ମନୋରଞ୍ଜନ
ଓଡ଼ିଶା
ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ: ବସ୍ଷ୍ଟାଣ୍ଡରେ ଅଟକିଛି ଯାନବାହନ,ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ
ଭୁବନେଶ୍ବର : ଆଜି ଭାରତ ବନ୍ଦ । କେନ୍ଦ୍ର ସରକାରଙ୍କ ଶ୍ରମିକ ନୀତିକୁ ବିରୋଧ କରି ଦେଶବ୍ୟାପୀ ଧର୍ମଘଟ ଓ ହରତାଲ ଡାକରା ଦେଇଛନ୍ତି ୧୦ରୁ ଅଧିକ ଶ୍ରମିକ ସଂଗଠନ। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଦିଆଯାଇଛି ବନ୍ଦ ଡାକରା। ବିଜୁ ଶମ୍ରିକ ସାମୁଖ୍ୟ, କଂଗ୍ରେସ, ବାମଦଳର ବନ୍ଦକୁ ସମର୍ଥନ କରିଛନ୍ତି । ମନରେଗା ଉଚ୍ଛେଦ ସହ କେନ୍ଦ୍ର ସରକାରଙ୍କ ଶ୍ରମିକ ସ୍ବାର୍ଥ ବିରୋଧୀ ୪ଟି ଶ୍ରମ କୋଡ ବାତିଲ ଓ ଅନ୍ୟାନ୍ୟ ଦାବି ନେଇ ଦେଶବ୍ୟାପୀ ବନ୍ଦ ଧର୍ମଘଟ କରିଛି ଟ୍ରେଡ ୟୁନିୟନ । ଫଳରେ ପରିବହନ, ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟ ଉପରେ ବନ୍ଦର ପ୍ରଭାବ ପଡିଛି । ଏହି ଧର୍ମଘଟରେ ଦେଶର ୩୦ କୋଟି ଶ୍ରମିକ ସାମିଲ ହୋଇଥିବା ଦାବି କରିଛି ଟ୍ରେଡ ୟୁନିୟନ । ଭାରତ ବନ୍ଦ ଯୋଗୁଁ ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ ରହିଛି ।
ଭାରତ ବନ୍ଦର ପ୍ରଭାବ ଭୁବନେଶ୍ବରରେ ମଧ୍ୟ ଦେଖଯାଇଛି । ବିଭିନ୍ନ ଛକରେ ଆନ୍ଦୋଳନ କରିବା ସହି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବିଭିନ୍ନ ସ୍ଥାନରେ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ଗୁଡିକ ମଧ୍ୟ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରି ଆନ୍ଦୋଳନକାରୀ ପ୍ରତିବାଦ କରୁଛନ୍ତି । ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ।
ଭାରତ ବନ୍ଦର ପ୍ରଭାବ ରାଉରକେଲା ସହରରେ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ରାସ୍ତାରୋକ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ରାଉରକେଲା ସହରରେ ଘରୋଇ ବସ ଚଳାଚଳ ବନ୍ଦ। ଦୋକାନ ବଜାର ବି ବନ୍ଦ ରହିଛି ।
ଭାରତ ବନ୍ଦର ପ୍ରଭାବ ରାୟଗଡ଼ା ଜିଲ୍ଲା ଗୁଣପୁରରେ ଦେଖିବାକୁ ମିଳିଛି । ସ୍ଥାନୀୟ ବାଇପାସ ଛକରେ ଏଆଇସିସିଟିୟୁ, ଆଇରେଲା, ସଂଯୁକ୍ତ କିଷାନ ମୋର୍ଚାର ମିଳିତ ସହଯୋଗରେ ବନ୍ଦ ପାଳନ କରାଯାଇଛି | ଗୁଣପୁରର ବିଭିନ୍ନ ସ୍ଥାନରେ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ଗୁଡିକ ମଧ୍ୟ ବନ୍ଦ ରହିଛି । ସ୍ଥାନୀୟ ବାଇପାସ୍ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରି ନାରାବାଜି କରାଯାଉଛି ।





