙ୍ଖ ଏବଂ କୋଏଲ ନଦୀ ବେଦବ୍ୟାସଠାରେ ମିଶି ବ୍ରାହ୍ମଣୀ ନଦୀର ପରିଚୟ ପାଇଛି। ଦେବଗଡ଼, ତାଳଚେର, ଢେଙ୍କାନାଳ, ଯାଜପୁର, କେନ୍ଦ୍ରପଡ଼ା ଜିଲ୍ଳାର ହେକ୍ଟର ହେକ୍ଟର ଜମିକୁ ସୁଜଳା ସୁଫଳା କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି। କେବଳ ଏତିକି ନୁହେଁ, ବହୁ ଶିଳ୍ପନୁଷ୍ଠାନକୁ ସମୃଦ୍ଧ କରିବା ସହ ପାନୀୟ ଜଳର ପ୍ରମୁଖ ଉତ୍ସ ପାଲଟିଛି ବ୍ରାହ୍ମଣୀ। ତେବେ ନଦୀ ଜଳର ସୁରକ୍ଷା ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉ ନଥିବାରୁ ଏହା ମାତ୍ରାଧିକ ପ୍ରଦୂଷଣ ହେବାରେ ଲାଗିଛି। ଓଡ଼ିଶା ଭୂଖଣ୍ଡରେ ପ୍ରବାହିତ ପ୍ରାୟ ୫୪୧ କିମି ଏହି ବ୍ରାହ୍ମଣୀ ନଦୀ ତାଳଚେର ସମଲଠାରୁ ନଦୀଜଳ ସଂରକ୍ଷଣ ଲାଗି ବ୍ୟାରେଜ୍‌ ନିର୍ମାଣ ହୋଇଛି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ରେଙ୍ଗାଳି ଜଳସେଚନ ପ୍ରକଳ୍ପ ମାଧ୍ୟମରେ ତାଳଚେର, ଢେଙ୍କାନାଳ, କଟକ ଜିଲ୍ଲାରେ ଚାଷଜମି ନିମନ୍ତେ ଜଳ ଯୋଗାଇଛି। ରେଙ୍ଗାଳିର ଦକ୍ଷିଣ କେନାଲ ମାଧ୍ୟମରେ ୪ଜିଲ୍ଲାର ପ୍ରାୟ ୧ଲକ୍ଷ ୨୧ହଜାର ୨ଶହ ହେକ୍ଟର ଓ ବାମ କେନାଲରେ ପ୍ରାୟ ୧ଲକ୍ଷ ୧୪ ହଜାର ୩ଶହ ହେକ୍ଟର ଚାଷଜମିକୁ ଜଳସେଚନ କରାଯାଇଛି। ତେବେ ପ୍ରଶାସନିକ ଅପାରଗତା ଯୋଗୁଁ ଶିଳ୍ପସଂସ୍ଥାଗୁଡ଼ିକ ଦାୟିତ୍ୱହୀନ ଭାବେ ବ୍ରାହ୍ମଣୀ ଜଳ ପ୍ରଦୂଷଣ କରିବାରେ ଲାଗିଛନ୍ତି। ତାଳଚେରର ନନ୍ଦିର ନାଳ ଦେଇ ବର୍ଜ୍ୟ ନିଷ୍କାସିତ ହେଉଥିବା ବେଳେ ଏହି ବର୍ଜ୍ୟ ଜଳ ନାଳ ମାଧ୍ୟମରେ ଆସି ନଦୀରେ ମିଶୁଛି। ଏପରିକି, ନଦୀ କୂଳରେ ଥାଇ ମଧ୍ୟ ବିଶୁଦ୍ଧ ଜଳ ପାଇବାରୁ ଲୋକେ ବଞ୍ଚିତ ହେଉଛନ୍ତି। ଗ୍ରୀଷ୍ମପ୍ରବାହ ସମୟରେ ଚୁଆ ମାଧ୍ୟମରେ ସେମାନେ ଯେଉଁ ପାଣି ସଂଗ୍ରହ କରୁଛନ୍ତି ତାହା ମଧ୍ୟ ସ୍ୱାସ୍ଥ୍ୟ ଉପଯୋଗୀ ହୋଇ ପାରୁନାହିଁ। କେବଳ ସେତିକି ନୁହେଁ, ପଦୂଷଣ ପ୍ରଭାବରେ ମତ୍ସ୍ୟ ଉତ୍ପାଦନ ମଧ୍ୟ ପ୍ରଭାବିତ ହେଉଛି। ମତ୍ସ୍ୟଜୀବୀ ଜୀବିକା ହରାଇ ବସିଛନ୍ତି। ବ୍ରାହ୍ମଣୀ ନଦୀର ସୁକ୍ଷା ପାଇଁ ବିଗତ ଦିନରେ ବିଭିନ୍ନ ସଂଗଠନ ସ୍ୱର ଉତ୍ତୋଳନ କରିଛନ୍ତି। ‘ବ୍ରାହ୍ମଣୀ ବଞ୍ଚାଅ’ ନାରା ଦେଇ ସ୍ଥିତିର ଗମ୍ଭୀରତା ଭିତରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତଥାପି ନଦୀ ସୁରକ୍ଷା ନେଇ ଯେଉଁଭଳି ତତ୍ପରତା ପ୍ରକାଶ ପାଇବା କଥା, ତାହା ଦେଖିବାକୁ ମିଳୁନାହିଁ। ନଦୀ ପ୍ରଦୂଷଣର ମାତ୍ରା ପରିଖିବାକୁ କୌଣସି ବ୍ୟବସ୍ଥା ନ ଥିବା ବେଳେ ପରିବେଶବିତ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ସ୍ୱତନ୍ତ୍ର ଯୋଜନା ଜରୁରୀ ହୋଇପଡ଼ିଥିବାବେଳେ ବ୍ରାହ୍ମଣୀ ସୁରକ୍ଷା ପ୍ରତି କାହାର ଆନ୍ତରିକତା ନାହିଁ। ନଦୀଜଳ ପ୍ରଦୂଷଣ ସାଙ୍ଘାତିକ ସ୍ଥିତିରେ ପହଞ୍ଚିଛି। ଏହି ନଦୀ ଜଳରେ ଗାଧୋଇବା ଫଳରେ ଚର୍ମରୋଗ ବ୍ୟାପୁଛି। ପାନୀୟ ଜଳ ଭାବେ ବ୍ୟବହାର କଲେ କିଡ୍‌ନୀ ରୋଗ ହେବା ଆଶଙ୍କା ରହିଛି। ସରକାର ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଏହାର ପ୍ରତିକାର ଲାଗି ସ୍ୱତନ୍ତ୍ର ଯୋଜାନା କରିବା ଜରୁରୀ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ମତପ୍ରକାଶ ପାଇଛି।କଇଁଛ ଓ ଜଳଚରଙ୍କ ପାଇଁ କାଳ ପାଲଟିଛି ବ୍ରାହ୍ମଣୀ ନଦୀ। ନଦୀ ପଠାରେ ପ୍ରତିବର୍ଷ ବହୁସଂଖ୍ୟାରେ ମଧୁରଜଳ କଇଁଛ ଅଣ୍ଡା ଦେଉଛନ୍ତି। ଶିଳ୍ପସଂସ୍ଥା ଦ୍ୱାରା ନଦୀଜଳ ପ୍ରଦୂଷିତ ହେବା ସହ କଇଁଛ ଓ ଜଳଚର ଜୀବମାନଙ୍କ ପାଇଁ କାଳ ସାଜିଥିବା ପରିବେଶବିତ୍‌ କ୍ଷୋଭ ପ୍ରକାଶ କରିଛନ୍ତି। ତେଣୁ ଏଥିପ୍ରତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏ ଦିଗରେ ଅନୁଧ୍ୟାନ କରିବାସହ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ବୁଦ୍ଧଜୀବୀ ମହଲରେ ମତପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର