ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ
ଅହମ୍ମଦାବାଦ୍: ଭାରତ ଟି-୨୦ ବିଶ୍ୱକପ ୨୦୨୬ ଚମ୍ପିଅନ୍ । ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛି ମେନ୍ ଇନ୍ ବ୍ଲୁ । ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍ରେ ହରାଇ ଟି-୨୦ ବିଶ୍ୱକପ ଟାଇଟଲ ହାତେଇଲା ଟିମ ଇଣ୍ଡିଆ । ସଞ୍ଜୁ ସାମସନ (୪୬ବଲ୍ରେ ୮୯ରନ୍), ଅଭିଷେକ ଶର୍ମା (୨୧ ବଲ୍ରେ ୫୨ରନ୍) ଓ ଇଶାନ କିଶାନ (୨୫ବଲ୍ରେ ୫୪ରନ୍)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଯଶ୍ପ୍ରୀତ୍ ବୁମ୍ରା ଓ ଅକ୍ଷର ପଟେଲଙ୍କ ଦମ୍ଦାରବୋଲିଂ ବଳରେ ଭାରତ ୨୦୨୬ ଟି-୨୦ ବିଶ୍ୱକପ୍ରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ୯୬ ରନ୍ରେ ନ୍ୟୁଜିଲାଣ୍ଡକୁ ହରାଇ କ୍ରମାଗତ ଦ୍ୱିତୀୟ ଓ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ତୃତୀୟଥର ଟାଇଟଲ ବିଜୟୀ ହୋଇଛି। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୫୫ ରନ୍ କରିଥିଲା। ଜବାବରେ ବୁମ୍ରା ସର୍ବାଧିକ ୪ଟି ଓ ଅକ୍ଷର ୩ଟି ଲେଖାଏଁ ୱିକେଟ ନେବା ଫଳରେ ୨୫୬ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୧୯ ଓଭରରେ ୧୫୯ ରନ୍ କରି ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ଓପନର ଟିମ୍ ସେଇଫର୍ଟ ୨୬ବଲ୍ରେ ୫୨ ଓ ଅଧିନାୟକ ମିଚେଲ ସାଣ୍ଟନର ୩୮ ବଲ୍ରେ ୪୩ ରନ୍ କରିଥିଲେ। ଫିନ୍ ଆଲେନ ୯, ରାଚିନ ରବୀନ୍ଦ୍ର ୧, ଗ୍ଲେନ ଫିଲିପ୍ସ ୫ ଓ ମାର୍କ ଚାପ୍ମ୍ୟାନ୍ ୩ ରନ୍ରେ ଆଉଟ ହେବା ଦଳଲାଗି ମହଙ୍ଗା ପଡ଼ିଥିଲା।
ଆଜିର ବିଜୟ ପରେ ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଥିବା ପରାଜୟର ଧାରା ଭାଙ୍ଗିବାରେ ସମର୍ଥ ହୋଇଛି ଭାରତ। ଏହା ପୂର୍ବରୁ ଉଭୟଙ୍କ ମଧ୍ୟରେ ୩ଟି ମୁକାବିଲା ହୋଇଥିଲା ଓ ସମସ୍ତ ୩ଟି ଯାକ ମ୍ୟାଚ୍ରେ ଭାରତ ପରାଜିତ ହୋଇଥିଲା। ସେହିପରି ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୨୦୨୪ରେ ଚାମ୍ପିଅନ ହୋଇଥିଲା। ଆଜି ଚାମ୍ପିଅନ ହେବା ପରେ କ୍ରମାଗତ ଟାଇଟଲ ଓ ସର୍ବାଧିକ ୩ଟି ଟାଇଟଲ ଜିତିବାରେ ଭାରତ ପ୍ରଥମ ଦଳ ଭାବେ ବିବେଚିତ ହୋଇଛି।
ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନର ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ ଲାଗି ଭାରତକୁ ଆମନ୍ତ୍ରଣ କରିଥିଲେ। ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି ୪ ଓଭରରେ ୫୦ ଓ ପାୱାରପ୍ଲେ’ରେ ୯୨ ରନ୍ ଉଠାଇଥିଲେ। ୮ମ ଓଭର ବୋଲିଂ କରିବାକୁ ଆସି ଅଭିଷେକଙ୍କୁ ରାଚିନ ରବୀନ୍ଦ୍ର କଟ୍ବିହାଇଣ୍ଡ ଆଉଟ କରାଇ ଏହି ଯୋଡିକୁ ଭାଙ୍ଗିଦେଇଥିଲେ। ତାଙ୍କ ଆଉଟ ପରେ ସାମସନ ଓ ଇଶାନ କିଶାନ ହାତଖୋଲା ସଟ୍ ଖେଳି ୧୦୪ ରନ୍ ଉଠାଇଥିଲେ। ୧୬ତମ ଓଭରର ପ୍ରଥମ ବଲ୍ରେ ସାମସନ୍ଙ୍କୁ ଆଉଟ କରି ଜେମ୍ସ ନୀଶାମ କେବଳ ଏହି ଯୋଡି ଭାଙ୍ଗି ନ ଥିଲେ, ୫ମ ବଲ୍ରେ ଇଶାନ ଓ ୬ଷ୍ଠ ବଲ୍ରେ ସୂର୍ଯ୍ୟକୁମାରଙ୍କୁ ଆଉଟ କରି ଭାରତୀୟ ରନ୍ ହାରରେ ବ୍ରେକ୍ ଲଗାଇଦେଇଥିଲେ। ଫାଇନାଲରେ ସାମସନ ସର୍ବାଧିକ ୮୯ ରନ୍ କରିଥିଲେ। ସେ ୪୬ବଲ୍ ଖେଳି ୫ ଚୌକା ଓ ୮ ଛକା ସହ ଚଳିତ ଟୁର୍ଣ୍ଣାମେଣ୍ଟରେ ହ୍ୟାଟ୍ରିକ ଅର୍ଦ୍ଧତକ ହାସଲ କରିଥିଲେ। ପ୍ରଥମେ କର ଅବା ମର ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୁପର ଏଇଟସ ମ୍ୟାଚ୍ରେ ଅପରାଜିତ ୯୭, ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ୮୯ ଓ ଏହି ମ୍ୟାଚ୍ରେ ମଧ୍ୟ ୮୯ ରନ୍ କରିଥିଲେ। ଇଶାନ ୨୫ବଲ୍ରେ ୪ ଚୌକା ଓ ୪ ଛକା ସହ ୫୪ରନ୍ର ଯୋଗଦାନ ଦେଇଥିଲେ। ଦଳର ପ୍ରଥମ ୩ଜଣ ଖେଳାଳି କ୍ଲିକ୍ କଲାପରେ ଭାରତ ୧୬ତମ ଓଭରରେ ୧, ୧୭ତମ ଓଭରରେ ୭ ଓ ୧୮ତମ ଓଭରରେ ୯ ଓ ୧୯ତମ ଓଭରରେ ୧୧ ରନ୍ସଂଗ୍ରହ କରିଥିଲା। ଏହି ୪ ଓଭରରେ ୩ ୱିକେଟ ହରାଇ ୨୮ ରନ୍ କରିବା ଫଳରେ ଦଳର ରନ୍ ହାର କମିଯାଇଥିଲା। ଶେଷ ଓଭରରେ ଶିବମ ଦୁବେ ୩ଟି ଚୌକା ଓ ୨ଟି ଛକା ସହାୟତାରେ ୨୪ ରନ୍ ଉଠାଇବା ଫଳରେ ଭାରତର ସ୍କୋର ୨୫୦ ରନ୍ ଅତିକ୍ରମ କରିଥିଲା। ଏକଦା ଦଳ ୨୮୦ରୁ ୨୯୦ ରନ୍ କରିବ ବୋଲି ଆଶା କରାଯାଉଥିଲାବେଳେ ଏହି ୪ ଓଭର ସେଥିରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ସମସ୍ତ ବୋଲର ଭାରତର ପ୍ରଥମ ୩ଜଣ ବ୍ୟାଟରଙ୍କ ଆକ୍ରମଣର ଶିକାର ବନିଥିଲେ। ଦଳ ପକ୍ଷରୁ ଜେମ୍ସ ନୀଶାମ ଗୋଟିଏ ଓଭରରେ ୩ଟି ୱିକେଟ ନେଇଥିଲେ। ରାଚିନ ରବୀନ୍ଦ୍ର ଓ ମ୍ୟାଟ ହେନରୀଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।
ପାୱାର ପ୍ଲେ’ରେ ସର୍ବାଧିକ ସ୍କୋର
ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିବା ଭାରତ ପାୱାର ପ୍ଲେ ବା ପ୍ରଥମ ୬ ଓଭରରେ କୌଣସି ୱିକେଟ ନ ହରାଇ ୯୨ ରନ୍ କରିଥିଲା। ଏହା ଫଳରେ ଟି-୨୦ ବିଶ୍ୱକପ୍ର ପାୱାର ପ୍ଲେ’ରେ ଏହା ୱେଷ୍ଟଇଣ୍ଡିଜ୍ର ରେକର୍ଡ ସହ ସମକକ୍ଷ ହୋଇଛି। ୨୦୨୪ ବିଶ୍ୱକପ୍ର ବ୍ରିଜ୍ଟାଉନ୍ରେ ଅନୁଷ୍ଠିତ ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ ୱେଷ୍ଟଇଣ୍ଡିଜ୍ ୧ ୱିକେଟ ହରାଇ ୯୨ ରନ୍ କରିଥିଲା। ଚଳିତ ଟୁର୍ଣ୍ଣାମେଣ୍ଟରେ ନାମିବ୍ୟା ବିପକ୍ଷରେ ଭାରତ ୧ ୱିକେଟରେ ୮୬ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିଫାଇନାଲରେ ନ୍ୟୁଜିଲାଣ୍ଡ କୌଣସି ୱିକେଟ ନ ହରାଇ ୮୪ ରନ୍ କରିଥିଲେ। ଏହି ଇନିଂସରେ ଭାରତ ୪ ଓଭରରେ ୫୦ ରନ୍ ପୂରଣ କରିଥିଲା। ଟି-୨୦ ବିଶ୍ୱକପ୍ ନକ୍ଆଉଟ ସେମିଫାଇନାଲ ଓ ଫାଇନାଲରେ ଏହା ଗୋଟିଏ ଦଳର ସର୍ବାଧିକ ସ୍କୋର। ପାୱାର ପ୍ଲେ’ରେ ନ୍ୟୁଜିଲାଣ୍ଡ ୮ଟି ୱାଇଡ୍ ବଲ୍ ପକାଇ ଯୁଗ୍ମ ସର୍ବାଧିକ ୱାଇଡ୍ ଦେବାର ରେକର୍ଡ କରିଛି।
ଗୋଟିଏ ସଂସ୍କରଣରେ ସର୍ବାଧିକ ରନ କଲେ ସଞ୍ଜୁ
ଭାରତୀୟ ବ୍ୟାଟର ଭାବେ ଟି-୨୦ ବିଶ୍ୱକପ୍ର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ ସଂଗ୍ରହ କରିବାରେ ସଞ୍ଜୁ ସାମସନ ରେକର୍ଡ କରିଛନ୍ତି। ଶେଷ ହୋଇଥିବା ଏହି ସଂସ୍କରଣରେ ସଞ୍ଜୁ ଏହି ବିଶ୍ୱକପ୍ରେ ୫ଟି ମ୍ୟାଚରୁ ୮୦.୨୫ ହାରରେ ୩୨୧ ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ୩ଟି ଅର୍ଦ୍ଧଶତକୀୟ ପାଳି ସାମିଲ ରହିଛି। ଏହିକ୍ରମରେ ସେ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ୨୦୧୪ ସଂସ୍କରଣରେ ବିରାଟ ୩୧୯ ରନ ସଂଗ୍ରହ କରି ତାଲିକାର ଶୀର୍ଷରେ ରହିଥିଲେ। ଇଶାନ କିଶାନ ମଧ୍ୟ ଏହି ବିଶ୍ୱକପରେ ୯ଟି ମ୍ୟାଚରୁ ୩୫.୨୨ ହାରରେ ୩୧୭ ରନ ନିଜ ନାମରେ ଲିପିବଦ୍ଧ କରିଛନ୍ତି। ଉଭୟ ସଞ୍ଜୁ ସାମ୍ସନ୍ ଅଭିଷେକ ଶର୍ମାଙ୍କ ଉପରେ ଟିମ୍ ମ୍ୟାନେଜମେଣ୍ଟ ଯେଉଁ ଭରସା ରଖିଥିଲା ତାହା ସେମାନେ ଭାରତକୁ ଚାମ୍ପିଅନ କରାଇ ଅତୁଟ ରଖିବାରେ ସମର୍ଥ ହୋଇଛନ୍ତି।





