ମନୋରଞ୍ଜନ
ଓଡ଼ିଶା
ଆଜିଠୁ ହବିଷ୍ୟାଳୀ ଯୋଜନାରେ ନାମ ପଞ୍ଜୀକରଣ ଆରମ୍ଭ, ଜାଣନ୍ତୁ କିପରି କରିବେ ଆବେଦନ
ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ଧର୍ମମାସ କାର୍ତ୍ତିକରେ ‘ରାଇଦାମୋଦର ବ୍ରତ’ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ କରାଯାଉଛି। କୋଭିଡ଼ ମହାମାରୀ ପାଇଁ ୨୦୨୦ ଓ ୨୦୨୧ରେ ଏହି ଯୋଜନା ବନ୍ଦ ରହିଥିଲା ବେଳେ ପୁନର୍ବାର ଗତବର୍ଷଠାରୁ ଏହା ଆରମ୍ଭ ହୋଇଛି। ୨୦୨୨ରେ ପ୍ରାୟ ୩ ହଜାର ହବିଷ୍ୟାଳୀ ମା’ମାନେ ଶ୍ରୀକ୍ଷେତ୍ରରେ ରହି ଖୁସିର ସହ କାର୍ତ୍ତିକ ବ୍ରତ ଶେଷ କରି ଫେରିଥିଲେ। ଏ ବର୍ଷ ପାଇଁ ସରକାରଙ୍କ ପକ୍ଷରୁ […]
ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ଧର୍ମମାସ କାର୍ତ୍ତିକରେ ‘ରାଇଦାମୋଦର ବ୍ରତ’ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ କରାଯାଉଛି। କୋଭିଡ଼ ମହାମାରୀ ପାଇଁ ୨୦୨୦ ଓ ୨୦୨୧ରେ ଏହି ଯୋଜନା ବନ୍ଦ ରହିଥିଲା ବେଳେ ପୁନର୍ବାର ଗତବର୍ଷଠାରୁ ଏହା ଆରମ୍ଭ ହୋଇଛି। ୨୦୨୨ରେ ପ୍ରାୟ ୩ ହଜାର ହବିଷ୍ୟାଳୀ ମା’ମାନେ ଶ୍ରୀକ୍ଷେତ୍ରରେ ରହି ଖୁସିର ସହ କାର୍ତ୍ତିକ ବ୍ରତ ଶେଷ କରି ଫେରିଥିଲେ। ଏ ବର୍ଷ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ। ମୁଖ୍ୟତଃ ହବିଷ୍ୟାଳୀ ମା’ମାନଙ୍କ ରହଣି, ଶ୍ରୀଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଶ୍ରବଣ ସାଙ୍ଗକୁ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି। ଯେଉଁମାନେ ଏହି ଯୋଜନାରେ ଆସିବେ ସେମାନଙ୍କୁ ପ୍ରଥମେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ।
ହବିଷ୍ୟାଳୀ ଯୋଜନାରେ ଆଜିଠୁ (ମଙ୍ଗଳବାର)ଠାରୁ ନାମ ପଞ୍ଜୀକରଣ ଆରମ୍ଭ ହୋଇଛି । ଆଗ୍ରହୀ ମା’ମାନେ ଅକ୍ଟୋବର ୩ରୁ ୨୦ ତାରିଖ ମଧ୍ୟରେ https://edistrict.odisha.gov.inରେ ନିଜର ନାମ ପଞ୍ଜୀକରଣ କରିପାରିବେ। ନଚେତ୍ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯଦି କେହି ଅଫ୍ଲାଇନରେ ଆବେଦନ ଦିଅନ୍ତି, କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଅନ୍ଲାଇନରେ ଆବେଦନ ବ୍ୟବସ୍ଥା କରାଯିବ। ଯୋଜନା ସମ୍ପର୍କରେ ଅଧିକ ସୂଚନା ପାଇଁ ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ମୋ:୯୬୯୨୭୨୦୫୯୪, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ମୋ: ୯୪୩୭୩୦୨୬୧୮), ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ମୋ: ୭୭୩୫୫୧୭୪୮୨ ଓ ଜିଲ୍ଲା କାର୍ଯ୍ୟାଳୟ ଫୋନ୍ ୦୬୭୫୨-୨୨୨୬୬୪କୁ ଯୋଗାଯୋଗ କରିବା ଲାଗି କୁହାଯାଇଛି।
ଚଳିତବର୍ଷ ପ୍ରାୟ ୩,୦୦୦ରୁ ଅଧିକ ହବିଷ୍ୟାଳୀ ମା’ମାନେ ରହଣୀ ବ୍ୟବସ୍ଥା ହେଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ସେହିପରି ହବିଷ୍ୟାଳୀ ମା’ମାନଙ୍କ ରହଣୀସ୍ଥଳ ବୃନ୍ଦାବତୀ ନିବାସ, ଅକ୍ଷୟପାତ୍ର ଫାଉଣ୍ଡେଶନ, ବଗଲା ଧର୍ମଶାଳା, ବାଗେଡ଼ିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପର ସ୍ଥିତି ଅନୁଧ୍ୟାନ କରିବା ସହ ଆନୁଷଙ୍ଗିକ ସୁବିଧା ସୁଯୋଗ ବ୍ୟବସ୍ଥା କରିବା, ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା, ଅନ୍ତେବାସୀ ମା’ମାନଙ୍କୁ ପରିଚୟପତ୍ର ପ୍ରଦାନ, ସହାୟକ ସ୍ୱଛାସେବୀ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଅଗ୍ନିନିର୍ବାପକ, ସ୍ନାନ ସମୟରେ ସୁରକ୍ଷା ବ୍ୟବସ୍ଥା, ପରିବହନ, ପାନୀୟ ଜଳ, ବିଦ୍ୟୁତ୍, ମହାପ୍ରସାଦ ବ୍ୟବସ୍ଥା, ନିୟନ୍ତ୍ରଣ କକ୍ଷ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଛି। ଗତବର୍ଷର ଅଭିଜ୍ଞତା ଆଧାରରେ ଏବର୍ଷ ମଧ୍ୟ ଆହୁରି ଭଲ ଭାବେ ଏହାକୁ ପରିଚାଳନା କରିବା ଲାଗି ଜିଲ୍ଲାପାଳ ସମର୍ଥ ବର୍ମା ସବୁ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ପାଖରେ ରହି ହବିଷ କରିବାକୁ ବ୍ରତଧାରୀମାନେ ପୁରୀ ଆସିଥାନ୍ତି। ମାତ୍ର ଅନେକ ହବିଷ୍ୟାଳୀ ଶ୍ରୀକ୍ଷେତ୍ରରେ ରହି ବ୍ରତ ପାଳିବାକୁ ଚାହୁଁଥିଲେ ହେଁ ଆର୍ଥିକ ସ୍ଥିତି ସେମାନଙ୍କୁ ପଛକୁ ଟାଣିଥାଏ। ଏହାକୁ ନଜରରେ ରଖି ରାଜ୍ୟ ସରକାର କିଛି ବର୍ଷ ହେବ ‘ହବିଷ୍ୟାଳୀ ଯୋଜନା’ କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନା ମାଧ୍ୟମରେ ଆସୁଥିବା ବ୍ରତଧାରୀଙ୍କ ରହିବା, ମହାପ୍ରଭୁଙ୍କ ଦର୍ଶନ, ପୂଜାର୍ଚ୍ଚନା, ମହାପ୍ରସାଦ ସେବନ ଇତ୍ୟାଦିର ବନ୍ଦୋବସ୍ତ କରୁଛନ୍ତି ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ।





