ସାବଧାନ ! ଅସଲି ବସ୍ତାରେ ନକଲି ସିମେଣ୍ଟ, ରାଜଧାନୀରେ ସକ୍ରିୟ ଅପମିଶ୍ରିତ ସିମେଣ୍ଟ କାରଖାନା

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀରେ ଜମି କିଣାବିକା ପୂର୍ବାପେକ୍ଷା ବଢ଼଼ିଥିବା ବେଳେ ତାକୁ ତାଳ ଦେଇ ଗୃହ ନିର୍ମାଣ ମଧ୍ୟ ବୃଦ୍ଧିପାଇଛି। ଲୋକମାନେ ନିଜର ଘର ତିଆରିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଛାଉ ନାହାନ୍ତି। ଏହାର ସୁଯୋଗ ନେଇ ସକ୍ରିୟ ହୋଇଛନ୍ତି ଅସାଧୁ ବ୍ୟବସାୟୀ। ରାଜଧାନୀ ଓ ଆଖପାଖରେ ଖୋଲିଛନ୍ତି ଅପମିଶ୍ରିତ ସିମେଣ୍ଟ କାରଖାନା। ଲୋକମାନେ ଗୃହ ନିର୍ମାଣ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରି ଅସଲି ବସ୍ତାରେ ନକଲି ସିମେଣ୍ଟ କିଣୁଛନ୍ତି। ବିଭିନ୍ନ ସମୟରେ ପୁଲିସ ନକଲି ସିମେଣ୍ଟ କାରଖାନା ଠାବ କରୁଛି। ହେଲେ ନିର୍ମାଣରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ସିମେଣ୍ଟ ନକଲି ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।

ଆହୁରି ପଢ଼ନ୍ତୁ: ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ: ବସ୍‌ଷ୍ଟାଣ୍ଡରେ ଅଟକିଛି ଯାନବାହନ,ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ

ଗତବର୍ଷ ଜାନୁଆରୀ ମାସରେ ଟଙ୍କପାଣି ରୋଡ ଅଞ୍ଚଳରୁ ନକଲି ସିମେଣ୍ଟ ଫ୍ୟାକ୍ଟ୍ରି ଠାବ କରିଥିଲା ବଡ଼ଗଡ଼ ଥାନା ପୁଲିସ। ସେଠାରୁ ଦୁଇ ଜଣଙ୍କୁ ଗିରଫ କରିବା ସହ ସେହି ମାଲିକଙ୍କର ଆଉ ଏକ କାରଖାନା ବିଷୟରେ ଜାଣିବାକୁ ପାଇଥିଲା। ମିଳିଥିବା ତଥ୍ୟ ଆଧାରରେ ପାହାଳସ୍ଥିତ କାରଖାନାରେ ମଧ୍ୟ ଚଢ଼ଉ କରିଥିଲା। ଦୁଇଟି ଯାକ କାରଖାନାରୁ ପ୍ରାୟ ୭୦୦ ବସ୍ତା ଅପମିଶ୍ରିତ ସିମେଣ୍ଟ ଜବତ କରିଥିଲା। ଅଲଟ୍ରାଟେକ୍‌‌ ଓ ଡାଲମିଆ ଭଳି ବ୍ରାଣ୍ଡର ବ୍ୟାଗ୍‌‌ ବ୍ୟବହାର କରି ନକଲି ସିମେଣ୍ଟ ଭର୍ତ୍ତିକରି ବିକ୍ରି କରୁଥିଲେ ବୋଲି ତଦନ୍ତରୁ ଜଣାପଡ଼ିଥିଲା। ସେହିପରି ଭଗବାନପୁର ଶିଳ୍ପାଞ୍ଚଳରୁ ନକଲି ସିମେଣ୍ଟ କାରଖାନା ଠାବ କରିଥିଲା ତମାଣ୍ଡୋ ଥାନା ପୁଲିସ। ନିମ୍ନମାନର ରଙ୍ଗ ସିମେଣ୍ଟ ତିଆରି କରି ବିର୍ଲା ହ୍ୱାଇଟ୍‌‌ ନାମରେ ବଜାରରେ ବିକ୍ରି କରୁଥିଲା। ମାଲିକକୁ ଗିରଫ କରିବା ପରେ ସେ କେବଳ ଓଡ଼ିଶାରେ ନୁହେଁ, ପଶ୍ଚିମବଙ୍ଗରେ ମଧ୍ୟ ସେହି ସିମେଣ୍ଟ ବିକ୍ରି କରୁଥିବା ଜଣାପଡ଼ିଥିଲା। ତେବେ ଇଏ କେବଳ ଦୁଇଟି ଘଟଣା ନୁହଁ, ଏବେ ବି ରାଜଧାନୀ ଓ ଆଖପାଖ ଅଞ୍ଚଳରେ ଅପମିଶ୍ରିତ ସିମେଣ୍ଟ କାରଖାନା ରହିଛି। ପ୍ରତିଦିନ ହଜାର ହଜାର ପକେଟ୍‌‌ ନକଲି ସିମେଣ୍ଟ ବଜାରରେ ବିକ୍ରି ହେଉଛି। ରାତି ଅଧରେ ଭୁବନେଶ୍ୱର ଉପକଣ୍ଠବର୍ତ୍ତୀ ଅଞ୍ଚଳରେ ଥିବା ବିଭିନ୍ନ ଗୋଦାମଗୁଡ଼ିକରେ ଏଭଳି କାରବାର ହେଉଥିବା କୁହାଯାଉଛି। ହେଲେ ପୁଲିସ ପ୍ରଶାସନ ସିମେଣ୍ଟ ମାଫିଆଙ୍କ ପାଖରେ ପହଞ୍ଚି ପାରୁନାହିଁ।

ଆହୁରି ପଢ଼ନ୍ତୁ: ଅଭିନେତା ରଣବୀର ସିଂହଙ୍କୁ ହତ୍ୟା ଧମକ: ଭଏସ୍ ନୋଟ୍ ଜରିଆରେ ମାଗିଲେ କୋଟି କୋଟି ଟଙ୍କା, ଘର ବାହାରେ ବଢିଲା ସୁରକ୍ଷା

କିପରି ହେଉଛି ଅପମିଶ୍ରଣ
ପ୍ରଥମେ ବ୍ୟବହାର ଯୋଗ୍ୟ ନ ଥିବା ବା ମୁଣ୍ଡା ହୋଇଯାଇଥିବା ସିମେଣ୍ଟକୁ ଆଣି ଭାଙ୍ଗି ଦେଉଛନ୍ତି। ସେଥିରେ ଡଷ୍ଟ୍‌‌ (କ୍ରସର ଗୁଣ୍ଡ) ଓ ଅନ୍ୟାନ୍ୟ ରସାୟନିକ ସାମଗ୍ରୀ ମିଶାଇ ଏକପ୍ରକାର ସିମେଣ୍ଟ ତିଆରି କରୁଛନ୍ତି। ସେହି ସିମେଣ୍ଟକୁ ନାମିଦାମୀ ବ୍ରାଣ୍ଡର ସିମେଣ୍ଟ ବ୍ୟାଗରେ ଭର୍ତ୍ତି କରି ମାର୍କେଟରେ ବିକ୍ରି କରୁଛନ୍ତି। ଆଉ କେତେକ କମ୍ପାନୀ ଅସଲି ବ୍ରାଣ୍ଡର ସିମେଣ୍ଟ ଆଣି ଖୋଲି ଦେଉଛନ୍ତି। ଦୁଇ ବସ୍ତା ଅସଲି ସିମେଣ୍ଟରେ ଦୁଇ ବସ୍ତା ଡଷ୍ଟ୍‌‌, ଚୂନା ଓ ଅନ୍ୟାନ୍ୟ ରସାୟନିକ ସାମଗ୍ରୀ ମିଶାଇ ୪ ବସ୍ତା ନକଲି ସିମେଣ୍ଟ ତିଆରି କରୁଛନ୍ତି। ଏତେ ସତର୍କତାର ସହ ସିମେଣ୍ଟ ଅପମିଶ୍ରଣ କରାଯାଉଛି ଯେ, ଯାହା ଅସଲି ପରି ଦେଖାଯାଉଛି ଓ ତାକୁ ଚିହ୍ନିବା କଷ୍ଟକର। 

ଆହୁରି ପଢ଼ନ୍ତୁ: ଗାଜିଆବାଦ୍ ତିନି ଭଉଣୀଙ୍କ ଆତ୍ମହତ୍ୟା ମାମଲା: ମୋବାଇଲରୁ ଖୋଲିଲା ‘କୋରିଆନ୍ ଗେମ୍’ର ରହସ୍ୟ, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ସବୁ ଜାଣି ମଧ୍ୟ ଅଭିଯୋଗକୁ ଅପେକ୍ଷା
ଦୀର୍ଘବର୍ଷ ଧରି ଅପମିଶ୍ରିତ ସିମେଣ୍ଟ କାରଖାନା ଚାଲୁଛି। ପ୍ରଶାସନ ଏ ବିଷୟରେ ଊଣା ଅଧିକେ ଜାଣୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ସିମେଣ୍ଟ ଅପମିଶ୍ରଣ କରି କିଛି ନର୍ଦ୍ଦିଷ୍ଟ ନାମୀଦାମୀ ବ୍ରାଣ୍ଡର କମ୍ପାନୀର ବ୍ୟାଗରେ ବିକ୍ରି କରୁଛନ୍ତି। ନକଲି ସିମେଣ୍ଟ ଯୋଗୁଁଁ ଅସଲି କମ୍ପାନୀର ସିମେଣ୍ଟ ବିକ୍ରି ବଜାରରେ ହ୍ରାସ ପାଉଛି। ଅସଲି କମ୍ପାନୀ ଏହାର କାରଣ ଖୋଜିବାକୁ ବେସରକାରୀ ଡିଟେକ୍ଟିଭ୍‌‌ ସଂସ୍ଥାକୁ ଦାୟିତ୍ୱ ଦେଉଛନ୍ତି। ଡିଟେକ୍ଟିଭ୍‌‌ ସଂସ୍ଥା ନିଜର ବୁଦ୍ଧି ବଳରେ ନକଲି ବା ଅପମିଶ୍ରିତ ସିମେଣ୍ଟ କାରଖାନାକୁ ଠାବ କରିବା ସହ ସ୍ଥାନୀୟ ଥାନାରେ ଅଭିଯୋଗ କରୁଛି। ତା’ପରେ ଯାଇ ଅପମିଶ୍ରିତ ସିମେଣ୍ଟ କାରଖାନାରେ ଚଢ଼ଉ ହେବା ସହ ଗିରଫଦାରୀ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp